୫ ରାଜ୍ୟବାସୀଙ୍କୁ ପିଆଜ ପୀଡ଼ା: ୧୫୦ ଟପିଲା ଦର


ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତର ଅଧିକାଂଶ ଲୋକ ଏକ ବିଚିତ୍ର ପୀଡ଼ା ମଧ୍ୟ ଦେଇ ଗତି କରୁଛନ୍ତି। ଏହା କୌଣସି ସ୍ବାସ୍ଥ୍ୟଗତ କିମ୍ବା ମୌଳିକ ସମସ୍ୟାଜନିତ ଅସୁବିଧା ନୁହେଁ, ବରଂ ଗୃହିଣୀମାନଙ୍କ ହାଣ୍ଡିଶାଳକୁ ଦୋହଲାଇ ଦେବା ଭଳି ପୀଡ଼ା। ଗରିବ ହୁଅନ୍ତୁ କି ବିତ୍ତଶାଳୀ, ସମସ୍ତଙ୍କ ପାଇଁ ଏକ ଜରୁରୀ ଖାଦ୍ୟ ସାମଗ୍ରୀ ପିଆଜ ବର୍ତ୍ତମାନ ସମସ୍ତଙ୍କୁ କନ୍ଦାଇବାରେ ବ୍ୟସ୍ତ। ପୂର୍ବରୁ ଲୋକେ ପିଆଜ କାଟିଲେ ସିନା କାନ୍ଦୁଥିଲେ, କିନ୍ତୁ ବର୍ତ୍ତମାନ ଦର ଶୁଣିଲେ କାନ୍ଦ ଲାଗୁଛି। ପୂର୍ବ ଭାରତୀୟ ରାଜ୍ୟ ମଧ୍ୟରୁ ଅଧିକାଂଶରେ ବର୍ତ୍ତମାନ ପିଆଜ ଦର ପ୍ରତିଟି ଗଣମାଧ୍ୟମ ପାଇଁ ବ୍ରେକିଂ ନ୍ୟୁଜ୍‌ ପାଲଟିଯାଇଛି। କାରଣ ପିଆଜ ଦର ରେକର୍ଡ ସ୍ତରରେ ପହଞ୍ଚିସାରିଲାଣି। ଗତ ସପ୍ତାହରେ ୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିବା ପିଆଜ ଦର ଗୁରୁବାର ୧୫୦ ଟଙ୍କାରେ ପହଞ୍ଚିଛି। ପଶ୍ଚିମବଙ୍ଗ, ଓଡ଼ିଶା, ତେଲେଙ୍ଗାନା, ରାଜସ୍ଥାନ ଓ ପଞ୍ଜାବ ପରି ରାଜ୍ୟରେ ବର୍ତ୍ତମାନ ପିଆଜ ଦର ଶୁଣିଲେ ପୀଡ଼ା ହେଉଛି। ପଶ୍ଚିମବଙ୍ଗର କେତେକ ସ୍ଥାନରେ ଲୋକମାନଙ୍କୁ ଏହି ଦର ଦେଇ ପିଆଜ କିଣିବାକୁ ପଡ଼ୁଥିବା ବେଳେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦର ୧୨୦ରୁ ୧୪୦ ଟଙ୍କା ମଧ୍ୟରେ ରହିଛି।

ପଶ୍ଚିମବଙ୍ଗର ବର୍ଦ୍ଦୱାନ୍‌, ମୁର୍ଶିଦାବାଦ ଓ ଝାର୍‌ଗ୍ରାମ୍‌ ଆଦି ଜିଲ୍ଲାରେ ପିଆଜ ଦର କିଗ୍ରା ପ୍ରତି ୧୫୦ରୁ କମ୍‌ରେ ମିଳୁନାହିଁ। ସେହିପରି ରାଜ୍ୟର ହୁଗ୍‌ଲିରେ ୧୪୦ ଟଙ୍କା ରହିଥିବା ବେଳେ ମାଲ୍‌ଦା, ଆଲିପୁର୍‌ଦୁଆର୍‌, ଦୁର୍ଗାପୁର ଓ ନାଦିଆରେ ଦର କିଗ୍ରା ପ୍ରତି ୧୨୦ ଟଙ୍କା ରହିଛି। କିନ୍ତୁ ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳରେ ଦର ୧୪୦ ଟଙ୍କା ରହିଛି। ଦର ଆକାଶଛୁଆଁ ହେଉଥିବାରୁ ବେପାରୀମାନେ ଯଥେଷ୍ଟକମ୍‌ ପରିମାଣର ପିଆଜ ଖରିଦ୍‌ କରୁଛନ୍ତି ବୋଲି କହୁଛନ୍ତି। ସେହିପରି ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଦର ୧୫୦ ଟଙ୍କା ରହିଛି। ତେଣୁ ବର୍ତ୍ତମାନ ସମୟରେ କେବଳ ବିତ୍ତଶାଳୀ ଲୋକମାନେ ପିଆଜ କିଣିପାରିବେ, ଗରିବ ଲୋକମାନେ ଏହାଠାରୁ ଦୂରେଇ ରହିବେ ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏଥିସହ ସରକାର ରିହାତି ମୂଲ୍ୟରେ ପିଆଜ ଯୋଗାଇଦେଲେ, ସାଧାରଣ ଲୋକେ ଏହି ଦୁର୍ମୂଲ୍ୟ ସାମଗ୍ରୀ ପାଇପାରିବେ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ପିଆଜ ଦର ଆକାଶଛୁଆଁ ହୋଇଥିବାରୁ ଏହାର ନିରାକରଣ ପାଇଁ ତେଲେଙ୍ଗାନା ସରକାର ତୁର୍କୀରୁ ୪ ହଜାର ଟନ୍‌ ପିଆଜ ଆମଦାନି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଆସନ୍ତା ମାସରେ ଏଠାରେ ପହଞ୍ଚିବାର ସମ୍ଭାବନା ରହିଛି।

ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ପିଆଜ ଦର କିଗ୍ରା ପ୍ରତି ୧୨୦ରୁ ୧୪୦ ଟଙ୍କା ଥିବା ବେଳେ କଟକରେ ୧୩୦, ପୁରୀରେ ୧୨୦ ଓ ବ୍ରହ୍ମପୁରରେ ୧୦୦ ଟଙ୍କା ରହିଛି। ଏହାଛଡ଼ା ରାଜସ୍ଥାନରେ କୋଟାରେ ପିଆଜ କିଗ୍ରା ପ୍ରତି ଲୋକେ ୧୩୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏହାଛଡ଼ା ଅଲ୍‌ୱର୍‌, ବିକାନେର୍‌, ଭରତପୁର, ଯୋଧପୁର ଆଦିରେ ୧୦୦ ଟଙ୍କା, ଜୈସଲମେର୍‌ ଓ ବାଡମେର୍‌, ହନୁମାନଗଡ଼, ସିରୋହି ଓ ସିକର୍‌ରେ ପିଆଜ ଦର କିଗ୍ରା ପ୍ରତି ୮୦ରୁ ୧୦୦ ଟଙ୍କା ରହିଛି। ପଞ୍ଜାବରେ ମଧ୍ୟ ସମାନ ଅବସ୍ଥା। ଏଠାରେ ପିଆଜ କିଗ୍ରା ପ୍ରତି ଦର ୧୦୦ରୁ ୧୨୦ ଟଙ୍କା ମଧ୍ୟରେ ରହିଛି। ତେବେ ଆଫଗାନିସ୍ତାନରୁ ଆମଦାନି ହୋଇଥିବା ପିଆଜ କେତେକ ସ୍ଥାନରେ କିଲୋ ପ୍ରତି ୯୦ ଟଙ୍କାରେ ଦରରେ ମିଳୁଛି। ଅମୃତସରରେ ଦର ୭୦ ଟଙ୍କା ଥିବା ବେଳେ ନାସିକ୍‌ରୁ ଆସୁଥିବା ପିଆଜ ଦର କେତେକ ସ୍ଥାନରେ ୮୫ ଟଙ୍କା ରହିଛି। ସେହିପରି ହିସାରରେ ଦର ୭୦ରୁ ୭୫ ଟଙ୍କା ମଧ୍ୟରେ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ