ହାତ ଟେକିଦେଲା ରାଜ୍ୟ ସରକାର: ମିଶିବ କାଳିଆ ଓ କିଷାନ୍‌


ଭୁବନେଶ୍ବର: ଘୋଷଣାର ବର୍ଷକ ପରେ ହାତ ଟେକିଦେଲେ ସରକାର। ଯେଉଁ ଯୋଜନାକୁ ନେଇ ସରକାର ନିର୍ବାଚନ ବୈତରଣୀ ପାର୍‌ ହୋଇଥିଲେ ଏବଂ ନିଜସ୍ବ ଯୋଜନା ବୋଲି କହି ବାହାବା ନେଇଥିଲେ ଏବେ ଯେ ଯୋଜନାକୁ ନେଇ ସରକାର ହାତ ଟେକିଦେଇଛନ୍ତି। ଏଥିସହ ଯେଉଁ ପ୍ରସଙ୍ଗକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ଏବେ ଶେଷରେ ରାଜ୍ୟ ଓ କେନ୍ଦ୍ର ସରକାର ସେହି ପ୍ରସଙ୍ଗରେ ହାତ ମିଳାଇଛନ୍ତି। ଏଠାରେ ଆମେ କହୁଛି ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା କଥା। ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ୍‌ ସହ ମିଶାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆସନ୍ତା ଆର୍ଥିକ ବର୍ଷରୁ ଦୁଇଟି ପୃଥକ୍ ପୃଥକ୍ ନୁହେଁ, ବରଂ ଗୋଟିଏ ଯୋଜନା ଭାବେ ଏହା ଓଡ଼ିଶାରେ କାର୍ଯ୍ୟ କରିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଇତିମଧ୍ୟରେ କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ଜଣାପଡ଼ିଛି। ସେପଟେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

‘କାଳିଆ’ର ଗାଇଡ୍‌ଲାଇନକୁ ପରିବର୍ତ୍ତନ କରିଛନ୍ତି ସରକାର। ଅର୍ଥାତ୍ ଓଡ଼ିଶାର ଚାଷୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମିଶି ୧୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ପାଇବେ। ପୂର୍ବରୁ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଓ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ୬ ହଜାର ଟଙ୍କା ପାଉଥିଲେ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ, ପିଏମ୍‌ କିଷାନ ସହ ମିଶ୍ରଣ ପରେ ଚାଷୀଙ୍କୁ ୧୦ ହଜାର ବଦଳରେ ରାଜ୍ୟ କେବଳ ୪ ହଜାର ଟଙ୍କା ଦେବ। ବାକି ୬ ହଜାର କେନ୍ଦ୍ରର ପିଏମ୍‌ କିଷାନ ଯୋଜନାରେ ଚାଷୀ ଯେମିତି ପାଉଥିଲେ ପାଇବେ। ତେବେ ପିଏମ୍‌ କିଷାନରେ ଭୂମିହୀନ ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନଥିବାରୁ ‘କାଳିଆ’ରେ ଚିହ୍ନଟ୍‌ ୧୪ ଲକ୍ଷ ୭୦ ହଜାର ଭୂମିହୀନଙ୍କୁ ବାର୍ଷିକ ୧୨ ହଜାର ୫ ଶହ ଟଙ୍କା ପୂର୍ବଭଳି  ମିଳିବ।

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଘୋଷଣା କରିଥିଲେ। କେନ୍ଦ୍ର ସରକାର ମଧ୍ୟ ଅନୁରୂପ ଭାବେ ପିଏମ୍‌ କିଷାନ୍‌ ଯୋଜନା ଲାଗୁ କଲେ। ହେଲେ ରାଜ୍ୟ ସରକାର ଓଡ଼ିଶାରେ ପିଏମ୍‌ କିଷାନ୍‌ ଯୋଜନାକୁ ଲାଗୁ କଲେନି। କାଳିଆ ଯୋଜନାରେ ସରକାର ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ଚାଷୀଙ୍କୁ ୨୫୫୨ କୋଟି ୬୪ ଲକ୍ଷ ଟଙ୍କା ଦେଇ ସାରିଛନ୍ତି। ଦ୍ବିତୀୟ କିସ୍ତିର ଟଙ୍କା ନଭେମ୍ବରରେ ଦେବେ ବୋଲି କହିଥିଲେ। ହେଲେ ହିତାଧିକାରୀ ଚୟନକୁ ନେଇ ବିବାଦ ଉଠିଲା। କାଳିଆ ଯୋଜନାରେ ସମୁଦାୟ ୭୫ ଲକ୍ଷ ଚାଷୀଙ୍କୁ ସାମିଲ୍‌ କରିବେ ବୋଲି ସରକାର ଘୋଷଣା କରିଥିଲେ। ହେଲେ ହିତାଧିକାରୀ ଚୟନକୁ ନେଇ ବିବାଦ ସୃଷ୍ଟି ହେବାରୁ ଏହି ଯୋଜନାର ଗତିରୋଧ ହୋଇଥିଲା।

ସେପଟେ ବିରୋଧୀ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଗକୁ ଦ୍ବନ୍ଦ ଆହୁରି ବଢ଼ିବ, ଚାଷୀ ଏଥିରୁ କିଛି ଲାଭ ପାଇବେନି ବୋଲି କଂଗ୍ରେସ କହିଛି। ସେପଟେ ବିଜେପି କହିଛି କେବଳ ଭୋଟ୍‌ ପାଇଁ ସରକାର ଏମିତି କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ