ସମ୍ପର୍କକୁ ଅଡୁଆ ସେକ୍ସ: ପାକ୍‌ ଯୁବତୀ ଏବେ ଚୀନରେ ବେଶ୍ୟା

ଅସହାୟ ପାକିସ୍ତାନ ଚୀନ ପାଇଁ ଘଣ୍ଟ ଘୋଡ଼ାଉଛି, ତଦନ୍ତ ରୋକିବାକୁ ଚାପ

ଚାଞ୍ଚଲ୍ୟକର ଖବରକୁ ନେଇ ଚର୍ଚ୍ଚା ସରଗରମ। ଯେହେତୁ ଏହା ପାକିସ୍ତାନ ଓ ଚୀନ ସମ୍ପର୍କିତ, ଏଣୁ ସଭିଙ୍କ ଭ୍ରୁକୁଞ୍ଚନ ହେବା ସ୍ବାଭାବିକ। ଏଇ କେତେବର୍ଷ ମଧ୍ୟରେ ଚୀନ ସହ ସମ୍ପର୍କରେ ବାନ୍ଧି ହୋଇଥିବା ଦେବାଳିଆ ପାକିସ୍ତାନକୁ ଲାଗିଛି ଜବରଦସ୍ତ ଝଟ୍‌କା। ପାକିସ୍ତାନର ଗରିବ ଯୁବତୀମାନଙ୍କୁ ମାନବ ଚାଲାଣକାରୀ ଓ ଦଲାଲମାନେ ଚୀନରେ ବିକ୍ରି କରୁଥିବା ଜଣାପଡ଼ିଛି।  ଆଉ ବିକ୍ରି କରାଯାଉଥିବା ଏହି ଯୁବତୀମାନଙ୍କୁ ଚୀନ ଯୁବକଙ୍କ ପତ୍ନୀ ଭାବେ ପ୍ରଥମେ ଦର୍ଶାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଛି। ତେବେ ଆତଙ୍କବାଦକୁ ନିଜ ମାଟିରେ ପ୍ରୋତ୍ସାହନ ଦେଉଥବବାରୁ ବିଶ୍ବର ଅଧିକାଂଶ ରାଷ୍ଟ୍ରଙ୍କ ଉତ୍ତମ ଦୃଷ୍ଟିରେ ନ ଥିବା ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ଏଣୁ ସାହା ଭରସା ପାଲଟିଥିବା ଚୀନ ସହ ସମ୍ପର୍କ ଖରାପ କରିବାକୁ ଚାହୁନି ପାକିସ୍ତାନ। ଯଦ୍ବାରା ଏ ସମ୍ପର୍କରେ ସବୁକିଛି ଜାଣି ମଧ୍ୟ ତଦନ୍ତ ରୋକିବାକୁ ପ୍ରୟାସ କରୁଛି ପାକିସ୍ତାନ। ଦେଶବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଚୀନର ଘଣ୍ଟ ଘୋଡ଼ାଇବା ପାକିସ୍ତାନ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି।

ଶତାଧିକ ପାକିସ୍ତାନୀ ଯୁବତୀଙ୍କୁ ଚୀନରେ ବିକ୍ରି କରିଦିଆଯାଇଛି। ପାକିସ୍ତାନରୁ ସେମାନଙ୍କୁ ଯୋଜନାବଦ୍ଧ ଭାବେ ନେଇ ଚୀନ ଯୁବକମାନଙ୍କ ନିକଟରେ ଏକ ପ୍ରକାର ପଣବନ୍ଦୀ କରି ରଖାଯାଇଥିବା କୁହାଯାଇଛି। ଏପି ନ୍ୟୁଜ ଏଜେନ୍ସି ନିଜ ରିପୋର୍ଟରେ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିବା ପରେ ଦୁଇ ବନ୍ଧୁ ଦେଶ କୁହାଯାଉଥିବା ଚୀନ ଏବଂ ପାକିସ୍ତାନ ମଧ୍ୟରେ ସରଗରମ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ପାକିସ୍ତାନରୁ ଇତିମଧ୍ୟରେ ୬୨୯ ଯୁବତୀ ଓ ମହିଳାଙ୍କୁ ଚୀନର ଯୁବକ ଓ ପୁରୁଷମାନଙ୍କୁ ପତ୍ନୀ ରୂପେ ବିକ୍ରି କରିଦିଆଯାଇଛି। ଆଉ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଇଥିବା ଜଣାପଡ଼ିଛି।

ଚୀନକୁ ପାକ୍‌ ଯୁବତୀ ଚାଲାଣର ପର୍ଦ୍ଦାଫାସ
୬୨୯ ଜଣ ପାକିସ୍ତାନୀ ଯୁବତୀଙ୍କୀ ଚୀନରେ ବିକ୍ରି କରି ଦିଆଯାଇଥିବାକୁ ସ୍ବୀକାର କରିଛି ପାକିସ୍ତାନର ତଦନ୍ତକାରୀ ସଂସ୍ଥା। ପାକିସ୍ତାନର ଗରିବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବତୀମାନଙ୍କୁ ମହିଳା ଚାଲାଣକାରୀମାନେ ଟାର୍ଗେଟ କରୁଥିବା ସାମ୍ନାକୁ ଆସିଛି। ୨୦୧୮ ପରେ ପାକିସ୍ତାନୀ ମହିଳା ମାନଙ୍କୁ ଚାଲାଣ କରାଯାଇଥିବାର ସଠିକ୍‌ ତଥ୍ୟ ସାମ୍ନାକୁ ଆସିବା ପରେ ଚୀନ ଓ ପାକିସ୍ତାନରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଜୁନ ମାସ ଠାରୁ ଚୀନ ଓ ପାକିସ୍ତାନରେ ପରିଚାଳିତ ଏହି ରାକେଟ ସାମ୍ନାକୁ ଆସିବା ପରେ ତଦନ୍ତ ବ୍ୟାପକ ଭାବେ ଆରମ୍ଭ ହୋଇଥିଲା। କିନ୍ତୁ ସରକାରୀ କର୍ମଚାରୀଙ୍କ ଉପରେ ଚୀନ ଓ ପାକିସ୍ତାନର ପ୍ରବଳ ଚାପ ପଡ଼ିବା କାରଣରୁ ତଦନ୍ତ ଶିଥିଳ ହେବାରେ ଲାଗିଥିଲା। ଅକ୍ଟୋବର ମାସରେ ଫୈସଲାବାଦର ଏକ ଅଦାଲତ ମାନବ ଚାଲାଣ (ହ୍ୟୁମ୍ୟାନ ଟ୍ରାଫିକିଂ) ମାମଲାରେ କାରାଦଣ୍ଡ ଭୋଗୁଥିବା ୩୧ ଚୀନ ନାଗରିକଙ୍କୁ ଖଲାସ କରିଦେଇଥିଲା। ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ମହିଳା ଓ ସେମାନଙ୍କ ପରିବାର ଉପରେ ପ୍ରବଳ ଚାପ ଓ ଧମକ ଶୁଣିବାକୁ ମିଳିବାରୁ ସେମାନେ ଅଦାଲତକୁ ସହଯୋଗ କରି ନ ଥିବା ନିଜ ନାମ ପ୍ରକାଶ କରିବାକୁ ସର୍ତ୍ତ ରଖି ଜଣେ ଜେଲ ଓ ପୋଲିସ କର୍ମଚାରୀ ସୂଚନା ଦେଇଛନ୍ତି। ଯୁବତୀ ଚାଲାଣ ସମୟରେ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ନେଇ ଧରାପଡ଼ିଥିବା ଚୀନ ନାଗରିକମାନେ କାହା ଚାପ ଯୋଗୁଁ ନିର୍ଦ୍ଦୋଷରେ ଖଲାସ ହୋଇଗଲେ, ତାକୁ ନେଇ ସିଭିଲ ସୋସାଇଟି ଗୁଡ଼ିକ ପକ୍ଷରୁ ଅଭିଯୋଗ ଉଠିଛି।

ସରକାରୀ ଚାପରେ ଆଗେଇପାରୁନି ତଦନ୍ତ
ଚୀନରେ ପଣବନ୍ଦୀ ତଥା ଯୌନଦାସୀ ଭାବେ ନର୍କଯନ୍ତ୍ରଣା ଭୋଗୁଥିବା ମହିଳାମାନଙ୍କ ଉଦ୍ଧାର ଦିଗରେ କାମ କରୁଥିବା ତଥା ପାକିସ୍ତାନୀ ମହିଳାମାନଙ୍କୁ ମହିଳା ଚାଲାଣକାରୀ ନେଟୱର୍କରେ ଫସିବା ଆଦିରୁ ରକ୍ଷା କରୁଥିବା ଜଣେ ସମାଜସେବୀ ସଲିମ ଇକବାଲ କହନ୍ତି, ଟ୍ରାଫିକିଂକୁ ଧରିବା ଦିଗରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ନିଜ ଦେଶର ସରକାର ଆବଶ୍ୟକ ସହାୟତା ଦେଉନାହାନ୍ତି। ଓଲଟି ସବୁଠୁ ସକ୍ରିୟ ଥିବା ତଦନ୍ତକାରୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଉଛି। ପାକିସ୍ତାନୀ ପ୍ରଶାସନ ପୂରା ଦମ୍‌ରେ ଚୀନର ସମ୍ମାନ ରକ୍ଷା କରିବା ଦିଗରେ ଲାଗିଯାଇଛି। ଚୀନର ଯୁବତୀ ଚାଲାଣକାରୀ ଅପରାଧୀମାନେ ପାକିସ୍ତାନୀ ଜେଲରୁ ଖଲାସ ହେବା ପଛରେ ନିଜ ସରକାର ଦାୟୀ ବୋଲି ସଲିମ ସାଂଘାତିକ ଅଭିଯୋଗ ଉଠାଇଛନ୍ତି। ପାକିସ୍ତାନୀ ମିଡିଆରେ ଯୁବତୀ ଚାଲାଣକୁ ନେଇ ଖବର ପ୍ରସାରଣ ଉପରେ କଟକଣା ଜାରି କରାଯାଇଛି। ନିଜ ନାମ ଗୋପନ ରଖି ଜଣେ ଅଧିକାରୀ କହିଛନ୍ତି ଯେ କୌଣସି ସଂସ୍ଥା ବା ବ୍ୟକ୍ତି ଏହି ଯୁବତୀମାନଙ୍କ ସୁରକ୍ଷା ପାଇଁ ଆଗକୁ ଆସୁନାହାନ୍ତି। ସଂଗଠିତ ଭାବେ ଏଭଳି ରାକେଟ ଜୋର୍‌ରେ ଚାଲିଛି। ତଦନ୍ତ ନ କରିବା ପାଇଁ ଚାପ ପଡ଼ୁଥିବାରୁ ଏହା ମଧ୍ୟ ଆଉ ଆଗକୁ ବଢ଼ିପାରିବ ନାହିଁ ବୋଲି ସେ ସୂଚାଇଛନ୍ତି।

ସଫେଇ ଦେଉଛି ଚୀନ
ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଉଭୟ ଚୀନ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଏଭଳି ସମ୍ପର୍କ ସୃଷ୍ଟି ହେଉ ବୋଲି ଚାହୁଁଛନ୍ତି। ଯାହା ହେଉଛି ସବୁ ଆଇନଗତ ଭାବରେ। ଯୁବତୀ ଚାଲାଣ ବିରୋଧରେ ଚୀନ ତା’ର ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଛି ଓ ସେ ଅନୁସାରେ କାର୍ଯ୍ୟ କରୁଛି। ପାକିସ୍ତାନର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଯୁବତୀମାନଙ୍କୁ ଦଲାଲମାନେ ନିଜ ଅଙ୍ଗୁଳିରେ ନଚାଉଛନ୍ତି। ସେମାନଙ୍କର ଗରିବ ମାତାପିତାଙ୍କୁ ଚୀନର ଧନୀ ସ୍ବାମୀର ପ୍ରଲୋଭନ ଦେଖାଇ ଚୀନ ପଠାଇବା ଦିଗରେ ସକ୍ଷମ ହେଉଛନ୍ତି। ସ୍ବାମୀ, ପରିବାର, ସଂସାର ଓ ସନ୍ତାନର ସୁଖ ସ୍ବପ୍ନ ନେଇ ପାକ୍‌ ଯୁବତୀ ଚୀନ ମାଟିରେ ପହଞ୍ଚିବା ପରେ ତା’ର ମୋହଭଙ୍ଗ ହେଉଛି। ଚୀନର ତଥାକଥିତ ପତି ତାକୁ ସେଠାରେ ବେଶ୍ୟାବୃତ୍ତିରେ ନିୟୋଜିତ କରିଦେଉଛି। ମୁସଲିମ ବହୁଳ ପାକିସ୍ତାନରେ ଗରିବ ଖ୍ରୀଷ୍ଟିଆନ ପରିବାରକୁ ଚାଲାଣକାରୀମାନେ ସହଜରେ ଟାର୍ଗେଟ କରିନେଉଛନ୍ତି। ହ୍ୟୁମାନ ଟ୍ରାଫିକିଂରେ ଚୀନ ଓ ପାକିସ୍ତାନୀ ଦଲାଲ ଏବଂ କିଛି ଖ୍ରୀଷ୍ଟିଆନ ସାମିଲ ହୋଇଥାନ୍ତି। ଏହି ଦଲାଲମାନେ ଗରିବ ପରିବାରକୁ ନିଜର ଝିଅକୁ ବିକ୍ରି କରିଦେବା ପାଇଁ ବାରମ୍ବାର ବିଭିନ୍ନ ପ୍ରଲୋଭନ ଦେଖାନ୍ତି। ଜଣେ ମୌଲବୀ ମଧ୍ୟ ନିଜ ମଦ୍ରସାରୁ ମ୍ୟାରେଜ ବ୍ୟୁରୋ ପରିଚାଳିତ କରୁଥିବାର ସାଂଘାତିକ ତଥ୍ୟ ଅନୁସନ୍ଧାନକାରୀ ଦଳଙ୍କ ନଜରକୁ ଆସିଛି। ଅନୁସନ୍ଧାନକାରୀ ଦଳ ୬୨୯ ମହିଳାଙ୍କ ତାଲିକା ସେମାନଙ୍କ ଚୀନ ପତିଙ୍କ ନାମ, ବିବାହ ତାରିଖ ଆଦି ଯୋଗାଡ଼ କରି ସରକାରଙ୍କ ନିକଟରେ ଦେଇଛନ୍ତି। ଏହିସବୁ ଯୁବତୀ ଓ ମହିଳାମାନେ ସେମାନଙ୍କ ପରିବାରର ସମ୍ମତିରେ ପରଦେଶୀ ହୋଇଛନ୍ତି ଓ ସେଠାରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇଯାଇଛି।

ପାକ୍‌ରୁ ଝିଅ ନେଇ ଚୀନରେ ଦେହ ବେପାର
ପାକିସ୍ତାନର ଯୁବତୀମାନଙ୍କୁ ନେଇ ଚୀନର ରେଡଲାଇଟ ଏରିଆରେ ଦେହ ବେପାରରେ ନିୟୋଜିତ କରାଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ବିବାହ ପ୍ରଲୋଭନରେ ବଶବର୍ତ୍ତୀ ହେଉଥିବା ଗରିବ ପରିବାରର ଝିଅମାନେ ଏଭଳି ଶିକାର ହୋଇଥାନ୍ତି। କେତେକ ଯୁବତୀ ନିଜ ବୟାନ ଦେବା ପରେ ପୁଣି ଓଲଟି ଯାଇଥିବାରୁ ପୋଲିସ ଅପରାଧୀଙ୍କୁ ଧରି ମଧ୍ୟ ଛାଡ଼ିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଲାହୋର ପୋଲିସ ଷ୍ଟେସନରେ ଚାଲାଣ ହୋଇଥିବା ୬୨୯ ଜଣ ମହିଳାଙ୍କ ସବିଶେଷ ତଥ୍ୟ ଓ ଠିକଣା ରହିଛି। ପଡ଼ୋଶୀ ବନ୍ଧୁ ଦେଶ ସହ ସମ୍ପର୍କ ଖରାପ ନ ହେଉ ବୋଲି ଚାହୁଁଥିବା ପାକିସ୍ତାନ ନିଜ ଦେଶର ଝିଅ ଓ ବୋହୂମାନଙ୍କ ସୁରକ୍ଷାରୁ ଲଜ୍ଜାଜନକ ଭାବେ ଓହରିଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ