କର୍ଣ୍ଣାଟକରେ ୧୫ ବିଧାନସଭା ଆସନ ପାଇଁ ମତଦାନ, ୟେଦିୟୁରପ୍ପାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ


କର୍ଣ୍ଣାଟକ ବିଧାନସଭାର ୧୫ଟି ଆସନ ପାଇଁ ଉପନିର୍ବାଚନ ସକାଶେ ମତଦାନ ଚାଲିଛି। ବିଶେଷକରି ବର୍ତ୍ତମାନର ବିଜେପି ସରକାର ସଂଖ୍ୟାଗରିଷ୍ଠତା ବଜାୟ ରଖିବା ଏହି ଉପନିର୍ବାଚନର ଫଳାଫଳ ଉପରେ ନିର୍ଭର କରୁଥିବାରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ପାଇଁ ଏହା ଅଧିକ ଗୁରୁତବ ବହନ କରୁଛି। ଆସନ୍ତା ୯ ତାରିଖରେ ଫଳାଫଳ ଘୋଷଣା ହେବା ପରେ ଚିତ୍ର ସ୍ପଷ୍ଟ ହେବ। ମାତ୍ର ସମସ୍ତ ୧୫ଟି ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନରେ ମତଦାନ ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ସୂଚନା ମିଳିଛି। ମୋଟ୍‌ ୧୭ଟି ଆସନ ଖାଲି ହୋଇଥିଲେ ବି ୨ଟି ଆସନରେ ଉପନିର୍ବାଚନ ହାଇକୋର୍ଟଙ୍କ ରହିତାଦେଶ ପାଇଁ ସ୍ଥଗିତ ରହିଛି।

କଂଗ୍ରେସ-ଜେଡି(ଏସ୍‌) ସରକାରରୁ ୧୭ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିବା ସହ ସେମାନଙ୍କ ବିଧାୟକ ପଦରୁ ଇସ୍ତଫା ଦେବା ପରେ ମିଳିତ ସରକାରର ପତନ ଘଟିଥିଲା। ଏହାପରେ ୟେଦିୟୁରପ୍ପା ୧୦୪ ବିଜେପି ବିଧାୟକ ଓ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ରାଜ୍ୟରେ ସରକାର ଗଠନ କରିବା ସହ ଆସ୍ଥା ଭୋଟ୍‌ରେ ମଧ୍ୟ ବିଜୟୀ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ତତ୍‌କାଳୀନ ବାଚସ୍ପତି ରମେଶ କୁମାର ବିଧାୟକ ପଦରୁ ଇସ୍ତଫା ଦେଇଥିବା ୧୪ ଜଣ କଂଗ୍ରେସ ଓ ୩ ଜଣ ଜେଡି(ଏସ୍‌) ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ଆସନ୍ତା ବିଧାନସଭା ଶେଷ ହେବା ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ନିର୍ଦେଶ କରିବା ପରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା।

ସୁପ୍ରିମକୋର୍ଟ ମାମଲାର ବିଚାର କରି ବାଚସ୍ପତିଙ୍କ ସଦସ୍ୟ ପଦ ଅଯୋଗ୍ୟ ଘୋଷଣା ନିଷ୍ପତ୍ତିକୁ କାଏମ ରଖି ବିଧାନସଭା କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ବାଚସ୍ପତି ଯେଉଁ ନିର୍ଦେଶ ଦେଇଥିଲେ ତାହାକୁ ଖାରଜ କରିଥିଲେ। ଏହାପରେ ବିଦ୍ରୋହ ଘୋଷଣା କରି ବିତାଡିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ କରିବା ସହ ମୋଟ ୧୫ ଆସନରେ ପ୍ରାର୍ଥୀ ଦେଇଛି। ତେଣୁ ଏହି ଉପନିର୍ବାଚନରେ ବିଜେପିକୁ ୬ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାର ଆବଶ୍ୟକତା ରହିଛି। ଉପନିର୍ବାଚନ ପରେ ଜଣେ ମନୋନୀତ ସଦସ୍ୟଙ୍କୁ ମିଶାଇ ଗୃହର ସଦସ୍ୟ ସଂଖ୍ୟା ୨୨୩ ହେବ। ତେଣୁ ବିଜେପିକୁ ୧୧୨ ସଦସ୍ୟଙ୍କ ସମର୍ଥନ ଜରୁରୀ ହୋଇ ପଡ଼ିଛି। ଯଦି ବି କୌଣସି କାରଣରୁ ବିଜେପି ଏହି ଟାର୍ଗେଟ୍‌ ଠାରୁ ପଛରେ ରହେ ତଥାପି ବି ସରକାର ଭାଙ୍ଗିବ ନାହିଁ। କାରଣ ୟେଦିୟୁରପ୍ପା ସରକାର ଗତ ଜୁଲାଇ ୨୭ରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇଥିବାରୁ ଏହା ଆସନ୍ତା ଜାନୁଆରୀ ୨୯ ପର୍ଯ୍ୟନ୍ତ ବଳବତ୍ତର ରହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ