ବେଧଡ଼କ୍‌ ଚାଲିଛି ଲାଞ୍ଚ କାରବାର: କବଳରେ ଅଧା ଭାରତ

ରାଜସ୍ଥାନରେ ସର୍ବାଧିକ, କେରଳରେ ସର୍ବନିମ୍ନ ଓ ଓଡ଼ିଶା ନିମ୍ନରୁ ତୃତୀୟ

ଭୁବନେଶ୍ବର: ଦୁର୍ନୀତି ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ନିୟମ ଆଣୁଛନ୍ତି। ସରକାରୀ ବାବୁମାନଙ୍କୁ ବାରମ୍ବାର ତାଗିଦ୍‌ କରୁଛନ୍ତି। ଦୁର୍ନୀତିରେ ଲିପ୍ତ ପୁଳା ପୁଳା ଅଧିକାରୀଙ୍କୁ ବିଦା ମଧ୍ୟ କରାଯାଉଛି। ତଥାପି ଦୁର୍ନୀତି ଥମୁନାହିଁ। ସରକାରୀ କଳକୁ ଏହା ଯେମିତି ବ୍ୟାଧି ଭଳି ଗ୍ରାସ କରିଛି। ଏବେ ଦୁର୍ନୀତି ପାଲଟିଛି ଆମ ଜୀବନର ଅଭିନ୍ନ ଅଙ୍ଗ। ପରିସ୍ଥିତି ଏପରି ହୋଇଛି ଯେ ଅନିଚ୍ଛା ସତ୍ତ୍ବେ ମଧ୍ୟ ଲୋକେ ସାମାଜିକ ବ୍ୟବସ୍ଥାରେ ଏହାର ଶିକାର ହୋଇ ଚାଲିଛନ୍ତି। ବିଭିନ୍ନ ସର୍ବେକ୍ଷଣରେ ଓଡ଼ିଶାରେ ସର୍ବାଧିକ ଦୁର୍ନୀତି ହେଉଥିବା ଦର୍ଶାଯାଇଛି। ସରକାରୀ ଅଫିସ୍‌ରେ ହେଉଥିବା ଦୁର୍ନୀତିରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି।  ସରକାର ‘ଫାଇଭ-ଟି’ ଠାରୁ ଆରମ୍ଭ କରି ଯାବତୀୟ ନୂଆ ନୂଆ ଯୋଜନାମାନ ଘୋଷଣା କରିଥିଲେ ମଧ୍ୟ ଦୁର୍ନୀତିକୁ ରୋକିବାରେ ତାହା ସହାୟକ ହୋଇ ପାରିନାହିଁ। ତେବେ ଟ୍ରାନ୍ସପରେନ୍ସିଂ ଇଣ୍ଟରନ୍ୟାସ୍‌ନାଲ୍‌ ଇଣ୍ଡିଆ ଦ୍ୱାରା କରାଯାଇଥିବା ଇଣ୍ଡିଆନ୍‌ କରପ୍‌ସନ୍‌ ସର୍ଭେ ୨୦୧୯ରେ ଓଡ଼ିଶାକୁ ସାନ୍ବନ୍ତା ଦେବା ଭଳି ତଥ୍ୟ ପ୍ରକାଶ ପାଇଛି। ଓଡ଼ିଶାରେ ଦୁର୍ନୀତି ହେଉଥିଲେ ମଧ୍ୟ ପୂର୍ବ ବର୍ଷ ତୁଳନାରେ ଅପେକ୍ଷାକୃତ କମ୍‌ ଦୁର୍ନୀତି ହୋଇଥିବା ରିପୋର୍ଟରେ କୁହାଯାଇଛି। ଦୁର୍ନୀତି ମାମଲାରେ ଓଡ଼ିଶାରେ ତୁଳନାରେ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଝାଡ଼ଖଣ୍ଡ ଓ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ପଞ୍ଜାବ ଆଦି ଆଗରେ ରହିଛନ୍ତି। ଜେଡିୟୁ ଏବଂ ବିଜେପି ମେଣ୍ଟର ଶାସନ ଥିବା ବିହାର ମଧ୍ୟ ପଛରେ ପଡ଼ିନାହିଁ। ଏହାଛଡ଼ା ତେଲେଙ୍ଗାନା ଓ ତାମିଲନାଡ଼ୁ ମଧ୍ୟ ଦୁର୍ନୀତିରେ ବେଶ୍‌ ଆଗରେ ରହିଛନ୍ତି। ଏପରିସ୍ଥଳେ ଦିଲ୍ଲୀ, ହରିୟାଣା, ଗୁଜରାଟ, ପଶ୍ଚିମବଙ୍ଗ‌, କେରଳ, ଗୋଆ ଏବଂ ଓଡ଼ିଶାରେ ଲାଞ୍ଚ କାରବାର ପୂର୍ବାପେକ୍ଷା କମିଥିବା ଜଣାପଡ଼ିଛି। ଏଠାକାର ଜନତା ସରକାରୀ ବାବୁମାନଙ୍କୁ କମ୍‌ ଲାଞ୍ଚ ଦେଇଥିବା ଜଣାପଡ଼ିଛି।

ଯଦିଓ ଗତ କିଛି ବର୍ଷରେ ଲାଞ୍ଚ ଦେଣନେଣର ପରିମାଣ କମିଛି, ତେବେ ତଥ୍ୟରୁ ଜଣାପଡ଼ିଛି ଯେ ୫୦ ପ୍ରତିଶତରୁ ଅଧିକ ଭାରତୀୟ ଚଳିତ ବର୍ଷ ନିଜର କାମ ହାସଲ ପାଇଁ ଲାଞ୍ଚ ଦେଇଛନ୍ତି। ନିଜ କାର୍ଯ୍ୟକୁ ଶୀଘ୍ର ସାରିବା ଆଶାରେ ସେମାନେ ଲାଞ୍ଚ ଦେବାକୁ ବାଧ୍ୟ ହୋଇଥିବା ଦର୍ଶାଇଛନ୍ତି। ଅର୍ଥାତ୍ ଲାଞ୍ଚ କାରବାର ଦେଶର ଅଧାରୁ ଅଧିକ ଲୋକଙ୍କୁ କବଳିତ କରିଥିବା କଥା ଏହି ରିପୋର୍ଟରୁ ସାମ୍ନାକୁ ଆସିଛି। ତେବେ ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ଦୁର୍ନୀତି ନେଇ ଭାରତର ସ୍ଥିତିରେ ସୁଧାର ଆସିଛି। ୧୮୦ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୭୮ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଲାଞ୍ଚ ନ ଦେଲେ ଅତି ଜରୁରୀ କାର୍ଯ୍ୟ ଶୀଘ୍ର ହେଉନାହିଁ। ଫଳରେ ଲୋକେ ନାନା ସମସ୍ୟାର ଶିକାର ହେଉଛନ୍ତି। ଜମି ପଞ୍ଜୀକରଣ, ପୋଲିସ୍‌ ମାମଲା, ପୌର ନିଗମ, ପରିବହନ କାର୍ଯ୍ୟାଳୟ, ଟିକସ ବିଭାଗ, ଜଳ ଓ ବିଦ୍ୟୁତ୍‌ ଭଳି ଅଧିକାଂଶ କାର୍ଯ୍ୟାଳୟରେ ଲାଞ୍ଚ ନ ଦେଲେ କାମ ଠିକ୍‌ରେ ହେଉନାହିଁ ବୋଲି ସର୍ଭେରୁ ଜଣାପଡ଼ିଛି। ୨୦୧୯ରେ ହୋଇଥିବା ମୋଟ୍‌ ଲାଞ୍ଚ କାରବାର ମଧ୍ୟରୁ ସର୍ବାଧିକ ୨୬ ପ୍ରତିଶତ ସମ୍ପତ୍ତି ପଞ୍ଜୀକରଣରେ ହୋଇଥିବା ବେଳେ ଏହା ପଛକୁ ପୋଲିସ୍‌ ବିଭାଗରେ ୧୯ ପ୍ରତିଶତ ରହିଛି। ପୌର ନିଗମରେ ୧୩ ପ୍ରତିଶତ, ପରିବହନ କାର୍ଯ୍ୟାଳୟରେ ୧୩ ପ୍ରତିଶତ, ଟିକସ ବିଭାଗରେ ୮ ପ୍ରତିଶତ, ଜଳ ଓ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଯଥାକ୍ରମେ ୫  ପ୍ରତିଶତ ଓ ୩ ପ୍ରତିଶତ ଏବଂ ଅନ୍ୟ ବିଭାଗରେ ୧୩ ପ୍ରତିଶତ ଲାଞ୍ଚ କାରବାର ହୋଇଛି।

ଏହି ସର୍ବେକ୍ଷଣରେ ୩ ଗୋଟି ବର୍ଗୀକରଣ କରାଯାଇଥିଲା। କେଉଁ ରାଜ୍ୟରେ କେତେ ଜନତା ବିଭିନ୍ନ କାର୍ଯ୍ୟ ପାଇଁ ଲାଞ୍ଚ ଦେଇଥାନ୍ତି, ସେ ନେଇ ସର୍ଭେ କରାଯାଇଥିଲା। ଶୂନ(୦)ରୁ ୪୯କୁ ସର୍ବନିମ୍ନ ଦୁର୍ନୀତି ବର୍ଗ, ୫୦-୫୯କୁ ମଧ୍ୟମ ଦୁର୍ନୀତି ବର୍ଗ ଏବଂ ୬୦ କିମ୍ବା ତା’ଠାରୁ ଅଧିକକୁ ସର୍ବାଧିକ ଦୁର୍ନୀତି ବର୍ଗରେ ରଖାଯାଇଥିଲା। ସର୍ଭେ ଅନୁଯାୟୀ ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା, ଗୁଜରାଟ, କେରଳ ଓ ଗୋଆରେ ଦୁର୍ନୀତି ସ୍ତର ସାମାନ୍ୟ ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଦୁର୍ନୀତି ସର୍ବାଧିକ ସ୍ତରରେ ରହିଥିବା ଜଣାପଡ଼ିଛି। ସେହିପରି ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ମଧ୍ୟମ ଧରଣର ଦୁର୍ନୀତି ହେଉଥିବା ଉଲ୍ଲେଖ କରାଯାଇଛି। ସେହିପରି ସଦ୍ୟ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ଜମ୍ମୁ ଓ କଶ୍ମୀର ଏବଂ ଲଦାଖ, ରାଜ୍ୟ ମଧ୍ୟରେ ହିମାଚଳ ପ୍ରଦେଶ , ସିକିମ୍‌, ଆସାମ, ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ଏହି ସର୍ଭେ ହୋଇନାହିଁ। ରାଜସ୍ଥାନରେ ସର୍ବାଧିକ ୧୦ରୁ ୭ ଜଣ ଲୋକ ବିଭିନ୍ନ ସରକାରୀ କାମ ପାଇଁ ଲାଞ୍ଚ ଦେଇଛନ୍ତି। କେରଳରେ ୧୦ରୁ ମାତ୍ର ଜଣେ ଏହାର ଶିକାର ହୋଇଛନ୍ତି।

୨୦ଟି ରାଜ୍ୟର ଲୋକଙ୍କୁ ନେଇ ହୋଇଥିବା ଏହି ସର୍ଭେ ଦର୍ଶାଇଛି ଯେ ଅଧିକାଂଶ ନଗଦ ଆକାରରେ ଲାଞ୍ଚ କାରବାର କରୁଛନ୍ତି। ୨୦୧୭ରେ ୬୩.୯ ପ୍ରତିଶତ ଲାଞ୍ଚ କାରବାର ନଗଦ ଆକାରରେ ହୋଇଥିଲା ବେଳେ ୨୦୧୮ରେ ୬୦ ପ୍ରତିଶତ ଓ ୨୦୧୯ରେ ୪୯.୩ ପ୍ରତିଶତ କାରବାର ନଗଦ ଆକାରରେ ହୋଇଛି। ଏଜେଣ୍ଟ୍‌ଙ୍କ ଜରିଆରେ ଲୋକମାନେ ସରକାରୀ ଅଧିକାରୀଙ୍କ ପକେଟ୍‌ରେ ହାତଗୁଞ୍ଜା ପୂରାଉଥିବା ରିପୋର୍ଟ କହିଛି । ୨୦୧୯ରେ ଅଧିକ ଧରପଗଡ଼ ଯୋଗୁ ଉପହାର ଆକାରରେ ଲାଞ୍ଚ କାରବାର ୮.୫ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ୨୦୧୮ରେ ୧.୫ ପ୍ରତିଶତ ଓ ୨୦୧୭ରେ ୧.୬ ପ୍ରତିଶତ ରହିଥିଲା। ସର୍ଭେରେ ଭାଗ ନେଇଥିବା ରାଜସ୍ଥାନର ଲୋକଙ୍କ ମଧ୍ୟରୁ ୭୮ ପ୍ରତିଶତ ଲାଞ୍ଚ ଦେଇଥିବା ଜଣାପଡ଼ିଛି। ସେହିଭଳି ବିହାରରେ ୭୫ ପ୍ରତିଶତ, ଝାଡ଼ଖଣ୍ଡରେ ୭୪ ପ୍ରତିଶତ, ଉତ୍ତର ପ୍ରଦେଶରେ ୭୪ ପ୍ରତିଶତ, ତେଲେଙ୍ଗାନାରେ ୬୭ ପ୍ରତିଶତ, ମଧ୍ୟ ପ୍ରଦେଶରେ ୫୫ ପ୍ରତିଶତ,  ଦିଲ୍ଲୀରେ ୪୬ ପ୍ରତିଶତ ଲୋକେ ଲାଞ୍ଚ ଦେଇଛନ୍ତି। ଗୋଆରେ ୨୦ ପ୍ରତିଶତ, ଗୁଜୁରାଟରେ ୪୮ ପ୍ରତିଶତ, ହରିୟାଣାରେ ୪୪ ପ୍ରତିଶତ, କେରଳରେ ୧୦ ପ୍ରତିଶତ ଲୋକେ ଲାଞ୍ଚ ଦେଉଛନ୍ତି। ତେବେ ୧୩ ପ୍ରତିଶତ ଲୋକ ଲାଞ୍ଚ ନ ଦେଇ କାମ କରିପାରିଛନ୍ତି। ଅବଶିଷ୍ଟ ୪୭ ପ୍ରତିଶତ ଲୋକଙ୍କୁ ଲାଞ୍ଚ ଦେବାର ଆବଶ୍ୟକତା ପଡ଼ିନାହିଁ। ସର୍ଭେରେ ଭାଗନେଇଥିବା ଓଡ଼ିଆଙ୍କ ମଧ୍ୟରୁ ୪୦ ପ୍ରତିଶତ ଚଳିତ ବର୍ଷ ଅତିକମ୍‌ରେ ଥରେ ଲାଞ୍ଚ ଦେଇଥିବା କହିଛନ୍ତି।

ସର୍ଭେରେ ଭାଗନେଇଥିବା ଲୋକଙ୍କ ମଧ୍ୟରୁ ୨୪ ପ୍ରତିଶତ କରଦାତା ବାରମ୍ବାର ଲାଞ୍ଚ ଦେଇଥିବା କହିଛନ୍ତି। ୨୦୧୭ ଓ ୨୦୧୮ରେ ଏହା ଯଥାକ୍ରମେ ୨୫ ପ୍ରତିଶତ ଓ ୨୭ ପ୍ରତିଶତ ରହିଥିଲା। ଚଳିତବର୍ଷ ୨୭ ପ୍ରତିଶତ କରଦାତା ଥରେ କିମ୍ବା ଦୁଇଥର ଲାଞ୍ଚ ଦେଇଥିବା କହିଥିବା ବେଳେ ୨୦୧୮ରେ ଏହା ୨୯ ପ୍ରତିଶତ ଓ ୨୦୧୭ରେ ୨୦ ପ୍ରତିଶତ ରହିଥିଲା। ଚଳିତବର୍ଷ ୪୯ ପ୍ରତିଶତ କରଦାତା ଆଦୌ ଲାଞ୍ଚ ଦେଇ ନ ଥିବା ଦର୍ଶାଇଥିବା ବେଳେ ୨୦୧୮ରେ ଏହା ୪୪ ପ୍ରତିଶତ ଓ ୨୦୧୭ରେ ଏହା ୫୫ ପ୍ରତିଶତ ରହିଥିଲା। ତେଣୁ ୨୦୧୮ ତୁଳନାରେ ଚଳିତବର୍ଷ କରଦାତାଙ୍କ ଲାଞ୍ଚ କାରବାର ହ୍ରାସ ପାଇଛି। ୨୦୧୮ରେ ୫୬ ପ୍ରତିଶତ କରଦାତା ଲାଞ୍ଚ ଦେଇଥିବା କହିଥିଲେ। ସବୁଠାରୁ ବଡ଼ କଥା ହେଉଛି ଯେ ୬୧ ପ୍ରତିଶତ ଲୋକ କହିଛନ୍ତି, ତାଙ୍କ ରାଜ୍ୟ ବା ସହରରେ ଦୁର୍ନୀତି ବିରୋଧରେ ଅଭିଯୋଗ କରିବା ପାଇଁ କୌଣସି ହେଲ୍ପଲାଇନ୍‌ ନମ୍ବର ନାହିଁ। ୮୨ ପ୍ରତିଶତ ଲୋକ କହିଛନ୍ତି ଦୁର୍ନୀତି ହଟାଇବା ପାଇଁ ସେଭଳି କିଛି ପଦକ୍ଷେପ ନିଆଯାଇନାହିଁ। ୬୪ ପ୍ରତିଶତ ଲୋକ ଲାଞ୍ଚ ଦେବାକୁ ବାଧ୍ୟ ହୋଇଥିଲେ, କାରଣ ଏହା ନ କରିଥିଲେ ତାଙ୍କ କାମ ହୋଇନଥା’ନ୍ତା ବୋଲି କହିଛନ୍ତି।

ସରକାରୀ ସ୍ତରରେ ଲାଞ୍ଚୁଆ କର୍ମଚାରୀଙ୍କ ବିରୋଧରେ ଦଣ୍ଡବିଧାନର ଆଇନ ରହିଥିବା ସତ୍ତ୍ବେ ସବୁ ନିଷ୍ଫଳ। ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନ ଦେବା ପାଇଁ ବଡ଼ବଡ଼ ସୂଚନାଫଳକ ଲଗାଯାଇଛି। କିନ୍ତୁ ତାହା କେବଳ ସୂଚନାରେ ହିଁ ସୀମିତ। ଏବେ ପଞ୍ଚାୟତ, ବ୍ଲକ୍‌ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଶୀର୍ଷସ୍ତର ପର୍ଯ୍ୟନ୍ତ ଦୁର୍ନୀତି ମାଡ଼ିଗଲାଣି। ଅତୀତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ମୁଁ ସଚିବାଳୟ ଜଗିଛି, ତୁମେ ପଞ୍ଚାୟତ ଜଗ ବୋଲି ତୃଣମୂଳସ୍ତରର ଲୋକ ପ୍ରତିନିଧିଙ୍କୁ ସିଧା ସିଧା ଆହ୍ବାନ ଦେଇଥିଲେ। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଆଭିମୁଖ୍ୟର ତାଲିକା ବେଶ୍ ଲମ୍ବା। ଆଜିଯାଏ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ପ୍ରମାଣ ଆଦୌ ନାହିଁ। ଏହା ହିଁ ତାଙ୍କର ସଫଳତା। ହେଲେ ଦୁର୍ନୀତି କବଳରେ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିମାନେ ରହିଛନ୍ତି ଏବଂ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ସଦ୍ୟତମ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। କାରଣ ମୁଖ୍ୟମନ୍ତ୍ରୀ ନିକଟରେ ଦୁର୍ନୀତିଗ୍ରସ୍ତ ଓ ଅଯୋଗ୍ୟ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯଦିଓ ସର୍ଭେ ରିପୋର୍ଟ ମୁତାବକ ଓଡ଼ିଶାରେ ଦୁର୍ନୀତି ହ୍ରାସ ପାଉଛି, ତେବେ ଏହା ତୃଣମୂଳ ସ୍ତରରେ ଅନୁଭୂତ ହେବା ପରି ଲାଗୁନି। କାରଣ ଆଜି ବି ଲାଞ୍ଚ ନ ଦେଲେ କୌଣସି କାମ ହେଉନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ