କେବେ ବଦଳିବ ମାନସିକତା, କେମିତି ସୁଧୁରିବ ବ୍ୟବସ୍ଥା?

ଆଉ କେତେଦିନ ସଭା, ଶୋଭାଯାତ୍ରା ଆଉ ହ୍ୟାଶ୍‌ଟ୍ୟାଗ୍‌ରେ ସୀମିତ ରହିବ ଦୁଷ୍କର୍ମର ପ୍ରତିବାଦ?

ସଭ୍ୟ ସମାଜରେ ମହିଳାଙ୍କୁ ଗାଳିଗୁଲଜ, ମାରପିଟ କଥା ଶୁଣିଲେ ଭ୍ରୁକୁଞ୍ଚନ ହୁଏ, ମନରେ ତିରସ୍କାର ଭାବ ଆସେ। ଆଉ ଦୁଷ୍କର୍ମ ଖବର ସାମ୍ନାକୁ ଆସିଲେ ଘୃଣାଭାବ ଜାଗ୍ରତ ହୁଏ। ଯୁଗ ଯେତେ ଆଧୁନିକ ହେଉ ନା କାହିଁକି, ସ୍ବାଧୀନତା ଯେତେ ପରିବ୍ୟାପ୍ତ ଭାବେ ମିଳୁ ପଛେ, ଜଣେ ନାରୀର ଅନିଚ୍ଛା ସତ୍ତ୍ବେ ବଳପୂର୍ବକ ତା’ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଶବିକ ଅତ୍ୟାଚାର, ଅପରାଧ। ନିର୍ଭୟା ଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ଆଇନରେ ସଂଶୋଧନ ବି ଅଣାଗଲା। ହେଲେ ଆଜି ବି ସାମାଜିକ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଖାଲି ଦୁଷ୍କର୍ମ କାହିଁକି, ଗଣଦୁଷ୍କର୍ମର ଅନେକ ଘଟଣାମାନ ଘଟିଚାଲିଛି। ଏଭଳି ଏକ ଘଟଣା ଘଟିଯିବା ପରେ ଜୋର୍‌ ଚର୍ଚ୍ଚା, ପ୍ରତିବାଦ, ସଭା ଶୋଭାଯାତ୍ରା ଦେଖିବାକୁ ମିଳୁଛି। ମାତ୍ର କେବେ ଆମ ମାନସିକତା ବଦଳିବ? କେମିତି ଆମ ସାମାଜିକ ବ୍ୟବସ୍ଥାରେ ସୁଧାର ଅଣାଯିବ, ତାକୁ ନେଇ ପୁଳା ପୁଳା ପ୍ରଶ୍ନ।

ଓଃ କି ଖବର! ଶୁଣିଲେ ଲୋମ ଟାଙ୍କୁରି ଉଠୁଛି। ମନ ଘୃଣାରେ ଭରିଯାଉଛି। ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା, ରାଞ୍ଚିରେ ୨୫ ବର୍ଷୀୟା ଛାତ୍ରୀ ସହ ୧୨ ଜଣଙ୍କ ଦୁଷ୍କର୍ମ ଆଉ ହତ୍ୟା, ପୁରୀରେ ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ, ତାମିଲନାଡ଼ୁରେ ଏକ ଶିଶୁ ସହ ସାମୂହିକ ବଳାତ୍କାର ଓ ହତ୍ୟା, ଚଣ୍ଡିଗଡ଼ରେ ଅଟୋ ଡ୍ରାଇଭର ଦ୍ବାରା ମହିଳା ଯାତ୍ରୀ ବଳାତ୍କାର। ଏସବୁ ହେଉଛି ଆମ ଦେଶର ସାଧାରଣ ଖବର ଯାହା ପ୍ରତିଦିନ ଗଣମାଧ୍ୟମର ପୃଷ୍ଠାକୁ ଆସୁଛି। ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟଣାର ଖବର ସାମ୍ନାକୁ ଆସିବା ମାତ୍ରେ ଇଣ୍ଟରନେଟ୍‌ରେ ଲୋକେ ନିଜର ପ୍ରତିବାଦ ପାଇଁ ଗୋଟିଏ ହ୍ୟାଶ୍‌ଟ୍ୟାଗ୍‌ ପାଇଯାଆନ୍ତି। ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ ଏବଂ ହତ୍ୟା ଖବର ସାମ୍ନାକୁ ଆସିବା ପରେ ଏଭଳି ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି। ଏ ଖବର ପ୍ରସାରିତ ହେବା ପରେ ଟ୍ବିଟରରେ ଏକାଧିକ ମତ ଓ ମନ୍ତବ୍ୟମାନ ଛାଇଯାଇଛି। ଏହାପରେ ପୁରୀ ଜିଲାରେ ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ମଧ୍ୟ ଚର୍ଚ୍ଚାର ଶିଖର ମଣ୍ଡନ କରିଛି।

ପ୍ରତ୍ୟେକ ଦୁଷ୍କର୍ମ କେବଳ ଏକ ସଂଖ୍ୟା
ଆମ ଦେଶରେ ପ୍ରାୟ ପ୍ରତିଦିନ ଦୁଷ୍କର୍ମ ଘଟଣାମାନ ଖବରକାଗଜ ପୃଷ୍ଠାରେ ପ୍ରକାଶିତ ହେବା ସହ ଏହାର ପରିସଂଖ୍ୟାନ ବଢ଼ିଚାଲିଛି। ନିରୀହ ଏବଂ ନିରପରାଧ ପୀଡ଼ିତାଙ୍କ ସହିତ ହୋଇଥିବା ଜୁଲମର କାହାଣୀ ଏକ ହ୍ୟାଶ୍‌ଟ୍ୟାଗ୍‌ରେ ସୀମିତ ରହିଯାଏ। ଏଭଳି ଭାବେ ଆମେ ସମାଜର ନଗ୍ନଛବିକୁ ଦେଖିବାକୁ ପାଉ। ଆମେ ଆମ ଝିଅଙ୍କୁ ଗୁଡ ଟଚ୍‌ର ଶିକ୍ଷା ଦେଉ, କିନ୍ତୁ ଏଭଳି କରି ମଧ୍ୟ ଆମେ ଆମ ଶିଶୁକନ୍ୟାଟିର ସୁରକ୍ଷାକୁ ନିଶ୍ଚିତତା କରାଇବାରେ ଅସଫଳ ହେଉ।

ମହିଳା ନୁହେଁ ଭୋଗର ବସ୍ତୁ

ଆମେ ପୁରୁଷମାନଙ୍କୁ ଏକଥା ବୁଝାଇବାର ଆବଶ୍ୟକତା ଅଛି ଯେ ମହିଳା କେବଳ ଜଣେ ମା’, ଭଉଣୀ ଏବଂ ପତ୍ନୀ ନୁହେଁ, ସେ ଏକ ମଣିଷ ମଧ୍ୟ। ତାକୁ ମଣିଷ ପରି ଦେଖାଯିବାର ଆବଶ୍ୟକତା ଅଛି। ରକ୍ତ ମାଂସର ତା’ର ବି ଏକ ଶରୀର ଅଛି ଏବଂ ସେ ମଧ୍ୟ ଉପଯୁକ୍ତ ସମ୍ମାନ ପାଇବାର ହକ୍‌ଦାର। ସେମାନଙ୍କୁ ଏକଥା ମଧ୍ୟ କହିବାର ଅଛି ଯେ ମହିଳାମାନେ ଭୋଗର ବସ୍ତୁ ନୁହନ୍ତି। ଯେଉଁ ଦେଶରେ ଲକ୍ଷ୍ମୀ, ଦୁର୍ଗା ଏବଂ କାଳୀଙ୍କୁ ଦେବୀ ରୂପରେ ପୂଜା କରାଯାଏ, ସେହି ଦେଶରେ ନାରୀଙ୍କୁ ଏଭଳି ଲାଞ୍ଛନାକୁ ସହଜରେ ବିଶ୍ବାସ କରିହୁଏନି।

ମନ୍ଦିରରେ ଦେବତାଙ୍କ ସହ ଦେବୀ ସମାନ ଭାବେ ପୂଜା ପାଆନ୍ତି। ଦେବୀଙ୍କୁ ଦେବତାଙ୍କ ସହ ସମାନ ଭାବେ ଜାଗା ଦିଆଯାଇଥାଏ। ମନ୍ଦିରରେ ଦେବତାଙ୍କ ଭଳି ଦେବୀମାନଙ୍କୁ ବିଶେଷ ସ୍ଥାନ ଦିଆଯାଇଥାଏ ଏବଂ ପୁରୁଷ ସମାଜ ମଧ୍ୟ ବଡ଼ ଶ୍ରଦ୍ଧା ଭାବ ସହିତ ଏହି ଦେବୀମାନଙ୍କୁ ପୂଜା କରିଥାନ୍ତି। କିନ୍ତୁ ସମାଜରେ ତା’ର ଓଲଟା ପ୍ରତିଫଳନ ଦେଖିବାକୁ ମିଳେ।

ଦୁଷ୍କର୍ମ ଭୟରେ କ’ଣ ଘରେ ବସିଯିବେ ମହିଳା?
ହାଇଦ୍ରାବାଦରେ ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣେ ପଢ଼ାଲେଖା ଯୁବତୀ ଥିଲେ, ଯିଏକି ପ୍ରତିଦିନ ନିଜ ଚାକିରି ପାଇଁ ବାହାରକୁ ଯାଉଥିଲେ। ଏକାକୀ ଯାଉଥିବାର ଦେଖି ତାଙ୍କୁ ବର୍ବରୋଚିତ ଭାବେ ଦୁଷ୍କର୍ମ କରାଯାଇ ହତ୍ୟା କରାଗଲା। ଏଭଳି ସମ୍ବେଦନଶୀଳ ଘଟଣାର ଚାରିଦିନ ପରେ ପୁରୀ ଜିଲା ଅନ୍ତର୍ଗତ ନିମାପଡ଼ାରୁ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଗଲା। ସେହିପରି ଅନ୍ୟ ଏକ ସହରରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଏକ ଝିଅ ନିଜ ଜନ୍ମଦିନ ପାଳିବାକୁ ଯାଇ ସହପାଠୀଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିଲା। ଆମେ ଏହାର ପୋଷାକ ଆଉ ଘରୁ ବାହାରକୁ ଯାଇଥିବାର ସମୟ ପାଇଁ ଏହାକୁ ଦୋଷ ଦେଇପାରିବା ନାହିଁ।

ଏସବୁ ଦେଖିବା ପରେ ଜଣେ ମା’ଙ୍କ ପ୍ରତିକ୍ରିୟା ହେଉଛି ମୁଁ ମୋ ଝିଅକୁ ଡ୍ୟାନ୍ସ କ୍ଲାସକୁ ଛାଡ଼ିବା ପରିବର୍ତ୍ତେ ତାକୁ ଜୁଡୋ କ୍ଲାସକୁ ଛାଡ଼ିବାକୁ ଚାହୁଁଛି। ସଙ୍ଗୀତ ଶିକ୍ଷା ପରିବର୍ତ୍ତେ ତାକୁ ମାର୍ଶାଲ ଆର୍ଟ ଶିକ୍ଷା ଦେବାକୁ ମନ ବଳାଇଛି। ଗୋଟିଏ ପରୀ ପରି ସୁନ୍ଦର ଝିଅ ଜନ୍ମ କରି ଖୁସି ହେବା ପରିବର୍ତ୍ତେ ତାର ଚିନ୍ତାରେ ରାତି ବିତାଉଛି। ନିର୍ଭୟା ଘଟଣା ପରେ ବି ଆଜି ସୁଦ୍ଧା ଜଣେ ବି ଦୁଷ୍କର୍ମକାରୀଙ୍କୁ ଠିକ୍‌ ଢଙ୍ଗରେ ଦଣ୍ଡ ମିଳିପାରି ନାହିଁ। ପୁରୁଷ ମନରେ ଏଭଳି କୌଣସି ଦଣ୍ଡ ପାଇଁ ଭୟ ନ ଥିବାରୁ ଦୁଷ୍କର୍ମ ଘଟଣା ବଢ଼ି ବଢ଼ି ଚାଲିଛି। ଦୁଷ୍କର୍ମ ଘଟଣାକୁ ପାରସ୍ପରିକ ପ୍ରେମ ଓ ସହମତି ଭିତ୍ତିରେ ବୋଲି ପ୍ରମାଣ କରାଯାଉଛି।

ପୁରୁଷଙ୍କୁ ଦାୟିତ୍ବ ନେବାକୁ ହେବ
ଭାରତୀୟ ସମାଜରେ ଯୁବତୀଟିଏ ସହିତ ସେକ୍ସ ବିଷୟରେ ଆଲୋଚନା କରି ତା’ର ଞାନ ବିକଶିତ କରିବାକୁ ବର୍ଜିତ ମନେକରାଯାଉଛି। ଯୌନଜୀବନ ସବୁଠୁ ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ହୋଇଥିବା ସତ୍ତ୍ବେ ଯୁବତୀଟିଏ ଏହା ନିଜ ସାଙ୍ଗସାଥୀମାନଙ୍କ ଠାରୁ ଜାଣୁଛି। ପୁରୁଷ ସହ ମହିଳା ସମକକ୍ଷ ଏବେ ବି ହୋଇ ନାହାନ୍ତି।

ଏଣୁ ସମାଜର ସବୁ ସ୍ତରରେ, ସବୁ ବର୍ଗରେ ଏନେଇ ବିଚାରବିମର୍ଶ କରିବାର ସମୟ ଉପନୀତ ହୋଇଛି। ଆଇନକାନୁନରେ ସଂଶୋଧନ ଅଣାଯିବା ସତ୍ତ୍ବେ ବି ବ୍ୟବସ୍ଥା ସୁଧୁରିପାରୁନି। ଅର୍ଥାତ୍‌ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ହେବା ସ୍ବାଭାବିକ। ଏହାଛଡ଼ା ଆମ ମାନସିକତାରେ ମଧ୍ୟ ପରିବର୍ତ୍ତନ ଅଣାଯିବା ଜରୁରୀ। ଯଦ୍ବାରା କେତେକାଂଶରେ ଏହାକୁ ରୋକାଯାଇପାରିବ। ଏଭଳି ଗମ୍ଭୀର ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଆଲୋଚନା ଥମିବା ଉଚିତ ନୁହେଁ, ବରଂ ଠୋସ୍‌ ରାସ୍ତା ବାହାର ନ କରିବା ଯାଏ ପ୍ରୟାସ ଜାରି ରହିବା ବିଧେୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ