ନିର୍ମଳାଙ୍କୁ ‘ନିର୍ବଳା’ କହି କଂଗ୍ରେସ ସାଂସଦ ପୁଣି ବିବାଦୀୟ


ନୂଆଦିଲ୍ଲୀ: ସୋମବାର ଲୋକସଭାରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ‘ନିର୍ବଳା’ ସୀତାରମଣ ବୋଲି କହି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ପ୍ରତି ଯଦିଓ ତାଙ୍କ ମନରେ ଯଥେଷ୍ଟ ସମ୍ମାନ ରହିଛି, ତଥାପି ସେ ଦେଶର ଅର୍ଥନୀତି ସହ ନିଜକୁ ଖାପ ଖୁଆଇ ପାରି ନ ଥିବାରୁ ତାଙ୍କୁ ସେ ନିର୍ବଳା ବୋଲି ଉଚ୍ଚାରଣ କରୁଛନ୍ତି ବୋଲି ଲୋକସଭାରେ ବିରୋଧୀ ଦଳ ନେତା ଚୌଧୁରୀ କହିଛନ୍ତି। ସୋମବାର ଲୋକସଭାରେ ଟିକସ ଆଇନ (ସଂଶୋଧିତ) ବିଲ୍‌ ଉପରେ ଆଲୋଚନା ହେଉଥିବା ବେଳେ ଚୌଧୁରୀ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ତେବେ ଚୌଧୁରୀଙ୍କ ଏପରି ମନ୍ତବ୍ୟକୁ ବିଜେପି ସାଂସଦମାନେ ବିରୋଧ କରିବା ସହ ଅର୍ଥ ମନ୍ତ୍ରୀଙ୍କୁ ଅସମ୍ମାନିତ କରିଥିବାରୁ ସେ ତୁରନ୍ତ କ୍ଷମା ମାଗିବା ଉଚିତ ବୋଲି ମତ ଦେଇଥିଲେ।

ସାଂସଦ ଚୌଧୁରୀ ସୋମବାର ଲୋକସଭାରେ ଆଲୋଚନା ବେଳେ କହିଥିଲେ ଯେ ନିର୍ମଳାଙ୍କ ପାଖରେ ଦେଶର ଅର୍ଥନୀତିକୁ ସଜାଡ଼ିବା ସକାଶେ କୌଣସି ଦୀର୍ଘସ୍ଥାୟୀ ତଥା ଦୂରଦୃଷ୍ଟିସମ୍ପନ୍ନ ନୀତି ନାହିଁ। ଏହି କାରଣରୁ ସେ ନିୟମିତ ଭାବେ ଏପରି କିଛି ଘୋଷଣା କରୁଛନ୍ତି, ଯାହା ପରବର୍ତ୍ତୀ ସମୟରେ ଦେଶର ଅର୍ଥନୀତି ପାଇଁ ଘାତକ ସାବ୍ୟସ୍ତ ହେଉଛି। ସେ ପରିସ୍ଥିତି ସୁଧାରିବା ସକାଶେ ନେଉଥିବା ଭୁଲ୍‌ ପଦକ୍ଷେପ କାରଣରୁ ଦେଶର ଅର୍ଥନୀତି ଆଜି ଦୁର୍ଦ୍ଦଶାଗ୍ରସ୍ତ ହୋଇଛି ବୋଲି ସାଂସଦ ଚୌଧୁରୀ କହିଥିଲେ। ରବିବାର ଚୌଧୁରୀ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କୁ ଅନୁପ୍ରବେଶକାରୀ ବୋଲି କହି ବିବାଦୀୟ ହୋଇପଡ଼ିଥିଲେ। ଉଭୟ ମୋଦି ଓ ଶାହ ଗୁଜରାଟ ନିବାସୀ ହୋଇଥିଲେ ମଧ୍ୟ ବର୍ତ୍ତମାନ ଦିଲ୍ଲୀରେ ଅନୁପ୍ରବେଶ ପୂର୍ବକ ବସବାସ କରୁଛନ୍ତି ବୋଲି ସାଂସଦ ଚୌଧୁରୀ ନ୍ୟାସନାଲ୍‌ ରେଜିଷ୍ଟର୍‌ ଅଫ୍ ସିଟିଜେନ୍ସ (ଏନ୍‌ଆର୍‌ସି) ଉପରେ ହେଉଥିବା ଆଲୋଚନା ପ୍ରସଙ୍ଗରେ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ