ଓଡ଼ିଆ ବୈଞାନିକଙ୍କ କମାଲ: ଖୋଜି ପାଇଛନ୍ତି ସର୍କେଡିଅନ କ୍ଲକ୍‌ ଓ ସ୍ବାସ୍ଥ୍ୟର ସମ୍ପର୍କ ସୂତ୍ର

ସନ୍ତୁଳିତ ଜୀବନ ଜିଇବା ପାଇଁ ମାର୍ଗଦର୍ଶନ କରୁଛି ତାଙ୍କ ଦ୍ବାରା ପ୍ରସ୍ତୁତ ଆପ୍‌

ନିଦ୍ରା ଯିବା, ଶଯ୍ୟା ତ୍ୟାଗ କରିବା, ହୃଦ୍‌ସ୍ପନ୍ଦନ ଓ ରକ୍ତଚାପ ଆଦି ଦୈନିକ କାର୍ଯ୍ୟଧାରା ଆମ ଶରୀରରେ ଥିବା ସର୍କେଡିଅନ କ୍ଲକ୍‌ ବା ବଡ଼ି କ୍ଲକ୍‌ ଦ୍ବାରା ଉତ୍ପନ୍ନ ହୋଇଥାଏ। କିଛି ଦଶକ ତଳେ ଏହା ବିଶ୍ବାସ କରାଯାଉଥିଲା ଯେ ଏହା କରିବା ପାଇଁ ଏକ ମାଷ୍ଟର ରହିଛି। ଅଧିକାଂଶ ଲୋକଙ୍କ ପରି ଆପଣଙ୍କର ମଧ୍ୟ ସକାଳ ହେବା ମାତ୍ରେ ନିଦ ଭାଙ୍ଗେ, ଠିକ୍‌ ସମୟରେ ଭୋକ ହୁଏ ଏବଂ ନିର୍ଦ୍ଧାରିତ ଏକ ସମୟ ହେବା ମାତ୍ରେ ନିଦ ଲାଗେ। ଏହାକୁ ଶରୀର ଭିତରେ ଥିବା ଏକ ଘଡ଼ି ପରିଚାଳନା କରେ। କିଛି ଲୋକଙ୍କ କ୍ଷେତ୍ରରେ କିନ୍ତୁ ଏପରି ହୋଇ ନ ଥାଏ। ସେମାନଙ୍କର ଖାଇବା, ଶୋଇବା, ଉଠିବାରେ ବ୍ୟତିକ୍ରମ ଦେଖାଯାଏ। ଶୋଇବାରେ ଅସହଜ ବୋଧ ହୁଏ। ଅବେଳରେ ଭୋକ ହୁଏ। ଖରାବେଳେ ଅଚାନକ ହାଲିଆ ଲାଗେ। ଏପରି କାହିଁକି ହୁଏ? କିଏ ଏହାକୁ ନିୟନ୍ତ୍ରଣ କରେ? ଏଭଳି ଅନିୟମିତତା ସହ କାହାର ସମ୍ପର୍କ ରହିଛି? ଏସବୁ ପ୍ରଶ୍ନର ଉତ୍ତର ଖୋଜି ବାହାର କରିଛନ୍ତି ଜଣେ ଓଡ଼ିଆ ବୈଞାନିକ ଡ.ସଚିନ ପଣ୍ଡା। ତାଙ୍କ ପୂରାନାମ ସଚ୍ଚିଦାନନ୍ଦ ପଣ୍ଡା।

ପ୍ରଫେସର ସଚିନ ପଣ୍ଡା ଏହିସବୁ ବ୍ୟତିକ୍ରମ ପଛରେ ସର୍କେଡିଅନ କ୍ଲକ୍‌ ଥିବା ଜାଣିପାରିଛନ୍ତି। ଆମ ସମସ୍ତଙ୍କ ଶରୀର ଭିତରେ ଥିବା ଏହି ଘଣ୍ଟା ଆଭ୍ୟନ୍ତରୀଣ ଇଚ୍ଛାକୁ ବିକଶିତ କରାଉଥିବା ସେ ନିଜ ଅନୁଧ୍ୟାନ ଆଉ ଗବେଷଣାରୁ ଜାଣିପାରିଛନ୍ତି। ଆମର ଦୈନନ୍ଦିନର ଇଚ୍ଛାକୁ ଶରୀର ଭିତରୁ ନିୟନ୍ତ୍ରଣ କରୁଥିବା ଏହି ଘଡ଼ିର ସ୍ବାସ୍ଥ୍ୟ ସହିତ ସମ୍ପର୍କକୁ ନେଇ ଏହି ଓଡ଼ିଆ ବୈଜ୍ଞାନିକ ଜଣକ ଉଚ୍ଚତର ଗବେଷଣା କରି ସଫଳତା ସାଉଁଟିଛନ୍ତି।

ଡ.ସଚିନ ପଣ୍ଡା କାଲିଫର୍ଣ୍ଣିଆର ସାନଡିଏଗୋସ୍ଥିତ ଏକ ସ୍ବାଧୀନ, ଅଣଲାଭକାରୀ ବୈଞାନିକ ଗବେଷଣା ସଂସ୍ଥା ସଲ୍କ ଇନଷ୍ଟିଚ୍ୟୁଟ ଫର ବାୟୋଲୋଜିକାଲ ଷ୍ଟଡିଜରେ ନିୟାମକ ଜୀବନ ବିଞାନ ପରୀକ୍ଷାଗାରର ଜଣେ ପ୍ରଫେସର ଭାବେ ଅବସ୍ଥାପିତ। ସଚିନ ଭୁବନେଶ୍ବରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର କୃଷି ଏବଂ ବୈଷୟିକ ବିଭାଗରୁ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ କାଲିଫର୍ଣ୍ଣିଆ ଲାଜୋଲାସ୍ଥିତ ସ୍କ୍ରିପ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ ସେ ନିଜର ପିଏଚ୍‌ଡି ଏବଂ ସାନଡିଏଗୋସ୍ଥିତ ନୋବାର୍ଟିସ ରିସର୍ଚ୍ଚ ଫାଉଣ୍ଡେସନ ଜିନୋମିକ୍ସ ଇନଷ୍ଟିଚ୍ୟୁଟରେ ପୋଷ୍ଟ ଡକ୍ଟରାଲ କରିବାରେ ସେ ହେଉଛନ୍ତି ଅନ୍ୟତମ ପ୍ରମୁଖ ମେଧାବୀ ଓଡ଼ିଆ। ସେ ଜୀବ ବିଞାନର ଅନେକ ରହସ୍ୟମୟ ଦିଗକୁ ସାମ୍ନାକୁ ଆଣିବାରେ ସଫଳ ହୋଇଛନ୍ତି।

ପ୍ରଫେସର ପଣ୍ଡା ଲାବରେଟୋରୀରେ ଜୈବିକ ଘଣ୍ଟାରେ ଆଣବିକ କୌଶଳକୁ ବୁଝିବା ପାଇଁ ଆନୁବଂଶିକ, ଜିନୋମିକ୍ସ ଏବଂ ଜୈବ ରସାୟନିକ ଦୃଷ୍ଟିକୋଣର ବ୍ୟବହାର କରିଥାନ୍ତି, ଯାହାକି ଆମର ସର୍କେଡିଅନ ଘଣ୍ଟା ଏବଂ ସ୍ବାସ୍ଥ୍ୟ ସହିତ ଥିବା ସମ୍ପର୍କକୁ ଉଜ୍ଜୀବିତ କରାଇଥାଏ। ସର୍କେଡିଅନ ଘଡ଼ିକୁ ନେଇ ପ୍ରଫେସର ପଣ୍ଡାଙ୍କ ଗବେଷଣା ସୂଚିତ କରାଇଛି ଯେ ଆମର ଦୈନିକ ଖାଦ୍ୟ, ନିଦ୍ରା ଏବଂ କାର୍ଯ୍ୟପଦ୍ଧତି ଆମ ସ୍ବାସ୍ଥ୍ୟକୁ ପ୍ରଭାବିତ କରିବା ସହ ଭବିଷ୍ୟତରେ ବିଭିନ୍ନ ରୋଗର କାରଣ ସାଜିଥାଏ। ଜୈବିକ ଧାରା ଓ ଗତିକୁ ସଠିକ୍‌ ଭାବେ ଜାଣିବା ସହ ଏହାକୁ ମନୁଷ୍ୟର ସ୍ବାସ୍ଥ୍ୟ ଅନୁକୂଳ କରାଇବା ପାଇଁ ପଣ୍ଡା ଏକ ମୋବାଇଲ ଆପ୍‌ ମଧ୍ୟ ବିକଶିତ କରାଇଛନ୍ତି। ଏହି ଆପ୍‌ର ବିକାଶ ଗବେଷଣାର ଏକ ଅଂଶ। ଦୈନିକ କାର୍ଯ୍ୟଧାରା, ବ୍ୟବହାର ଓ ଖାଦ୍ୟ କିଭଳି ଜଣେ ମନୁଷ୍ୟର ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ, ଏଥିରୁ ଜଣାପଡ଼ିବା ସହ ଆପ୍‌ ବ୍ୟବହାରକାରୀକୁ ମଧ୍ୟ ସନ୍ତୁଳିତ ଜୀବନ ଜିଇବା ପାଇଁ ମାର୍ଗ ଦର୍ଶନ କରାଇତାଏ।

କାଲିଫର୍ଣ୍ଣିଆର ଲାଜୋଲା ଠାରେ ଥିବା ସଲ୍କ ଇନଷ୍ଟିଚ୍ୟୁଟ ଫର ବାୟୋଲୋଜିକାଲ ଷ୍ଟଡିଜ ଆନୁକୂଲ୍ୟରେ ପ୍ରଫେସର ପଣ୍ଡା ଏହି ବିରଳ ଗବେଷଣାରେ ନିୟୋଜିତ ଥିବା ଜଣାଯାଇଛି। ସଚିନ ପଣ୍ଡାଙ୍କ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ଗୋଟିଏ ଦଶନ୍ଧି ତଳେ ଯେଭଳି ୮ରୁ ୧୨ ଘଣ୍ଟା ଅବଧି ମଧ୍ୟରେ କ୍ୟାଲୋରୀ ଗ୍ରହଣ କରାଯାଉଥିଲା, ତାହା ଯଦି ଏବେ ଜାରି ରଖାଯାଇ ପାରନ୍ତା, ତେବେ ଉଚ୍ଚ କୋଲେଷ୍ଟ୍ରଲ, ଡାଇବେଟିସ ଏବଂ ଅତ୍ୟଧିକ ମେଦବହୁଳତାରୁ ଆମେ ରକ୍ଷା ପାଇପାରନ୍ତେ। ଗୋଟିଏ ମୂଷା ୮-୧୨ ଘଣ୍ଟାରେ ଥରେ ଖାଦ୍ୟ ନେଉଥିବାରୁ ସେ ମଣିଷ ତୁଳନାରେ ପତଳା ଓ ଫିଟ୍‌ ରହିପାରୁଛି। କେତେ ସମୟ ବ୍ୟବଧାନରେ କ’ଣ ଖାଇବା କଥା ଏହା ମୂଷାଙ୍କ ଭଳି ମଣିଷଙ୍କ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ବୋଲି ଏହି ଗବେଷଣାରେ କୁହାଯାଇଛି। ପ୍ରଫେସର ପଣ୍ଡା ଏଭଳି ଜିନ୍‌ ମାନଙ୍କ ମଧ୍ୟରୁ ଏକ ଯୋଡ଼ାର ଚିହ୍ନଟ କରିଛନ୍ତି, ଯିଏକି ଦୈନନ୍ଦିନର ନିଦର ଚକ୍ର ସହିତ ଖାଦ୍ୟ ସାରଣୀକୁ ସୂଚାଇ ଦେବାରେ ସହାୟତା କରିଥାଏ। ଯାହା ଫଳରେ ଆମକୁ ପ୍ରତିଦିନର ଏକ ସମୟରେ ଭୋଜନର ଭୋକ ଅନୁଭବ ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ