ଆତ୍ମସମର୍ପଣ କଲା ଭାରତୀୟ ଛାତ୍ରଙ୍କ ହତ୍ୟାକାରୀ


ଆମେରିକାର କାଲିଫର୍ଣ୍ଣିଆ ଷ୍ଟେଟ୍‌ ୟୁନିଭର୍ସିଟିରେ ଅଧ୍ୟୟନରତ ଥିବା ଭାରତୀୟ ଛାତ୍ର ଅଭିଶେଷ ସୁଦେଶ ଭଟ୍ଟଙ୍କୁ ଗତ ସପ୍ତାହରେ ହତ୍ୟା କରିଥିବା ହତ୍ୟାକାରୀ ଶନିବାର ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି। ଏହି ଯୁବକ ଜଣକ ଆମେରିକାର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ସେ ଆତ୍ମସମର୍ପଣ କରିବା ପରେ ସାନ୍‌ ବର୍ଣ୍ଣାର୍ଡିନୋ ପୋଲିସ୍‌ ତାକୁ ଗିରଫ କରିଛି। ଏହି ଯୁବକର ନାମ ହେଉଛି ଏରିକ୍‌ ଟର୍ଣ୍ଣର୍‌ ଓ ତା’ର ବୟସ ୪୨ ବର୍ଷ। ଏକ ମୋଟେଲ୍‌ରେ ସୁଦେଶ ପାର୍ଟଟାଇମ୍‌ ଚାକିରି କରୁଥିବା ବେଳେ ଏରିକ୍‌ ତାଙ୍କୁ ମୋଟେଲ୍‌ ବାହାରେ ହତ୍ୟା କରିଥିଲା। ଭାରତର ମହୀଶୁର ନିବାସୀ ସୁଦେଶ କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ କମ୍ପ୍ୟୁଟର୍‌ ସାଇନ୍ସରେ ମାଷ୍ଟର୍‌ ଡିଗ୍ରୀ କରୁଥିଲେ।

ଗତ ଗୁରୁବାର ରାତିରେ ଏରିକ୍‌ ଅତି ନୃଶଂସ ଭାବେ ସୁଦେଶଙ୍କୁ ଗୁଳି କରି ହତ୍ୟା କରିଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚିଲା ବେଳକୁ ସୁଦେଶଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ପୋଲିସ୍‌ ଏହି ମାମଲାର ତଦନ୍ତ ଜାରି ରଖିଛି। କିନ୍ତୁ ଅଦ୍ୟାବଧି ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନ ଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ଏରିକ୍‌କୁ ଆସନ୍ତା ମଙ୍ଗଳବାର କୋର୍ଟରେ ହାଜର କରାଯିବ। ଅନ୍ୟପକ୍ଷରେ ସୁଦେଶଙ୍କ ବନ୍ଧୁମାନେ ତାଙ୍କ ପାଇଁ ଅର୍ଥ ଯୋଗାଡ଼ କରିବା ସକାଶେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସେମାନେ ରବିବାର ସୁଦ୍ଧା ଏକ ହଜାର ଲୋକଙ୍କଠାରୁ ସହାୟତା ପାଇଛନ୍ତି ଓ ଅଦ୍ୟାବଧି ୩୯ ହଜାର ଆମେରିକୀୟ ଡଲାର୍‌ ଏକାଠି କରିପାରିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ