ହାଇଦ୍ରାବାଦ ଗଣଦୁଷ୍କର୍ମକାରୀଙ୍କୁ ପିଟିପିଟି ହତ୍ୟା କରିବାକୁ ଦାବିକଲେ ଜୟା


ନିକଟରେ ହାଇଦ୍ରାବାଦରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା ନେଇ ସମଗ୍ର ଦେଶରେ ପ୍ରତିବାଦର ସ୍ବର କ୍ରମଶଃ ତୀବ୍ର ହେଉଥିବା ବେଳେ ୪ ଅଭିଯୁକ୍ତଙ୍କୁ ସର୍ବସମକ୍ଷରେ ପିଟିପିଟି ହତ୍ୟା କରାଯିବା ଉଚିତ ବୋଲି ମତ ଦେଇଛନ୍ତି ପୂର୍ବତନ ବଲିଉଡ୍‌ ଅଭିନେତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଜୟା ବଚ୍ଚନ। ଏହି ସମାଜବାଦୀ ପାର୍ଟି ନେତ୍ରୀ ଜଣକ କହିଛନ୍ତି ଯେ ଅଭିଯୁକ୍ତମାନେ ଯେପରି ଅମାନବୀୟ କାଣ୍ଡ ଘଟାଇଛନ୍ତି, ସେଥିପାଇଁ ସେମାନେ ଲଜ୍ଜିତ ହେବା ଉଚିତ। ସେମାନଙ୍କ ପାଇଁ କୌଣସି ପ୍ରକାର ବିଚାର ବନ୍ଦୋବସ୍ତ ନ କରି ସିଧାସଳଖ ଲୋକଙ୍କ ମଝିରେ ସେମାନଙ୍କୁ ଛାଡ଼ିଦିଆଯିବା ଉଚିତ ଓ ଲୋକମାନେ ତାଙ୍କୁ ପିଟିପିଟି ଜୀବନରେ ଶେଷ କରିଦେବା ଉଚିତ ବୋଲି ଜୟା କହିଛନ୍ତି। ଏଥିସହ ଜୟା ମହିଳାଙ୍କ ପ୍ରତି ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ରୋକିବା ଦିଗରେ ପଦକ୍ଷେପ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଦେଶରେ ଦିନକୁ ଦିନ ମହିଳା ଦୁଷ୍କର୍ମ ଘଟଣା ବଢ଼ୁଥିବା ବେଳେ ବର୍ତ୍ତମାନ ସରକାର ଏହାର ଉତ୍ତର ଦେବାର ସମୟ ଆସିଛି। ଦୁଷ୍କର୍ମ ଘଟଣା ରୋକିବା ସକାଶେ ସରକାର କ’ଣ ସବୁ ପଦକ୍ଷେପ ନେଉଛନ୍ତି, ତାହା ଜନସାଧାରଣଙ୍କୁ ଜଣାଇବା ଦରକାର। ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ କରି ପୋଡ଼ି ଦିଆଯିବାର ଦିନକ ପୂର୍ବରୁ ମଧ୍ୟ ହାଇଦ୍ରାବାଦ ସହରରେ ଏକ ଦୁଷ୍କର୍ମ ଘଟଣା ଘଟିଥିଲା। କିନ୍ତୁ ସରକାର ଏସବୁ ରୋକିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ଜୟା ରାଜ୍ୟସଭାରେ ଅଭିଯୋଗ କରିଛନ୍ତି। ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ସୋମବାର ସଂସଦରେ ପହଞ୍ଚିଥିବା ବେଳେ ପ୍ରତିଟି ସଦସ୍ୟ ମହିଳାଙ୍କ ବିରୋଧରେ ବଢ଼ୁଥିବା ହିଂସାକାଣ୍ଡକୁ ରୋକିବା ସକାଶେ କଠୋର ଆଇନ ଲାଗୁ କରିବା ସପକ୍ଷରେ ମତ ଦେଇଥିଲେ। ପ୍ରଶ୍ନକାଳ ପରେ ଏହା ଉପରେ ଆଲୋଚନା କରିବା ସକାଶେ ଲୋକସଭାରେ ବାଚସ୍ପତି ଓମ୍‌ ବିର୍ଲା ଅନୁମତି ଦେଇଥିଲେ। ସେହିପରି ରାଜ୍ୟସଭାରେ ଅଧ୍ୟକ୍ଷ ଏମ୍‌. ଭେଙ୍କୈୟା ନାଇଡୁ ମହିଳାଙ୍କ ବିରୋଧରେ ବଢ଼ୁଥିବା ହିଂସାକାଣ୍ଡ ହ୍ରାସ କରିବା ସକାଶେ ନୂଆ ବିଲ୍‌ ନୁହେଁ, ବରଂ ନୂଆ ଚିନ୍ତାଧାରାର ଆବଶ୍ୟକତା ରହିଛି ବୋଲି କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ