ସାହସୀ କର୍ମବୀର ସୁଧା ମୂର୍ତ୍ତି: ବୁଝିଛନ୍ତି ମହିଳା ଓ ଅସହାୟଙ୍କ ଦୁଃଖ

ସମାଜ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ରହି ସୃଷ୍ଟି କରିଛନ୍ତି ଉଦାହରଣ

ସାଧାରଣରୁ ଅସାଧାରଣ ପାଲଟିବା ପରେ ବି ସାଧାରଣ ଜୀବନଶୈଳୀ ଆପଣାଇବା ବେଶ୍‌ କାଠିକର ପାଠ। ଏହା କୌଣସି ବାହ୍ୟ ପରିସ୍ଥିତି ଦ୍ବାରା ପ୍ରଭାବିତ ହୋଇ ନ ଥିବାକୁ ବୁଝାଏ। ଏହାର ଜ୍ବଳନ୍ତ ନମୂନା ହେଉଛନ୍ତି ଇନ୍‌ଫୋସିସ୍‌ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ସୁଧା ମୂର୍ତ୍ତି। ପିତା ମାତାଙ୍କ ଅନିଚ୍ଛା ସତ୍ତ୍ବେ ଇଞ୍ଜିନିୟର ହେବା ପରେ ବି ତାଙ୍କ ଜୀବନ ଯାତ୍ରାର ପଥ ସହଜ ନ ଥିଲା। ତେବେ ନିଜ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବା ପାଇଁ ଅଧ୍ୟବସାୟ, ଏକାଗ୍ର ଚିତ୍ତ ଓ ଦୃଢ଼ ମନୋଭାବ ତାଙ୍କୁ ବେଶ୍‌ ସାହାଯ୍ୟ କରିଥିଲା। ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ଏନ୍‌ଆର୍‌ ନାରାୟଣ ମୂର୍ତ୍ତିଙ୍କୁ ବିବାହ କରିବା ପରେ ବି ସୁଧା ନିଜର ସ୍ବତନ୍ତ୍ର ପରିଚୟ ରଖିପାରିଛନ୍ତି। ବିଶେଷକରି ମହିଳାଙ୍କୁ ସେମାନଙ୍କ ସମସ୍ୟା ପ୍ରତି ସଚେତନ କରାଇବା ଏବଂ ଅସହାୟଙ୍କୁ ଅକୁଣ୍ଠିତ ସାହାଯ୍ୟର ହାତ ବଢ଼ାଇବା ତାଙ୍କୁ ଅସାଧାରଣ ବ୍ୟକ୍ତିତ୍ବର ପରିଚୟ ଦେଇଛି। ଖାସ୍‌ ଏଥିପାଇଁ ସେ ଅନେକଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି। 

‘କୌନ୍‌ ବନେଗା କରୋଡ଼ପତି’ (କେବିସି)ରେ ପ୍ରତ୍ୟେକ ଶୁକ୍ରବାର କର୍ମବୀର ଏପିସୋଡ୍‌ ପ୍ରସାରିତ ହୋଇଥାଏ। ଯେଉଁଥିରେ ଅମିତାଭ ବଚ୍ଚନ ସମାଜ ପାଇଁ ଉଦାହରଣ ପାଲଟିଥିବା ଲୋକଙ୍କୁ ଦର୍ଶକଙ୍କ ସହିତ ପରିଚିତ କରାଇଥାନ୍ତି। କେବିସି ସିଜନ ୧୧ର ଅନ୍ତିମ କର୍ମବୀର ଏପିସୋଡ୍‌ରେ ସମାଜରେ ମୌଳିକ ସୁବିଧାରୁ ବଞ୍ଚିତ ବର୍ଗଙ୍କ ପାଇଁ କାମ କରୁଥିବା ଇନ୍‌ଫୋସିସ୍‌ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା  ପଦ୍ମଶ୍ରୀ ସୁଧା ମୂର୍ତ୍ତି ପହଞ୍ଚିଥିଲେ। ବିଗ୍‌ ବି ତାଙ୍କୁ ସମ୍ମାନ ଦେବାକୁ ଯାଇ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ।

୬୦ ହଜାର ଲାଇବ୍ରେରୀର ଅବଦାନ
କେବିସିର ପ୍ରମୋ ସମୟରେ ସୁଧାଙ୍କ ପରିଚୟ ଦେଇ ଅମିତାଭ କହିଥିଲେ ଯେ ସୁଧା ସମାଜରେ ମୌଳିକ ସୁବିଧାରୁ ବଞ୍ଚିତ ଅଣ୍ଡର ପ୍ରିଭିଲେଜ୍‌ ଲୋକଙ୍କ କଲ୍ୟାଣ ଓ ସେମାନଙ୍କ ଆତ୍ମନିର୍ଭରତା ପାଇଁ କାମ କରୁଛନ୍ତି। ସାଧାରଣ ଜୀବନ ଅତିବାହିତ କରୁଥିବା ସୁଧା ଜଣେ ଶିକ୍ଷୟିତ୍ରୀ ହେବା ସହିତ ଜଣେ ଜଣାଶୁଣା ଲେଖିକା ମଧ୍ୟ। ଇନ୍‌ଫୋସିସ୍‌ ଫାଉଣ୍ଡେସନ୍‌ ଜରିଆରେ ସୁଧା ୬୦ ହଜାର ପୁସ୍ତକାଳୟ ନିର୍ମାଣ କରିବା ସହିତ ବିଶ୍ବ ପ୍ରଖ୍ୟାତ ହାର୍ଭାର୍ଡ ୟୁନିଭର୍ସିଟିରେ ଦ ମୂର୍ତ୍ତି କ୍ଲାସିକାଲ ଲାଇବ୍ରେରୀର ପ୍ରତିଷ୍ଠା ମଧ୍ୟ କରିଛନ୍ତି।

ହୁବଲିର ପ୍ରଥମ ମହିଳା ଇଞ୍ଜିନିୟର

ସୁଧା ହୁବଲି (କର୍ଣ୍ଣାଟକ)ର ପ୍ରଥମ ମହିଳା ଇଞ୍ଜିନିଅର ଅଟନ୍ତି। ୧୯୬୮ରେ ଯେତେବେଳେ ସେ ଇଞ୍ଜିନିୟରିଂ କରୁଥିଲେ, ତାଙ୍କ କ୍ଲାସ୍‌ରେ ୫୯୯ ଜଣ ପୁଅ ଥିଲେ। ସେମାନଙ୍କ ମଧ୍ୟରେ ସୁଧା କେବଳ ଜଣେ ମାତ୍ର ଝିଅ ଥିଲେ। ସୁଧାଙ୍କ ପିତା ପ୍ରଫେସର ଓ ମା’ ସ୍କୁଲ୍‌ ଟିଚର ଥିଲେ। ପ୍ରଥମରୁ ତାଙ୍କ ରୁଚି ବିଜ୍ଞାନରେ ଥିଲା, ଯେଉଁ କାରଣରୁ ସେ ଇଞ୍ଜିନିୟରିଂ କରିଥିଲେ। ଇଞ୍ଜିନିୟରିଂ ପଢ଼ିବା ଲାଗି ତାଙ୍କ ଜେଜେ ମା’ ତାଙ୍କୁ ବିରୋଧ କରିଥିଲେ। କାରଣ ସେ ଭାବୁଥିଲେ ଇଞ୍ଜିନିୟରିଂ କରିବା ଯୋଗୁଁ ସୁଧାଙ୍କୁ ତାଙ୍କ କମ୍ୟୁନିଟିରେ ଭଲ ପୁଅ ମିଳିବ ନାହିଁ। ସେହିପରି ତାଙ୍କ ପିତା ଚାହୁଥିଲେ ସୁଧା କନ୍‌ସଲ୍ଟିଂ ଡାକ୍ତର ଓ ମା’ ଚାହୁଥିଲେ ସେ ଜଣେ ଗଣିତଜ୍ଞ ହୁଅନ୍ତୁ ବୋଲି। ତଥାପି ସୁଧା ଇଞ୍ଜିନିୟରିଂ କରିବାକୁ ମନ ବଳାଇଥିଲେ। ସୁଧାଙ୍କ ପାଇଁ ଇଞ୍ଜିନିୟରିଂ କରିବାର ଯାତ୍ରା ସହଜ ନ ଥିଲା। କିନ୍ତୁ ସେ ନିଜକୁ ପ୍ରତ୍ୟେକ ପରିସ୍ଥିତିରେ ଖାପଖୁଆଇବା ଶିଖିଯାଇଥିଲେ। ସେ ପ୍ରତ୍ୟେକ ଦିନ ପାଦରେ ଦୁଇ କିଲୋମିଟର ଚାଲି ୭ଟାରେ କଲେଜ୍‌ରେ ପହଞ୍ଚୁଥିଲେ ଓ ପୁଣି ଘରକୁ ଫେରୁଥିଲେ।

ପ୍ରିନ୍ସପାଲ ରଖିଥିଲେ ୩ଟି ସର୍ତ୍ତ
ସେହିପରି କଲେଜ୍‌ ଜଏନ୍‌ କରିବା ପରେ ପ୍ରିନ୍ସପାଲ ସୁଧାଙ୍କ ସମ୍ମୁଖରେ ୩ଟି ସର୍ତ୍ତ ରଖିଥିଲେ। ପ୍ରଥମ ସର୍ତ୍ତ ଥିଲା ଶାଢ଼ି ପିନ୍ଧିବା, ଦ୍ବିତୀୟ ସର୍ତ୍ତ ଥିଲା କାଣ୍ଟିନ୍‌ ନ ଯିବା ଓ ତୃତୀୟ ସର୍ତ୍ତ ଥିଲା ପୁଅଙ୍କ ସହ କଥା ନ ହେବା। ସୁଧା କହିଛନ୍ତି ଯେ ପ୍ରିନ୍ସପାଲଙ୍କ ପ୍ରଥମ ସର୍ତ୍ତ ସେ ଏଯାଏ ମାନିଛନ୍ତି। କ୍ୟାଣ୍ଟିନ୍‌ରେ ଖାଦ୍ୟ ସ୍ବାଦିଷ୍ଟ ନ ଥିବାରୁ ସେ କେବେ ବି କ୍ୟାଣ୍ଟିନ୍‌ ଯାଇ ନ ଥିଲେ। ସେହିପରି ୧ ବର୍ଷ ପୂରା ହେବା ପରେ ଯେତେବେଳେ ପୁଅମାନେ ଜାଣିବାକୁ ପାଇଲେ ସୁଧାଙ୍କ ପ୍ରଥମ ରାଙ୍କ ଆସିଛି, ସେତେବେଳେ ସମସ୍ତ ପୁଅ ତାଙ୍କୁ କଥା ହେବାକୁ ଡାକିଥିଲେ। ଏହା ପୂର୍ବରୁ ସେ କେବେ ବି ପୁଅଙ୍କ ସହିତ କଥା ହୋଇ ନ ଥିଲେ।

ତିଆରି କରିଥିଲେ ଶୌଚାଳୟ
ସୁଧା ନିଜ ଜୀବନରେ ଯେଉଁ ଗୋଟିଏ କଥା ବୁଝି ସାରିଥିଲେ, ତାହା ହେଉଛି ହାଇଜେନିକ୍‌। ଜଣେ ମହିଳା ହୋଇଥିବା କାରଣରୁ ସେ ବୁଝି ସାରିଥିଲେ ଟଏଲେଟ୍‌ ବିନା କ’ଣ ସବୁ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ସେଥିପାଇଁ ସେ ଇନ୍‌ଫୋସିସ୍‌ ଫାଉଣ୍ଡେସନ୍‌ର ଚେୟାରମ୍ୟାନ୍‌ ପଦ ସମ୍ଭାଳିବା ପରେ ଅଲଗା ଅଲଗା ରାଜ୍ୟରେ ୧୬ ହଜାର ଟଏଲେଟ୍‌ ନିର୍ମାଣ କରିଛନ୍ତି। ସେହିପରି ବିଲ୍‌ଗେଟ୍‌ ଫାଉଣ୍ଡେସନ୍‌ର ପବ୍ଲିକ୍‌ ହେଲ୍‌ଥ କେୟାର ଇନିସିଏଟିଭ୍‌ର ସେ ସଦସ୍ୟା ହେବା ସହ ତାଙ୍କ ପ୍ରୟାସରେ ବହୁ ଅନାଥ ଓ ଅସହାୟଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟ କରାଯାଇଛି।

ଉପହାରରେ ମିଳୁଛି ପୁସ୍ତକ

ସୁଧାଙ୍କର ସବୁବେଳେ ପୁସ୍ତକ ପ୍ରତି ଦୁର୍ବଳତା ରହି ଆସିଛି। ଏହି ଦୁର୍ବଳତା ପରେ ତାଙ୍କ ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ହୋଇଯାଇଥିଲା। ଇଣ୍ଡିଆନ ଆଇଟି ଇଣ୍ଡଷ୍ଟ୍ରିଆଲିଷ୍ଟ ତଥା ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ଏନ୍‌ଆର୍‌ ନାରାୟଣ ମୂର୍ତ୍ତିଙ୍କୁ ବିବାହ କରିବାର ୪୨ ବର୍ଷ ପରେ ମଧ୍ୟ ତାଙ୍କୁ ପୁସ୍ତକ ଉପହାରରେ ମିଳୁଛି। ସୁଧା କେବିସିର ପ୍ରମୋରେ କହୁଥିବା ଦେଖିବାକୁ ମିଳୁଛି ଯେ ତାଙ୍କ ସଫଳ ବୈବାହିକ ଜୀବନର ରହସ୍ୟ ହେଉଛି, ସେମାନେ ପରସ୍ପରକୁ ଭଲ ଭାବେ ବୁଝି ପାରିଛନ୍ତି। ସେହିପରି ସେମାନେ ନିଜ ଝିଅ ଦ୍ବାରା ଅନୁପ୍ରାଣିତ ହୋଇ ଇନ୍‌ଫୋସିସ୍‌ର ମୂଳଦୁଆ ରଖିଥିବା ସୁଧା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ