ଜାଣନ୍ତୁ, କେଉଁ ଭାରତୀୟ ଭାଙ୍ଗିପାରିବେ ଲାରାଙ୍କ ଟେଷ୍ଟ୍‌ ରେକର୍ଡ


ଆଡିଲେଡ୍‌: ନିକଟରେ ଆଡିଲେ୍‌ଡଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ଦିବାରାତ୍ର ଟେଷ୍ଟ୍‌ର ଦ୍ବିତୀୟ ଦିନରେ ଅଷ୍ଟ୍ରେଲୀୟ ଓପନର ଡେଭିଡ୍‌ ୱାର୍ଣ୍ଣର୍‌ ୩୩୫ ରନ୍‌ର ଅପରାଜିତ ଇନିଂସ ଖେଳି ଦେଶର କିମ୍ବଦନ୍ତୀ କ୍ରିକେଟର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ମ୍ୟାଚ୍‌ରେ ଜବରଦସ୍ତ ଫର୍ମରେ ଥିବା ୱାର୍ଣ୍ଣର୍‌ ବିଶ୍ବ ରେକର୍ଡଠାରୁ ମାତ୍ର ୬୫ ରନ୍‌ ଦୂରରେ ଥିବା ବେଳେ ଅଧିନାୟକ ଟିମ୍‌ ପେନ୍‌ ଇନିଂସ ଘୋଷଣା କରିବା ଫଳରେ ୨୦୦୪ରେ ଓ୍ଷେଷ୍ଟ୍‌ଇଣ୍ଡିଜ୍‌ର ବ୍ରାଏନ୍‌ ଲାରାଙ୍କ ଦ୍ବାରା ପ୍ରତିଷ୍ଠିତ ଟେଷ୍ଟ୍‌ କ୍ରିକେଟ୍‌ର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ (୪୦୦)ର ରେକର୍ଡ ଅତୁଟ ରହିଛି। ତେବେ ଆଗାମୀ ଦିନରେ ଯଦି କେହି ଏହି ରେକର୍ଡ ଭାଙ୍ଗିବାର ଦମ୍‌ ରଖନ୍ତି, ତା’ହେଲେ ସେ ହେଉଛନ୍ତି ଭାରତୀୟ ଓପନର ରୋହିତ ଶର୍ମା। ତେବେ ଏହା କୌଣସି କ୍ରିକେଟ୍‌ ବିଶେଷଜ୍ଞ ନୁହନ୍ତି, ବରଂ ନିଜେ ୱାର୍ଣ୍ଣର୍‌ କହିଛନ୍ତି। ଆଡିଲେଡ୍‌ଠାରେ ଟେଷ୍ଟ୍‌ କ୍ରିକେଟ୍‌ର ସର୍ବୋଚ୍ଚ ବ୍ୟକ୍ତିଗତ ରନ୍‌ କରିବା ପରେ ୱାର୍ଣ୍ଣର୍‌ କହିଛନ୍ତି ଯେ ଲାରାଙ୍କ ରେକର୍ଡକୁ ଯଦି କେହି ଭାଙ୍ଗିପାରିବେ, ତା’ହେଲେ ସେ ରୋହିତ। କାରଣ ସେ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍‌ ଆଉ ତାଙ୍କ ପାଖରେ ବଡ଼ ବଡ଼ ଶଟ୍‌ ଖେଳିବାର ଦମ୍‌ ରହିଛି। ତା’ଛଡ଼ା ଭାରତରେ ଅଷ୍ଟ୍ରେଲିଆ ତୁଳନାରେ ବାଉଣ୍ଡାରୀର ଦୈର୍ଘ୍ୟ ଅପେକ୍ଷାକୃତ କମ୍‌। ତେଣୁ ଆଗାମୀ ଦିନରେ ଲାରାଙ୍କ ରେକର୍ଡ ରୋହିତ ହିଁ ଭାଙ୍ଗିପାରିବେ ବୋଲି ୱାର୍ଣ୍ଣର୍‌ କହିଛନ୍ତି।

ତେବେ ୱାର୍ଣ୍ଣର୍‌ ଏପରି କହିବା ପଛରେ ଅନେକ କିଛି କାରଣ ରହିଛି। ୱାର୍ଣ୍ଣର୍‌ଙ୍କ ପରି ଜଣେ ପୋଖତ ବ୍ୟାଟ୍ସମ୍ୟାନ୍‌ ନିଶ୍ଚିତ ଭାବେ ପ୍ରତିଭା ଚିହ୍ନିବାରେ ଆଦୌ ଭୁଲ୍‌ କରିନାହାନ୍ତି। ଆଇପିଏଲ୍‌ରେ ଯଦିଓ ଉଭୟ ଖେଳାଳି ଗୋଟିଏ ଦଳ ପକ୍ଷରୁ ଖେଳିନାହାନ୍ତି, କିନ୍ତୁ ପ୍ରତିଦ୍ବନ୍ଦ୍ବୀ ଭାବେ ଏକାଧିକ ମ୍ୟାଚ୍‌ରେ ପରସ୍ପରର ପ୍ରଦର୍ଶନକୁ ବେଶ୍‌ ନିକଟରୁ ଦେଖିଛନ୍ତି। ତା’ଛଡ଼ା ରୋହିତ ଶର୍ମାଙ୍କ ନାମରେ ଏପରି ଅନେକ ରେକର୍ଡ ରହିଛି, ଯାହା ତାଙ୍କୁ ହିଟ୍‌ମ୍ୟାନ୍‌ର ଆଖ୍ୟା ଦେଇଛି। ବଡ଼ ବଡ଼ ଶଟ୍‌ ମାରିବାରେ ସେ ଓସ୍ତାଦ୍‌। ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ସେ ଦିନିକିଆରେ ଦୁଇଟି ଦ୍ବିଶତକ ହାସଲ କରିଛନ୍ତି। ଟି-୨୦ରେ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ସେ ୪ଟି ଶତକ କରି ରେକର୍ଡ ନିଜ ନାମରେ କରିଛନ୍ତି। ଅବଶ୍ୟ ସୀମିତ ଓଭର୍‌ ତୁଳନାରେ ଟେଷ୍ଟ୍‌ କ୍ରିକେଟ୍‌ରେ ରୋହିତଙ୍କ ପ୍ରଦର୍ଶନ ଅପେକ୍ଷାକୃତ ଦୁର୍ବଳ। କିନ୍ତୁ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ସେ ପ୍ରଥମ ଥର ପାଇଁ ଟେଷ୍ଟ୍‌ କ୍ରିକେଟ୍‌ରେ ଇନିଂସ ଆରମ୍ଭ କରିବାର ସୁଯୋଗ ପାଇବା ପରେ ତାଙ୍କ ପାଇଁ ପରିସ୍ଥିତି ବଦଳିଯାଇଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଉଭୟ ଇନିଂସରେ ଶତକ କରି ବିଶ୍ବରେକର୍ଡ ପ୍ରତିଷ୍ଠା କରିଥିଲେ। ଏଥିରେ ଗୋଟିଏ ଦ୍ବିଶତକ ମଧ୍ୟ ରହିଛି, ଯାହାକି ସେ ସିରିଜ୍‌ର ରାଞ୍ଚିଠାରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍‌ରେ ହାସଲ କରିଛନ୍ତି।

ସୀମିତ ଓଭର୍‌ରେ ରୋହିତ ଅଦ୍ୟାବଧି ୨୭ଟି ଶତକ ହାସଲ କରିସାରିଥିବା ବେଳେ ଟେଷ୍ଟ୍‌ରେ ଏହା ୬ରେ ରହିଛି। କିନ୍ତୁ ସେ ବର୍ତ୍ତମାନ ଟେଷ୍ଟ୍‌ କ୍ରିକେଟ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ଆରମ୍ଭ କରିଥିବାରୁ ଆଗାମୀ ଦିନରେ ଆହୁରି ଅଧିକ ସଫଳତା ହାସଲ କରିବେ ବୋଲି ଆଶା କରାଯାଉଛି। ଏହି ସଫଳତା ଧାରା ଜାରି ରଖିପାରିଲେ, ରୋହିତ ଯେ ଲାରାଙ୍କ ରେକର୍ଡ ଭାଙ୍ଗିବେ ଓ ୱାର୍ଣ୍ଣର୍‌ଙ୍କ ପୂର୍ବାନୁମାନ ସତ୍ୟ ହେବ, ଏହା କହିବା ବାହୁଲ୍ୟ ମାତ୍ର। ବିଶେଷକରି ପ୍ରତ୍ୟାବର୍ତ୍ତମାନ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଯେପରି ଏକତରଫା ବ୍ୟାଟିଂ କରିଥିଲେ, ତାହା କୌଣସି ବି କ୍ରିକେଟ୍‌ପ୍ରେମୀଙ୍କୁ ହତଚକିତ କରିଥିଲା। ପ୍ରତିପକ୍ଷ ବୋଲିଂ ଲାଇନ୍‌କୁ ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତବିଧ୍ବସ୍ତ କରି ସେ ୨ଟି ଶତକ ସହ ଗୋଟିଏ ଦ୍ବିଶତକ ହାସଲ କରିଥିଲେ। ତେଣୁ ରୋହିତ ଯେ ଆଗାମୀ ଦିନରେ ଲାରାଙ୍କ ୪୦୦ ଟେଷ୍ଟ୍‌ ରନ୍‌ର ବିଶାଳ କୀର୍ତ୍ତିମାନକୁ ଅତିକ୍ରମ କରିବେ, ଏପରି କହି ୱାର୍ଣ୍ଣର୍‌ କିଛି ଭୁଲ୍‌ କହିନାହାନ୍ତି ବୋଲି କହିପାରିବା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ