ରୋମାଞ୍ଚକ ବିଜୟ ସହ କର୍ଣ୍ଣାଟକକୁ ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି


ସୁରତ: ୨୦୧୯-୨୦ ସୟଦ୍‌ ମୁସ୍ତାକ୍‌ ଅଲୀ ଟି-୨୦ ଟ୍ରଫି ହାତେଇଛି କର୍ଣ୍ଣାଟକ। ରବିବାର ଏଠାରେ ଖେଳାଯାଇଥିବା ଫାଇନାଲ୍‌ ମୁକାବିଲାରେ ଦଳ ତାମିଲନାଡ଼ୁକୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମାତ୍ର ୧ ରନ୍‌ରେ ପରାସ୍ତ କରି ଲଗାତର ଦ୍ବିତୀୟ ଥର ପାଇଁ ଟାଇଟଲ୍‌ ଉପରେ କବ୍‌ଜା କରିଛି। ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ କର୍ଣ୍ଣାଟକ ୫ ୱିକେଟ୍‌ ହରାଇ ୧୮୦ ରନ୍‌ କରିଥିବା ବେଳେ ତାମିଲନାଡ଼ୁ ୬ ୱିକେଟ୍‌ ହରାଇ ୧୭୯ ରନ୍‌ କରି ଅଳ୍ପକେ ପରାସ୍ତ ହୋଇଛି। କର୍ଣ୍ଣାଟକ ପକ୍ଷରୁ ଅଧିନାୟକ ମନୀଷ ପାଣ୍ଡେ ୪୫ ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୬୦ ରନ୍‌ କରିଥିବା ବେଳେ ରୋହନ୍‌ କଦମ୍‌ ୨୮ ବଲ୍‌ରେ ୫ ଚୌକା ଜରିଆରେ ୩୫, ଓପନର ଦେବଦତ୍ତ ପାଡିକଲ୍‌ ୨୩ ବଲ୍‌ରେ ୩ ଚୌକା ଓ ୨ଟି ଛକା ସହ ୩୨ ଏବଂ ତାଙ୍କ ଓପନିଂ ଯୋଡ଼ିଦାର ଲୋକେଶ ରାହୁଲ୍‌ ୧୫ ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୨୨ ରନ୍‌ କରିଥିଲେ। ଏହାଛଡ଼ା କରୁନ୍‌ ନାୟର୍‌ ୮ ବଲ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ସହାୟତାରେ ୧୭ ରନ୍‌ କରିଥିଲେ। ତାମିଲନାଡ଼ୁ ପକ୍ଷରୁ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଓ ମୁରୁଗାନ୍‌ ଅଶ୍ବିନ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଜବାବରେ ତାମିଲନାଡ଼ୁ ପକ୍ଷରୁ ବିଜୟ ଶଙ୍କର ୨୭ ବଲ୍‌ରେ ୪୪ (୫ ଚୌକା) ରନ୍‌ କରିଥିବା ବେଳେ ବାବା ଅପରାଜିତ ୨୫ ବଲ୍‌ରେ ଗୋଟିଏ ଚୌକା ଓ ୩ଟି ଛକା ସହାୟତାରେ ୪୦ ରନ୍‌ କରିଥିଲେ। ଏହାଛଡ଼ା ୱାଶିଂଟନ୍‌ ସୁନ୍ଦର ୧୯ ବଲ୍‌ରେ ୨ ଚୌକା ସହ ୨୪, ଓପନର ଶାହରୁଖ୍‌ ଖାନ୍‌ ୩ଟି ଚୌକା ସହ ୧୬, ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମାତ୍ର ୯ ବଲ୍‌ରେ ୩ ଚୌକା ସହ ୧୬ ଏବଂ ଅନ୍ୟତମ ଓପନର ହରି ନିଶାନ୍ତ ୩ ଚୌକା ସହ ୧୪ ରନ୍‌ କରିଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ମଧ୍ୟ ୧୬ ବଲ୍‌ ଖେଳି ୩ଟି ଚୌକା ମାଧ୍ୟମରେ ୨୦ ରନ୍‌ କରିଥିଲେ। ଶେଷ ଓଭର୍‌ରେ ଦଳ ବିଜୟ ପାଇଁ ୧୩ ରନ୍‌ ଆବଶ୍ୟକ କରୁଥିଲେ ମଧ୍ୟ ପଞ୍ଚମ ବଲ୍‌ରେ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍‌ ଶଙ୍କର ଆଉଟ୍‌ ହୋଇଯିବା ଫଳରେ ଶେଷ ବଲ୍‌ରେ ଦଳ ୩ ରନ୍‌ ଆବଶ୍ୟକ କରୁଥିଲା। ଉକ୍ତ ବଲ୍‌କୁ ମୁରୁଗାନ୍‌ ଅଶ୍ବିନ୍‌ ଛୁଇଁ ନ ପାରିବା ଫଳରେ ବାଇ ମାଧ୍ୟମରେ ମାତ୍ର ୧ ରନ୍‌ ହୋଇଥିଲା। ଫଳରେ କର୍ଣ୍ଣାଟକ ୧ ରନ୍‌ରେ ବିଜୟୀ ହୋଇ ଟାଇଟଲ୍‌ ବଜାୟ ରଖିଥିଲା। କର୍ଣ୍ଣାଟକ ପକ୍ଷରୁ ରୋନିନ୍‌ ମୋରେ ୨ଟି ୱିକେଟ୍‌ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ