କୋଣାର୍କ ବେଳାଭୂମି ପାଲଟିବ ବିଳାସପୂର୍ଣ୍ଣ ତମ୍ବୁ ନଗରୀ

ଓଡ଼ିଶା ପର୍ଯ୍ୟଟନ ପାଇଁ ଆଶା ସଞ୍ଚାର କରିଛି କୋଣାର୍କ ଇକୋ ରିଟ୍ରିଟ ଉତ୍ସବ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା ସବୁବେଳେ ପର୍ଯ୍ୟଟକଙ୍କୁ ନିଜ ପ୍ରତି ଆକୃଷ୍ଟ କରିଛି। ଓଡ଼ିଶାର ପର୍ଯ୍ୟଟନସ୍ଥଳୀଗୁଡ଼ିକ ମଧ୍ୟରୁ କୋଣାର୍କ-ପୁରୀ ମେରାଇନ ଡ୍ରାଇଭ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ। ପୂର୍ବ ଭାରତର ଏହି ଅଞ୍ଚଳରେ ପ୍ରକୃତିର ଶୋଭାରାଜି ଖୁବ୍‌ ଚମତ୍କାର ବୋଲି କୁହାଯାଏ। ଏବେ ଏହାକୁ ଆଧାର କରି ଓଡ଼ିଶା ପର୍ଯ୍ୟଟନ କୋଣାର୍କ ବେଳାଭୂମିରେ ପ୍ରଥମ ଥର ପାଇଁ ଇକୋ ରିଟ୍ରିଟ ଉତ୍ସବ ଆରମ୍ଭ କରିବାକୁ ଯାଉଛି। ଏହି ଉତ୍ସବରେ କୋଣାର୍କ ବେଳାଭୂମି ବିଳାସପୂର୍ଣ୍ଣ ତମ୍ବୁ ନଗରୀର ରୂପ ନେବାକୁ ଯାଉଛି। ପର୍ଯ୍ୟଟନ ପାଇଁ ଏହି ଉତ୍ସବ ଅଭୂତପୂର୍ବ ଅନୁଭୂତି ଆଣିଦେବ ବୋଲି ଆଶା କରାଯାଉଛି।

ଡିସେମ୍ବରରେ ପ୍ରଥମ ଥର ପାଇଁ ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଅନୁଷ୍ଠିତ ହେବାକୁ ଯାଉଛି କୋଣାର୍କ ଇକୋ ରିଟ୍ରିଟ ଉତ୍ସବ। ଓଡ଼ିଶାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମୁଦ୍ର ତଟରେ ୧୪ ଡିସେମ୍ଵର ୨୦୧୯ରୁ ୧୪ ଜାନୁଆରୀ ୨୦୨୦ ଯାଏ ଗୋଟିଏ ମାସ ଧରି ଏହି ଉତ୍ସବର ଆୟୋଜନ କରାଯାଇଛି। ଅନ୍ୟପଟରେ ଆୟୋଜନକୁ ଆହୁରି ଆକର୍ଷଣୀୟ କରିବାକୁ ଯାଇ ରାମଚଣ୍ଡୀସ୍ଥିତ ମେରାଇନ ଡ୍ରାଇଭ ଅଞ୍ଚଳରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫ ଏକର ଜମିରେ ୫୦ଟି ବିଳାସପୂର୍ଣ୍ଣ ଅସ୍ଥାୟୀ କ୍ୟାମ୍ପର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି କ୍ୟାମ୍ପ ହାଉସରେ ଦେଶ-ବିଦେଶର ପର୍ଯ୍ୟଟକ ଆରାମରେ ରହିପାରିବେ। କେବଳ ସେତିକି ନୁହେଁ, ଫୁଡ୍‌ ଫେଷ୍ଟିଭାଲ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ଜଳକ୍ରୀଡା, ଥ୍ରୀଡି ମ୍ୟାପିଙ୍ଗ ଓ ଦୁଃସାହସିକ କ୍ରୀଡ଼ା ଆଦି ଉପଲବ୍ଧ କରାଯାଇଛି। ଏହି ଉତ୍ସବ ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଅନ୍ୟପଟରେ ଓଡ଼ିଶା ପର୍ଯ୍ୟଟନରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ମଧ୍ୟ ଆଶା କରାଯାଉଛି। ଯଦିଓ ବିଳାସପୂର୍ଣ୍ଣ ଅସ୍ଥାୟୀ କ୍ୟାମ୍ପ ଯୋଗାଇବା ସୁବିଧା ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଛି କିନ୍ତୁ ଏଭଳି ବ୍ୟବସ୍ଥା ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବହୁ ଆଗରୁ ଉପଲବ୍ଧ ରହିଛି। ଜାଣନ୍ତୁ ପୂର୍ବରୁ କେଉଁ ଜାଗାରେ ଉପଲବ୍ଧ ହୋଇଆସୁଛି ଏହି ସୁବିଧା -

ମନାଲି
ଦେଶର ପ୍ରସିଦ୍ଧ ହିଲଷ୍ଚେସନ ଭାବେ ମନାଲି ବେଶ୍‌ ଜଣାଶୁଣା। ଜଙ୍ଗଲର ମଧ୍ୟ ଭାଗରେ ଥିବା ଏହି ସହରଟିରେ ବରଫାବୃତ ପାହାଡ଼, ପାହାଡ଼ରୁ ବାହାରିଥିବା ନଦୀ ତଥା ସବୁଜିମା ଭରା ଜଙ୍ଗଲ ମଧ୍ୟ ଦେଖିବାକୁ ମିଳେ। ଯଦି ଆପଣ କୌଣସି ହୋଟେଲରେ ନ ରହି ଜଙ୍ଗଲ ଭିତରେ ଅସ୍ଥାୟୀ ତମ୍ବୁରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ଚାହୁଛନ୍ତି, ତେବେ ମନାଲିର ସରଜୁ ଏଥିପାଇଁ ବେଶ୍ ଉପଯୁକ୍ତ ସ୍ଥାନ। ଏହି ସ୍ଥାନଟି ସେନାର ହେପାଜତରେ ରହିଛି। ତା’ ସହିତ ଏହି ସ୍ଥାନ ନିକଟରେ ସରଜୁ ନଦୀ ମଧ୍ୟ ପ୍ରବାହିତ ହେଉଛି।

ମଶୋବରା

ହିମାଚଳ ପ୍ରଦେଶର ଏକ ଛୋଟ ସହର ହେଉଛି ମାଶୋବରା। ଏହି ସ୍ଥାନରେ ଆପଣ ବିଳାସପୂର୍ଣ୍ଣ କ୍ୟାମ୍ପର ମଧ୍ୟ ମଜା ଉଠାଇପାରିବେ। ଏଥି ସହ ବହୁ ପ୍ରକାର ଦୁଃସାହସିକ କ୍ରୀଡ଼ାର ମଧ୍ୟ ମଜା ନେଇପାରିବେ। ବର୍ଷର ମାର୍ଚ୍ଚରୁ ଜୁନ ମାସ ଯାଏଁ ଏହି ସ୍ଥାନକୁ ଭ୍ରମଣରେ ଯିବାର ଉପଯୁକ୍ତ ସମୟ। ଦେଶ ବିଦେଶର ବହୁ ପର୍ଯ୍ୟଟକଙ୍କୁ ଏହି ସମୟ ମଧ୍ୟରେ ଏଠାରେ ଦେଖିବାକୁ ମିଳେ।

ବୁନ୍ଦି

ରାଜସ୍ଥାନର ବୁନ୍ଦି ସହରରେ ଅନେକ ପ୍ରକାର ଦର୍ଶନୀୟ ସ୍ଥାନ, ରାଜପ୍ରାସାଦ ଏବଂ ଐତିହାସିକସ୍ଥଳୀ ରହିଛି। ବୁନ୍ଦି ସହରରେ ଆପଣ ରାଜକୀୟ କ୍ୟାମ୍ପର ସୁବିଧା ମଧ୍ୟ ପାଇପାରିବେ। ଅକ୍ଟୋବରରୁ ଫେବୃଆରୀ ମାସ ଯାଏ ଏହି ସ୍ଥାନକୁ ଭ୍ରମଣ ପାଇଁ ଉଦ୍ଦିଷ୍ଟ। ଏଠାରେ ତାରାଗାଢ଼ି କିଲ୍ଲା, ବୁନ୍ଦି ପ୍ୟାଲେସ ଏବଂ ମୁଖ ମହଲ ଆଦି ଦର୍ଶନୀୟ ସ୍ଥାନ ରହିଛି।

ମୁନସ୍ୟାରୀ

କେତେକାଂଶରେ କଶ୍ମୀର ଭଳି ଦେଖାଯାଉଥିବାରୁ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ଅନ୍ତର୍ଗତ ମୁନସ୍ୟାରୀ ସହରକୁ କ୍ଷୁଦ୍ର କଶ୍ମୀର ମଧ୍ୟ କୁହାଯାଏ। ଏହାର ଆଖପାଖରେ ପଞ୍ଚାଚୁଲୀ ଶିଖର, ବିର୍ଥୀ ଝରଣା ଆଦି ବହୁ ପର୍ଯ୍ୟଟନସ୍ଥଳୀ ରହିଛି। ଯଦି ଆପଣ କ୍ୟାମ୍ପର ମଜା ଉଠାଇବାକୁ ଚାହୁଁଛନ୍ତି, ତେବେ ମୁନସ୍ୟାରୀ ଆପଣଙ୍କ ମନକୁ ଛୁଇଁବ।

ଜୈସଲମେର
ରାଜସ୍ଥାନର ସ୍ବର୍ଣ୍ଣ ସହର ଭାବରେ ଜୈସଲମେର ପ୍ରସିଦ୍ଧ। ଏହି ସହରର ଅନେକ ସ୍ଥାନରେ ରାଜକୀୟ ପ୍ରାସାଦମାନ ରହିଛି। ଯଦି ଆପଣଙ୍କୁ ମରୁଭୂମି ପସନ୍ଦ, ତେବେ ଆପଣ ଜୈସଲମେରର ମରୁଭୂମିରେ ମଧ୍ୟ ବିଳାସପୂର୍ଣ୍ଣ କ୍ୟାମ୍ପର ମଜା ଉଠାଇପାରିବେ। ତା’ ସହିତ ସ୍ଥାନୀୟ ଖାଦ୍ୟପେୟ ତଥା ଲୋକନୃତ୍ୟର ମଜା ଉଠାଇ ପାରିବେ। ଏହି ସହର ଠାରୁ ମାତ୍ର ୨୫ କିମି ଦୂରରେ ରହିଛି ମରୁଭୂମିର ବାଲୁକା ଶଯ୍ୟା। ଓଟ ପିଠିରେ ମରୁ ଭ୍ରମଣ ସହିତ ସ୍ଥାନେ ସ୍ଥାନେ ତମ୍ବୁ ଘରର ମଜା ଉଠାଇ ପାରିବେ। ଏହି ତମ୍ବୁ ଘର ଗୁଡିକରେ ବହୁବିଧ ବିଳାସ ସାମଗ୍ରୀମାନ ମହଜୁଦ ଥିବା ସାଙ୍ଗକୁ ପର୍ଯ୍ୟଟକଙ୍କ ଆତିଥେୟତା ଦିଗରେ ବ୍ୟାପକ ସୁବିଧା କରାଯାଇଥାଏ।

ଓଡ଼ିଶାରେ ବି ରହିଛି ତମ୍ବୁଘର
ଓଡ଼ିଶାର ସାତକୋଶିଆ ଗଣ୍ଡ ସଂଲଗ୍ନ ଅଞ୍ଚଳରେ ପର୍ଯ୍ୟଟକଙ୍କ ନିମିତ୍ତ ତମ୍ବୁ ଘର ନିର୍ମାଣ କରାଯାଇଛି। ଭିତରକନିକା ଅଭୟାରଣ୍ୟ ମଧ୍ୟ ଏ ଦୃଷ୍ଟିରୁ ଶୀର୍ଷରେ ରହିଛି। ବିଦେଶୀ ଅତିଥି ପକ୍ଷୀ, କୁମ୍ଭୀର, ଅଲିଭରିଡ଼ଲେ କଇଁଛ, ହେନ୍ତାଳବନ, ଜଙ୍ଗଲ କଟେଜ ଆଉ ଜଳକ୍ରୀଡା ପାଇଁ ମନୋରମ ଭିତରକନିକାର ତମ୍ବୁଘର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଟିକରପଡ଼ା, ବଡ଼ମୂଳ, ଗହୀରମଥା ଓ ଡାଙ୍ଗମାଳର ସୁନ୍ଦର ପ୍ରକୃତି ଆଉ ପରିବେଶ ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ