ପୁଅ ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ବାପାଙ୍କୁ ୬ ହଜାର ଜରିମାନା


ରବିବାରଠାରୁ ସାରା ରାଜ୍ୟରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବା ପରେ କଟକର ମଧୁପାଟଣା ଛକରେ ଏହାର ଏକ ଝଲକ ଦେଖିବାକୁ ମିଳିଛି। ଜଣେ ନାବାଳକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବାରୁ ତାଙ୍କ ବାପାଙ୍କଠାରୁ ଜରିମାନା ଅର୍ଥ ଆଦାୟ କରାଯାଇଛି। ନାବାଳକ ଜଣକ ୧୮ ବର୍ଷରୁ କମ୍‌ ହେବା ସହ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିଲେ। ଏଥିସହ ମୋବାଇଲରେ କଥା ହେବା ସମୟରେ ପୋଲିସ ତାଙ୍କୁ ଧରିଥିଲା। ଉକ୍ତ ୩ଟି ଟ୍ରାଫିକ୍‌ ନିୟମକୁ ଉଲ୍ଲଂଘନ କରିଥିବାରୁ ପୋଲିସ୍‌ ଉକ୍ତ ନାବାଳକଙ୍କ ବାପାଙ୍କୁ ଡାକି ତାଙ୍କଠାରୁ ୬ ହଜାର ଟଙ୍କାର ଜରିମାନା ଆଦାୟ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ସଡ଼କ ନିରାପତ୍ତା ଆଇନକୁ ଅଧିକ କଡ଼ାକଡ଼ି କରିଥିବା ବେଳେ ଗତ ସେପ୍ଟେମ୍ବର ପହିଲାରୁ ରାଜ୍ୟ ସରକାର ଏହାକୁ ଲାଗୁ କରିଥିଲେ। କିନ୍ତୁ ରାଜ୍ୟବାସୀଙ୍କୁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ସକାଶେ ସମୟ ନ ଦେଇ ଅଚାନକ ଏପରି ନିୟମ ଲାଗୁ କରାଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ରାଜ୍ୟ ସରକାର ଏହି ଅବଧିକୁ ୩ ମାସ ଘୁଞ୍ଚାଇଦେଇଥିଲେ। ଏହି ଅନୁସାରେ ରବିବାରଠାରୁ ନୂଆ ଆଇନ ଲାଗୁ ହେବାର ଥିଲା। କିନ୍ତୁ ଅଦ୍ୟାବଧି ଆର୍‌ଟିଓରେ ପ୍ରବଳ ମାତ୍ରାରେ ଭିଡ଼ ରହୁଥିବାରୁ ଲୋକମାନେ କାଗଜପତ୍ର ପ୍ରସ୍ତୁତ କରିପାରିନାହାନ୍ତି। ତେଣୁ ଲୋକମାନଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି। କିନ୍ତୁ ରବିବାର କମିଶନରେଟ୍‌ ପୋଲିସ୍‌ ୧୦ଟି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବ ବୋଲି ଘୋଷଣା କରିସାରିଛି। ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗିବେ, ସେମାନେ ଯଦି ଘଟଣାସ୍ଥଳରେ ବି ଚାଲାଣ ବାବଦ ଜରିମାନା ନ ଭରନ୍ତି, ତା’ହେଲେ ସେମାନଙ୍କ ଘରକୁ ନୋଟିସ୍‌ ପଠାଯିବ। ପରବର୍ତ୍ତୀ ସମୟରେ ସେମାନେ ସୁଧ ସହ ଉକ୍ତ ପରିମାଣ ଭରଣା କରିବେ ବୋଲି ଶନିବାର କମିଶନର୍‌ ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ