ମାଇଣ୍ଡବ୍ଲୋଇଂ ଓଡ଼ିଆ ଫୁଡ୍‌ ବ୍ଲଗର ସଲୋନି: ଖାଦ୍ୟ ମାଧ୍ୟମରେ ଖୁସି ବାଣ୍ଟିବାର ନିଆରା ନିଶା


ବହୁବିଧ ପ୍ରତିଭାର ଅଧିକାରିଣୀ ସେ। ପେସା ବାଦ ତାଙ୍କ ନିଶାକୁ ମଧ୍ୟ ସେ ବେଶ୍‌ ଗୁରୁତ୍ବର ସହ ଗ୍ରହଣ କରନ୍ତି। ଭାରତୀୟ ଖାଦ୍ୟ ହେଉ କି ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ହେଉ ଏଥିପ୍ରତି ରହିଥିବା ତାଙ୍କର ପ୍ରେମ ଓ ଶ୍ରଦ୍ଧା ସ୍ପଷ୍ଟ ବାରିହୋଇ ପଡ଼େ। ଖାଦ୍ୟ ପ୍ରତି ରହିଥିବା ତାଙ୍କର ଅହେତୁକ ରୁଚି ତାଙ୍କୁ ଦେଶରେ ଜଣେ ସମ୍ବେଦନଶୀଳ ଫୁଡ ବ୍ଲଗରର ଆଖ୍ୟା ଦେଇଛି। ଏହି ଓଡ଼ିଆ ଯୁବା ଫୁଡ ବ୍ଲଗର ଜଣକ ହେଉଛନ୍ତି ସଲୋନି ପଣ୍ଡା। ସେ ତାଙ୍କ ବ୍ଲଗ ମାଧ୍ୟମରେ ଅନେକଙ୍କୁ ଇନଷ୍ଟାଗ୍ରାମ ଓ ଫେସବୁକ ଭଳି ସୋସାଲ ମିଡିଆ ମାଧ୍ୟମରେ ପ୍ରଭାବିତ କରିପାରିଛନ୍ତି। ଦିନକୁ ଦିନ ବ୍ୟବହାରକାରୀଙ୍କ ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି। ଏହି ପ୍ରତିଭାସମ୍ପନ୍ନ ଫୁଡ ବ୍ଲଗର ସଲୋନିଙ୍କ ସହ ହୋଇଥିବା ଆମ ସାକ୍ଷାତକାରର କିୟଦଂଶ...

ଫୁଡ ବ୍ଲଗର ଭାବେ କେବେ କାମ ଆରମ୍ଭ କଲେ? ଆପଣଙ୍କ ଫୋକସ୍‌ ଏରିଆ? ଆପଣଙ୍କ ସାମର୍ଥ୍ୟ ସମ୍ପର୍କରେ କିଛି କୁହନ୍ତୁ, ଯାହା କି ଫୁଡ ବ୍ଲଗିଂ ପାଇଁ ସାହାଯ୍ୟ କରିବ।
  • ମୁଁ ଫୁଡ ବ୍ଲଗର ଭାବେ କାର୍ଯ୍ୟାରମ୍ଭ କରିବା ବେଳେ ପାଠକଙ୍କ ପସନ୍ଦର ବିଷୟବସ୍ତୁ (କଣ୍ଟେଣ୍ଟ) ପୋଷ୍ଟ କରିବା ଥିଲା ମୋ ଫୋକସ ଏରିଆ। ଏଥିପାଇଁ ବହୁ ପରୀକ୍ଷା ନିରୀକ୍ଷା କରି ଭିନ୍ନ ଭିନ୍ନ ପୋଷ୍ଟିଂ କଲି ଏବଂ ତନ୍ମଧ୍ୟରୁ କ’ଣସବୁ ଲୋକଙ୍କୁ ଅଧିକ ପସନ୍ଦ ଆସୁଛି, ତାହା ଲକ୍ଷ୍ୟ କରିବାରେ ଲାଗିଛି। ପାଠକମାନେ ମୋ ଉପରେ ତଥା ମୋ ଦ୍ବାରା ପୋଷ୍ଟ ହୋଇଥିବା ବିଷୟବସ୍ତୁ ଉପରେ ଆସ୍ଥା ପ୍ରକଟ କରିବା ମୋ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। କାମ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଓ ଧୈର୍ଯ୍ୟ ହିଁ ମୋର ସାମର୍ଥ୍ୟ। ଏହା ବ୍ଲଗିଂରେ ମଧ୍ୟ ମୋତେ ବେଶ୍‌ ସାହାଯ୍ୟ କରିଛି।

ବ୍ଲଗ ଚଳାଇବା ପାଇଁ କିପରି ସମୟ କାଢ଼ନ୍ତି ଓ ବାଣ୍ଟନ୍ତି? ଅଧିକରୁ ଅଧିକ ଟ୍ରାଫିକ୍‌କୁ ବ୍ଲଗ ମୁହାଁ କରିବା ନିମନ୍ତେ ଶ୍ରେଷ୍ଠ ରାଜନୀତି କ’ଣ ବୋଲି ମନେକରନ୍ତି?
  • ମୁଁ ଏଥିପାଇଁ ଯେକୌଣସି ମତେ ସମୟ ବାହାର କରେ। ଏବେ ମୁଁ ପେସାଦାର ଭାବେ କ୍ୟାରିଅର ମଧ୍ୟ ଆରମ୍ଭ କରିଛି। ଅବଶ୍ୟ ବେଳେ ବେଳେ ଏହା ଟିକେ କଷ୍ଟକର ହୋଇପଡ଼େ। ତେବେ ମୋର ଏହି ନିଶା ପାଇଁ ମୁଁ ଯେମିତିହେଲେ ବି ସପ୍ତାହରେ ସମୟ କାଢ଼େ। ମୋଟ ଉପରେ କହିବାକୁ ଗଲେ ଭାରସାମ୍ୟ ରକ୍ଷା କରିବାକୁ ପଡ଼ିବ। ମୋର ୩ସି (କଣ୍ଟେଣ୍ଟ, କନ୍‌ସିଷ୍ଟେନ୍ସି ଓ କମିଟ୍‌ମେଣ୍ଟ) ଆପ୍ରୋଚ ହିଁ ଟ୍ରାଫିକକୁ ମୋ ବ୍ଳଗମୁହାଁ କରିବା ପାଇଁ ଶ୍ରେଷ୍ଠ ରଣନୀତି। ଚମତ୍କାର ବିଷୟବସ୍ତୁ ପୋଷ୍ଟ କରନ୍ତୁ, କାମରେ ଲାଗିରହନ୍ତୁ ଏବଂ ନିଜ କାମକୁ ନେଇ ପ୍ରତିଶ୍ରୁତିବଦ୍ଧ ରହନ୍ତୁ। ସଫଳତା ନିଶ୍ଚୟ ମିଳିବ।

ଆପଣଙ୍କ ବ୍ଲଗିଂ ଷ୍ଟାଇଲକୁ କିଭଳି ବର୍ଣ୍ଣନା କରିବେ? ଆପଣଙ୍କ ପାଇଁ କାମ କରିବାର ଆଦର୍ଶ ପରିବେଶ କ’ଣ?
  • ମୋର ଫୁଡ ବ୍ଲଗିଂ ଷ୍ଟାଇଲକୁ ମୁଁ ଦେଶୀ ଓ ଜୀବନ୍ତ କରିବି। ଖାଦ୍ୟ ଉପରେ ମୋର ଅଧିକାଂଶ ପୋଷ୍ଟ ଭାରତୀୟ ଘରୋଇ ଖାଦ୍ୟକୁ ନେଁଇ ହୋଇଥାଏ। ଏପରିକି ନିଜ ରୋଷେଇଶାଳରୁ ଆରମ୍ଭ କରି ଅନ୍ୟମାନଙ୍କ ପର୍ଯ୍ୟନ୍ତ ମୋ ପାଇଁ ଆଦର୍ଶ ପରିବେଶ ସେହି ସ୍ଥାନ ହୋଇଥାଏ, ଯେଉଁଠି ମୁଁ ମୋ କାମକୁ ଭରପୂର ଉପଭୋଗ କରିଥାଏ।

ଏମିତି ୩ଟି ଉପାଦାନ ସମ୍ପର୍କରେ କୁହନ୍ତୁ, ଯାହାକୁ ଆପଣ ରୋଷେଇରୁ ବାଦ୍‌ ଦିଅନ୍ତି ଏବଂ ସେହିପରି ୩ଟି ଏପରି ଉପାଦାନ ଯାହାକୁ ଆପଣ ରୋଷେଇରେ ସାମିଲ କରିବାକୁ ଚାହିଁବେ।
  • ମୋ ହିସାବରେ ଜାଣତରେ ସେମିତି କୌଣସି ଉପାଦାନକୁ ରୋଷେଇରୁ ବାଦ୍‌ ଦେଇହେବନି। କାରଣ ଖାଦ୍ୟ ଉପରେ ଏହା ନିର୍ଭର କରେ। ତେବେ ଯେଉଁ ୩ଟି ଉପାଦାନକୁ ନିହାତି ଭାବେ ମୁଁ ରୋଷେଇରେ ବ୍ୟବହାର କରିବାକୁ ଭଲପାଏ, ସେଗୁଡ଼ିକ ହେଉଛି ପିଆଜ, ଅଦା ରସୁଣ ବଟା ଓ ଟମାଟୋ।

ମା’ଙ୍କ କିଚେନ ମସଲ ଆପଣଙ୍କୁ ପସନ୍ଦ କି?
  • ନିଶ୍ଚିତ ରୂପେ। ମା’ଙ୍କ ହାତ ତିଆରି ଖାଦ୍ୟ ଠାରୁ ଏ ଦୁନିଆରେ ଆଉ କୌଣସି ଖାଦ୍ୟ ଭଲ ନୁହେଁ।

ଆପଣଙ୍କ ବ୍ଲଗରେ ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସ୍ଥାନିତ କରିଛନ୍ତି? ଆଗାମୀ ସମୟରେ କିଛି ଖାସ୍‌ ଓଡ଼ିଆ ରେସିପି ବିଶେଷକରି ପାରମ୍ପରିକ ମିଷ୍ଟାନ୍ନକୁ ସ୍ଥାନିତ କରିବାର ଯୋଜନା ଅଛି କି?
  • ହଁ, ମୁଁ ଓଡ଼ିଆ ମିଷ୍ଟାନ୍ନ ଛେନାପୋଡ଼, ମଣ୍ଡାପିଠା ଓ ଖଜା ସମ୍ପର୍କରେ ଲେଖିଛି। ଆଗାମୀ ଦିନରେ ଏହାକୁ ଆଗକୁ ନେବାର ଅଛି। ମୁଁ ଓଡ଼ିଶାର ସଂସ୍କୃତି ଓ ଖାଦ୍ୟକୁ ବହୁତ ଭଲପାଏ। ଏଯାଏ ମୁଁ ଏହାକୁ ସମ୍ପୂର୍ଣ୍ଣ ରୂପେ ଅନ୍ବେଷଣ କରି ପାରି ନାହିଁ। ମୁଁ ଓଡ଼ିଶାରେ ଏକ ଫୁଡ ଟୁର କରିବାକୁ ଯୋଜନା କରିଛି। ଏହା ମାଧ୍ୟମରେ ପାରମ୍ପରିକ ତଥା ସୁସ୍ବାଦୁ ଖାଣ୍ଟି ଓଡ଼ିଆ ବଞ୍ଜ୍ୟନସବୁ ଅନ୍ବେଷଣ କରିବାର ସୁଯୋଗ ନିଶ୍ଚିତ ମିଳିବ।

ଭାରତୀୟ ଖାଦ୍ୟକୁ ନେଇ ଆପଣଙ୍କର ଗବେଷଣା ଓ ସୃଜନଶୀଳତା ସମ୍ପର୍କରେ କିଛି କୁହନ୍ତୁ। ସ୍ମାର୍ଟ ନବୀକରଣ କିପରି ଆପଣ ନୂଆ ରେସିପି ତିଆରି କରନ୍ତି?
  • ମୁଁ ଅନେକ କୁକରୀ ଶୋ’ ଓ ୟୁଟ୍ୟୁବ୍‌ ଭିଡିଓ ଦେଖିଥାଏ, ଯେଉଁଥିରୁ ମୋତେ ବେଶ୍‌ କିଛି ଶିଖିବାକୁ ମିଳିଥାଏ। ଏଥିସହ ମୁଁ ରୋଷେଇ କରିବା ବେଳେ ମୋ ହିସାବରେ ଏହାକୁ ଭିନ୍ନ ମୋଡ଼ ଦେଇଥାଏ। ଏହାବାଦ ରୋଷେଇ ଓ ଏହାର ଉପାଦାନଗୁଡ଼ିକ ସମ୍ପର୍କରେ ମୁଁ ଢେର ପଢ଼ାପଢ଼ି କରେ। ମୁଁ ଜଣେ ପେସାଦାର ସେଫ ନୁହେଁ। କିନ୍ତୁ ରୋଷେଇ ମୋର ନିଶା ଏବଂ ଏହା ମୋ ପାଇଁ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ବାଣ୍ଟିବାର ଏକ ପ୍ରକୃଷ୍ଟ ମାଧ୍ୟମ।

ପରିବାର ସହ ଏକାଠି ବସି ଖାଇବା ଆପଣଙ୍କ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ?

  • ଜୀବନରେ ଏହାର ବେଶ୍‌ ମହତ୍ତ୍ବ ରହିଛି। ଆମେ ଘରେ ଦିନକୁ ଅନ୍ତତଃପକ୍ଷେ ଥରଟିଏ ସମସ୍ତେ ଏକାଠି ବସି ଖାଇଥାଉ। ଏହା ଦିନର ସବୁଠୁ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥାଏ। କାରଣ ଏହି ସମୟରେ ଆମେ ପରସ୍ପର ସହ କଥା ହେଉ, ନିଜ ଅନୁଭବ ବାଣ୍ଟୁ ଏବଂ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଥାଉ। ସମ୍ପର୍କର ଡୋରି ବାନ୍ଧିହେବାର ଏହା ହେଉଛି ପ୍ରକୃଷ୍ଟ ସମୟ। ଏହି ଅନୁଭୂତି ଅବର୍ଣ୍ଣନୀୟ।

ଜଣେ ଖାଦ୍ୟ ମାର୍ଗଦର୍ଶକ ହେବାରେ ସବୁଠୁ ବଡ଼ ଖୁସି କ’ଣ?

  • ମୋ ପାଇଁ ସବୁଠୁ ବଡ଼ ଖୁସିର କଥା ହେଉଛି ମୁଁ ପାଠକଙ୍କ ପାଇଁ ଉତ୍ତମ ବିଷୟବସ୍ତୁ ପ୍ରସ୍ତୁତ କରିପାରୁଛି, ଯାହାକୁ ସେମାନେ ପସନ୍ଦ କରୁଛନ୍ତି। ମୁଁ ସେମାନଙ୍କ ଠାରୁ ଢେର ବାର୍ତ୍ତା ପାଏ, ଯେଉଁଥିରେ ପାଠକମାନେ ଅନୁପ୍ରାଣିତ ହେଉଥିବା ଦର୍ଶାଇଥାନ୍ତି। ଏପରିକି ସେମାନଙ୍କ କାର୍ଯ୍ୟଶୈଳୀ ପ୍ରଭାବିତ ହୋଇଥିବା କହନ୍ତି ପାଠକ। ଏହା ମୋତେ ଅଶେଷ ଆନନ୍ଦ ଦେଇଥାଏ।

ଭବିଷ୍ୟତରେ ଖାଦ୍ୟ ମାର୍ଗଦର୍ଶନକୁ ଫୁଲ ଟାଇମ ଜବ୍‌ ଭାବେ ଗ୍ରହଣ କରିବା ସମ୍ପର୍କରେ କ’ଣ ମନେକରନ୍ତି?
  • ନିଶ୍ଚିତରୂପେ ମୁଁ ଏହାକୁ ଫୁଲ ଟାଇମ କ୍ୟାରିଅର କରିବାକୁ ଚାହୁଁଛି। ଯଦି ଏହା ମାଧ୍ୟମରେ ମୁଁ ଜୀବନଜୀବିକା ନିର୍ବାହ କରିପାରିବି, ତେବେ ଏହାକୁ ଫୁଲଟାଇମ କ୍ୟାରିଅର ଭାବେ ଗ୍ରହଣ କରିବାରେ ଅସୁବିଧା କେଉଁଠି?

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ