ଉଦାହରଣ ପାଲଟିଛନ୍ତି ରିଅଲ ଫାୟାର ଫାଇଟର କ୍ୟାଟ୍‌

ଗର୍ଭବତୀ ଥିବା ସତ୍ତ୍ବେ ନିଆଁ ଲିଭାଇ ବଞ୍ଚାଇଛନ୍ତି ଅନେକଙ୍କ ଜୀବନ

ଗର୍ଭବତୀ ମହିଳାଙ୍କୁ ଆରାମ କରିବାକୁ ପରାମର୍ଶ ଦିଆଯିବା ସହିତ ଭାରୀ କାମ କରିବାକୁ ମନା କରାଯାଇଥାଏ। କିନ୍ତୁ ଅଷ୍ଟ୍ରେଲିଆରେ ରହୁଥିବା କ୍ୟାଟ୍‌ ରବିନ୍‌ସନ୍‌ ୱିଲିଅମ୍ସ ଏହି ପରୱା ନ କରି ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗି ପଡ଼ିଛନ୍ତି। ୨୩ ବର୍ଷୀୟା କ୍ୟାଟ୍‌ ଏବେ ୧୩ ସପ୍ତାହର ଗର୍ଭବତୀ ଅଛନ୍ତି। କିନ୍ତୁ ଏହି କଥାକୁ ଭ୍ରୁକ୍ଷେପ ନ କରି ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭା କାମରେ ସେ ଲାଗି ପଡ଼ିଛନ୍ତି। କ୍ୟାଟ୍‌ ଗତ ୧୧ ବର୍ଷ ହେଲାଣି ନ୍ୟୁ ସାଉଥ୍‌ ୱେଲ୍ସ ରୁରାଲ ଫାୟାର ସର୍ଭିସ୍‌ରେ ଅଗ୍ନିଶମ ଭଲ୍ୟୁଣ୍ଟିଅର ଭାବେ କାମ କରୁଛନ୍ତି।

ନିଆଁଠାରୁ ଦୂରେଇ ରହିବାକୁ ଲୋକେ ଦେଉଛନ୍ତି ପରାମର୍ଶ
କ୍ୟାଟ୍‌ଙ୍କ କହିବାନୁସାରେ ସେ ତାଙ୍କ ଦାୟିତ୍ବରୁ କିପରି ଦୂରେଇ ଯିବେ। ଲୋକଙ୍କୁ ବଞ୍ଚାଇବା ତାଙ୍କ କାମ। ତାଙ୍କର ଅନେକ ବନ୍ଧୁ ଏପରି ପରିସ୍ଥିତିରେ କ୍ୟାଟ୍‌ କାମ କରୁଥିବାରୁ ଚିନ୍ତିତ ଅଛନ୍ତି। ତେଣୁ ନିଆଁଠାରୁ ଦୂରେଇ ରହିବାକୁ ସେମାନେ କ୍ୟାଟ୍‌ଙ୍କୁ ପରାମର୍ଶ ଦେଉଛନ୍ତି। କ୍ୟାଟ୍‌ ସୋସାଲ ମିଡିଆରେ ଲେଖିଛନ୍ତି ଯେ ଜଙ୍ଗଲରେ ଭୟାନକ ନିଆଁ ଲାଗିଛି। ଲୋକେ ଏବେ ବିପଦରେ ଅଛନ୍ତି। ସେମାନଙ୍କ ଘର ଜଳି ପୋଡ଼ି ଛାରଖାର ହୋଇଯାଉଛି। ଏପରି ପରିସ୍ଥିତିରେ ସେ ପଛରେ ଠିଆ ହୋଇ ତାମସା ଦେଖିପାରିବେ ନାହିଁ। ତାଙ୍କର ଏହି ଅବସ୍ଥାରେ କାମ କରିବା ଯଦି କାହାକୁ ପସନ୍ଦ ଆସୁନାହିଁ, ତେବେ ତାଙ୍କର କୌଣସି ଯା’ ଆସ ନାହିଁ। କାରଣ ଏହି ବିପତ୍ତିରେ ସମସ୍ତଙ୍କୁ କାନ୍ଧରେ କାନ୍ଧ ମିଳାଇ କାମ କରିବା ଉଚିତ। ସେ ଜଣେ ଫାୟାର ଫାଇଟର। ସେ ଜଣେ ପୁରୁଷ ନୁହନ୍ତି, ମହିଳା। ଏକଥା ସତ ଯେ ସେ ଗର୍ଭବତୀ ଅଛନ୍ତି, ସେ ନିଆଁ ଲିଭା କାର୍ଯ୍ୟ କରୁଛନ୍ତି ଓ ଠିକ୍‌ ଭାବେ ନିଜ ଦାୟିତ୍ବ ନେଇପାରିବେ ବୋଲି କ୍ୟାଟ୍‌ ଲେଖିଛନ୍ତି।

କ୍ୟାଟ୍‌ ଆହୁରି କହିଛନ୍ତି ଯେ ଏଭଳି ସମୟରେ ସେ ପଛରେ ଠିଆ ହେଇ ପାରିବେ ନାହିଁ। ସେ ତାଙ୍କ ଦେଶକୁ ଓ ନିଜ ସାଥୀଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ତାଙ୍କୁ ଗ୍ରାଉଣ୍ଡରେ ଯାଇ କାମ କରିବାକୁ ପଡ଼ିବ। ଯେ ପର୍ଯ୍ୟନ୍ତ ସେ ଶାରୀରିକ ଭାବେ ସକ୍ଷମ ଅଛନ୍ତି, ସେ ପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବେ। ସେ ତାଙ୍କ କାମରେ ବେଷ୍ଟ ଦେବେ ବୋଲି କ୍ୟାଟ୍‌ ଲେଖିଛନ୍ତି। ସେ ପ୍ରଥମ କିମ୍ବା ଶେଷ ଅଗ୍ନିଶମ କର୍ମଚାରୀ ନୁହନ୍ତି, ଯିଏ ଗର୍ଭବତୀ ଅବସ୍ଥାରେ କାମ କରୁଛନ୍ତି। ଏବେ ବି ଅନ୍ୟଙ୍କୁ ସାହାଯ୍ୟ କରିବା ସ୍ଥିତିରେ ସେ ଅଛନ୍ତି। ତେଣୁ ଏଭଳି ପରିସ୍ଥିତିକୁ ସେ ସାହାସର ସହିତ ସାମ୍ନା କରିବେ। ତାଙ୍କୁ ଡାକ୍ତର ଉପଯୁକ୍ତ ଉପକରଣ ପିନ୍ଧି ନିଆଁ ଲିଭାଇବାକୁ ପରାମର୍ଶ ଦେଇ ସାରିଛନ୍ତି ବୋଲି କ୍ୟାଟ୍‌ କହିଛନ୍ତି।

ମା’ ଓ ଜେଜେ ମା’ ବି ଥିଲେ ଅଗ୍ନିଶମ କର୍ମଚାରୀ

୧୯୯୫ରେ ଜଙ୍ଗଲରେ ଯେଉଁ ନିଆଁ ଲାଗିଥିଲା, ସେଥିରେ କ୍ୟାଟ୍‌ଙ୍କ ମା’ ମଧ୍ୟ ଅଗ୍ନିଶମ କର୍ମଚାରୀ ଭାବେ କାମ କରିସାରିଛନ୍ତି। ସେହି ସମୟରେ ତାଙ୍କ ମା’ ମଧ୍ୟ ଗର୍ଭବତୀ ଥିଲେ। କେବଳ ସେତିକି ନୁହେଁ, ତାଙ୍କ ଜେଜେ ମା’ ମଧ୍ୟ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ଅଗ୍ନିଶମ କର୍ମୀ ଭାବେ କାମ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ