ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: ବନ୍ଦ ରହିବ ୭ ନମ୍ବର ଗ୍ୟାଲେରୀ

ଷ୍ଟାଡିୟମକୁ ପଲିଥିନ୍ ନେବା ଉପରେ କଟକଣା

ଆସନ୍ତା ୨୨ରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ପରିଚାଳନା ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ଏହି ବୈଠକରେ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ଆସନ୍ତା ମ୍ୟାଚରେ ୭ ନମ୍ବର ଗ୍ୟାଲେରୀ ଅସୁରକ୍ଷିତ ଥିବାରୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମ୍ୟାଚ‌୍‌ ସମୟରେ ବାରବାଟୀ ଷ୍ଟାଡିୟମ୍‌କୁ ପଲିଥିନ୍ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଷ୍ଟାଡିୟମକୁ ଯିବା ପୂର୍ବରୁ ଦର୍ଶକମାନଙ୍କୁ ପଲିଥିନ ଯାଞ୍ଚ କରାଯାଇ ଛଡ଼ାଯିବ ବୋଲି ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।

ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍। ବାରବାଟୀ ଦିନିକିଆରେ ମୁଖ୍ୟ ଅତିଥି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଡିସେମ୍ବର ୧୫ ତାରିଖ ସୁଦ୍ଧା ଷ୍ଟାଡିୟମ୍ ନିକଟ କାମ ସାରିବାକୁ ଜାଇକାକୁ ନିର୍ଦେଶ ଦିଆଯାଇଛି। ଷ୍ଟାଡିୟମ୍ ନିକଟ ପରିମଳ ବ୍ୟବସ୍ଥା ଉପରେ ନଜର ଦେବ କଟକ ମହାନଗର ନିଗମ। ସେହିପରି ମ୍ୟାଚ୍ ପରେ ଓ ପୂର୍ବରୁ ଦର୍ଶକ ଷ୍ଟାଡିୟମ୍‌ ପାଖକୁ ଯିବା ପାଇଁ ଷ୍ଟେସନ୍‌ ଓ ବସ୍‌ଷ୍ଟାଣ୍ଡରୁ ଅଧିକ ବସ୍‌ ଓ ଅଟୋର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାଛଡ଼ା ମ୍ୟାଚ୍ ସମୟରେ ମେଡିକାଲ ଟିମ୍ ଉଭୟ ଷ୍ଟାଡିୟମ୍‌ ଓ ଷ୍ଟାଡିୟମ୍‌ ବାହାରେ ସଜାଗ ରହିବେ। ଏଥିସହ ଅଗ୍ନିନିର୍ବାପକ ଉପରେ ମଧ୍ୟ ଗୁରୁତ୍ବ ଦିଆଯଇଛି। ସେହିଭଳି ମ୍ୟାଚ୍‌ ସମୟରେ ଓ ଖେଳାଳି ଯିବା ଆସିବା ରାସ୍ତାର ସଫେଇ ସହ ଷ୍ଟାଡିୟମ୍‌ର ସଫେଇ ଦାୟିତ୍ବ ସିଏମସି ଅଧିନରେ ରହିବ ବୋଲି କହିଛନ୍ତି ସିଏମସି କମିଶନର।

ମ୍ୟାଚ୍‌ ପାଇଁ ଓସିଏ ପକ୍ଷରୁ କରାଯାଇଥିବା ଆୟୋଜନ ନେଇ ଆରଡିସିଙ୍କୁ ସମସ୍ତ ତଥ୍ୟ ଦେଇଛି ଓସିଏ। ପୂର୍ବରୁ ମ୍ୟାଚ୍ ସମୟରେ ଷ୍ଟାଡିୟମ୍‌ ଭିତରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଦର ଅଧିକ ରହୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟାଡିୟମ୍‌ ଭିତରେ ରେଟ୍ ଚାଟ୍ ମରାଯିବ। ତା’ ଛଡ଼ା ଆସନ୍ତା ମ୍ୟାଚ୍‌ରେ ଅସୁରକ୍ଷିତ ଦୃଷ୍ଟିରୁ ୭ ନମ୍ବର ଗ୍ୟାଲେରୀକୁ ସମ୍ପର୍ଣ୍ଣ ବନ୍ଦ ରଖାଯିବ ଯାହା ଫଳରେ ପ୍ରାୟ ୩୨୦୦ ଦର୍ଶକ କମିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ।

୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ପାଇଁ ଆସନ୍ତା ୧୯ରେ ଉଭୟ ଦଳ ଭୁବନେଶ୍ବରରେ ପହଞ୍ଚିବା ପରେ ୨୦ ଓ ୨୧ରେ ବାରବାଟୀରେ ନେଟ୍ ପ୍ରାକ୍ଟିସ କରିବାର କାର୍ଯ୍ୟକ୍ରମ ରହିଛି। ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନିଥର ଦିନିକିଆ ମୁକାବିଲା ହୋଇଛି। ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା ୯ ନଭେମ୍ବର ୧୯୯୪ରେ। ଏହାପରେ ୨୦୦୭ ଓ ୨୦୧୧ରେ ମ୍ୟାଚ୍‌ ହୋଇଥିଲା। ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ ବାରବାଟୀରେ ଖେଳାଯାଉଥିବା ବେଳେ ଏଠାରେ ମ୍ୟାଚ୍‌ ଜିତି ଭାରତ ଆଗୁଆ ଶୃଙ୍ଖଳା ବିଜୟୀ ହୋଇଥିଲା। ଏଠାରେ ଖେଳିବା ପୂର୍ବରୁ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ରହିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ