ଛେଚୁଛି ପିଆଜ: ସରକାର ଅସହାୟ କାହିଁକି?

ଲୋକଙ୍କ ରୋଷେଇଶାଳରୁ ପିଆଜ ଗାଏବ୍‌

ଭୁବନେଶ୍ବର: ଲୋକଙ୍କ ଉପରେ ବିପତ୍ତି ପଡ଼ିଲେ ଆରମ୍ଭ ହୋଇଯାଏ ସରକାରଙ୍କ ବାହାନାବାଜି। ସବୁ କିଛି କରାଯାଉଛି ଓ ଆଗକୁ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ମୁହଁରୁ ବାହାରୁଥିବା ଏହି ସଂଳାପ ପୁରୁଣା ହେଲାଣି, ଲୋକଙ୍କ ଦେହସୁହା ହୋଇଗଲାଣି। ହେଲେ ଏହା ନିରର୍ଥକ। ଏବେ ଓଡ଼ିଶା ସମେତ ସାରା ଦେଶରେ ଲୋକଙ୍କୁ ଛେଚୁଛି ପିଆଜ। କିଲୋପ୍ରତି ଏହାର ଦର ୧୦୦ ଟଙ୍କା ଛୁଇଁଥିବା ବେଳେ ଏହା ଲୋକଙ୍କ ଅଣ୍ଟା ଭାଙ୍ଗିଦେଇଛି। ରୋଷେଇଶାଳରେ ଅତ୍ୟାବଶ୍ୟକୀୟ ପରିବାର ମାନ୍ୟତା ପାଇଥିବା ପିଆଜ ଦାଉରେ ଏବେ ଲୋକେ ଅତିଷ୍ଠ। ହେଲେ ସରକାର ଫସଲ ନଷ୍ଟ ଓ କମ୍‌ ଆମଦାନିର ଚିଠା ଦେଖାଇ ଚୁପ୍‌ ହୋଇ ବସିଯାଇଛନ୍ତି। ତେବେ ପୂର୍ବରୁ ପଦକ୍ଷେପ ନିଆଯାଉନି କାହିଁକି? କୋଟି କୋଟି ଟଙ୍କା ବ୍ୟୟରେ ଆଳୁ ଓ ପିଆଜ ମିଶନ ଗଠନ ସତ୍ତ୍ବେ ଯୋଜନା ଫେଲ୍‌ ମାରିଛି। ପିଆଜ ସଂରଣକ୍ଷ ପାଇଁ ଠୋକ୍‌ ପଦକ୍ଷେପ ନେଇ ପାରିଲେନି ସରକାର। ବର୍ଷ ପରେ ବର୍ଷ ସେଇ ଏକା ସମସ୍ୟା, ସେଇ ଏକା ଯୁକ୍ତି। କେବେ ସରକାରଙ୍କ ନିଦ ଭାଙ୍ଗିବ? ସରକାର ଏତେ ଅସହାୟ କାହିଁକି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି।

ଓଡ଼ିଆଙ୍କ କଂସାରେ ପିଆଜ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ତଥା ପ୍ରଧାନ ଦ୍ରବ୍ୟ। କିନ୍ତୁ ଏବେ ଗରିବଙ୍କ ପଖାଳ କଂସାରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଛନ୍ତି ମୁନାଫାଖୋର୍‌ ପିଆଜ ବେପାରୀ। ଚାଉଳ ଟଙ୍କାକରେ ମିଳୁଥିବା ବେଳେ ପିଆଜ ଦର ୧୦୦ ଛୁଇଁଛି। ପିଆଜ ହୋଇଛି ଅମୂଲ ମୂଲ। ପ୍ରଥମେ ପିଆଜକୁ ‌ନେଇ ଚାଷୀ ଲୁହ ଗଡ଼ାଉ ଥିବାବେଳେ ଏବେ ଗ୍ରାହକ କାନ୍ଦୁଛନ୍ତି। ଲୋକମାନେ ଅନ୍ୟ ପରିବା ଯାହା ଯେମିତି କିଣୁଛନ୍ତି, ମାତ୍ର ପିଆଜକୁ ଏବେ ଆଡ଼ ଆଖିରେ ବି ଚାହୁଁନାହାନ୍ତି। କାରଣ ପିଆଜ ଦର ଯେମିତି ବେଲଗାମ୍ ହୋଇ ଦୌଡ଼ୁଛି, ପିଆଜ କାଟିଲେ ନୁହେଁ ବରଂ କିଣିଲେ ଆଖିରୁ ଲୁହ ଝରୁଛି। ଆଶା କରାଯାଉଥିଲା, କାର୍ତ୍ତିକ ମାସ ପରେ ରେଟ୍ କମିଯିବ। ହେଲେ ସ୍ଥିତି ପୂରା ଓଲଟା ହୋଇଛି। ଗାଁ ଗହଳି କଥା ଛାଡ଼ନ୍ତୁ, ଖୋଦ୍‌ ରାଜଧାନୀ ଭୁବନେଶ୍ବରରେ ଏବେ ପିଆଜ କିଲୋ ଖୁଚୁରା ବଜାରରେ ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ଯାହା ଆଉ ସାଧାରଣ ଲୋକଙ୍କ କିଣିବା କ୍ଷମତା ବାହାରେ। ମାତ୍ର ୪ ଦିନରେ ପିଆଜ କିଲୋ ୪୦ ଟଙ୍କା ବୃଦ୍ଧି ପାଇଛି। ରାଜଧାନୀର ୧ ନମ୍ବର ହାଟ ହେଉ କି କଟକର ଛତ୍ରବଜାର ଅବା ବାଲେଶ୍ୱର ପରିବା ମାର୍କେଟ୍‌ରେ ପିଆଜ କିଲୋ ୧୦୦ ଟଙ୍କା ଟପିଛି। ତେବେ ରେକର୍ଡ ବଜାଇଲା ଭଳି ବ୍ୟବସାୟୀମାନେ କହୁଛନ୍ତି, ମହାରାଷ୍ଟ୍ରର ନାସିକ୍ ଓ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ୍‌ ଏବଂ ଗୁଡୁମ୍‌ରୁ ନୂଆ ପିଆଜ ଆସିଲେ ଯାଇ ରେଟ୍ କମିବ।

ପ୍ରତିବର୍ଷ ଦୁଇ ତିନି ଥର ଏଭଳି ସମାନ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଓଡ଼ିଶାବାସୀ। ପିଆଜ ଦର ନିୟନ୍ତ୍ରଣକୁ ଆଣିବା କିମ୍ବା କଳାବଜାରୀଙ୍କ ଉପରେ ରୋକ୍‌ ଲଗାଇବାରେ ବିଫଳ ହୋଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଯୋଗାଣ ବିଭାଗର ଢ଼ିଲାପଣ, ବଣ୍ଟନ ବ୍ୟବସ୍ଥାରେ ଅବ୍ୟବସ୍ଥା କାରଣରୁ ପିଆଜ ଦର ରାତାରାତି ରକେଟ୍‌ ଭଳି ଉପରକୁ ଉଠୁଛି। ସକାଳ ପାହିଲା ବେଳକୁ ବଜାରରେ ପିଆଜର ନୂଆ ଦର। ସରକାର ସୁଲଭ କେନ୍ଦ୍ର ଖୋଲି ପିଆଜ ବିକୁଥିବା କଥା କହି ବୁଲୁଛନ୍ତି। ହେଲେ ଖାଉଟି ବିଚରା ପିଆଜ କେନ୍ଦ୍ର ଖୋଜି ବୁଲୁଛି। ଯଦିବା କେମିତି ସେ ସରକାରଙ୍କ ଯୋଗାଣ କେନ୍ଦ୍ର ନିକଟରେ ପହଞ୍ଚି ଯାଉଛି, ଧଡ଼ିରେ ଠିଆ ହୋଇ ପାଳି ପଡ଼ିଲା ବେଳକୁ ପିଆଜ ଶେଷ। ବ୍ୟବସ୍ଥା ଏମିତି ହୋଇଛି ଯେ ପୂରା ବଜାର ଏବେ ମୁନାଫାଖୋର ବେପାରୀଙ୍କ କବ୍‌ଜାରେ। ଅନ୍ୟପଟେ ବେପାରୀଙ୍କ ସହ ସ୍ବର ମିଳାଇ ସରକାର କହୁଛନ୍ତି ଅମୁକ ସମସ୍ୟା ଅଛି, ସମୁକ ସମସ୍ୟା ଦେଖାଦେଇଛି। ତେଣୁ ଦର ବଢ଼ିଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ। ମାତ୍ର ସରକାରଙ୍କ ଏଭଳି ଉଦାସୀନତା ପାଇଁ ଦଣ୍ଡ ଭୋଗୁଛନ୍ତି ସାଧାରଣ ଖାଉଟି।

ଆଳୁ ଓ ପିଆଜ ମିଶନ୍‌ ଫେଲ୍‌
ଓଡ଼ିଶାରେ ଲୋକଙ୍କ ପାଇଁ ବର୍ଷକୁ ଯେତିକି ପିଆଜର ଆବଶ୍ୟକତା ଅଛି, ତା’ଠାରୁ ଅଧିକ ଉତ୍ପାଦନ ହେଉଛି ବୋଲି ସରକାର କହୁଥିବା ବେଳେ କ’ଣ ପାଇଁ ବାରମ୍ବାର ପିଆଜ ସଙ୍କଟ ଦେଖାଦେଉଛି, ତାହା ବୁଝାପଡ଼ୁନି। ଆମ ରୋଷେଇ ଘରେ ପିଆଜ ଏକ ଅତ୍ୟାବଶ୍ୟକ ସାମଗ୍ରୀ। ଓଡ଼ିଶାରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଥିଲେ ବି  କ’ଣ ପାଇଁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି? ସେଥିପ୍ରତି ଯଦି ସରକାର ଯତ୍ନବାନ ହୁଅନ୍ତେ, ତେବେ ଆମକୁ ବାରମ୍ବାର ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ। ଏ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଆଳୁ ଓ ପିଆଜ ମିଶନ ଆରମ୍ଭ କଲେ। କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ଏବେ ଆଳୁ ମିଶନ ଅଧାରେ ବନ୍ଦ ହୋଇଯାଇଛି। ପିଆଜ ମିଶନ ଦିଶାହୀନ ହୋଇଯାଇଛି। ରାଜ୍ୟରେ ଯେତିକି ଆଳୁ ଓ ପିଆଜ ଫଳିଲା, ତା’ର ସଂରକ୍ଷଣ ବ୍ୟବସ୍ଥା କରିପାରିଲେ ନାହିଁ। ଫଳରେ ତିରୋଟ ସମୟରେ ଏହି ସମସ୍ୟା ଉପୁଜିଲା। ଅଭାବ ପଡ଼ିଲେ ସରକାର ତତ୍ପର ହେଉଛନ୍ତି। ପୁଣି ଚୁପ୍‌ ବସିଯାଉଛନ୍ତି। ଏବେ ବଜାରରେ ଏବେ ଆଳୁ ଦର ୨୨ ଟଙ୍କା, ପିଆଜ ଦର ୧୦୦ ଟପିଛି। ଉଭୟ ମିଶନ ଦ୍ବାରା ଲୋକମାନେ କ’ଣ ଲାଭ ପାଉଛନ୍ତି, ତାହା କେବଳ ସରକାର ହିଁ କହିପାରିବେ। ବିଭିନ୍ନ କାରଣରୁ ଯେତେବେଳେ ଅନ୍ୟ ରାଜ୍ୟରୁ ପିଆଜ ଆସିବା ବନ୍ଦ ହୋଇଯାଉଛି, ସେତେବେଳେ ଓଡ଼ିଶାରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଉଛି। ରାଜ୍ୟରେ ପିଆଜ ଦର ଏବେ ଆକାଶଛୁଆଁ ହୋଇଛି। ପିଆଜ ବଜାରରେ ନିଆଁ ଲାଗିଛି। ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ଏହା ସତ୍ତ୍ୱେ ପିଆଜ ନିଅଣ୍ଟ ଦେଖାଦେଉଛି। ରାଜ୍ୟରେ ବେଲଗାମ୍ ହୋଇଛି ପିଆଜ ଦର। ସମସ୍ୟା ସମାଧାନ କରିବା ବଦଳରେ ରେଟ୍ ଉଚ୍ଚା ଦେଖି ହାତ ଟେକିଦେଇଛନ୍ତି ସରକାର। ଏହାକୁ ଏକ ଜାତୀୟ ସମସ୍ୟା କହି ଖସି ଯିବାକୁ ବସିଛନ୍ତି।

ଚାହିଦାଠୁ ଉତ୍ପାଦନ ଅଧିକ, ହେଲେ ଫଳ ଶୂନ
ଓଡ଼ିଶାରେ ଆବଶ୍ୟକତାରୁ ଅଧିକ ପିଆଜ ଉତ୍ପାଦନ ହେଉଥିଲେ ହେଁ ପ୍ରତିବର୍ଷ ଏଥିଯୋଗୁ ଲୋକେ କାନ୍ଦୁଛନ୍ତି। ସରକାରୀ ହିସାବରେ ବର୍ଷକୁ ଓଡ଼ିଶା ପାଇଁ ଆବଶ୍ୟକତା ହେଉଛି ୩. ୩୬ ଲକ୍ଷ ମେଟ୍ରିକ୍‌ ଟନ୍ ପିଆଜ। ଆଉ ଉତ୍ପାଦନ ହେଉଛି ୩. ୭୪ ଲକ୍ଷ ମେଟ୍ରିକ୍‌ ଟନ୍, ଯାହାକି ଆବଶ୍ୟକତା ଠାରୁ ଢେର୍‌ ଅଧିକ। ଉତ୍ପାଦନ ସମୟରେ ସଂରକ୍ଷଣ ପାଇଁ ୮ଟି ଜିଲ୍ଲାରେ ସରକାର ୪୭୨ଟି ଗୋଦାମ ଘର ନିର୍ମାଣ କରିଛନ୍ତି ବୋଲି କହୁଛନ୍ତି। ତେବେ ଅଭିଯୋଗ ହେଉଛି, ଏସବୁ ଗୋଦାମ ପିଆଜ ସଂରକ୍ଷଣ ପାଇଁ କାମ ଦେଉନି। ଅଧିକାଂଶ ଗୋଦାମ ଘର ଏବେ ଅବ୍ୟବହୃତ ହୋଇ ପଡ଼ିରହିଛି। ଏହି ଗୋଦାମ ଘର ତିଆରି ପାଇଁ ସରକାର ପଞ୍ଚାୟତକୁ ସବ୍‌ସିଡି ଦେଉଥିବା ବେଳେ ଏଥିରେ ବଡ଼ ଘୋଟାଲା ହୋଇଛି ବୋଲି ଅଭିଯୋଗ ହୋଇଛି। ଉତ୍ପାଦିତ ପିଆଜକୁ ସଂରକ୍ଷଣ କରାଯାଇ ପାରୁ ନ ଥିବାରୁ ଚାଷୀମାନେ ବାଧ୍ୟ ହୋଇ ୫ରୁ ୧୦ ଟଙ୍କା ଦରରେ ରାଜ୍ୟ ବାହାରର ବେପାରୀଙ୍କ ହାତରେ ଟେକି ଦେଉଛନ୍ତି ପିଆଜ। ପ୍ରକୃତ ଚାଷୀ ତ ଟଙ୍କାଟିଏ ଲାଭ ପାଉନି, କିନ୍ତୁ ମୁନାଫାଖୋର ବେପାରୀ ସୁଯୋଗକୁ ଉଣ୍ଡି ରହୁଛି। କେତେବେଳେ ଟିକିଏ ସମସ୍ୟା ଦେଖାଦେବ, ସଙ୍ଗେସଙ୍ଗେ ଦର କଷିବେ। ପିଆଜର ଏଭଳି ଅହେତୁକ ଦରବୃଦ୍ଧି ପାଇଁ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶର ପ୍ରତିକୂଳ ପାଣିପାଗକୁ ଦାୟୀ କରାଯାଉଛି। ଯେ ପର୍ଯ୍ୟନ୍ତ ନୂଆ ପିଆଜ ଅମଳ ନ ହୋଇଛି ଏ ଅବସ୍ଥା ଲାଗି ରହିବ ବୋଲି ମଧ୍ୟ ସରକାରଙ୍କ ପାଖରେ ଜଳଜଳ ଚିତ୍ର ରହିଛି। କଳାବଜାରୀ କିମ୍ବା ଅସାଧୁ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କିମ୍ବା ନଜର ରଖିବାର ନାଁ ଧରୁନି ଯୋଗାଣ ବିଭାଗ। ବିଭାଗୀୟ ମନ୍ତ୍ରୀ କେବଳ ଗଣମାଧ୍ୟମକୁ ବିବୃତି ଦେଇ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଉଛନ୍ତି।

ଭାରତରେ ହେକ୍ଟର ପ୍ରତି ହାରାହାରି ୧୬.୦୩ ମେଟ୍ରିକ୍‌ ଟନ୍ ପିଆଜ ଅମଳ କ୍ଷମତା ରହିଥିବା ବେଳେ ବିଶ୍ବର ଦ୍ଵିତୀୟ ବୃହତ୍‌ ପିଆଜ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଭାରତ ପରିଚିତି ହାସଲ କରିଛି। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ମାଟି ପିଆଜ ଉତ୍ପାଦନ ପାଇଁ ଉପଯୁକ୍ତ। ତେବେ କଳାହାଣ୍ଡି ଜିଲ୍ଲାକୁ ବାଦ ଦେଲେ ଅନୁଗୁଳ, ଦେବଗଡ଼, ବଲାଙ୍ଗିର, ନୂଆପଡ଼ା, ବରଗଡ ଓ ସମ୍ବଲପୁର ପରି ଜିଲ୍ଲାରେ ବହୁଳ ମାତ୍ରାରେ ପିଆଜ ଚାଷ କରାଯାଇଥାଏ। ଏତଦ୍‌ବ୍ୟତୀତ ନୟାଗଡ଼ ଓ ଗଞ୍ଜାମ ପ୍ରଭୃତି ଜିଲ୍ଲାମାନଙ୍କରେ ଦେଶି ପିଆଜ ଚାଷ କରାଯାଇଥାଏ। ଏଣୁ ଏଠାର ଚାଷୀମାନେ କେତେକ ସତର୍କତା ଅବଲମ୍ବନ କରି ଉନ୍ନତ ପ୍ରଣାଳୀରେ ପିଆଜ ଚାଷ କଲେ ଉତ୍ପାଦନ ବଢ଼ିପାରିବ। ଭାରତରେ ଚାଷ କରାଯାଉଥିବା ପିଆଜ ମଧ୍ୟରୁ ହାରାହାରି ୬୦ ପ୍ରତିଶତ ରବି ଋତୁରେ ଚାଷ କରାଯାଉଥିବା ସମୟରେ ୨୦ ପ୍ରତିଶତ ଖରିଫ ବା ବର୍ଷା ଋତୁରେ ଓ ଅବଶିଷ୍ଟ ୨୦ ପ୍ରତିଶତ ବିଳମ୍ବିତ ବର୍ଷା ଋତୁରେ କରାଯାଇଥାଏ। ଯାହା ଦ୍ବାରା ବଜାରରେ ପିଆଜର ଉପଲବ୍ଧି ସବୁ ସମୟରେ ସମ ପରିମାଣରେ ହୋଇ ନ ଥାଏ।

ବାହାଘର ବେଳେ ବାଇଗଣ ରୁଆ
ସାରା ଦେଶରେ ପିଆଜ ଯୋଗାଣ ସ୍ଥିତି ଦେଖିଲେ ଏହି ଦର ପ୍ରାୟତଃ ଡିସେମ୍ବର ମାସ ଯାଏ ରହିବ ବୋଲି ଅନୁମାନ କରାଯାଉଛି। ଭାରତରେ ସର୍ବାଧିକ ପିଆଜ ମହାରାଷ୍ଟ୍ର, ଗୁଜରାଟ ଅଞ୍ଚଳରେ ହୋଇଥାଏ। ଏହି ପିଆଜ ସାଧାରଣତଃ ଜାନୁଆରୀ ମାସରୁ ବଜାରକୁ ଆସିଥାଏ ଓ ବାକି ସମୟରେ ଏହା ଶୀତଳ ଭଣ୍ଡାରରୁ ଓ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସିଥାଏ। ଚଳିତ ବର୍ଷ ସେଠାରେ ଅସମୟରେ ବର୍ଷା ହେବାରୁ ପିଆଜ ଫସଲ କମ ହେବା ଆଶଙ୍କା କରାଯାଉଛି। ଅସଲ ଅମଳ ସମୟ ଆହୁରି ମାସେ ରହିଥିବାରୁ ସେ ସମୟ ଯାଏ ପିଆଜ ଦର ଉଚ୍ଚ ରହିବ ବୋଲି ଆକଳନ କରାଯାଉଛି। ସେହିପରି ଓଡ଼ିଶାରେ ନାସିକରୁ ପିଆଜ ଜାନୁଆରୀରେ ଆସି ପହଞ୍ଚିଥାଏ ଏବଂ ଏହା ପୂର୍ବରୁ , ଆଶ୍ବିନ ଓ କାର୍ତ୍ତିକ ମାସ ସାରା ଆନ୍ଧ୍ରରୁ ଆମଦାନି ହେଉଥିବା ପିଆଜ ଯୋଗାଣ ହୋଇଥାଏ। ତେବେ ମହାରାଷ୍ଟ୍ରରେ ପିଆଜ ଦର ବୃଦ୍ଧି ଦେଖି ଆନ୍ଧ୍ର ପ୍ରଦେଶ ବେପାରୀ ମାନେ ଦର କମାଉ ନାହାନ୍ତି। ସେହିପରି ଓଡ଼ିଶାରେ ଚାଷ ହେଉଥିବା ଦେଶୀ ପିଆଜ ଅମଳ ପାଇଁ ସମୟ ଆହୁରି ପ୍ରାୟ ମାସେ ରହିଥିବାରୁ ଦର ଉଚ୍ଚା ରହିବ ବୋଲି ଅନୁମାନ କରାଯାଉଛି। ଦେଶର ବିଭିନ୍ନ ସହରରେ ପିଆଜ ଦର ୧୦୦ ଟପିଲାଣି। ଏହାର ଭରଣା ପାଇଁ ବିଦେଶରୁ ପିଆଜ ଆମଦାନି କରାଯିବ। ସେଥିପାଇଁ ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଓ ଇରାନ୍‌ରେ ଥିବା ଭାରତୀୟ ମିଶନକୁ ନିର୍ଦେଶ ଦିଆଯାଇଛି। ଏହି ନିର୍ଦେଶ ଅନୁସାରେ ବିଦେଶରୁ ପ୍ରାୟ ଏକ ଲକ୍ଷ ମେଟ୍ରିକ୍‌ ଟନ୍‌ ପିଆଜ ଆଣି ବିକ୍ରି କରିବ। ତେବେ ଏହା ବିଦେଶରୁ ଆସି ସାରା ଦେଶରେ ପହଞ୍ଚିବା ପାଇଁ କେନ୍ଦ୍ର ସରକାର ଡିସେମ୍ବର ୧୫ ଯାଏ ସମୟ ଦେଇଛନ୍ତି। ଏଣୁ ଏହି ସମୟରେ ଦେଶରେ ପିଆଜ ଦର ଉଚ୍ଚା ରହିବ। ଏହା ପୂର୍ବରୁ ୪୦୦୦ ଟନ୍‌ ପିଆଜ ଆମଦାନି କରିବାକୁ ସରକାର ବିଶ୍ବ ସ୍ତରୀୟ ଟେଣ୍ଡର କରିସାରିଛନ୍ତି। ‌ତେବେ ଠିକଣା ବେଳକୁ ସବୁ ଯୋଜନା ଫେଲ୍‌। ଅର୍ଥାତ୍‌ ଯେତେବେଳେ ପିଆଜ ଦର ଶହେ ଛୁଇଁବାକୁ ବସିଛି, ସେ​‌ତେବେଳେ ସରକାରଙ୍କ ଏହି ସବୁ ଯୋଜନା କୁଆଡ଼େ ଗଲା ବୋଲି ସର୍ବସାଧାରଣରେ ଆଲୋଚନା ହେଉଛି। ପ୍ରତ୍ୟେକ ବର୍ଷ ପିଆଜ ଦର ଉଚ୍ଚା​‌ ରହୁଥିବା ଯୋଗୁ କେନ୍ଦ୍ର ସରକାର ଚଳିତବର୍ଷର ଢେର ପୂର୍ବରୁ ଏ ନେଇ ସତର୍କତା ପଦକ୍ଷେପ ଗ୍ରହଣ କରିପାରିଥାନ୍ତେ। ଅନ୍ୟପକ୍ଷରେ ସରକାର ପିଆଜ ରପ୍ତାନୀକାରୀଙ୍କୁ ଖୁସି କରିବାକୁ ରପ୍ତାନୀ ଅନୁମତିକୁ ବହୁ ଆଗରୁ ମଧ୍ୟ ବନ୍ଦ କରିପାରିଥାନ୍ତେ। ହୁଏତ କେନ୍ଦ୍ର ସରକାରଙ୍କୁ ଖାଉଟିଙ୍କ ସ୍ବାର୍ଥ ଅପେକ୍ଷା ରପ୍ତାନୀକାରୀଙ୍କ ସ୍ବାର୍ଥ ଅଧିକ ଗୁରୁତ୍ବ ଥିବା​‌ ହୃଦ୍‌ବୋଧ ହୋଇଛି। ଅନୁରୂପ ଭାବେ ରାଜ୍ୟ ସରକାର ବି ଏନେଇ ଯତ୍ନବାନ ହେଉ ନାହାନ୍ତି। ପିଆଜ ସଙ୍କଟ ଆସିଲେ ସଂରକ୍ଷଣ କଥା ମନେ ପଡ଼ୁଛି। ଏହା ବାହାଘର ବେଳେ ବାଇଗଣ ରୁନା ନୁହେଁତ ଆଉ କ’ଣ।

ବାଙ୍ଗଲାଦେଶ ଅବସ୍ଥା ବି ସାଂଘାତିକ
ଖାଲି ଭାରତକୁ ନୁହେଁ ବାଙ୍ଗଲାଦେଶକୁ ମଧ୍ୟ ପୀଡ଼ାରେ ପକାଇଛି ପିଆଜ। ବାଙ୍ଗଲାଦେଶରେ ପିଆଜ ଦର ଆକାଶଛୁଆଁ ହୋଇଛି। ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଏବେ ପ୍ରତି କିଲୋ ୨୬୦ ଟଙ୍କାରେ ପହଞ୍ଚିଛି। ସ୍ଥିତି ଏପରି ହୋଇଛି ଯେ ବାଙ୍ଗଲାଦେଶ ସରକାରଙ୍କୁ ବିମାନ ଜରିଆରେ ପିଆଜ ଆମଦାନି କରିବାକୁ ପଡ଼ୁଛି। ପିଆଜ ଦର ବୃଦ୍ଧି ହେବା ପରେ ଲୋକେ ପିଆଜ ବ୍ୟବହାର କମ୍ କରି ଦେଇଥିବା ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ କହିଛନ୍ତି। ବାଙ୍ଗଲାଦେଶରେ ପିଆଜ ଦର ଆକାଶଛୁଆଁ ହେବା ପଛର ମୁଖ୍ୟ କାରଣ ପାଲଟିଛି ଭାରତ। କାରଣ ଦେଶରେ ପିଆଜ ଦର ବୃଦ୍ଧି ହେବା ପରେ ସେପ୍ଟେମ୍ବର ମାସ ଠାରୁ ଏହାର ରପ୍ତାନୀ ବନ୍ଦ କରିଦେଇଛି ଭାରତ। ମୌସୁମୀ ବର୍ଷା ହେବା ଦ୍ୱାରା ଭାରତରେ ପିଆଜ ଫସଲ ପୂରାପୂରି ନଷ୍ଟ ହୋଇଯାଇଛି। ଯାହା ଫଳରେ ପିଆଜ ବ୍ୟାପାରରେ ମାନ୍ଦାବସ୍ଥା ଦେଖାଦେଇଛି। ସେଠାରେ ଲୋକଙ୍କୁ ଶାନ୍ତ କରିବା ପାଇଁ ସରକାରୀ ସଂସ୍ଥା ଟ୍ରଣ୍ଡିଙ୍ଗ୍‌ କର୍ପୋରେସନ ଅଫ୍ ବାଙ୍ଗଲାଦେଶ(ଟିସିବି) ଢାକାଠାରେ ପିଆଜ କିଲୋ ପ୍ରତି ୪୫ ଟଙ୍କାରେ ଯୋଗାଇ ଦିଆଯାଉଛି। ସବ୍‌ସିଡି ଦରରେ ପିଆଜ କିଣିବା ପାଇଁ ଲୋକଙ୍କୁ  କେତେ ଘଣ୍ଟା ଧାଡ଼ିରେ ରହିବାକୁ ପଡ଼ୁଛି। କିନ୍ତୁ ବାଙ୍ଗଲାଦେଶ ତୁଳନାରେ ଭାରତରେ ପିଆଜ ଦର କମ୍ ରହିଛି।

ଅଣ୍ଟା ଭାଙ୍ଗୁଛି ପନିପରିବା ଭାଉ
ଆଳୁଠୁ ଅଣ୍ଡା, ପିଆଜଠୁ ପରିବା ସବୁକିଛି ଅନ୍ୟ ରାଜ୍ୟ ଭରଷାରେ। ମହାରାଷ୍ଟ୍ରର ପିଆଜ, ଆନ୍ଧ୍ରର ମାଛ, ପଶ୍ଚିମବଙ୍ଗର ଆଳୁ ଓଡ଼ିଶାବାସୀଙ୍କ ରୋଷେଇଶାଳ ମେରୁଦଣ୍ଡ ପାଲଟିଛି। ଏବେ ସମସ୍ତ ପରିବା ଦର ଆକାଶଛୁଆଁ ହୋଇଛି। ଏହା ସାଧାରଣ ପରିବାର ଲୋକଙ୍କ ବଜେଟ୍‌କୁ ଗଭୀର ଭାବେ ପ୍ରଭାବିତ କରିଛି। ରୋଷେଇଶାଳକୁ ଠିକ୍‌ ଭାବେ ସଞ୍ଚାଳନ କରିବା ପାଇଁ ଅନ୍ୟପଟେ ଖର୍ଚ୍ଚକାଟ କରିବାକୁ ପଡ଼ୁଛି। ଓଡ଼ିଶା ବଜାରରେ ଏମିତି ବୋଧେ କୌଣସି ପରିବା ନାହିଁ, ଯାହାର ଦର ୪୦ ଟଙ୍କାରୁ କମ୍‌ ରହିଛି। ପରିବା ଭିତରେ ଅତି ସାଧାରଣ କୁହାଯାଉଥିବା ବାଇଗଣ, ସାରୁ ଓ କଖାରୁ ଦର ଯଥାକ୍ରମେ ୭୦, ୬୦ ଓ ୪୦ ଟଙ୍କା ରହିଛି। ସେହିପରି ବିନ୍ସ ଓ ଝୁଡ଼ଙ୍ଗ କିଲୋ ୮୦ ରୁ ୧୦୦ ଟଙ୍କା ଥିବା ବେଳେ  କାକୁଡ଼ି କିଲୋ ୬୦ ରହିଛି। ମାଟି ଆଳୁ ୧୨୦, ମୂଳା ବିଡ଼ା ୧୫ ଟଙ୍କା, ଫୁଲ କୋବି ଗୋଟା ୫୦ ଟଙ୍କା ରହିଛି। ଜହ୍ନି, ଭେଣ୍ଡି ବି ୭୦ ପାର୍‌ କରିଛି। କୋଶଳା ଶାଗ ବିଡ଼ା ୧୦ରୁ ୧୫ ଟଙ୍କା। କଞ୍ଚା କଦଳୀ ଗୋଟା ୧୦ ଟଙ୍କା ରହିଛି। ସେହିପରି ଗାଜର, ବିଟ୍‌ ଓ କ୍ୟାପ୍ସିକମ୍‌ କଥା ନ କହିବା ଭଲ। ସ୍ଥିତି ଏପରି ହୋଇଛି ଯେ ବ୍ୟବସାୟୀମାନେ ମଧ୍ୟ ଏକେ କିଲୋପ୍ରତି ଦର ନ ଡ଼ାକି ଅଢ଼େଇସ ଓ ଅଧ କିଲୋ ଦର ଡାକୁଛନ୍ତି। ସେହିପରି  ଆମିଷ ବଜାର ଅବସ୍ଥା ମଧ୍ୟ ଅନୁରୂପ। ଡାଲି ଜାତୀୟ ଶସ୍ୟ କଥା ଏଠାରେ ଚର୍ଚ୍ଚା ନ କରିବା ଭଲ। କାରଣ କୌଣସି ବି ଡାଲି ନାହିଁ, ଯାହା ୧୦୦ ଟଙ୍କା ତଳକୁ ରହିଛି। ଦୁଇ ମାସ ତଳେ ଯେଉଁ ହରଡ଼ ଡାଲି ୭୫ ଟଙ୍କାରେ ମିଳୁଥିଲା ତାହା ଏବେ ୧୧୦ ଟଙ୍କାରେ ପହଞ୍ଚିଛି।

ଏପରିସ୍ଥଳେ ସାଧାରଣ ଜନତା ପନିପରିବା ଓ ଡାଲି ଦର ବୃଦ୍ଧିରେ ଛଟପଟ ହେଉଛନ୍ତି। ଅଥଚ ସାଧ୍ୟମତେ ସବୁ ପ୍ରୟାସ କରାଯାଉଛି ବୋଲି ସରକାର ସୁଖିଲା ଡିଣ୍ଡିମ ପିଟୁଛନ୍ତି। ବର୍ଷ ପରେ ବର୍ଷ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲେ ବି ପୂର୍ବରୁ କାହିଁକି ଏ ନେଇ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରାଯାଉନି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋକଙ୍କ ଦୁଃଖ ସମୟରେ ଯଦି ସରକାର କିଛି କରି ନ ପାରି ହାତ ବାନ୍ଧି ବସୁଛି ତେବେ ଶାସନ ଗାଦିରେ ବସିବାର କୌଣସି ଅଧିକାର ନାହିଁ। ଖାଲି ବାହାନା ନେଲେ କି ଲାଭ?

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ