କାରୁକାର୍ଯ୍ୟକୁ କୋଣଠେସା: କଟକ ବଦଳରେ ଏବେ ତାରକସିର ନୂଆ ହବ୍‌ କୋଲକାତା!

ଚମକ ହରାଉଛି ସିଲଭର ସିଟି, ତଥାପି ସରକାର ନିରବଦ୍ରଷ୍ଟା

ଉତ୍କଳ ବା ଓଡ଼ିଶା ଉତ୍କୃଷ୍ଟ କଳାର ଦେଶ ଭାବେ ସର୍ବତ୍ର ଖ୍ୟାତିଲାଭ କରିଛି। ହସ୍ତକଳା ହେଉ କି କାରୁକାର୍ଯ୍ୟ, ଭାସ୍କର୍ଯ୍ୟ ହେଉ କି କାରିଗରୀ ସବୁ କ୍ଷେତ୍ରରେ ଓଡ଼ିଶା ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛି। କିନ୍ତୁ ପରିତାପର ବିଷୟ ହେଉଛି ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ସାଜିଥିବା ଏହି କଳା ଓ କାରୁକାର୍ଯ୍ୟକୁ ଏବେ କୋଣଠେସା କରାଯାଉଛି। ଯେଉଁଥିପାଇଁ ଦିନେ ଏହି ମାଟି ଅନ୍ୟମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ତାହା ଉପରୁ ଏବେ ନଜର ହଟିବାରେ ଲାଗିଛି। ଏହିକ୍ରମରେ ବିଶ୍ବ ପ୍ରସିଦ୍ଧ କଟକର ତରାକସିକୁ ବିଚାରକୁ ନିଆଯାଇପାରେ। ଏହି ବିରଳ କଳା ଓ କାରୁକାର୍ଯ୍ୟର କଷ୍ଟସାଧ୍ୟ କାରିଗରୀ ଶିଖିବାକୁ ଏକଦା ଶିଳ୍ପୀ ସିଲଭର ସିଟି ମୁହାଁ ହେଉଥିବାବେଳେ ଏବେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ରାଜଧାନୀରେ ତାରକସି ପାଇଁ ପ୍ରକୃଷ୍ଟ ବଜାର ସୃଷ୍ଟି ହୋଇପାରିଥିବା କୁହାଯାଉଛି। କଟକ ବଦଳରେ ଏବେ କୋଲକାତା ପାଲଟିଛି ତାରକସିର ନୂଆ ହବ୍‌। କଟକରେ ରହୁଥିବା ଏହାର ପୁରୁଖା ଓ ନିପୁଣ ଶିଳ୍ପୀମାନେ କାମ ଅଭାବରୁ ସଙ୍କଟରେ ପଡ଼ିଛନ୍ତି। ଏପରିସ୍ଥଳେ ଯୁବପିଢ଼ି ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୋଲକାତା ମୁହାଁ ହେଲେଣି। ତେବେ ଏହା ଆମ ପାଇଁ ଲଜ୍ଜାଜନକ ଘଟଣା ନୁହେଁ କି? ପାଖାପାଖି ୫୦୦ ବର୍ଷର ଏହି କଳା ଓ କାରୁକାର୍ଯ୍ୟ ପାଇଁ କାହିଁକି ପ୍ରକୃଷ୍ଟ ବଜାରଟିଏ ସୃଷ୍ଟି କରାଯାଇ ପାରିଲା ନାହିଁ? ରସଗୋଲା ପାଇଁ ଏତେ ବାକ୍‌ବିତଣ୍ଡା ହୋଇଥିବା ବେଳେ ତାରକସିକୁ କାହିଁକି ପାଶୋରି ଦିଆଗଲା? ଏଥିପାଇଁ ସରକାର ଉଥ୍ତରଦାୟୀ ନୁହେଁ କି? ଆଜି ବି ଏସବୁ ପ୍ରଶ୍ନ ଅସମାହିତ ହୋଇରହିଛି। ଆଉ ଏହାର ଫାଇଦା ଅନ୍ୟ ରାଜ୍ୟକୁ ମିଳୁଛି। ଆମେ ହାତ ଉପରେ ହାତ ଧରି ବସି ରହିବା ସାର ହେଉଛି।

ହଜାର ହଜାର ବର୍ଷର ସହର କଟକ। ଐତିହ୍ୟ ଓ ପରମ୍ପରା ଭିତରେ ବଞ୍ଚିଛି ଏଠାକାର ଲୋକଙ୍କ ମାନ ଆଉ ସ୍ବାଭିମାନ। ଏହା କେବଳ ଗୋଟିଏ ସହରର ନାଁ ନୁହେଁ, ବରଂ ଭାରତ ଭୂଖଣ୍ଡରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟକୁ ବହନ କରୁଥିବା ଏକ କଳାର ମାଟି। ବିଶ୍ୱ ମାନଚିତ୍ରରେ ଉତ୍କୃଷ୍ଟ ତାରକସି କାର୍ଯ୍ୟ ପାଇଁ ଏହି ମାଟିର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ତାରକସି କଳା ଏବେ ଲୁପ୍ତପ୍ରାୟ। ଏବେ ଏହି କଳାକୁ କଳାବାଦଲ ଗ୍ରାସିଛି। ତାରକସି କଳାକୁ ଆଦରି ଜୀବିକାକୁ ଆଗେଇ ନେଉଥିବା କଳାକାରଙ୍କ ଅବସ୍ଥା ଦୁର୍ଦ୍ଦିନରେ ବିତୁଛି। କହିବାକୁ ଗଲେ ବୁଡ଼ିବାକୁ ବସିଲାଣି ତାରକସି ଶିଳ୍ପ। ଏବେ ସହରରେ ହାତଗଣତି କାଁଭାଁ କାରିଗର। ୨୦ବର୍ଷ ପୂର୍ବେ କଟକର ଯେଉଁ ଗଳିରେ ୧୦୦ରୁ ୨୦୦ ତାରକସି କାରିଗର ଥିଲେ, ଏବେ ସେଠାରେ ୨ରୁ ୩ଜଣ ଲୋକ ଚାନ୍ଦିକୁ ଚମକାଉଛନ୍ତି। କୌଣସି ବିଶେଷ ସୁବିଧା ସୁଯୋଗ ନ ଥିବାରୁ ପରପିଢ଼ି ମଧ୍ୟ ଏହି କଳାରୁ ମୁହଁ ଫେରାଇଲେଣି। ଏହା ନିଶ୍ଚିତ ଯେ ତାରକସି କାର୍ଯ୍ୟରେ କୌଣସି ଯୁବପିଢ଼ି ନାହାନ୍ତି। ଏଣୁ ଆଉ ଗୋଟିଏ ପିଢ଼ି ଅତିକ୍ରମ ପରେ କଟକରେ ତାରକସି କାର୍ଯ୍ୟ ପ୍ରାୟ ବନ୍ଦ ହୋଇଯିବାର ସମ୍ଭାବନା ଦେଖାଦେଇଛି। ସୁନ୍ଦର ତାରକସି କାମ ପାଇଁ ଦିନେ ଏହି ସହର ପ୍ରସିଦ୍ଧି ଅର୍ଜନ କରିଥିଲା। ଦେଶ ତଥା ଦେଶ ବାହାରୁ ବହୁ ବ୍ୟବସାୟୀ ତଥା ବ୍ୟବହାରକାରୀ କଟକ ତାରକସି କାମକୁ ଖୋଜୁଥିଲେ। କିନ୍ତୁ ସମ୍ଭାବନା ସତ୍ତ୍ବେ ଏ ଶିଳ୍ପ ଏବେ ରୁଗ୍‌ଣ। ହାତଗଣତି ଶିଳ୍ପୀ ଦୁର୍ଗାପୂଜାର ଚାନ୍ଦିମେଢ଼କୁ ବର୍ଷ ସାରା ଅପେକ୍ଷା କରି ବସୁଥିବା ବେଳେ ନୂଆ ପିଢିଙ୍କ ଏ କଳା ପ୍ରତି ଆଗ୍ରହ ନାହିଁ।

କଟକର ସ୍ଥାନ ନେଲାଣି କୋଲକାତା
ଚାନ୍ଦିରୁ ତାର ପ୍ରସ୍ତୁତ କରି ଏଥିରେ ବିଭିନ୍ନ ରୂପ ଦିଆଯାଏ। ଏଭଳି ନିଆରା ଆଉ ସ୍ବତନ୍ତ୍ର କାର୍ଯ୍ୟର ନାଁ ତାରକସି। ଏକଦା କଟକର ତାରକସି କାରିଗରମାନେ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଥିଲେ। ମାନସିଂପାଟଣା, ମହମ୍ମଦିଆ ବଜାର ଓ ଡଗରପଡ଼ା ସାହିରେ ହିଁ ଅଧିକ ମାତ୍ରାରେ ତାରକସି କାରିଗରଙ୍କ ଘର। ବିଦେଶର ବିଭିନ୍ନ ସ୍ଥାନରେ ଏହି କାରିଗରଙ୍କ କଳାକୃତି ସ୍ଥାନ ପାଇଛି। କିଛି ବର୍ଷ ପୂର୍ବେ କୋଲକାତାର କିଛି କାରିଗର କଟକ ଆସି ତାରକସି କାର୍ଯ୍ୟ ଶିକ୍ଷା କରୁଥିଲେ। ଶିଖୁଥିବା କାରିଗରମାନେ ଏବେ କୋଲକାତାରେ ତାରକସି କାର୍ଯ୍ୟ କରୁଛନ୍ତି। ଏହିକ୍ରମରେ ଏବେ କଟକର ସ୍ଥାନ ନେଲାଣି କୋଲକାତା। ସଦ୍ୟପ୍ରାପ୍ତ ସୂଚନା ଅନୁଯାୟୀ, ଏଠାରୁ ଅଧିକ ମାତ୍ରାରେ ତାରକସି କାର୍ଯ୍ୟ କୋଲକାତାରେ ହେଉଥିବା ଜଣାପଡ଼ିଛି। କୋଲକାତାର ଶିଳ୍ପୀମାନେ କଟକରୁ ଯେଉଁ କାମ ଶିଖିଲେ, ତାକୁ ନେଇ ସେମାନେ ସେଠାରେ ଭଲରେ ଜୀବିକା ନିର୍ବାହ କରିପାରୁଥିବା ବେଳେ କଟକରେ ଏହାର ରଙ୍ଗ ଫିକା ପଡିଯାଇଛି। କଟକରେ ତାରକସି ଶିଳ୍ପର ଇତିହାସ ୫୦୦ ବର୍ଷର ପୁରୁଣା। ୧୮୯୭ ମସିହାରେ ମଧୁସୂଦନ ଦାସ ଓଡିଶା ଆର୍ଟ ୱାର୍କ୍ସ ନାମରେ ଏହାର ପ୍ରସାର କରାଇଥିଲେ।୧୯୫୬ ମସିହାରୁ କଟକ ଦୁର୍ଗାପୂଜା ମେଢ଼ରେ ତାରକସି ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ଚୌଧୁରୀ ବଜାର ପ୍ରଥମେ ଆରମ୍ଭ କରିଥିଲା ୨୫୦ କେଜି ଓଜନର ଚାନ୍ଦି ମେଢ଼। ପରେ ଶେଖ ବଜାରରେ ୩୦୦ କେଜି ଓଜନର ମେଢ଼ ତିଆରି ହେଲା। ଏବେ ସହରର ଚାନ୍ଦିନୀଚୌକ, ଅଲିଶା ବଜାର, ଚାଉଳିଆଗଞ୍ଜ, ବାଦାମବାଡ଼ି, କାଜି ବଜାର, ବାଲୁବଜାର, ତୁଳସୀପୁର ଆଦି ୨୪ଟି ପୂଜା କମିଟିରେ ଚାନ୍ଦି ମେଢ଼ ହେଉଥିଲେ ହେଁ ଶିଳ୍ପୀମାନଙ୍କ ପେଟ ପୂରୁନାହିଁ। କୋଲକାତା ବଜାରରେ ଚାନ୍ଦିମେଢ଼ କଟକ ପରି ବହୁଳ ଭାବେ ହେଉ ନ ଥିଲେ ହେଁ ସେମାନେ ସେଠାରେ ଏହାର ଏକ ଭଲ ବଜାର ପାଉଥିବା କହନ୍ତି ଶିଳ୍ପୀ ପ୍ରଫୁଲ୍ଲ ପୃଷ୍ଟି।

ହଜିଗଲା ‘ତାରକସି ହବ୍‌’
କଟକ ଖପୁରିଆ ଶିଳ୍ପାଞ୍ଚଳ ଭିତରେ କଳିଙ୍ଗ ଫିଲିଗ୍ରୀ ନାମରେ ଏକ ସଂସ୍ଥା ଥିଲା। ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱରେ ଥିଲେ। ଏଠାରେ ପ୍ରସ୍ତୁତ ତାରକସି ସାମଗ୍ରୀ ବିଦେଶରେ ବିକ୍ରି କରାଯିବା ସହ ମୋଟା ଅଙ୍କର ଅର୍ଥ ରୋଜଗାର ହେଉଥିଲା। ଫଳସ୍ବରୂପ କାରିଗରମାନେ ଲାଭବାନ ହେଉଥିଲେ। ମାତ୍ର ଅନେକ ବର୍ଷ ହେବ କଳିଙ୍ଗ ଫିଲିଗ୍ରୀ ବନ୍ଦ ହୋଇପଡ଼ିଛି। ଏହାକୁ ତାରକସି ହବ୍‌ରେ ପରିଣତ କରାଯିବ ବୋଲି ବିଭିନ୍ନ ନେତା, ମନ୍ତ୍ରୀ କଟକର ସଭାସ୍ଥଳରେ ଘୋଷଣା କରିଥିଲେ। ଶୁଣିବାକୁ ମିଳିଥିଲା ଯେ, ବାରବାଟୀ ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଏହି ହବ୍‌ ନିର୍ମାଣ ହେବ। ପରେ ତୁଲସୀପୁର ଠାରେ ତାରକସି ହବ୍‌ ହେବ ବୋଲି କୁହାଯାଉଥିଲା। ଏବେ ହାଡ଼ିଆପଠା ନିକଟରେ କରାଯିବ ବୋଲି ଶୁଣିବାକୁ ମିଳୁଛି। ହେଲେ ଏହି ହବ୍‌ କେବେ ହେବ ତାହାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ। ପୁଣି ଏହାକୁ ଜିଆଇ ଟ୍ୟାଗ୍‌ର ମାନ୍ୟତା ପାଇଁ ବହୁଦିନରୁ ଦାବି ହୋଇ ଆସୁଛି। କିନ୍ତୁ ଏଯାବତ୍‌ ଏ ଦିଗରେ ବିଧିବଦ୍ଧ ଭାବେ କୌଣସି ଦାବି କରାଯାଇନାହିଁ।

୫୦୦ ବର୍ଷର ପରମ୍ପରା
କଟକର ତାରକସି କାମ ମୋଗଲ ସମୟର। ବର୍ଷ ବର୍ଷ ଧରି ଶିଳ୍ପୀମାନେ ଏହାକୁ ବଞ୍ଚାଇ ରଖିବା ଦିଗରେ ପ୍ରୟାସ ଜାରିରଖିଛନ୍ତି। ଏହି କାମରେ କଠିନ ପରିଶ୍ରମ ଦରକାର ପଡେ। ଏବେ ରୁପା କେଜି ୪୦୦୦୦ ଟଙ୍କାରୁ ଅଧିକ। କେଜିଏ ରୁପାର କାମ ପାଇଁ ଶିଳ୍ପୀ ୭୦୦୦ ପାରିଶ୍ରମିକ ନିଏ। ଜଣେ ଅଭିଞ ଶିଳ୍ପୀ ମାସକୁ ୨ କେଜି ରୁପାର କାମ କରିପାରେ। ଏହିପାଇଁ ସେ ୧୪୦୦୦ ଟଙ୍କା ପାରିଶ୍ରମିକ ପାଇଥାନ୍ତି। ସହର ବଢୁଛି, ଚଳଣିରେ ଆସିଛି ପରିବର୍ତ୍ତନ। ଶିଳ୍ପୀ ମଧ୍ୟ ଭଲ ଜୀବିକା ପାଇଁ ଅଧିକ ରୋଜଗାର ଆଶା ରଖୁଛି। କିନ୍ତୁ ଆଶା ପୂର୍ଣ୍ଣ ହୋଇପାରୁ ନ ଥିବାରୁ ନୂଆ ପିଢ଼ି ଅନ୍ୟ ଜୀବିକା ପଛରେ ଦୌଡୁଥିବା ଦେଖାଯାଉଛି। ତାରକସି ପାଇଁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ବଜାରରେ ମିଳୁନାହିଁ। ନିଖୁଣ ତାରକସି କାର୍ଯ୍ୟରେ ଚାନ୍ଦିର ତାରଗୁଡ଼ିକୁ ଯୋଡ଼ିବା ପାଇଁ କାଇଁଚ ଅଠା ବ୍ୟବହାର ହୁଏ। କାଇଁଚକୁ ପଥରରେ ଘସି ଏଥିରୁ ବାହାରୁଥିବା ତରଳ ପଦାର୍ଥ(ଅଠା)କୁ ଚାନ୍ଦି ଯୋଡ଼ିବାରେ ବ୍ୟବହାର କରାଯାଏ। ଏଭଳି କାର୍ଯ୍ୟ କେଉଁଠାରେ ହେଉ ନ ଥିବ ବୋଲି କାରିଗରମାନେ କୁହନ୍ତି। ଏହି ଅଠା ଅନ୍ୟ ସମସ୍ତ ଅଠା ଠାରୁ ମଜଭୁତ ବୋଲି କୁହାଯାଏ। କାଇଁଚର ଏହି ଅଠା ତିଆରି ଏତେ ସହଜ ନୁହଁ। କମ ଲାଭ ଆଉ ଅଧିକ ମେହନତ ହୋଇଥିବାରୁ କଟକ ତାରକସି କାମ ନବଯୁବକ ମାନଙ୍କ ପାଇଁ ଉତ୍ସାହପ୍ରଦ ହୋଇ ରହିନାହିଁ।

ଦଶହରା ଚାନ୍ଦିମେଢ଼ ହିଁ ଏକମାତ୍ର ଆଶା
ଦଶହରାରେ ଚାନ୍ଦି ମେଢ଼ ନିର୍ମାଣ ହୁଏ। ବିଭିନ୍ନ ପୂଜା କମିଟି ଚାନ୍ଦି ମେଢ଼ ଦୌଡ଼ରେ ଅଛନ୍ତି। ଦିନକୁ ଦିନ ଚାନ୍ଦିମେଢ଼ ତାଲିକା ବଢ଼ୁଥିବାବେଳେ ଏଥିରୁ କଟକର ତାରକସି କାରିଗରମାନେ ହିଁ ଲାଭବାନ ହେଉଛନ୍ତି। କଟକ, ଭୁବନେଶ୍ୱର ସମେତ ରାଜ୍ୟର ଯେଉଁ ସ୍ଥାନରେ ବି ଚାନ୍ଦି ମେଢ଼ ହୋଇଛି ସେସବୁ କଟକର କାରିଗରଙ୍କ ଦ୍ୱାରା କରାଯାଇଛି। ଏଣୁ ଦଶହରା ଯୋଗୁଁ ଏହି କାରିଗରମାନେ ପେଟ ପୋଷିବାକୁ ସକ୍ଷମ ହେଉଛନ୍ତି ବୋଲି କୁହନ୍ତି। ଚାନ୍ଦି ମେଢ଼ରେ ୧୫୦ରୁ ୬୦୦ କେଜି ଯାଏଁ ରୁପା ବ୍ୟବହାର ହୋଇଥାଏ। କିନ୍ତୁ କଟକର ୧୦୦୦ ଶିଳ୍ପୀ ସମାନ ଭାବରେ ଏଥିରୁ ବୃତ୍ତି ପାଆନ୍ତିନି। କିଏ ୧୦ ହଜାର ଟଙ୍କା ପାଉଥିବା ବେଳେ ଆଉ କିଏ ହଜାରେ ବି ପାଏନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ