ଏନ୍‌ଆର୍‌ସିର ଦ୍ବନ୍ଦ୍ବ: ପୁଳା ପୁଳା ପ୍ରଶ୍ନ

ସାରା ଦେଶରେ ଏହାର କାର୍ଯ୍ୟକାରିତାକୁ ନେଇ ବାକ୍‌ବିତଣ୍ଡା

ଆସାମରେ ଏନ୍‌ଆର୍‌ସି ସୂଚୀରେ ସାମିଲ ହେବା ପାଇଁ ଭିଡ଼ ଲଗାଇଛନ୍ତି ସ୍ଥାନୀୟ ବାସିନ୍ଦା
ସୂଚନାର ଯୁଗ, ସମସ୍ତଙ୍କୁ ସୂଚନା ଆବଶ୍ୟକ। ଯାହା ନିକଟରେ ସୂଚନା ତା’ ନିକଟରେ ସବୁକିଛି। ସରକାରଙ୍କୁ ଏବେ ନାଗରିକଙ୍କ ସୂଚନା ଆବଶ୍ୟକ। ନାଗରିକତାର ସୂଚନା, ବର୍ତ୍ତମାନ ସୁଦ୍ଧା ସାରା ଦେଶର ଲୋକେ ଆସାମରେ ନାଗରିକତାର ସୂଚନା ପାଇଁ ଆରମ୍ଭ ହୋଇଥିବା ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ (ଏନ୍‌ଆର୍‌ସି) ଓ ଏହାକୁ ନେଇ ଉଠିଥିବା ବିବାଦ କଥା ଜାଣନ୍ତି। ଏହାକୁ କିଏ ଗୁରୁତ୍ବ ଦେଉ ଅବା ନ ଦେଉ ଏବେ ଏନ୍‌ଆରସି ପ୍ରତ୍ୟେକଙ୍କ ପାଇଁ ଆବଶ୍ୟକୀୟ ହୋଇପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିକଟରେ ରାଜ୍ୟସଭାରେ ଘୋଷଣା କରିଛନ୍ତି ଯେ ଏବେ ସାରା ଦେଶରେ ଏନ୍‌ଆରସି ଲାଗୁ ହେବ। ଆସାମରେ ମଧ୍ୟ ପୁଣି ଏ ପ୍ରକ୍ରିୟା ଆରମ୍ଭ ହେବ। ଶାହ ଏହା ଗୃହରେ କେବଳ ଘୋଷଣା କରିଛନ୍ତି। କୌଣସି ରୂପରେଖ ପ୍ରସ୍ତୁତ କରିନାହାନ୍ତି।

ଅସମାହିତ ପ୍ରଶ୍ନ ଅନେକ
ବାସ୍ତବରେ କ’ଣ ସାରା ଦେଶରେ ଏନ୍‌ଆରସି ପାଇଁ ଆସାମ ମଡେଲକୁ ଗ୍ରହଣ କରାଯିବ ନା ନାଗରିକତା ପ୍ରମାଣ କରାଇବା ପାଇଁ ଅନ୍ୟକିଛି ପ୍ରମାଣ ଦେବାକୁ ପଡ଼ିବ। ପ୍ରମାଣ କରାଇବାର ଆଧାର କ’ଣ ହେବ? ଏ ପ୍ରକ୍ରିୟା କେତେଦିନ ଧରି ଚାଲିବ ଓ କେବେ ସରିବ। ଯେଉଁମାନେ ବୈଧ ନାଗରିକତ୍ବର ପ୍ରମାଣ ଦେଖାଇ ପାରିବେ ନାହିଁ ସେମାନଙ୍କର କ’ଣ ହେବ? ଇତ୍ୟାଦି ଇତ୍ୟାଦି ଅନେକ ପ୍ରଶ୍ନ ଏବେ ମୁଣ୍ଡ ଟେକିବାରେ ଲାଗିଛି। ବିରୋଧୀମାନେ ଅମିତ ଶାହଙ୍କ ବକ୍ତବ୍ୟକୁ ଜୋରଦାର ବିରୋଧ କରିଛନ୍ତି। କେତେକ ନେତା ଏହାକୁ କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ସରକାରଙ୍କ ଏକ ପ୍ରୟାସ ବୋଲି ଦର୍ଶାଇଛନ୍ତି। ଶାସକଦଳର କହିବା କଥା ହେଲା ବିଭିନ୍ନ ବିକାଶମୂଳକ ଯୋଜନା ଗୁଡ଼ିକରେ ଏଭଳି ତଥ୍ୟ ବ୍ୟବହାର କରାଯିବ। କିନ୍ତୁ ଏହା କରିବାକୁ ହେଲେ ଅନେକ ଗୁଡ଼ିଏ ବାଧା ରହିଛି।

ସାରା ଦେଶରେ ଏନ୍‌ଆର୍‌ସି ଲାଗୁ ହେବାର ଘୋଷଣା ପରେ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଭିନ୍ନ ଭିନ୍ନ ରାଜ୍ୟରେ ଲୋକଙ୍କ ପାଇଁ ଅଲଗା ଅଲଗା ପ୍ରମାଣପତ୍ରର ଆବଶ୍ୟକତା ପଡ଼ିବ ନା ସାରା ଦେଶରେ ଏଥିପାଇଁ ଗୋଟିଏ ପ୍ରକାର ପ୍ରମାଣପତ୍ରର ଆବଶ୍ୟକତା ପଡ଼ିବ। ନାଗରିକତାର ଚିହ୍ନଟ ପାଇଁ ସମ୍ପୃକ୍ତ ବ୍ୟକ୍ତିର ମୂଳ ରାଜ୍ୟକୁ ନେଇ ହେବ ନା ବର୍ତ୍ତମାନ ଯେଉଁ ରାଜ୍ୟରେ ସେ ଜୀବିକା ନିର୍ବାହ କରୁଛନ୍ତି ସେହି ରାଜ୍ୟକୁ ନେଇ ହେବ। ଯଦି କୌଣସି ନାଗରିକଙ୍କ ମାତାପିତା ଭିନ୍ନ ଭିନ୍ନ ରାଜ୍ୟର ମୂଳ ବାସିନ୍ଦା ତେବେ ସେମାନଙ୍କର ଗଣନା କେଉଁ ପ୍ରକାର ହେବ। ଆସାମ ପ୍ରସଙ୍ଗରେ ଆଧାର ବର୍ଷ ୧୯୭୧ ରଖାଯାଇଥିଲା। ଦେଶବ୍ୟାପୀ ଏନ୍‌ଆର୍‌ସି ପାଇଁ ଆଧାର ବର୍ଷ ଭାବେ କେଉଁ ବର୍ଷକୁ ନିଆଯିବ। ଏହିସବୁ ପ୍ରଶ୍ନର ଉତ୍ତର କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏନ୍‌ଆର୍‌ସି ବର୍ତ୍ତମାନ ସୁଦ୍ଧା କେବଳ ଆସାମ ପାଇଁ ହିଁ ପ୍ରସ୍ତୁତ ହୋଇଛି। ଏନ୍‌ଆର୍‌ସି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସନ୍ଦିଗ୍ଧ ଭୋଟର ଏବଂ ସୀମା ସୁରକ୍ଷାବଳ ଦ୍ବାରା ବିଦେଶୀ ବୋଲି ଘୋଷିତ ତଥ୍ୟ ଉପରେ ଆଧାରିତ। କିନ୍ତୁ ଏ ଦିଗରେ କୌରସି କେନ୍ଦ୍ରୀକୃତ ପ୍ରକୃତ ସମୟାନୁଯାୟୀ ତଥ୍ୟାବଳୀ ନାହିଁ।

ମତ ବଦଳାଉଛନ୍ତି ସରକାର

୧୯ ଡିସେମ୍ବର ୨୦୧୮ରେ ତତ୍କାଳୀନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ଲୋକସଭାରେ ବିବୃତି ରଖି ଆସାମ ବ୍ୟତୀତ ଦେଶର ଆଉ କୌଣସି ରାଜ୍ୟରେ ଏନ୍‌ଆର୍‌ସି ଲାଗୁ କରାଯିବ ନାହିଁ ବୋଲି ଦର୍ଶାଇଥିଲେ। କିନ୍ତୁ ୨୦ ନଭେମ୍ବର ୨୦୧୯ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସାରା ଦେଶରେ ଏନ୍‌ଆର୍‌ସି ଲାଗୁ କରାଯିବ ଏବଂ ଆସାମରେ ପୁଣି ଥରେ ଏ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦର୍ଶାଇଛନ୍ତି। ଏନ୍‌ଆର୍‌ସି ଲାଗୁ କରାଯିବା ପୂର୍ବରୁ ସରକାର ୨୦୧୯ ଅଗଷ୍ଟରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର ପ୍ରଚଳନର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।  ଏହା ୨୦୨୦ ସୁଦ୍ଧା ପୂରା ହେବ। ଏଥିରେ ଗୋଟିଏ ସ୍ଥାନରେ ୬ ମାସରୁ ଅଧିକ ସମୟ ବସବାସ କରୁଥିବା ବ୍ୟକ୍ତିଙ୍କୁ ସାମିଲ କରାଯିବ। ଏହା ଜାତୀୟ ଏନ୍‌ଆର୍‌ସିର ଆଧାର ଭାବେ ପରିଗଣିତ ହେବ। ଦେଶରେ ବର୍ତ୍ତମାନ ସୁଦ୍ଧା ୧.୫ କୋଟି ଅବୈଧ ବାଂଲାଦେଶୀ ଆସାମ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବେଆଇନ ଭାବେ ବସବାସ କରୁଥିବା ବେଳେ ତାମିଲନାଡ଼ୁରେ ଶ୍ରୀଲଙ୍କାର ତାମିଲମାନେ ବସବାସ କରୁଛନ୍ତି।

ଆସାମରେ ଏପରି ହୋଇଥିଲା ଏନ୍‌ଆର୍‌ସି

ସମଗ୍ର ଆସାମରେ ଶତାଧିକ ଏନ୍‌ଆର୍‌ସି କେନ୍ଦ୍ର ଖୋଲାଯାଇଥିଲା। ଯେଉଁଠି ନାଗରିକମାନେ ସେମାନଙ୍କ ନାଗରିକତ୍ବର ଦାବି ଉପସ୍ଥାପିତ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଏବଂ ତଦାରଖରେ ଏହା ସବୁ ହୋଇଥିଲା। ଆସାମ ବୁଝାମଣା ଅନୁଯାୟୀ ଏହାର ଆଧାର ବର୍ଷ ଏବଂ ଦଲିଲ ନିର୍ଦ୍ଧାରିତ ହୋଇଥିଲା। ୧୯ ଲକ୍ଷ ଲୋକଙ୍କ ନାମ ଏନ୍‌ଆର୍‌ସିର ଚୂଡ଼ାନ୍ତ ତାଲିକାରୁ ହଟାଇ ନିଆଯାଇଥିଲା। ୩,୩୦,୨୭,୬୬୧ ଲୋକ ଏନ୍‌ଆର୍‌ସିରେ ନିଜର ନାମ ଯୋଡ଼ିବା ପାଇଁ ଆବେଦନ କରିଥିଲେ। ସେଥିରୁ ୩,୧୧,୨୧,୦୦୪ ଲୋକଙ୍କ ନାମ ଏନ୍‌ଆର୍‌ସିରେ ସାମିଲ କରାଯାଇଥିଲା। ୩୧ ଅଗଷ୍ଟ ୨୦୧୯ରେ ଆସାମର ଏନ୍‌ଆର୍‌ସିର ଚୂଡ଼ାନ୍ତ ସୂଚୀ ପ୍ରକାଶିତ ହୋଇଥିଲା। ସୂଚୀରୁ ବାଦ୍‌ ପଡ଼ିଥିବା ଲୋକଙ୍କୁ ପୁଣି ଥରେ ବିଦେଶୀ ପ୍ରାଧିକରଣରେ ୧୨୦ ଦିନ ଭିତରେ ଆବେଦନ କରିବାକୁ କୁହାଯାଇଥିଲା।

ପୁଣି ସଂସଦରେ ଉପସ୍ଥାପିତ ହେବ ନାଗରିକତା ସଂଶୋଧନ ଆଇନ

ଏହି ବିଧେୟକ ନାଗରିକତା ଆଇନ ୧୯୯୫ର ପ୍ରାବଧାନକୁ ବଦଳାଇ ଦେବ। ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଭାରତ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଆଦି ବେଆଇନ ପ୍ରବାସୀଙ୍କୁ ନାଗରିକତ୍ବ ମିଳିଯିବାର ରାସ୍ତା ଖୋଲିଯିବ। ମୁସଲିମମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ୍‌ ଦିଆଯିବ। ଅଣମୁସଲମାନ ଯଦି ଦେଶରେ ୬ ବର୍ଷ ଧରି ରହୁଥିବେ ତେବେ ସେମାନେ ଭାରତୀୟ ହୋଇପାରିବେ। ବେଆଇନ ଭାବେ ରହୁଥିବା ଲୋକଙ୍କୁ ଅଟକ ରଖାଯିବାର ପ୍ରାବଧାନ ରହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ