ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ, ସୁପ୍ରିମ୍‌କୋର୍ଟରେ ଶିବସେନା


ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ପାଖାପାଖି ୩ ସପ୍ତାହ ପୂରିବାକୁ ବସିଥିଲେ ହେଁ କୌଣସି ଦଳ ସରକାର ଗଠନ କରିବାକୁ ସକ୍ଷମ ନ ହେବାରୁ ଶେଷରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ପ୍ରଥମେ ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ରାଜ୍ୟପାଳ ଭଗତ ସିଂହ କୋଶୟାରି ୫୬ ଆସନ ପାଇଥିବା ବିଜେପିର ସହଯୋଗୀ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରି ୨୪ ଘଣ୍ଟାର ସମୟ ଦେଇଥିଲେ। କିନ୍ତୁ ନୂଆ ମେଣ୍ଟ ଚୂଡ଼ାନ୍ତ ପାଇଁ ଶିବସେନା ୪୮ ଘଣ୍ଟାର ସମୟ ମାଗିବା ପରେ ରାଜ୍ୟପାଳ ଏହାକୁ ପ୍ରତ୍ୟାଖ୍ୟାନ କରି ତୃତୀୟ ସର୍ବାଧିକ ଆସନ ପାଇଥିବା ଏନ୍‌ସିପିକୁ ସରକାର ଗଠନ ପାଇଁ ଡାକିଥିଲେ। ଶିବସେନା ପରି ଏନ୍‌ସିପିକୁ ମଧ୍ୟ ରାଜ୍ୟପାଳ ୨୪ ଘଣ୍ଟାର ମହଲତ ଦେଇଥିଲେ। ସୋମବାର ରାତିରେ ଏନ୍‌ସିପି ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ଅଧିକ ଦୁଇ ଦିନ ସମୟ ମାଗିଥିଲେ। କିନ୍ତୁ ରାଜ୍ୟପାଳ ଏପରି ଅନୁମତି ନ ଦେଇ ରାଷ୍ଟ୍ରପତି ଶାସନ ଜାରି କରିବା ସକାଶେ ସୁପାରିସ୍‌ କରିଥିଲେ। ପରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ ରାଷ୍ଟ୍ରପତି ଶାସନ ଜାରି କରିବା ସକାଶେ ସୁପାରିସ୍‌ କରିଥିଲେ। ସଦ୍ୟ ହସ୍ତଗତ ତଥ୍ୟ ଅନୁସାରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଅପରପକ୍ଷରେ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ଶିବସେନା ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି।

ଏ ସଂକ୍ରାନ୍ତରେ ମୁମ୍ବାଇସ୍ଥିତ ରାଜଭବନରୁ ଜାରି ଏକ ବିବୃତିରେ କୁହାଯାଇଥିଲା ଯେ ସାମ୍ବିଧାନିକ ନିୟମ ଅନୁସାରେ ରାଜ୍ୟରେ ବର୍ତ୍ତମାନ ସରକାର ଚାଲିବାର ସ୍ଥିତି ନାହିଁ। ତେଣୁ ରାଜ୍ୟରେ ସମ୍ବିଧାନର ୩୫୬ ଧାରା ଅନୁସାରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ୍‌ କରାଯାଇଛି ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟପାଳ ସରକାର ଗଠନ ପାଇଁ ଶିବସେନା ମାଗିଥିବା ତିନି ଦିନର ମହଲତ ଦେଇ ନ ଥିବାରୁ ଏହା ବିରୋଧରେ ଦଳ ସୁପ୍ରିମ୍‌କୋର୍ଟର ଆଶ୍ରୟ ନେଇଛି। ସରକାର ଗଠନ ପାଇଁ ଦଳ ମାଗିଥିବା ମହଲତକୁ ଅସ୍ବୀକାର କରି ରାଜ୍ୟପାଳ ନ୍ୟାୟିକ ବ୍ୟବସ୍ଥାର ଉଲ୍ଲଙ୍ଘନ କରିଛନ୍ତି। ଗୋଟିଏ ପଟେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ୩ ଦିନର ମହଲତ ଦେଇଥିଲେ ହେଁ ଶିବସେନାକୁ ଦୁଇ ଦିନ ମହଲତ ଦେଇ ନ ଥିବାରୁ ସେ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ଦ୍ବାରା ପରିଚାଳିତ ହେଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସୁପ୍ରିମ୍‌କୋର୍ଟରେ ଶିବସେନା ପକ୍ଷରୁ ମାମଲା ଲଢ଼ୁଥିବା କଂଗ୍ରେସର ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ସିବଲ ଏନେଇ ଆବେଦନ କରିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ