‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ମହାବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଓଡ଼ିଶାର ୬ଟି ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ଲୋକସେବା ଭବନରେ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ପୂର୍ବରୁ ସୋମବାର ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଏହାପରେ ଲୋକସେବା ଭବନରେ ପ୍ରଭାବିତ ଅଞ୍ଚଳ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେସିଂ ଯୋଗେ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ସେ ‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ୧୮ ତାରିଖ ସୁଦ୍ଧା ଏସ୍‌ଆର୍‌ସିକୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ଏଥିସହ ସହାୟତା ବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିବାକୁ କହିଛନ୍ତି।

ରାଜ୍ୟର ୬ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଏବଂ ମୟୁରଭଞ୍ଜ ବାତ୍ୟା ବୁଲ୍‌ବୁଲ୍‌ ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାରେ ଫସଲ ନଷ୍ଟ ହେବା ସହ ଧନହାନୀ ମଧ୍ୟ ହୋଇଛି। ଆଗାମୀ ଦୁଇଦିନ ମଧ୍ୟରେ ଭିତ୍ତିଭୂମିର ପୁନରୁଦ୍ଧାର ସହିତ ବିଦ୍ୟୁତ ସଂଯୋଗ ନ ଆସିବା ପର୍ଯ୍ୟନ୍ତ ଜେନେରଟର୍‌ ବ୍ୟବହାର କରି ଜଳଯୋଗାଣ ଚାଲୁ ରଖିବା ଏବଂ ଆବଶ୍ୟକସ୍ଥଳେ ଟ୍ୟାଙ୍କର୍‌ ଯୋଗେ ପାଣି ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଅଣ-ଜଳସେଚିତ ଜମି ପାଇଁ ୩୩ ପ୍ରତିଶତ ବା ତଦୁର୍ଦ୍ଦ ଫସଲ କ୍ଷତିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଚ୍ଛା ୬ ହଜାର ୮୦୦ ଟଙ୍କା ଇନପୁଟ୍‌ ସବସିଡ଼ି, ଜଳସେଚିତ ଜମିରେ ହେକ୍ଟର ପିଚ୍ଛା ୧୩ ହଜାର ୫୦୦ ଟଙ୍କା ଏବଂ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। କୌଣସି କ୍ଷେତ୍ରେରେ ସବୁଦିନିଆ ଫସଲ କ୍ଷତି ପାଇଁ ଇନ୍‌ପୁଟ୍‌ ସବସିଡିର ପରିମାଣ ୨ ହଜାର ଟଙ୍କା ଓ ଅନ୍ୟାନ୍ୟ ଫସଲ ପାଇଁ ଏକ ହଜାର ଟଙ୍କାରୁ କମ୍‌ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରବିଫସଲ ୨୦୧୯-୨୦ ପାଇଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ୫୦ ହଜାର ବିହନ ମିନି କିଟ୍ ଓ ୧୦ ହଜାର ପରିବାରକୁ ମିନି କିଟ୍ ଦିଆଯିବ। କ୍ଷତିଗ୍ରସ୍ତ ଜିଲ୍ଲାରେ ୪୫ ହଜାର ଏକର ଜିମିରେ ଡେମୋନ୍‌ଷ୍ଟ୍ରେସନ କରାଯିବ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିରେ ୩ ହଜାର ସ୍ପେୟର ପ୍ରଦାନ କରାଯିବ। ବ୍ୟାଟେରୀ ଚାଳିତ ସ୍ପେୟାର କ୍ଷେତ୍ରରେ ସର୍ବାଧିକ ରିହାତି ୩ ହଜାର ୮୦୦ ଟଙ୍କା ଏବଂ ହସ୍ତଚାଳିତ ସ୍ପେୟାର ପାଇଁ ସର୍ବାଧିକ ୭୫୦ ଟଙ୍କା ପ୍ରଦାନ କରାଯିବ। ୫୦ ୟୁନିଟ୍‌ ପର୍ଯ୍ୟନ୍ତ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଦିଆଯିବ। ୩୩ ପ୍ରତିଶତ ବା ତଦୁର୍ଦ୍ଦ କ୍ଷତି ହୋଇଥିବା ଚାଷୀଙ୍କୁ ସ୍ବଳ୍ପ ମିଆଦି ଋଣକୁ ମଧ୍ୟ ଋଣରେ ପରିଣତ କରାଯିବ। ସେହିପରି କ୍ଷୀର ଦେଉଥିବା ଗାଈ, ମଇଁଷି  ପାଇଁ ୩୦ ହଜାର ଟଙ୍କା ଏବଂ କ୍ଷୀର ଦେଉ ନ ଥିବା ପ୍ରାଣୀ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ବାଛୁରୀ ପାଇଁ ୧୬ ହଜାର, ଛେଳି ମେଣ୍ଢା ପାଇଁ ୩୦୦୦ ଟଙ୍କା ଓ କୁକୁଡ଼ା ପାଇଁ ୫୦ ଟଙ୍କା ଦିଆଯିବ। ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା ୧୨ ହଜାର୨୦୦ ଟଙ୍କା ଏବଂ ଇନପୁଟ୍‌ ସବସିଡ଼ି ଭାବରେ ହେକ୍ଟର ପିଚ୍ଛା ୮ ହଜାର ୨୦୦ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ଆଂଶିକ କ୍ଷତି ହୋଇଥିବା ଡଙ୍ଗା ପାଇଁ ୪ ହଜାର ୧୦୦ ଟଙ୍କା, ଜାଲ ପାଇଁ ୨ ହଜାର ୧୦୦ ଟଙ୍କା, ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜାଲ ପାଇଁ ୨ ହଜାର ୬୦୦ ଟଙ୍କା ସାହାୟତା ଦିଆଯିବ। ୩୦ ୟୁନିଟ୍‌ ପର୍ଯ୍ୟନ୍ତ ପାନ ବରଜ କ୍ଷତି ପାଇଁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦିଆଯିବ। ଫସଲବୀମା ଯୋଜନାର ସୁବିଧା ଚାଷୀଙ୍କୁ ଖୁବ୍‌ଶୀଘ୍ର ଦେବା ପାଇଁ ଫସ କଟା ପରୀକ୍ଷଣ କରାଯାଇ ବୀମା ପରିମାଣ ତୁରନ୍ତ ଚୂଡ଼ାନ୍ତ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା, ବିପର୍ଯ୍ୟୟ ପରିଚାଳନା ସଚିବ ନିକୁଞ୍ଜ ଧଳ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦା, ଖାଦ୍ୟ ଯୋଗାଣ ସଚିବ ବି ବି ଯାଦବ, ସେସୁ ସିଏମ୍‌ଡି ଅରୁଣ ବୋଥ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଆରଡିସି ସେଣ୍ଟ୍ରାଲ୍‌ ଡ଼ିଭିଜନ ଉପସ୍ଥିତ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ