ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ଅରବିନ୍ଦ, ପାୱାର୍‌ଙ୍କୁ ଭେଟିଲେ ଉଦ୍ଧବ


ମହାରାଷ୍ଟ୍ର ରାଜନୀତି କ୍ରମଶଃ ରୋଚକ ମୋଡ଼ ନେଉଥିବା ବେଳେ ସୋମବାର ଶିବସେନା ପକ୍ଷରୁ ସରକାର ଗଠନ ସକାଶେ ତତ୍ପରତା ବୃଦ୍ଧି ପାଇଛି। ରବିବାର ବିଜେପି ସରକାର ଗଠନ କରିବା ସକାଶେ ନିଜର ଅକ୍ଷମତା ପ୍ରକାଶ କରିବା ପରେ ଶିବସେନା ହାତକୁ ରାଜ୍ୟର ଭାଗ୍ୟଡୋରୀ ଯିବା ନିଶ୍ଚିତ ହୋଇଛି। ପାଖାପାଖି ୩୦ ବର୍ଷ ଧରି ରାଜ୍ୟରେ ବିଜେପି ସହ ମେଣ୍ଟରେ ରହିଆସିଥିବା ଶିବସେନା ଏବେ ଏହି ଜାତୀୟ ଦଳଠାରୁ ତା’ର ସମ୍ପର୍କ ଛିନ୍ନ କରିବା ଆରମ୍ଭ କରିଛି। ଏହି ଦଳ ଏନ୍‌ସିପି ଓ କଂଗ୍ରେସ ସହଯୋଗରେ ସରକାର ଗଠନ କରିବା ସକାଶେ ତତ୍ପର ହୋଇପଡ଼ିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଅରବିନ୍ଦ ସାୱନ୍ତ ସୋମବାର ତାଙ୍କ କେନ୍ଦ୍ର ମନ୍ତ୍ରିପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ ପାଇଁ ସମୟ ମାଗିଥିଲେ ହେଁ ତାଙ୍କୁ ସୁଯୋଗ ଦିଆଯାଇ ନ ଥିବା ପ୍ରକାଶ କରିଛନ୍ତି। ତେଣୁ ଏଥିରୁ ବିଜେପିର ଶିବସେନା ପ୍ରତି ମନୋଭାବ କ’ଣ, ତାହା ସ୍ପଷ୍ଟ ହୋଇଛି ବୋଲି ଅରବିନ୍ଦ କହିଛନ୍ତି।

ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରରେ ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ବିଭାଗ ସମ୍ଭାଳିଥିବା ଅରବିନ୍ଦ ମହାରାଷ୍ଟ୍ରରେ ତାଙ୍କ ଦଳ ପ୍ରତି ବିଜେପି ବିଶ୍ବାସଘାତକତା କରିଥିବା ଅଭିଯୋଗ କରିବା ସହ ନିର୍ବାଚନ ପୂର୍ବରୁ ୫୦ ପ୍ରତିଶତ କ୍ଷମତା ବଣ୍ଟନ ନେଇ ସହମତି ହୋଇଥିବା କହିଛନ୍ତି। ବିଜେପିର ଆଚରଣରେ ସେ କ୍ଷୋଭ ପ୍ରକାଶ କରିବା ସହ ନୈତିକତା ଆଧାରରେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ କହିଛନ୍ତି। ସେହିପରି ପୂର୍ବରୁ ପାୱାର୍‌ଙ୍କ ସହ ଉଦ୍ଧବ ତାଙ୍କ ମୁମ୍ବାଇସ୍ଥିତ ବାସଭବନ ‘ମାତୋଶ୍ରୀ’ରେ ସାକ୍ଷାତାଲୋଚନା କରିଥିଲେ ହେଁ ତାହା ଫଳବତୀ ହୋଇ ନ ଥିଲା। କିନ୍ତୁ ବର୍ତ୍ତମାନ ଶିବସେନା ବିଜେପିଠାରୁ ଦୂରେଇ ଯାଇଥିବାରୁ ଏନ୍‌ସିପି ସରକାର ଗଠନରେ ସମ୍ପୂର୍ଣ୍ଣ ସହଯୋଗ କରିବା ସକାଶେ ରାଜି ହୋଇଛି। କିନ୍ତୁ ଏହା ପୂର୍ବରୁ ଶିବସେନା ବିଜେପି ସହ ରହିଥିବା ସମସ୍ତ ସମ୍ପର୍କକୁ ଛିନ୍ନ କରିବାର ଦରକାର ବୋଲି ଦଳ ସର୍ତ୍ତ ରଖିଛି।

ତେବେ ସୋମବାର ଉଦ୍ଧବ ଓ ପାୱାର୍‌ଙ୍କ ମଧ୍ୟରେ ମୁମ୍ବାଇର ଏକ ତାରକା ହୋଟେଲ୍‌ରେ ଆଲୋଚନା.ହୋଇଛି।  ଏହି ଆଲୋଚନା ବେଳେ କେନ୍ଦ୍ର ସରକାରଙ୍କ ଭୁଲ୍‌ ନୀତିକୁ ବିରୋଧ କରିବା ସକାଶେ ଉଭୟ ଦଳକୁ ଏକାଠି ହେବାକୁ ପଡ଼ିବ ବୋଲି ଉଦ୍ଧବ କହିଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ଏନ୍‌ସିପିର ସହଯୋଗୀ ଦଳ କଂଗ୍ରେସର ଯଦିଓ ଶିବସେନା ସହ ଆଦର୍ଶଗତ ପାର୍ଥକ୍ୟ ରହିଛି, ତଥାପି ଏହା ସରକାରକୁ ବାହାରକୁ ସମର୍ଥନ ଦେବାକୁ ପ୍ରସ୍ତୁତ ଥିବାର ସଙ୍କେତ ଦେଇଛି। କଂଗ୍ରେସର ସମର୍ଥନ ହାସଲ ନେଇ ସୋମବାର ଅପରାହ୍ନରେ ଦିଲ୍ଲୀରେ ଶିବସେନା ପକ୍ଷରୁ ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ଅହମ୍ମଦ ପଟେଲ୍‌ଙ୍କ ସହ ଆଲୋଚନା ଚାଲିଥିବା ଜଣାପଡ଼ିଛି। ପୂର୍ବରୁ କଂଗ୍ରେସ ପକ୍ଷରୁ ଏନେଇ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ