ପୁଣି ପଲଟିଲା ପାକିସ୍ତାନ: ଉଦ୍‌ଘାଟନୀରେ ମାଗଣା ହେବନି କର୍‌ତାରପୁର ଯାତ୍ରା


ଗତ ନଭେମ୍ବର ୧ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବହୁଚର୍ଚ୍ଚିତ କର୍‌ତାରପୁର କରିଡର୍‌ ପ୍ରସଙ୍ଗରେ ଏକାଧିକ ଘୋଷଣା କରିଥିଲେ। ଶିଖ୍‌ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ଅବସରରେ କର୍‌ତାରପୁର କରିଡର୍‌ର ଶୁଭାରମ୍ଭ କରାଯିବ। ଶନିବାର ଏହାର ଉଦ୍‌ଘାଟନ ହେବାକୁ ଥିବା ବେଳେ ଭାରତର ଶିଖ୍ ଧର୍ମାବଲମ୍ବୀମାନେ ଉକ୍ତ ଦିନ ମାଗଣାରେ ଗୁରୁଦ୍ବାରା ଦରବାର ସାହିବ୍‌ ଯାତ୍ରା କରିପାରିବେ ବୋଲି ଇମ୍ରାନ୍‌ ଘୋଷଣା କରିଥିଲେ। ତା’ଛଡ଼ା ଉଦ୍‌ଘାଟନୀ ସହ ନାନକଙ୍କ ଜନ୍ମଦିନ ନଭେମ୍ବର ୧୨ ତାରିଖରେ ଭାରତୀୟ ଶିଖ୍ ପର୍ଯ୍ୟଟକଙ୍କ ପାଇଁ ପାସ୍‌ପୋର୍ଟର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ ଓ ସେମାନଙ୍କୁ ଆଗୁଆ ବୁକିଂ କରିବାର ଆବଶ୍ୟକତା ବି ନାହିଁ ବୋଲି ଇମ୍ରାନ୍‌ ଘୋଷଣା କରିଥିଲେ। କିନ୍ତୁ ଗୁରୁବାର ପାକିସ୍ତାନୀ ସେନାର ମିଡିଆ ଶାଖା ପକ୍ଷରୁ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ପାସ୍‌ପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ପୁଣି ଶୁକ୍ରବାର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କେବଳ ପାଣିର ଗାର ସାବ୍ୟସ୍ତ ହୋଇଛି। କାରଣ ଉଦ୍‌ଘାଟନୀରେ ବି ଭାରତୀୟ ପର୍ଯ୍ୟଟକମାନଙ୍କୁ ସେବା ଶୁଳ୍କ ଭାବେ ୨୦ ଡଲାର୍‌ ପଇଠ କରିବାକୁ ପଡ଼ିବ ବୋଲି ଘୋଷଣା କରାଯାଇଛି।

ପାସ୍‌ପୋର୍ଟ ସଂକ୍ରାନ୍ତରେ ଗୁରୁବାର ପାକିସ୍ତାନ ସେନା ପକ୍ଷରୁ ମୁଖପାତ୍ର ମେଜର୍‌ ଜେନେରାଲ୍‌ ଆସିଫ୍‌ ଗଫୁର୍‌ ଘୋଷଣା କରିବା ପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏହାକୁ କଡ଼ା ଭାଷାରେ ସମାଲୋଚନା କରିଥିଲା। ଗୋଟିଏ ପଟେ ଦେଶର ପ୍ରଧାନମନ୍ତ୍ରୀ ଯାହା ଘୋଷଣା କରୁଛନ୍ତି, ତାକୁ ସେନା ମାନିବାକୁ ନାରାଜ ଓ ସେନା ନିଜର ଘୋଷଣା ଜାରି କରୁଛି। ତେଣୁ ସରକାରଙ୍କ ସହ ଏହାର ବିଭିନ୍ନ ଏଜେନ୍ସିମାନଙ୍କର କୌଣସି ତାଳମେଳ ନାହିଁ ବୋଲି ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଥିଲେ। ତେବେ ଦୁଇ ଦିନ ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଘୋଷଣାନାମାକୁ ସେନା ପକ୍ଷରୁ ଖାରଜ କରି ନୂଆ ନିୟମ ଜାରି କରାଯିବା ଘଟଣା ଭାରତର ଶିଖ୍ ପର୍ଯ୍ୟଟକମାନଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଘୋଷଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖାଯାଇ ନ ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ