କର୍‌ତାରପୁର କରିଡର୍‌ ଲୋକାର୍ପିତ, ଇମ୍ରାନ୍‌ଙ୍କୁ ଧନ୍ୟବାଦ ଦେଲେ ମୋଦି


ପଞ୍ଜାବର ଡେରା ବାବା ନାନକ୍‌ ଧର୍ମପୀଠକୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ନାରୋୱାଲ୍‌ ଜିଲ୍ଲାର କର୍‌ତାରପୁର ସାହିବ୍‌ ଧର୍ମପୀଠ ସହ ଯୋଡ଼ୁଥିବା କର୍‌ତାରପୁର କରିଡର୍‌ ଶନିବାର ମଧ୍ୟାହ୍ନରେ ଲୋକାର୍ପିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କରିଡର୍‌ର ଲୋକାର୍ପଣ କରିବା ସହ ଏହାକୁ ଭାରତ ଓ ବିଶ୍ବର କୋଣ ଅନୁକୋଣରେ ବସବାସ କରୁଥିବା ଶିଖ୍‌ ଧର୍ମାବଲମ୍ବୀଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି। ଏଥିସହ ଭାରତୀୟଙ୍କ ଧାର୍ମିକ ମନୋଭାବକୁ ସମ୍ମାନ ଦେଇ କର୍‌ତାରପୁର କରିଡର୍‌ ପାଇଁ ଅନୁମତି ଦେଇଥିବାରୁ ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି। ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମଜୟନ୍ତୀ ଅବସରରେ ଏହି କରିଡର୍‌ ଲୋକାର୍ପିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଣ୍ଡରେ କମଳା ରଙ୍ଗର ପଗଡ଼ି ବାନ୍ଧିଥିଲେ। ଏହି ଅବସରରେ ମୋଦି ସମଗ୍ର ଶିଖ୍ ସମ୍ପ୍ରଦାୟ ପ୍ରତି ତାଙ୍କର ଶ୍ରଦ୍ଧାଭାବ ଦର୍ଶାଇଥିଲେ।

ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ଜୟନ୍ତୀ ଆସନ୍ତା ନଭେମ୍ବର ୧୨ ତାରିଖରେ ପାଳନ ହେବାକୁ ଥିବା ବେଳେ ଏହା ପୂର୍ବରୁ କରିଡର୍‌ର ଉଦ୍‌ଘାଟନ ସମସ୍ତଙ୍କୁ ବେଶ୍‌ ସନ୍ତୁଷ୍ଟ କରିଛି ବୋଲି ମୋଦି କହିଛନ୍ତି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୋଦିଙ୍କ ସହ ଗୁରଦାସପୁରର ବିଜେପି ସାଂସଦ ସନ୍ନି ଦେଓଲ୍‌, କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ, ଶିରୋମଣୀ ଅକାଳି ଦଳର ସୁଖବୀର ବାଦଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ମଧ୍ୟ ଉପସ୍ଥିତ ଥିଲେ। ମୋଦିଙ୍କୁ ଶିରୋମଣି ଗୁରଦ୍ବାରା ପ୍ରବନ୍ଧନ କମିଟି (ଏସ୍‌ଜିପିସି) ପକ୍ଷରୁ କୌମି ସେବା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏହାକୁ ସେ ଶ୍ରୀ ଗୁରୁ ନାନକ ଦେବଙ୍କ ପ୍ରତି ସମର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ମୁଦ୍ରା ଓ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। କର୍‌ତାରପୁର ସାହିବ୍‌କୁ ଭାରତ ପଟରୁ ପ୍ରଥମ ପର୍ଯ୍ୟାୟ ଶିଖ୍‌ ପର୍ଯ୍ୟଟକଙ୍କ ଯାତ୍ରାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ତା’ଛଡ଼ା କରିଡର୍‌ ଦେଇ ଯିବା ସକାଶେ ଭାରତୀୟ ଶିଖ୍‌ ପର୍ଯ୍ୟଟକମାନେ କ୍ଲିୟରାନ୍ସ ହାସଲ କରିବାକୁ ଥିବା ଇଣ୍ଟିଗ୍ରେଟେଡ୍‌ ଚେକ୍‌ ପୋଷ୍ଟ୍‌ର ଉଦ୍‌ଘାଟନ ବି ପ୍ରଧାନମନ୍ତ୍ରୀଙ୍କ ହାତରେ ହୋଇଛି।

ଏହି ପୋଷ୍ଟ୍‌ ପ୍ରତି ହଜାର ହଜାର ଶିଖ୍ ଧର୍ମାବଲମ୍ବୀଙ୍କ ସେବା କରିବ ବୋଲି ମୋଦି କହିଥିଲେ। ସେ ଆହୁରି କହିଥିଲେ ଯେ ଜମ୍ମୁ-କଶ୍ମୀର ପାଇଁ ଉଦ୍ଦିଷ୍ଟ ଧାରା ୩୭୦କୁ ଉଚ୍ଛେଦ କରାଯିବା ଫଳରେ ବର୍ତ୍ତମାନ ଏହି ଉପତ୍ୟକାରେ ବସବାସ କରୁଥିବା ଶିଖ୍ ଧର୍ମାବଲମ୍ବୀମାନେ ମଧ୍ୟ ଅନ୍ୟାନ୍ୟ ରାଜ୍ୟର ନାଗରିକଙ୍କ ପରି ସେମାନଙ୍କ ଧାର୍ମିକ ଭାବଧାରା ପୂରଣ କରିବାର ସୁଯୋଗ ପାଇବେ। ବର୍ତ୍ତମାନ ସମୟରେ ଗୁରୁ ନାନକଙ୍କ ବାଣୀର ଯଥେଷ୍ଟ ଗୁରୁତ୍ବ ରହିଛି ଓ ଆମେମାନେ ତାହାକୁ ନିଜ ଜୀବନଧାରାରେ ସାମିଲ୍‌ କରିବା ଉଚିତ ବୋଲି ମୋଦି କହିଥିଲେ। ଏହି ଅବସରରେ ମୋଦି କର୍‌ତାରପୁର କରିଡର୍‌ ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ପ୍ରତିଟି ବ୍ୟକ୍ତିବିଶେଷ ଓ ସଂଗଠନକୁ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ମୋଦି ଅନ୍ୟାତ୍ୟ ଅତିଥିଙ୍କ ସହ ଡେରା ବାବା ନାନକ ଅନ୍ନଛତ୍ରସ୍ଥଳୀ (ଲଙ୍ଗର୍‌)ରେ ପ୍ରସାଦ ସେବନ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ