ଥାଇଲାଣ୍ଡରେ ମାତିଲେ ଉଗ୍ରପନ୍ଥୀ: ୧୫ ନିହତ, ୫ ଆହତ


ଥାଇଲାଣ୍ଡର ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସ୍‌ଲିମ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରେ ବୁଧବାର ୧୫ ନିହତ ଓ ୫ ଆହତ ହୋଇଛନ୍ତି। ଦକ୍ଷିଣ ଏସୀୟ ଉପକୂଳ ରାଷ୍ଟ୍ରରେ ଉଗ୍ରବାଦର ୧୫ ବର୍ଷ ମଧ୍ୟରେ ଏହା ସବୁଠୁ ଘାତକ ଆକ୍ରମଣ ବୋଲି କୁହାଯାଉଛି। ଥାଇଲାଣ୍ଡର ଦକ୍ଷିଣ ପ୍ରଦେଶ ପଟ୍ଟାନି, ୟାଲା ଓ ନାରାଥିଓ୍ବାଟ୍‌ର ଅଧିକ ସ୍ବାୟତ୍ତତା ପାଇଁ ଲଢ଼େଇ ଜାରି ରହିଥିବାବେଳେ ମାଳୟ-ମୁସ୍‌ଲିମ୍‌ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ୭,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି। ଏଥିପାଇଁ ୩ ପ୍ରଦେଶରେ ୪୦,୦୦୦ରୁ ଊର୍ଦ୍ଧ୍ୱ ସୁରକ୍ଷା ବଳଙ୍କୁ ମୁତୟନ କରାଯିବା ସହ ଜରୁରିକାଳୀନ ପରିସ୍ଥିତି ଓ ସାମରିକ ଆଇନ ଲାଗୁ ପାଇଁ ଘୋଷଣା କରାଯାଇଛି।

ଏହି ଅଞ୍ଚଳ ପୋଲିସ ଓ ସେନା ନିୟନ୍ତ୍ରଣରେ ଥିବାବେଳେ ସ୍ଥାନୀୟ ବାସିନ୍ଦା ଓ ଅଧିକାର କର୍ମୀମାନେ ସାମରିକ ବଳପ୍ରୟୋଗକୁ ବିରୋଧ କରୁଛନ୍ତି। ସୁରକ୍ଷା ବଳ ଦ୍ୱାରା ତାଲିମପ୍ରାପ୍ତ ସଶସ୍ତ୍ର ଗ୍ରାମବାସୀମାନେ ମଧ୍ୟ ଗ୍ରାମାଞ୍ଚଳର ସୁରକ୍ଷା ଅନୁଧ୍ୟାନ କରୁଛନ୍ତି। ବିଦ୍ରୋହୀମାନେ ସେମାନଙ୍କୁ କ୍ୱଚିତ୍‌ ଆକ୍ରମଣ କରିଥାନ୍ତି। ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ନାଗରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ଦ୍ୱାରା ପରିଚାଳିତ ୟାଲା ପ୍ରଦେଶର ତିନୋଟି ଚେକ୍‌ପଏଣ୍ଟକୁ ଉଗ୍ରପନ୍ଥୀମାନେ ଟାର୍ଗେଟ୍‌ କରିଥିଲେ। ସେମାନେ ରାଇଫଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇ ଗ୍ରାମବାସୀଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୨ ପ୍ରାଣ ହରାଇଥିବା ବେଳେ ହସ୍ପିଟାଲରେ ଆଉ ୩ ଆଖି ବୁଜିଥିଲେ। ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହିଁ। ତେବେ ଏହା ପଛରେ ବରିସାନ୍‌ ରିଭୋଲ୍ୟୁସି ନାସିନାଲ (ବିଆର୍‌ଏନ୍‌) ଉଗ୍ରପନ୍ଥୀଙ୍କ ହାତ ଥିବା କଲୋନେଲ ପ୍ରମୋଟ୍‌ ପ୍ରୋମ୍‌-ଇନ୍‌ ସୂଚନା ଦେଇଛନ୍ତି। ଆକ୍ରମଣକାରୀଙ୍କୁ ଆଇନର କାଠଗଡ଼ାକୁ ନିଶ୍ଚିତ ଭାବେ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରୟୁତ୍‌ ଚାନ୍‌-ଓ-ଚା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ