ସ୍ତନର ଆକୃତି ବଢ଼ୁଛି କି? କରନ୍ତୁନି ଅଣଦେଖା, ହୋଇପାରେ ଚିନ୍ତାଜନକ


ବ୍ୟସ୍ତ ଜୀବନରେ ମହିଳାମାନେ ଅନେକ ସମୟରେ କେତେକ ସମସ୍ୟାକୁ ଛୋଟ ବୋଲି ଭାବି ଅଣଦେଖା କରନ୍ତି। ଯାହା ଭବିଷ୍ୟତରେ କୌଣସି ବଡ଼ ରୋଗର ରୂପ ନେଇପାରେ। ସ୍ତନରେ ଯନ୍ତ୍ରଣା ହେବା, ଗେଟାଳିଆ ଅନୁଭବ କରିବା କିମ୍ବା ଅଚାନକ ଏହାର ଆକାର ବଢ଼ିବା ଆଦି ଏସବୁ ସମସ୍ୟାମାନଙ୍କ ମଧ୍ୟରେ ଅନ୍ୟତମ। ଯାହାକୁ ମହିଳାମାନେ ଛୋଟ ଭାବି ଭୁଲ୍‌ କରି ବସନ୍ତି। ସ୍ତନରେ ହେଉଥିବା ଏହି ସମସ୍ୟା ଗିଗାଣ୍ଟୋମାଷ୍ଟିଆ ନାମକ ରୋଗର ଲକ୍ଷଣ ହୋଇପାରେ। ଏହି ରୋଗ ହେଲେ ସ୍ତନରେ ଟିସ୍ୟୁ ବଢ଼ିବାରେ ଲାଗିଥାଏ। ଯାହାଫଳରେ ବ୍ରେଷ୍ଟର ଆକାର ବଢ଼ିବା ସହିତ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ।

କିଛି ଦିନ ତଳେ ଗିଗାଣ୍ଟୋମାଷ୍ଟିଆ ନାମକ ରୋଗରେ ପୀଡ଼ିତ ଜଣେ ମହିଳାଙ୍କ ସ୍ତନରୁ ୧୧ କିଲୋ ଟିସ୍ୟୁ ବାହାର କରାଯାଇଛି। ଥାଇଲ୍ୟାଣ୍ଡର ଏହି ୫୬ ବର୍ଷୀୟା ମହିଳା ପ୍ରଥମେ ପ୍ରଥମେ ତାଙ୍କ ସ୍ତନର ଆକାର ବଢ଼ିବାକୁ ଅଣଦେଖା କରିଥିଲେ। କିନ୍ତୁ ଧିରେ ଧିରେ ଏହା ଏତେ ମାତ୍ରାରେ ବଢ଼ିଥିଲା ଯେ ସର୍ଜରୀ କରିବାକୁ ପଡ଼ିଥିଲା। ଯଦିଓ ଏହି ମହିଳାଙ୍କ ଅବସ୍ଥା ଏବେ ଠିକ୍‌ ଅଛି, କିନ୍ତୁ ଏବେ ତାଙ୍କୁ ଚାଲିବାରେ ସମସ୍ୟା ହେଉଛି।

ଯେ କୌଣସି ବୟସରେ ହୋଇପାରେ ଏହି ରୋଗ
ଗିଗାଣ୍ଟୋମାଷ୍ଟିଆ ରୋଗ ଯେ କୌଣସି ବୟସର ମହିଳାଙ୍କୁ ହୋଇପାରେ। ଏହାପୂର୍ବରୁ ଜାପାନର ଏକ ଖବର ଶୁଣିବାକୁ ମିଳିଥିଲା ଯେ ୧୨ ବର୍ଷୀୟା ଜଣେ ଝିଅ ଏହି ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗ କାରଣରୁ ୮ ମାସରେ ତାଙ୍କ ସ୍ତନର ଆକାର ଏତେ ବଢ଼ି ଯାଇଥିଲା ଯେ ତାଙ୍କ ସ୍ପାଇନାଲ କର୍ଡ ପୂରା ମୋଡ଼ି ହୋଇଯାଇଥିଲା।

ଗିଗାଣ୍ଟୋମାଷ୍ଟିଆ ରୋଗ କ’ଣ

ଗିଗାଣ୍ଟୋମାଷ୍ଟିଆ ଏଭଳି ଏକ ରୋଗ, ଯେଉଁଥିରେ ବ୍ରେଷ୍ଟ ଟିସ୍ୟୁ ସ୍ବାଭାବିକ ଅବସ୍ଥାଠାରୁ ଅଧିକ ବଢ଼ି ଯାଇଥାଏ। ଏହାକୁ ବ୍ରେଷ୍ଟ ହାଇପରଟ୍ରଫି ବୋଲି ମଧ୍ୟ କୁହାଯାଏ। ଅନେକ କ୍ଷେତ୍ରରେ ଏହି ରୋଗ ହେବା ପରେ ସ୍ତନର ଓଜନ ଶରୀରଠାରୁ ୩ ପ୍ରତିଶତ ଅଧିକ ହୋଇଯାଏ। ବହୁତ କମ୍‌ ମହିଳାଙ୍କଠାରେ ଏଭଳି କଣ୍ଡିସନ୍‌ ଦେଖିବାକୁ ମିଳିଥାଏ।

ଗିଗାଣ୍ଟୋମାଷ୍ଟିଆ ହେବାର କାରଣ

ଶରୀରରେ ପ୍ରୋଲାକ୍ଟିନ୍‌ କିମ୍ବା ଏଷ୍ଟ୍ରୋଜେନ୍‌ ହର୍ମୋନ୍‌ ବଢ଼ିବା କାରଣରୁ ମହିଳାଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ଏଥିସହିତ ଗିଗାଣ୍ଟୋମାଷ୍ଟିଆ ସମସ୍ୟା ବଂଶାନୁକ୍ରମିକ ମଧ୍ୟ ହୋଇପାରେ। ଅନ୍ୟ କେତେକ କାରଣ ମଧ୍ୟ ରହିଛି, ଯେଉଁଥି ପାଇଁ ମହିଳା ଏହି ରୋଗର ଶିକାର ହେଉଛନ୍ତି। ଗର୍ଭବତୀ ଥିବା ସମୟରେ ଏହି ରୋଗ ହେବା ଆଶଙ୍କା ବଢ଼ିଯାଏ। ଡି-ପେନିସିଲ୍ଲାମାଇନ୍‌, ବୁସିଲ୍ଲାମାଇନ୍‌, ନିଓଥେଟାଜୋନ୍‌, ସାଇକ୍ଲୋସ୍ପୋରିନ୍‌ ଭଳି ଔଷଧ ସେବନ କରୁଥିବା ତଥା ଥାଇରଏଡ୍‌ଡିଟିସ୍‌, ଆର୍ଥ୍ରାଇଟିସ୍‌, ମାଇସ୍ତେନିଆ ଗ୍ରାଭିସ୍‌ ଓ ସୋରିୟାସିସ୍‌ ଭଳି ଅଟୋଇମ୍ୟୁନ ଡିଜିଜ୍‌ରେ ପୀଡ଼ିତମହିଳାଙ୍କଠାରେ ଏହି ରୋଗ ହେବା ଆଶଙ୍କା ବଢ଼ିଯାଏ। ଏହାବ୍ୟତୀତ ପ୍ରଥମ ପିରିଅଡ ସମୟରେ ମଧ୍ୟ ଝିଅଙ୍କଠାରେ ଏହି ଆଶଙ୍କା ଅଧିକ ରହିଛି। କାରଣ ଏହି ସମୟରେ ଶରୀରରେ ଅନେକଗୁଡ଼ିଏ ହର୍ମୋନାଲ ପରିବର୍ତ୍ତନ ହୋଇଥାଏ।

ଲକ୍ଷଣ

ଗିଗାଣ୍ଟୋମାଷ୍ଟିଆ ରୋଗରେ ଟିସ୍ୟୁ ବଢ଼ିବା କାରଣରୁ ସ୍ତନର ଆକାର ଧିରେ ଧିରେ ବଢ଼ିବାରେ ଲାଗେ। ଏହାବ୍ୟତୀତ ସ୍ତନରେ ଯନ୍ତ୍ରଣା ଅନୁଭବ ହେବା, କାନ୍ଧ, ପିଠି ଓ ବେକମୁଣ୍ଡାରେ ଯନ୍ତ୍ରଣା, ସ୍ତନରେ ଲାଲ ଦାଗ ହେବା ବା କୁଣ୍ଡାଇ ହେବା, ସଂକ୍ରମଣ ହେବା ଆଦି ଗିଗାଣ୍ଟୋମାଷ୍ଟିଆର ଲକ୍ଷଣ ଅଟେ।

ଚିକିତ୍ସା
ସ୍ତନର ଟିସ୍ୟୁର ଗ୍ରୋଥ୍‌ ଓ ଅନ୍ୟ ଲକ୍ଷଣ ଦେଖିବା ପରେ ଡାକ୍ତର ସ୍ଥିର କରନ୍ତି, ମହିଳାଙ୍କୁ କିଭଳି ଟ୍ରିଟ୍‌ମେଣ୍ଟ କରାଯିବ। ଯଦି ସ୍ତନର ଆକାର ଅଧିକ ବଢ଼ି ଯାଇଥାଏ, ତେବେ ସର୍ଜରୀ କରିବା ଲାଗି ଡାକ୍ତର ପରାମର୍ଶ ଦିଅନ୍ତି। ଏହାବ୍ୟତୀତ ଏହି ରୋଗର ଚିକିତ୍ସା ମେଡିକେସନ୍‌ ଦ୍ବାରା ମଧ୍ୟ କରାଯାଇଥାଏ। କେତେକ କ୍ଷେତ୍ରରେ ହର୍ମୋନାଲ ଟ୍ରିଟ୍‌ମେଣ୍ଟ କରି ମଧ୍ୟ ଏହି ରୋଗର ଚିକିତ୍ସା କରାଯାଇଥାଏ। କମ୍‌ ବୟସରେ ଏହି ରୋଗ ହେଲେ ଡାକ୍ତର ଔଷଧ ଓ ମେଡିକେସନ୍‌ ମାଧ୍ୟମରେ ଚିକିତ୍ସା କରନ୍ତି। ସେହିପରି ଗର୍ଭବତୀ ଥିବା ସମୟରେ ଗିଗାଣ୍ଟୋମାଷ୍ଟିଆ ରୋଗର ଚିକିତ୍ସା ଔଷଧ ମାଧ୍ୟମରେ କରାଯାଇପାରିବ।

କିପରି ରକ୍ଷା ପାଇବେ
ପ୍ରଥମେ ସ୍ତନରେ ଯେ କୌଣସି ପ୍ରକାରର ସମସ୍ୟା ହେବା ଫଳରେ ତୁରନ୍ତ ଡାକ୍ତରଙ୍କ ପାଖରେ ଚେକ୍‌ଅପ୍‌ କରନ୍ତୁ। ଯାହାଫଳରେ ଉପଯୁକ୍ତ ସମୟରେ ରୋଗର ଚିହ୍ନଟ ହୋଇପାରିବ। ସପ୍ତାହରେ ୨ ଥର ଅଲିଭ୍‌ ଅଏଲ୍‌ରେ ସ୍ତନକୁ ମାଲିସ୍‌ କରନ୍ତୁ। ଏହାଦ୍ବାରା ବ୍ଲଡ୍‌ ସର୍କ୍ୟୁଲେସନ୍‌ ଠିକ୍‌ ରହିବା ସହିତ ସ୍ତନ ସହିତ ଜଡ଼ିତ ସମସ୍ତ ରୋଗରୁ ରକ୍ଷା ମିଳିପାରିବ। ସବୁଜ ପନିପରିବା  ସେବନ କରିବା ଦ୍ବାରା ଶରୀରକୁ ପ୍ରୋଟିନ୍‌ ଓ ଭିଟାମିନ୍‌ ମିଳିଥାଏ। ପ୍ରତ୍ୟେକ ଦିନ ଖାଦ୍ୟରେ ଏହାକୁ ସାମିଲ୍‌ କରିବା ଦ୍ବାରା ବ୍ରେଷ୍ଟର କୋଷିକାଗୁଡ଼ିକର ବିକାଶ ହୋଇଥାଏ। ଏହାଦ୍ବାରା ଆପଣ ସ୍ତନ ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ। ପ୍ରତ୍ୟେକ ଦିନ ବ୍ୟାୟାମ ଓ ଯୋଗ କରିବା ଉଚିତ। ମଦ୍ୟାପାନ, ଧୂମପାନ, ଜଙ୍କପୁଡ୍‌ ଓ କୋଲ୍ଡଡ୍ରିଙ୍କସ୍‌ ଭଳି ଅସ୍ବାସ୍ଥ୍ୟକର ଜିନିଷଠାରୁ ଦୂରେଇ ରହନ୍ତୁ। ଗର୍ଭବତୀ ଓ ସ୍ତନପାନ କରାଉଥିବା ମହିଳା ମାଟରନିଟି ବ୍ରା ବ୍ୟବହାର କରନ୍ତୁ। ସ୍ତନର ଚର୍ମ ସେନ୍‌ସଟିଭି ହୋଇଥାଏ। ତେଣୁ ଏଠାରେ ସନ୍‌ସ୍କ୍ରିନ୍‌ ଲୋଶନ୍‌ ଲଗାଇବା ଫଳରେ କ୍ୟାନ୍‌ସର ଭଳି ରୋଗ ଆଶଙ୍କା କମ୍‌ କରାଯାଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ