ପାରାଦୀପଠାରୁ ୯୫ କିମି ଦୂରରେ ବୁଲ୍‌ବୁଲ୍‌: ଆଉ ୪ ଘଣ୍ଟା ପବନ ସହ ବର୍ଷିବ


ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଆସନ୍ତା ୬ ଘଣ୍ଟା ପରେ ପଶ୍ଚିମବଙ୍ଗ ପାର ହୋଇ ବାଂଲାଦେଶ ମୁହାଁହେବ। ଏହା ବାଂଲାଦେଶର ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ଉତ୍ତର ଦିଗରେ ଗତି କରିବା ପରେ ଉତ୍ତର-ପୂର୍ବ ଦିଗକୁ ମୋଡ଼ ନେବା ଆରମ୍ଭ କଲାଣି। ବର୍ତ୍ତମାନ ସୁଦ୍ଧା ବୁଲ୍‌ବୁଲ୍‌ ପାରାଦୀପଠାରୁ ୯୫ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଏହା ଗତି କରୁଛି। ଶନିବାର ଅପରାହ୍ନ ୫ରୁ ରାତି ୧୦ଟା ଭିତରେ ଏହା ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି। ତେଣୁ ଆଉ ୪ରୁ ୫ ଘଣ୍ଟା ଯାଏ ବର୍ଷା ସହ ପବନ ଜାରି ରହିବ ବୋଲି କହିଛନ୍ତି ଏସ୍‌ଆର୍‌ସି।

ଏସ୍‌ଆରସିଙ୍କ ସୂଚନା ଅନୁଯାୟୀ, ‘ବୁଲ୍‌ବୁଲ୍‌’  ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇଛି। ବାଲେଶ୍ୱର, ଭଦ୍ରକରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହିଛି। ପାରାଦୀପ, ରାଜନଗର, ଚାନ୍ଦବାଲି, ବାସୁଦେବପୁରରେ ବହୁ ଗଛ ଉପୁଡ଼ିଛି। ଏନ୍‌ଡିଆରଏଫ୍‌, ଓଡ୍ରାଫ୍ ଟିମ୍ ଦ୍ୱାରା ଗଛ କଟା ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ବିଦ୍ୟୁତ୍‌  ଖୁଣ୍ଟ ଉପୁଡ଼ିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଅଢ଼େଇ ହଜାର ଲୋକଙ୍କୁ ସ୍ଥାନ୍ତର କରାଯାଇଛି। ଧାମରାରେ ୯ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଟିମ୍ ପହଞ୍ଚିଛି। ଫସଲ କ୍ଷୟକ୍ଷତି ନେଇ କୃଷି ସଚିବଙ୍କ ସହ ଆଲୋଚନା ହୋଇଛି। କ୍ଷୟକ୍ଷତି ଆକଳନ ପାଇଁ ଗୋଟିଏ ଟିମ୍ ବାହାରିଥିବା କହିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। ବାତ୍ୟା‘ବୁଲ୍‌ବୁଲ୍‌’ ଲାଗି ୧୦ଟି ଜିଲ୍ଲାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଗଞ୍ଜାମ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୁରଭଞ୍ଜରେ ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ  ନିର୍ଦେଶ ଦିଆଯାଇଛି। ଆଶ୍ରୟସ୍ଥଳୀରେ ଖାଦ୍ୟ ଏବଂ ପାନୀୟ ଜଳ ବ୍ୟବସ୍ଥା ରଖିବାକୁ କୁହାଯାଇଛି। ବାତ୍ୟା ପ୍ରଭାବିତ ସମସ୍ତ ଜିଲ୍ଲାରେ ସ୍କୁଲ୍‌, ଅଙ୍ଗନବାଡ଼ି କେନ୍ଦ୍ରକୁ ୨ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସମୁଦ୍ରରେ ମାଛ ମରାକୁ ୧୧ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି। ମୁଖ୍ୟ ଶାସନ ସଚିବ ଶନିବାର ସକାଳେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରକୁ ଯାଇ ‘ବୁଲ୍‌ବୁଲ୍‌’ ସ୍ଥିତି ସମୀକ୍ଷା କରିଛନ୍ତି।

ଅନ୍ୟପକ୍ଷରେ ୨୪ ଘଣ୍ଟା ଭିତରେ ରାଜନଗରରେ ସର୍ବାଧିକ ୧୮୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୭୫.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକ ଚାନ୍ଦବାଲିରେ ୧୫୦ ମିମି ବର୍ଷା ରେକର୍ଡ ହୋଇଛି। କେନ୍ଦ୍ରାପଡ଼ା ରାଜକନିକାରେ ୧୩୬ ମିମି ବର୍ଷା, ଜଗତସିଂହପୁରରେ ୧୦୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ‘ବର୍ଷା ହେବା ଫଳରେ କେତେକ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଛି। ପାରାଦୀପ ଓ ଏହାର ନିକଟବର୍ତ୍ତୀ ସମୁଦ୍ରକୂଳିଆ ଅଞ୍ଚଳ, ରାଜନଗର, ରାଜକନିକା, ମହାକାଳପଡ଼ା, ଭଦ୍ରକର ବାସୁଦେବପୁର, ଚାନ୍ଦବାଲି ଓ ବାଲେଶ୍ୱରର ଭୋଗରାଇ ଅଞ୍ଚଳରେ ଗଛ ଉପୁଡ଼ି ଯାଇଛି। ତେବେ ଯେଉଁ ସ୍ଥାନରେ ବର୍ଷା ଓ ପବନ କମି ଯାଇଛି, ସେହି ସବୁ ସ୍ଥାନରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଗଛ କଟା ଆରମ୍ଭ ହୋଇଛି’ ବୋଲି ଏସ୍‌ଆର୍‌ସି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ