ଉପକୂଳବର୍ତ୍ତୀ ଜିଲ୍ଲାରେ ଲାଗି ରହିଛି ‘ବୁଲ୍‌ବୁଲ୍‌’ ତାଣ୍ଡବ


ଭୁବନେଶ୍ବର: ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗର ସୁନ୍ଦରବନ ଆଡ଼କୁ ଆଡ଼ି ଚାଲିଛି ମହାବାତ୍ୟା ବୁଲ୍‌ବୁଲ୍‌। ଆଜି ସନ୍ଧ୍ୟାରେ ସୁନ୍ଦରବନର ଡେଲ୍‌ଟା ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବ ବୁଲ୍‌ବୁଲ୍‌।  ଏହା ପ୍ର୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ପବନରେ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ିଛି। କେତେକ ସ୍ଥାନରେ ପବନ ୧୦୦ କିଲୋମିଟରରୁ ଅଧିକ ବେଗରେ ମଧ୍ୟ ପ୍ରଭାବିତ ହେଉଛି। ବର୍ତ୍ତମାନ ବୁଲ୍‌ବୁଲ୍‌ ପାରାଦୀପଠାରୁ ୧୧୦ କିଲୋମିଟର ଦୂରରେ ରହିଛି। ତେବେ ‘ବୁଲ୍‌ବୁଲ୍‌’ ଓଡ଼ିଶା ସୀମା ଅତିକ୍ରମ କରିବାକୁ ଆଉ ୪ ରୁ ୫ ଘଣ୍ଟା ଲାଗିପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି। ସକାଳୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ଥାନୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ପାଣିପାଗ କେନ୍ଦ୍ରର ମହା ନିର୍ଦେଶକଙ୍କ ସହ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ର ସ୍ଥିତି ଓ ସେଥିଯୋଗୁଁ ହେଉଥିବା ବୃଷ୍ଟିପାତ ବିଷୟରେ ସମୀକ୍ଷା କରିଛନ୍ତି।

ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବଢ଼ିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ତେବେ କେନ୍ଦ୍ରାପଡ଼ାର ରାଜନଗରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ରାଜନଗରରେ ୧୮୦.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ରାଜକନିକାରେ ୧୩୬.୦ ମିଲିମିଟର ବର୍ଷା ହେଉଥିବା ବେଳେ ଭଦ୍ରକର ଚାନ୍ଦବାଲିରେ ୧୫୦.୧ ମିଲିମିଟର ରେକର୍ଡ କରାଯାଇଛି। ଗତକାଲି ଠାରୁ ପାରାଦୀପ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ବାଲେଶ୍ୱର ଓ କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗୁକ ୮୦ରୁ ୯୦ କିମି ବେଗରେ ପବନ ବହୁଛି। ତେବେ ବତ୍ତର୍ତ୍ତମାନ ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହୁଛି। ଶନିବାର ଅପରାହ୍ନ ସୁଦ୍ଧା ବାଲେଶ୍ୱର, ଭଦ୍ରକରେ ବର୍ଷାର ପରିମାଣ ବଢ଼ିବ। ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ଫଳରେ ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି। ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଭଦ୍ରକ ଜିଲ୍ଲାରେ ବୁଲ୍‌ବୁଲ୍‌ ପ୍ରଭାବ ବେଶ୍‌ ଅନୁଭୂତ ହୋଇଛି। ବିଭିନ୍ନ ସ୍ଥାନରେ ଗଡ଼ ପଡ଼ି ରାସ୍ତା ଅବରୋଧ ହୋଇଛି। ଏଥିସହିତ ଆଖଣ୍ଡଳମଣି-ଚାନ୍ଦବାଲି ରାସ୍ତା, ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତା ଆଦି ଜାଗାରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି।  ତେବେ ଲୋକେ ନିଜ ଘର ବଞ୍ଚାଇବା ପାଇଁ ନିଜେ ନିଜେ ଗଛ କାଟି ରାସ୍ତା ଅବରୋଧ ହଟାଉଛନ୍ତି। ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବିମାନେ ନିଜର ଡଙ୍ଗାକୁ ବୈତରଣୀ ନଦୀ ପାର୍ଶ୍ୱରେ ବାନ୍ଧି ଜଗି ରହିଛନ୍ତି। ତେବେ ଏବେବି ବର୍ଷା ଓ ପବନ ଲାଗି ରହିଛି । ବର୍ଷା ଦ୍ୱାରା ବ୍ୟାପକ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି। କେନ୍ଦ୍ରାପଡ଼ାର ଆଳି, ରାଜକନିକା ବ୍ଲକ୍‌ରେ ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିଛି। ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ପାରାଦୀପର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ତରଫରୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନ୍ତାନ୍ତର କରାଯାଉଛି। ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ଦ୍ୱାରା ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ଗଛକୁ ମଧ୍ୟ କାଟି ସଫା କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ