ମୁଖ୍ୟ ଖବର
ଅଯୋଧ୍ୟା ରାୟକୁ ଗ୍ରହଣ କରି ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ବର: ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ସୁପ୍ରିମ୍କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦେଶ ଦେଇଥିବା ବେଳେ ମସ୍ଜିଦ ପାଇଁ ବିକଳ୍ପ ସ୍ଥାନ ଚୟନ କରି ଅଯୋଧ୍ୟା ଭିତରେ ୫ ଏକର ଜମି ପ୍ରଦାନ ପାଇଁ ରାୟରେ କହିଛନ୍ତି ସୁପ୍ରିମ୍କୋର୍ଟ। ତେବେ ଏହି ରାୟ ପ୍ରକାଶ ପାଇବା ପୂର୍ବରୁ ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁପ୍ରିମ୍କୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରନ୍ତୁ। ସଭିଏଁ ଶାନ୍ତି ଓ ସଦ୍ଭାବରେ ବସବାସ କରିବା। ଭ୍ରାତୃତ୍ୱର ଉଚ୍ଛ୍ୱାସ ହେଉଛି ଆମ ଧର୍ମନିରପେକ୍ଷ ସମାଜଧାରାର ବୈଶିଷ୍ଟ୍ୟ। ତେଣୁ ରାୟକୁ ଗ୍ରହଣ କରିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି। ଏହାକୁ ନେଇ ଯେପରି କିଛି ଅପ୍ରିତିକର ସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ଦେଶବ୍ୟାପୀ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉତ୍ତର ପ୍ରଦେଶ ଛଡ଼ା ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, କେରଳ, ଉତ୍ତରାଖଣ୍ଡ, ତେଲେଙ୍ଗାନା, କର୍ଣ୍ଣାଟକ ପରି ରାଜ୍ୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମଧ୍ୟ ପ୍ରଦେଶର ସମସ୍ତ ସ୍କୁଲ୍ କଲେଜକୁ ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି। ଭୋପାଳରେ ୧୪୪ ଧାରା ଜାରି କରାଯାଇଛି। ତେଲେଙ୍ଗାନାର ହାଇଦ୍ରାବାଦରେ ମଧ୍ୟ କଡ଼ା ପ୍ରହରା ଦେଉଛନ୍ତି ସୁରକ୍ଷାକର୍ମୀ। ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁର ସମସ୍ତ ଜିଲ୍ଲାରୁ କଟକଣା ଉଠାଇ ଦିଆଯାଇଥିଲା। କିନ୍ତୁ ଏହି ରାୟକୁ ଦୃଷ୍ଟିରେ ରଖି ସମସ୍ତ ୧୦ ଜିଲ୍ଲାର ସ୍କୁଲ୍ କଲେଜ ଛୁଟି ଘୋଷଣା ସହିତ ୧୪୪ ଧାରା ଜାରି କରିଛି ସ୍ଥାନୀୟ ପ୍ରଶାସନ। ସେହିପରି ଓଡ଼ିଶାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଟକ ସହରରେ ୧୮ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ଅଯୋଧ୍ୟା ମାମଲାର ରାୟ ଶନିବାର ପୂର୍ବାହ୍ନ ୧୦ଟା ୩୦ରେ ପ୍ରକାଶ ପାଇଛି। ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ବିବାଦୀୟ ଜମି ରାମଲଲାଙ୍କର ବୋଲି କୋର୍ଟ ରାୟ ଦେଇଛନ୍ତି। ରାମ ଜନ୍ମଭୂମି ନ୍ୟାସ୍ ଟ୍ରଷ୍ଟକୁ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ସୁନ୍ନୀ ଓ୍ବାକଫ୍ ବୋର୍ଡକୁ ଅଯୋଧ୍ୟାରେ ଅନ୍ୟ ସ୍ଥାନରେ ୫ ଏକର ଜମି ଦିଆଯିବା ପାଇଁ ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି। ପୂର୍ବରୁ ଆସ୍ଥା ଓ ବିଶ୍ୱାସ ଆଧାର ଉପରେ ଫଇସଲା ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ