ଆଜି ଓଡ଼ିଶା ଅତିକ୍ରମ କରିବ ବାତ୍ୟା ବୁଲ୍‌ବୁଲ୍‌: ୪ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା

ମୁକାବିଲା ପାଇଁ ପ୍ରସ୍ତୁତ ସରକାର

ଭୁବନେଶ୍ବର: ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲ୍‌ବୁଲ୍‌। ତଥାପି ଭୟ କାରଣ ପାରଦ୍ବୀପ ଠାରୁ ମାତ୍ର ୧୨୦ କିଲୋମିଟର ଦୂର ଦେଇ ଅତିକ୍ରମ କରିବ ବାତ୍ୟା ବୁଲ୍‌ବୁଲ୍‌। ତେଣୁ ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟରେ ୪ଟି ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ପବନ ବେଗ ୭୦ ରୁ ୯୦ କିଲୋମିଟର ରହିବ। ଏହାକୁ ଦୃଷ୍ଟିରେ ରଖି ପୂରା ସଜାଗ ହୋଇଛନ୍ତି ରାଜ୍ୟ ସରକାର। ‘ବୁଲ୍‍ବୁଲ୍‍' ଘଣ୍ଟା ପ୍ରତି ୧୭ କିମି ବେଗରେ ଅଗ୍ରସର ହୋଇ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ତୀବ୍ରତା ଶନିବାର ଭୋର୍‌ ପରେ ବୃଦ୍ଧି ପାଇବ ଏବଂ କ୍ରମଶଃ ଦିଗ ପରିବର୍ତ୍ତନ କରି ଉତ୍ତର ପୂର୍ବ ଦିଗକୁ ଅଗ୍ରସର ହେବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳସ୍ଥ ସୁନ୍ଦରବନ ତ୍ରିକୋଣଭୂମି ମଧ୍ୟଦେଇ ସ୍ଥଳଭାଗରେ ପ୍ରବେଶ କରିବ। ଏନେଇ ରାଜ୍ୟ ସରକାର ପୁରା ସଜାଗ ରହିଥିବା ବେଳେ କେନ୍ଦ୍ର ମଧ୍ୟ ସ୍ଥିତି ଉପରେ ନଜର ରଖିଛି। କ୍ୟାବିନେଟ୍‌ ସଚିବ ରାଜୀବ ଗୌବୀ ଓଡ଼ିଆ ଓ ପଶ୍ଚିମବଙ୍ଗ ଉପରେ ବୁଲ୍‌ବୁଲ୍‌ର ପ୍ରଭାବ ନେଇ ସମୀକ୍ଷୀ କରିଛନ୍ତି।

ବାତ୍ୟା ବୁଲ୍‌ବୁଲ୍‌ ଏବେ ଭେରି ସିଭିୟର ସାଇକ୍ଲୋନ୍‌ରେ ପରିଣତ ହୋଇଛି। ୯ ତାରିଖ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଭେରି ସିଭିୟର ସାଇକ୍ଲୋନ ଭାବେ ଗତିଶୀଳ ରହିବ। ଏହାପରେ ଦୁର୍ବଳ ହେବ। ଏବଂ  ୧୦ ତାରିଖ ଭୋର୍‌ରୁ ବୁଲ୍‌ବୁଲ୍‌ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ତେବେ ଏହା ପୂର୍ବରୁ ଏହାର ଉତ୍ତର ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ଆଇଏମ୍‌ଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପାରାଦ୍ବୀପ ଠାରୁ ୨୨୦ ଶହ କିଲୋମିଟର ଦୂରରେ ଅଛି ବୁଲ୍‌ବୁଲ୍‌। ତେବେ ଓଡ଼ିଶା ଉପକୂଳରୁ ୧୨୦ କିଲୋମିଟର ଦୁରରେ ରହି ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ। ଓଡ଼ିଶାରେ ବୁଲ୍‌ବୁଲ୍‌ ଲାଣ୍ଡଫଲ୍‌ ନ କଲେ ବି ୪ଟି ଜିଲ୍ଲାରେ ଏହାର ପ୍ରଭାବ ପଢ଼ିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ବିଶେଷ କରି ବାଲେଶ୍ବର ଓ ଭଦ୍ରକ ଏଥିରେ ବେଶୀ ପ୍ରଭାବିତ ହେବ। ଏହା ସହିତ କେନ୍ଦ୍ରପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ କେତେକାଂଶରେ ଏହାର ପ୍ରଭାବ ପଡ଼ିବ। ଓଡ଼ିଶାକୁ ଅତିକ୍ରମ କରିବା ବେଳେ ୭୦ରୁ ୯୦ କିଲୋମିଟର ବେଗରେ ପବନ ବହିବ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ସମ୍ଭାବ୍ୟ ପ୍ରବଳ ବୃଷ୍ଟିପାତ ଓ ଝଡ଼ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଜନିତ ଯେକୌଣି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ସମୁଦ୍ର ତଟ୍ଟବର୍ତ୍ତୀ ଜିଲ୍ଲା ଓ ଏହାର ସଂଲଗ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଏତଦ୍‍ବ୍ୟତୀତ ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିବାକୁ ନିର୍ଦେଶ ଦିଆଯାଛି। ଏନେଇ ସ୍ୱତନ୍ତ୍ର ରିଲିଫ୍‍ କମିଶନର ସମୁଦ୍ର ତଟ୍ଟବର୍ତ୍ତୀ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଭିଡ଼ିଓ କନ୍‍ଫରେନସିଂ ମାଧ୍ୟମରେ ଆଲୋଚନା କରିବା ସହିତ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ନାହିଁ। ଆବଶ୍ୟକ ପଡ଼ିଲେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସ୍‌ଆର୍‌ସିଙ୍କ ପକ୍ଷରୁ ସୂଚନା ମିଳିଛି। ଜଗତ୍‌ସିଂହପୁରରେ ସମୁଦାୟ ୨୧୯ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି। ପାରାଦୀପରେ ୧୯ ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଥିବା ବେଳେ ତିର୍ତ୍ତୋଲରେ ୨୦୦ ଜଣଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି।

ବାତ୍ୟାଦ୍ୱାରା ପ୍ରଭାବିତ ହେବାକୁଥିବା ଜିଲ୍ଲା ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକରେ କଚ୍ଚା ଘରେ ଏବଂ ଖାଲୁଆ ଅଞ୍ଚଳରେ ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଏବଂ ସେମାନଙ୍କୁ ଆଶ୍ରୟସ୍ଥଳରେ ଆବଶ୍ୟକ ଖାଦ୍ୟ, ପାନୀୟଜଳ ଯୋଗାଇଦେବା ସହିତ ଆଶ୍ରୟସ୍ଥଳରେ ଆଲୋକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେଥିବା ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଆବଶ୍ୟକୀୟ ସୁବିଧା ସହିତ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରଭାବିତ ହେବାକୁଥିବା ସମସ୍ତ ୧୦ଟି ଜିଲ୍ଲା ଯଥା- ଗଞ୍ଜାମ, ପୁରୀ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାରେ ୨ଟି ଲେଖାଏଁ ଓଡ୍ରାଫ୍‍ ଟିମ୍‍ ଆଗୁଆ ମୁତୟନ କରାଯାଇଛି। ଏତଦ୍‍ବ୍ୟତୀତ ପୁରୀ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ୬ଟି ଏନ୍‍ଡିଆର୍‍ଏଫ୍‍ ଟିମ୍‍କୁ ମୁତୟନ କରାଯାଇଛି।

ସେହିପରି ବାତ୍ୟା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ ଆସନ୍ନ ବିପଦର ମୁକାବିଲା ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଅଛି ଏବଂ ସମୁଦ୍ର ତଟ୍ଟବର୍ତ୍ତୀ ୬ଟି ଜିଲ୍ଲାକୁ ଅନ୍ୟ ଜିଲ୍ଲାରୁ ୨ଟି ଲେଖାଏଁ ଅତିରିକ୍ତ ଅଗ୍ନିଶମ ବାହିନୀ ଟିମ୍‍ ପଠାଯାଇଛି। ଏତଦ୍‍ବ୍ୟତୀତ ରାଜ୍ୟସ୍ତରରେ ୬୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଉପକରଣ ଓ ଗାଡ଼ି ସହିତ ଆବଶ୍ୟକସ୍ଥଳେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ କରି ରଖାଯାଇଛି। ବାତ୍ୟାଦ୍ୱାରା ବିଦ୍ୟୁତ୍‍ ସରବରାହ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ତଥା ସେସୁ ଓ ନେସ୍କୋ ଅଧିକାରୀମାନଙ୍କୁ ବିଦ୍ୟୁତ୍‍ ଲାଇନ୍‍କୁ ତୁରନ୍ତ ମରାମତି ଓ ପୁନଃରୁଦ୍ଧାର କରିବା ପାଇଁ ଆଗୁଆ ପଦେକ୍ଷପ ନେବାପାଇଁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି, ଉପକରଣ ଏବଂ କୁଶଳୀ ଶ୍ରମିକଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ପରାମର୍ଶ ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ