ୟୁପି ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପ୍ରଧାନ ବିଚାରପତି


ଲକ୍ଷ୍ନୌ: ଆସନ୍ତା ସପ୍ତାହରେ ବହୁଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦର ଚୂଡ଼ାନ୍ତ ରାୟ ଆସିବ। ଆସନ୍ତା ନଭେମ୍ବର ୧୭ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଏହି ମାମଲାର ରାୟ ଶୁଣାଇବେ। ଏହି ସମ୍ବେଦନଶୀଳ ମାମଲାର ରାୟ ପ୍ରକାଶ ପାଇବା ପରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଓ ଏହାର ମୁକାବିଲା କରିବା ସକାଶେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ବିଶେଷକରି ସୁରକ୍ଷା ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି। ଏହି କ୍ରମରେ ଜଷ୍ଟିସ୍‌ ଗୋଗୋଇ ଶୁକ୍ରବାର ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ସେ ଅଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଛନ୍ତି। ଜଷ୍ଟିସ୍‌ ଗୋଗୋଇ ୟୁପି ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ଓ ଡିଜିପି ଓମ୍‌ ପ୍ରକାଶ ସିଂହଙ୍କ ସହ ଆଲୋଚନା କରିଛନ୍ତି।

ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରିପ୍ରେକ୍ଷୀରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ଦିଗରେ ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ସରକାର, ଅନ୍ୟାନ୍ୟ ରାଜ୍ୟ କିମ୍ବା ସୁପ୍ରିମ୍‌କୋର୍ଟଙ୍କଠାରୁ କୌଣସି ପ୍ରକାର ସହାୟତା ଆବଶ୍ୟକ କରୁଛନ୍ତି କି ନାହିଁ, ସେଥିନେଇ ମଧ୍ୟ ଜଷ୍ଟିସ୍‌ ଗୋଗୋଇ ସୁନିଶ୍ଚିତ ହୋଇଥିଲେ। ଶୁକ୍ରବାର ଅପରାହ୍ନରେ ଜଷ୍ଟିସ୍‌ ଗୋଗୋଇଙ୍କ ଚାମ୍ବର୍‌ରେ ଏହି ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ ଯେ ଆସନ୍ତା ୧୫ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ବିବାଦୀୟ ମାମଲାର ରାୟ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ମାମଲାର ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ ବେଗରେ କରି ଜଷ୍ଟିସ୍‌ ଗୋଗୋଇଙ୍କ ନେତୃତ୍ବାଧୀନ ୫ଜଣିଆ ଖଣ୍ଡପୀଠ ଗତ ଅକ୍ଟୋବର ୧୬ ତାରିଖରେ ଶୁଣାଣି ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ