ବାତ୍ୟା ’ବୁଲ୍‌ବୁଲ୍‌’ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ୍‌ ସଚିବ

ଭିଡିଓ କନଫରେନ୍ସ ଜରିଆରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା

ଭୁବନେଶ୍ବର: ବଙ୍ଗୋପସାଗରରେ ଦେଖାଦେଇଥିବା ବାତ୍ୟା ’ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଏହାର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ଲାଗି କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସମିତି (ଏନ୍‌ସିଏମ୍‌ସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସମୁଦ୍ରରେ ଅଧିକ ଘନିଭୂତ ହୋଇ ୧୦ ତାରିଖ ସକାଳେ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ୧୧୦ରୁ ୧୨୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଏଥିସହିତ ସମୁଦ୍ରରେ ଦେଢ଼ ମିଟର ଉଚ୍ଚ ଜୁଆର ଉଠିପାରେ। ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବାତ୍ୟା ମୁକାବିଲା ପାଇଁ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ ଏବଂ ଅଗ୍ନିଶମ ବାହିନୀକୁ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କରାଯାଇଛି। ସମୁଦ୍ରରେ ମାଛ ମାରିବାକୁ ବାରଣ କରାଯାଇଛି। ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି। ଏନ୍‌ଡିଆର୍‌ଏଫ୍‌ର ୧୪ଟି ଟିମ୍‌କୁ ନିୟୋଜିତ କରାଯାଇଥିବା ବେଳେ ରାଜ୍ୟଗୁଡ଼ିକର ଅନୁରୋଧ କ୍ରମେ ଅତିରିକ୍ତ ଦଳକୁ ନିୟୋଜିତ କରାଯାଉଛି।

ଉପକୂଳ ସୁରକ୍ଷା ବାହିନୀ, ଭାରତୀୟ ନୌସେନାକୁ ନିୟୋଜିତ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ସେନା ଓ ବାୟୁସେନାର ସହାୟତା ନିଆଯିବ। କ୍ୟାବିନେଟ୍‌ ସଚିବ ବର୍ତ୍ତମାନର ସ୍ଥିତି ସହିତ ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟ ପ୍ରସ୍ତୁତି ସମୀକ୍ଷା କରିଥିଲେ। ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେ ନିର୍ଦେଶ ଦେଇଥିଲେ। ଭିତ୍ତିଭୂମି ଏବଂ ଧନଜୀବନ ହାନି ଜନିତ କ୍ଷୟକ୍ଷତି ଏଡ଼ାଇବା ପାଇଁ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେବା ସହିତ ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଶେଷ କରି ଜୀବନ ହାନି ଏଡ଼ାଇବା ଲାଗି ସାଗର ଦ୍ୱୀପ, ଉତ୍ତର ଏବଂ ଦକ୍ଷିଣ ୨୪ ପରଗଣା, ପୂର୍ବ ମେଦିନାପୁର ଆଦି ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରାଇ ଆଣିବା ପାଇଁ ଦୁଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ଏହି ବୈଠକରେ ସ୍ବରାଷ୍ଟ୍ର, ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ଭାରତୀୟ ପାଣିପାଗ ବିଭାଗ, ଏନ୍‌ଡିଆର୍‌ଏଫ୍‌ ଓ ଏନ୍‌ଡିଏମ୍‌ଏର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସେହିପରି ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଭାଗ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ