ଆମେରିକା-ଚୀନ୍‌ ବାଣିଜ୍ୟିକ ଯୁଦ୍ଧରେ ଭଟ୍ଟା!

ପର୍ଯ୍ୟାୟ କ୍ରମେ କଟକଣା ହଟାଯିବା ନେଇ ଉଭୟ ଦେଶ ସହମତ

ବିଗତ ଦିନରେ ଆମେରିକା ଓ ଚୀନ୍‌ ପରସ୍ପରଠାରୁ ଆମଦାନି କରୁଥିବା ସାମଗ୍ରୀ ଉପରେ ଅତ୍ୟଧିକ ଟିକସ ଲାଗୁ କରିବା ପରେ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ତେବେ ନିକଟରେ ଆମେରିକା ଏହି କଟକଣାକୁ ପର୍ଯ୍ୟାୟ କ୍ରମେ ପ୍ରତ୍ୟାହାର କରିବା ସକାଶେ ଘୋଷଣା କରିଥିବା ବେଳେ ଏବେ ଚୀନ୍‌ ଏଥିରେ ସହମତ ହୋଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଚୀନ୍‌ ବାଣିଜ୍ୟିକ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଅବଶ୍ୟ ଏନେଇ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ସମ୍ପର୍କରେ କିଛି ବି ସୂଚନା ଦିଆଯାଇନାହିଁ। କିନ୍ତୁ ଆଗାମୀ ଦିନରେ ଆମେରିକା ଓ ଚୀନ୍‌ ମଧ୍ୟରେ ଏକ ସାମୟିକ ବ୍ୟବସାୟିକ ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ବଢ଼ିଯାଇଛି। ଏପରି ସ୍ଥିତିରେ ଆସନ୍ତା ଡିସେମ୍ବର ୧୫ ତାରିଖରେ ଆମେରିକା ଚୀନ୍‌ ସାମଗ୍ରୀ ଉପରେ ୧୨୧ ବିଲିୟନ୍‌ ଡଲାର୍‌ର ଅତିରିକ୍ତ ଟିକସ ଲଗାଇବା ପାଇଁ ଆମେରିକା ନେଇଥିବା ନିଷ୍ପତ୍ତିରୁ ବସ୍ତୁତଃ ଓହରିଯିବାର ସମ୍ଭାବନା ମଧ୍ୟ ରହିଛି।

ଆମେରିକା ଚୀନ୍‌ରୁ ଆମଦାନି କରୁଥିବା ସେଲ୍‌ ଫୋନ୍‌, ଲ୍ୟାପ୍‌ଟପ୍‌, କମ୍ପ୍ୟୁଟର୍‌ ଓ ଖେଳନା ଆଦି ସମେତ ବିଭିନ୍ନ ସାମଗ୍ରୀ ଉପରେ ଉପରୋକ୍ତ ପରିମାଣର ଅତିରିକ୍ତ ଟିକସ ଲାଗୁ କରିବା ସକାଶେ ପୂର୍ବରୁ ଘୋଷଣା କରିଥିଲା। ତେବେ ଗୁରୁବାର ଚୀନ୍‌ର ବାଣିଜ୍ୟିକ ମନ୍ତ୍ରାଳୟ ମୁଖପାତ୍ର ଗାଓ ଫେଙ୍ଗ୍‌ କହିଛନ୍ତି ଯେ କୌଣସି ପ୍ରକାର ଚୁକ୍ତିନାମା ସ୍ବାକ୍ଷର ପୂର୍ବରୁ ଅତିରିକ୍ତ ଟିକସ ପ୍ରତ୍ୟାହାର କରିବା ନିଷ୍ପତ୍ତି ଏକ ଗୁରୁତ୍ବପୂର୍ଣ୍ଣ ସର୍ତ୍ତ। ଆଗାମୀ ଦିନରେ ଉଭୟ ଆମେରିକା ଓ ଚୀନ୍‌ ପରସ୍ପରଠାରୁ ଆମଦାନି କରୁଥିବା ସାମଗ୍ରୀ ଉପରେ ପୂର୍ବରୁ ଲାଗୁ ହୋଇଥିବା ଅତିରିକ୍ତ ଟିକସକୁ ପର୍ଯ୍ୟାୟ କ୍ରମେ ହ୍ରାସ କରିବେ। ଉଭୟ ଦେଶ ମଧ୍ୟରେ ଅତିରିକ୍ତ ଟିକସ ଧାର୍ଯ୍ୟକୁ କେନ୍ଦ୍ର କରି ବ୍ୟବସାୟିକ ଯୁଦ୍ଧ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଉଭୟ ଦେଶ ଏହାକୁ ପ୍ରତ୍ୟାହାର କରିନେବା ସକାଶେ ନିଷ୍ପତ୍ତି ନେଇଥିବାରୁ ବ୍ୟବସାୟିକ ଯୁଦ୍ଧ ଏଇଠି ଶେଷ ହୋଇଛି ବୋଲି କହିଲେ ଭୁଲ୍‌ ହେବ ନାହିଁ ବୋଲି ଫେଙ୍ଗ୍‌ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ