ପବିତ୍ର ପଞ୍ଚକ: ପାପ ଧୋଇବାର ପ୍ରକୃଷ୍ଟ ସମୟ

ସାରା ଓଡ଼ିଶା ଉତ୍ସବମୁଖର: ଦେବାଳୟରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼

ଓଡ଼ିଶା ପର୍ବପର୍ବାଣୀର ରାଜ୍ୟ। ଏଠି ବାର ମାସରେ ତେରପର୍ବ ପାଳନ କରାଯାଏ। ପ୍ରତ୍ୟେକ ପର୍ବପର୍ବାଣୀର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି। ଉତ୍କଳୀୟ ପର୍ବପର୍ବାଣୀ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ। ପର୍ବପର୍ବାଣୀଗୁଡ଼ିକରେ ଜନଜୀବନର ସଂସ୍କୃତି, ଜାତୀୟତା ବୋଧ ଓ ଧର୍ମଧାରଣା ଆଦି ସଂଶ୍ଳିଷ୍ଟ। ଉତ୍କଳୀୟ ପର୍ବପର୍ବାଣୀ ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ। ବିଶେଷତଃ ପର୍ବପର୍ବାଣୀ, ଓଷାବ୍ରତ ଓ ଯାନିଯାତ୍ରାଗୁଡ଼ିକ ତିଥି, ବାର, ନକ୍ଷତ୍ର, କୃଷିକର୍ମ, ଦେବଦେବୀ, ଶାସ୍ତ୍ରୀୟ କାହାଣୀ, ଲୋକକଥା, ଆନନ୍ଦ ମହୋତ୍ସବ ପାଇଁ ପାଳିତ ହୋଇଥାଏ। ଉତ୍କଳୀୟ ପର୍ବପର୍ବାଣୀଗୁଡ଼ିକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇ ପାରେ। ଯଥା ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷି ଭିତ୍ତିକ। ତେବେ ସବୁ ପର୍ବ ପର୍ବାଣୀ ଓ ବତ୍ରଠାରୁ ଭିନ୍ନ ହେଉଛି କାର୍ତ୍ତିକ ବ୍ରତ। କୁହାଯାଏ,କାର୍ତ୍ତିକ ପରି ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ। କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ। ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତୀବ ପବିତ୍ର ଦିବସ ପଞ୍ଚକ ଭାବେ ଗଣାଯାଏ। ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ବୋଲି ମଧ୍ୟ କୁହାଯାଏ।

ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ ପାଳନ କରନ୍ତି। ଅନେକେ ଅଁଳା ନବମୀରେ ରାଧାପାଦ ଦର୍ଶନ ଦିନ ଠାରୁ ସାତଦିନ ପର୍ଯ୍ୟନ୍ତ ହବିଷ କରନ୍ତି। ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ ସାତ୍ତ୍ୱିକ ଆହର ଗ୍ରହଣ କରନ୍ତି। ଏହି ପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି। ତେଣୁ ଏହାକୁ 'ବକ ପଞ୍ଚକ' ମଧ୍ୟ କୁହାଯାଏ। ସେହିପରି ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି ବୋଲି କୁହାଯାଏ। ଏହି ସମୟରେ ଏକଲକ୍ଷ ତୁଳସୀ ପତ୍ର ଅର୍ପଣ କରି ବିଷ୍ଣୁଙ୍କୁ ପୂଜା କଲେ ସମସ୍ତ ଦେବଦେବୀ ପ୍ରସନ୍ନ ହୋଇଥାନ୍ତି। ‘ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି।’ ଏହି ଶ୍ଲୋକ ପାଠ କଲେ ଭଗବାନ୍ ବିଷ୍ଣୁ ମନୋବାଞ୍ଛିତ ବର ପ୍ରଦାନ କରଥାନ୍ତି ବୋଲି ବିଶ୍ବାସ ରହିଛି। ପାଞ୍ଚଦିନ ଗୋବିନ୍ଦ ନାମ ସ୍ମରଣ କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତିହୁଏ ବୋଲି ବିଶ୍ବାସ ରହିଛି। ତେଣୁ ଏହି ପଞ୍ଚକ ପାଞ୍ଚଦିନକୁ ପ୍ରାୟ ସମସ୍ତେ ବେଶ୍‌ ଆଗ୍ରହର ସହ ପାଳିଥାନ୍ତି। ଚଳିତ ବର୍ଷ ନଭେମ୍ବର ୮ ତାରିଖରୁ ଏହି ପଞ୍ଚକ ଆରମ୍ଭ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୧୨ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମୀ ଅବସରରେ ଏହା ସମାପ୍ତ ହେବାକୁ ଯାଉଛି।

ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶେଷ ୫ ଦିନକୁ ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଇଥାଏ। ଏହି ବ୍ରତ କଲେ ଏକ ହଜାର ଏକାଦଶୀ ବ୍ରତର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମହାଭାରତରେ ଉଲ୍ଲେଖ ରହିଛି ଗଙ୍ଗାପୁତ୍ର ଭୀଷ୍ମ ଶରଶଯ୍ୟାରେ ଥିବା ସମୟରେ ଏହି ପାଞ୍ଚ ଦିନ ପାଣ୍ଡବଙ୍କୁ ନୀତି ଶିକ୍ଷା ଦେଇଥିଲେ। ଭୀଷ୍ମ ପିତାମହ ଶରଶଯ୍ୟା ଉପରେ ଶୟନ କରି ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ଆଦି ବର୍ଣ୍ଣନା କରିଥିଲେ। ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ। ଏଥିରେ ପ୍ରସନ୍ନ ହୋଇ ବାସୁଦେବ ଶ୍ରୀକୃଷ୍ଣ କହିଥିଲେ, ଆପଣ ଧନ୍ୟ। ଇତ୍ୟବସରରେ ଭୀଷ୍ମ ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଥିଲେ। ଭୀଷ୍ମ ଇଛାମୃତ୍ୟୁ ବରପ୍ରାପ୍ତ ହୋଇଥିଲେ। ତେଣୁ ଏହି ପବିତ୍ର ସମୟରେ ଦେହତ୍ୟାଗ କରିବା ପାଇଁ ଇଛା ପ୍ରକାଶ କରିଥିଲେ। ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ଦେହତ୍ୟାଗ କଲେ ଜନ୍ମ ଜନ୍ମାନ୍ତରର ପାପ କ୍ଷୟ ହେବା ସହିତ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ପ୍ରଭୁ ଶ୍ରୀକୃଷ୍ଣ ସୂଚନା ଦେଇଥିଲେ। ତେଣୁ ଭୀଷ୍ମ ଉତ୍ତରାୟଣ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଶ୍ରୀକୃଷ୍ଣଙ୍କ ଆଦେଶାନୁସାରେ ଅର୍ଜୁନ ଭୀଷ୍ମକୁ ଜଳ ଅର୍ପଣ କରିଥିଲେ। ଏହି କ୍ରମେ କାର୍ତ୍ତିକ ଏକାଦଶୀ ଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ଜଳ ଅର୍ଘଦାନ କରି ଶ୍ରୀହରିଙ୍କୁ ଧ୍ୟାନ କରନ୍ତି, ସେମାନଙ୍କ ମୋକ୍ଷ ପ୍ରାପ୍ତିର ମାର୍ଗ ପ୍ରଶସ୍ତ ହେବ ବୋଲି ବାସୁଦେବ କହିଥିଲେ। ଏହି ପାଞ୍ଚ ଦିନ ସକାଳୁ ଉଠି ସୂର୍ଯ୍ୟୋଦୟ ପୂର୍ବରୁ ତିଳ ମିଶ୍ରିତ ଜଳରେ ସ୍ନାନ କଲେ ଅଶେଷ ପୁଣ୍ୟ ମିଳେ। ଏହି ଅବସରରେ ଶ୍ରଦ୍ଧାଳୁ ପବିତ୍ର ନଦୀରେ ସ୍ନାନ କରି ଏହି ମନ୍ତ୍ର ଜପ କରିଥାନ୍ତି।

‘ସତ୍ୟବ୍ରତାୟ ଶୁଚିୟେ ଗାଙ୍ଗେୟାୟ ମହାତ୍ମନେ।
ଭୀଷ୍ମାୟୈତଦ୍ ଦଦାମ୍ୟର୍ଘ୍ୟ ମାଜନ୍ମ ବ୍ରହ୍ମଚାରିଣେ।।’

ଅର୍ଥାତ, ଆଜନ୍ମ ବ୍ରହ୍ମଚର୍ଯ୍ୟ ପାଳନକର୍ତ୍ତା ପରମ ପବିତ୍ର ସତ୍ୟବ୍ରତ ପରାୟଣ ଗଙ୍ଗାନନ୍ଦନ ଭୀଷ୍ମଙ୍କୁ ମୁଁ ଏହି ଅର୍ଘ୍ୟ ପ୍ରଦାନ କରୁଛି। ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମ ପଞ୍ଚକ ବ୍ରତ ପାଳନ କରିଥାନ୍ତି।

ଏହି ପଞ୍ଚକକୁ ‘ବକ ପଞ୍ଚକ’ ବୋଲି ମଧ୍ୟ କୁହାଯାଏ। ‘ବକ ପଞ୍ଚକ’ ଶୀର୍ଷକରେ ଓଡ଼ିଆରେ ଗୋଟିଏ କଥା ଅଛି। ଏହି ପାଞ୍ଚ ଦିନରେ ପରମ ଆମିଷାଶୀ ବକ କୁଆଡ଼େ ଆମିଷ ସ୍ପର୍ଶ କରେ ନାହିଁ। ଏହା ବାସ୍ତବରେ ସତ୍ୟ କି ନୁହେଁ, ତାହା ତ ଜଣାନାହିଁ। କିନ୍ତୁ ଏହାର ବିଶେଷ ତାତ୍ପର୍ଯ୍ୟ ରହିଛି। କାର୍ତ୍ତିକ ମାସରେ ଆମିଷ ଭକ୍ଷଣ ନିଷେଧ। ଏ କଥାକୁ ଏହାଦ୍ବାରା ପ୍ରାଧାନ୍ୟ ଦିଆଯାଇଛି। କୁହାଯାଏ, ଏହି ୠତୁରେ ଶରୀରରେ ପାଚନ ଶକ୍ତି ପ୍ରବଳ ଭାବରେ ବୃଦ୍ଧି ପାଇଥାଏ। ଏହା ଫଳରେ ଶରୀରରେ ପିତ୍ତର ପ୍ରକୋପ ଅଧିକ ହୁଏ। ମାଛ ଓ ମାଂସ ଅତ୍ୟନ୍ତ ପିତ୍ତବର୍ଦ୍ଧକ। ପୁଣି ଏସବୁ ରନ୍ଧନ ପାଇଁ ମାତ୍ରାଧିକ ତେଲ, ମସଲା ବ୍ୟବହାର କରାଯାଏ। ଏହା ଫଳରେ ପିତ୍ତ ବୃଦ୍ଧି ପାଇ ପିତ୍ତଜନିତ ରୋଗ, ବିଶେଷକରି କାମଳ ରୋଗ ହେବାର ଆଶଙ୍କା ମଧ୍ୟ ଦେଖାଯାଇଥାଏ। ସେଥିପାଇଁ ଏହି ୠତୁରେ ଆମିଷ ଭକ୍ଷଣକୁ ନିଷେଧ କରାଯାଇଛି। ଏହି ମାସରେ ଆମିଷ ନ ଖାଇବାର ବିଜ୍ଞାନ ସମ୍ମତ କାରଣ ମଧ୍ୟ ଅଛି। ଏହି ମାସରେ ମାଛମାନଙ୍କୁ ରୋଗ ହୋଇଥାଏ।  ସେଥିପାଇଁ ଏହି ସମୟରେ ମାଛ ଖାଇଲେ ଆମ ଶରୀରରେ ତାହାର ସଂକ୍ରମଣ ହେବାର ଆଶଙ୍କା ଦେଖାଦିଏ। ଏହା ଫଳରେ ବିଶେଷ କରି ଚର୍ମରୋଗ ଆଦି ହେବାର ଆଶଙ୍କା ଥାଏ। ତେଣୁ ଆମ ଧର୍ମ ଧାରଣା ଅନ୍ଧବିଶ୍ୱାସ ନୁହେଁ, ବରଂ ବିଜ୍ଞାନ, ଆଧ୍ୟାତ୍ମିକତା ଉପରେ ଆଧାରିତ। ପ୍ରାତଃସ୍ନାନ ଶରୀର ପକ୍ଷରେ ହିତକର। ମାସ ଯାକ ପ୍ରାଃତସ୍ନାନ କରି ଲୋକମାନେ ରାଇଦାମୋଦର ବ୍ରତ ପାଳନ କରନ୍ତି। କିଛି ନ ହେଲେ ଏହି ମହାପଞ୍ଚକ ପାଞ୍ଚଦିନ ବ୍ରତ ପାଳନ କରନ୍ତି। ଏହି ବ୍ରତ ପରି ପୁଣ୍ୟବ୍ରତ ଆଉକିଛି ନାହିଁ। ତେଣୁ କୁହାଯାଇଛି, ଯିଏ ଏହି ମହାପଞ୍ଚକ ବ୍ରତ କରନ୍ତି, ସେ ଧନ୍ୟ ଏବଂ ପୂଜନୀୟ। ଏହାଦ୍ବାରା ମନୁଷ୍ୟର ସମସ୍ତ ପାପ ତତ୍କାଳ ନଷ୍ଟ ହୋଇଯାଏ। ଯେଉଁମାନେ ଏହି ଧର୍ମମାସରେ ତୁଳସୀବୃକ୍ଷ ମୂଳରେ ରାଧା ଏବଂ ଶ୍ରୀକୃଷ୍ଣ, ରାଇ-ଦାମୋଦର ମୂର୍ତ୍ତି ରଖି ନିଷ୍କାମ ଭାବରେ ପୂଜାକରନ୍ତି, ସେମାନଙ୍କ ପାୟ କ୍ଷୟ ହୋଇଥାଏ।

ପଞ୍ଚକରେ ଭଗବାନ ଶ୍ରୀହରିଙ୍କୁ ବିଧିବିଧାନ ମୁତାବକ ପୂଜା କରାଯାଇଥାଏ। ଏହାର ମହତ୍ତ୍ୱ ପଦ୍ମ ପୁରାଣ ଏବଂ ସ୍କନ୍ଦ ପୁରାଣରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛ। ବିଶ୍ୱାସ ଅନୁଯାୟୀ ପଞ୍ଚକରେ ବ୍ରତ ଏବଂ ତପ କରୁଥିବା ସାଧକମାନେ ବିଶେଷ ଲାଭ ପାଇଥାନ୍ତି। ମାସ ସାରା ବତ୍ର କରିପାରି ନ ଥିବା ବ୍ୟକ୍ତି ବିଶେଷ ପଞ୍ଚକ ପାଞ୍ଚଦିନ ଧରି ବ୍ରତ ପାଳନ କରିଥାନ୍ତି। ମହିଳାମାନେ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିଥାନ୍ତି। ସକାଳ ସ୍ନାନ କରି ବିଷ୍ଣୁଙ୍କ ରାଧାଦାମୋଦର ସ୍ୱରୂପର ପୂଜା କରିଥାନ୍ତି। ଅନ୍ୟ ମାସ ଅପେକ୍ଷା କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ମହତ୍ତ୍ବ ରହିଛି। ମାନ୍ୟତା ଅନୁଯାୟୀ, ତୁଳସୀ ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ। ତୁଳସୀ ପୂଜା ଜରିଆରେ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଇପାରିବ। ଶାସ୍ତ୍ରରେ ଏ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି ଯେ ତୁଳସୀଙ୍କ କଥା ଭଗବାନ ବିଷ୍ଣୁ କେବେ ଟାଳି ନ ଥାନ୍ତି। ଏପରି ସ୍ଥିତିରେ ବିଧିପୂର୍ବକ ତୁଳସୀଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ, ରୋଗ ଆଦି ଦୂର ହୁଏ। ପଞ୍ଚକରେ ଦୀପଦାନ ବେଶ୍ ମହତ୍ତ୍ୱପୂର୍ଣ୍ଣ। ନଦୀରେ ସ୍ନାନ କରି ମନ୍ଦିରରେ ଦୀପଦାନ କରିବା ସହିତ ଆକାଶ ଦୀପ ଜଳାଯାଏ। ପିତୃପୁରୁଷଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ପଥକୁ ଆଲୋକିତ କରିବା ସକାଶେ ସୁଉଚ୍ଚ ସ୍ଥାନରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଏ। ବିଶ୍ୱାସ ଅଛି ଯେ ଏହି ମାସରେ ମା’ ଲକ୍ଷ୍ମୀଙ୍କୁ ଦୀପଦାନ କଲେ ତାଙ୍କରି ଆଶୀର୍ବାଦ ପ୍ରାପ୍ତ ହୁଏ। ଘରେ ଅଭାବ ଅସୁବିଧା ରହେନାହିଁ। କାର୍ତ୍ତିକ ମାସ, ବିଶେଷକରି ପଞ୍ଚକରେ ମୃତ୍ୟୁବରଣ କଲେ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗାରେ ସ୍ନାନ ପରେ ଦୀପଦାନ କରି ହବିଷ ଭୋଜନ କଲେ ସାଂସାରିକ ପାପତାପରୁ ମୁକ୍ତି ମିଳେ। ଅନ୍ନ, ଧନ ଓ ବସ୍ତ୍ରଦାନ କଲେ ବେଶ୍ ପୁଣ୍ୟ ଅର୍ଜନ ହୁଏ। ଶେଷରେ ବ୍ରତଧାରୀମାନେ ପୂର୍ଣ୍ଣିମା ଦିନ ପୋଖରୀ ଓ ନଦୀରେ କଦଳୀ ପଟୁଆରେ ପାନଗୁଆ ଥୋଇ ଦୀପ ଜଳାଇ ବ୍ରତ ଭାଙ୍ଗିବା ପାଇଁ ଗାଇଥାନ୍ତି ‘ଆ କା ମା ବୈ, ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧର୍ମ ମୋର।’

ସେହିପରି ପୁରୀ ଶ୍ରୀମନ୍ଦିରରେ ପଞ୍ଚକରେ ଶ୍ରୀଜୀଉମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ। ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ, ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଏବଂ ପୂର୍ଣ୍ଣମୀରେ ରାଜରାଜେଶ୍ୱର ବେଶ ବା ସୁନାବେଶ ଆଦି ଅନୁଷ୍ଠିତ ହୁଏ। ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ। ଠାକୁରମାନଙ୍କ ଏହି ବେଶ ସହିତ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ଆଦି ନୀତି ଅନୁଷ୍ଠିତ ହୋଇଥାଏ। ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ବେଶ, ଅଳଙ୍କାର ଆଦି ମଇଲମ ଆଦି ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ପଞ୍ଚକ ପାଞ୍ଚଦିନରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶକୁ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ। ନାଗାର୍ଜୁନ ବେଶ ଦର୍ଶନ କଲେ ଜନ୍ମ ଜନ୍ମାନ୍ତରର ପାପ ନାଶ ହୋଇ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଅର୍ଜୁନଙ୍କ ପୁତ୍ର ଶହସ୍ରାର୍ଜୁନ ବା ନାଗାର୍ଜୁନଙ୍କ ସହିତ ଯୁଦ୍ଧ ସମୟରେ ମହାପ୍ରଭୁଙ୍କ ଏହା ଏକ ବୀର ବେଶ ଥିଲା ପୁରାଣରେ ବର୍ଣ୍ଣିତ ଅଛି। ନାଗାର୍ଜୁନଙ୍କୁ ପ୍ରଭୁ ପର୍ଶୁରାମ ବଧ କରିବା ସମୟରେ ଏହି ବେଶ ଧାରଣ କରିଥିଲେ ବୋଲି ପୁରାଣରେ ଉଲ୍ଲେଖ ଅଛି। ପୂର୍ବରୁ ମହାପ୍ରଭୁଙ୍କ ଏହି ବେଶ ୧୯୬୬, ୧୯୮୩ ଏବଂ ୧୯୯୪ରେ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨୫ ବର୍ଷ ପରେ ପୁଣିଥରେ ଆସନ୍ତା ୨୦୨୦ରେ ମହାପ୍ରଭୁ ଧାରଣ କରିବାକୁ ଯାଉଛନ୍ତି ଏହି ବେଶ। କାରଣ ୨୦୨୦ର କାର୍ତ୍ତିକ ମାସରେ ପଞ୍ଚୁକ ୬ ଦିନ ହେବ। ତେଣୁ ୨୦୨୦ ନଭେମ୍ବର ୨୭ରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଦର୍ଶନ କରିବାର ଅପୂର୍ବ ସୁଯୋଗ ଲାଭ କରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ