ଭୟଙ୍କର ହେଉଛି ‘ବୁଲ୍‌ବୁଲ୍’‌: ଉପକୂଳ ଜିଲ୍ଲାରେ ବର୍ଷା ସହ ପବନ ଆରମ୍ଭ


ଭୁବନେଶ୍ବର: ବାତ୍ୟା ‘ବୁଲ୍‌ବୁଲ୍’ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଏହା ପାରାଦୀପ ଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ବୁଲ୍‌ବୁଲ୍‌ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଉଛି। ୧୦ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେହିପରି ୯ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବର ସମ୍ଭାବନା ରହିଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ଶୁକ୍ରବାର ସୂଚନା ଦେଇଛନ୍ତି। ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ। ଏଥିସହ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବି ପବନର ବେଗ ବଢ଼ିବ ବୋଲି କହିଛନ୍ତି ଏସ୍‌ଆର୍‌ସି। ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଦୁଇଟି ଦିଗ ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ଗଲା ଫନି ବାତ୍ୟାରେ ଅନେକ ଗଛ ଉପୁଡ଼ିବା, ବିଦ୍ୟୁତ ଖୁଣ୍ଟ ସହ ଟେଲିକମ୍ ଟାଓ୍ବାର ଭାଙ୍ଗିଥିଲା। ଯଦିଓ ଏହାର ରିଷ୍ଟୋରେସନ୍‌ ହୋଇଛି, ତେବେ ବି ଅନେକ ଖୁଣ୍ଟର ମୂଳଦୁଆ ଦୁର୍ବଳ ରହିଛି। ଠିକ୍ ଭାବରେ ରୁଟିଂ ହୋଇ ନ ଥିବ। ସେଥିପାଇଁ ଆଜିଠୁ ମ୍ୟାନ୍‌ ପାଓ୍ବାର ଓ ଠିକାଦାର ପାଖରେ ରଖନ୍ତୁ। ନଇଁକି ଥିବା ଗଛର ମୂଳ ଦୁର୍ବଳ ଥିଲେ ଉପୁଡ଼ିବା ସହ କ୍ଷତି କରିବାର ଯଥେଷ୍ଟ ଆଶଂକା ରହିଛି। ପୂର୍ତ୍ତ, ଆରଡ଼ି ଓ ଅଗ୍ନିଶମ ବିଭାଗକୁ ବାତ୍ୟା ପରବର୍ତ୍ତୀ ପ୍ରଭାବରେ ତୁରନ୍ତ ରାସ୍ତା ସଫା କରିବାକୁ କୁହାଯାଇଛି। ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି, ଆବଶ୍ୟକତାକୁ ଦେଖି ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତରଣ କରିବେ। ରିଲିଫ୍ କୋଡ ଅନୁସାରେ ରନ୍ଧା ଖାଦ୍ୟ ସହ ଅନ୍ୟ ସୁବିଧା ଯୋଗାଇ ଦିଆଯିବ।

ଏସ୍‌ଆର୍‌ସି କହିଛନ୍ତି ଶୁକ୍ରବାର ୬୫ କିମି ବେଗରେ ପବନ ବହିବା ସହ ଆସନ୍ତାକାଲି ଅର୍ଥାତ ଶନିବାର ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ୭୦ରୁ ୯୦ କିମି ବେଗରେ ପବନ ବହିପାରେ। ଶୁକ୍ରବାର ପୁରୀ, ଗଞ୍ଜାମ ୪୦ରୁ ୬୦କିମି ବେଗରେ ପବନ ବହିପାରେ। ‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ସହ ପବନ ମଧ୍ୟ ବହୁଛି। ସତର୍କତା ସ୍ୱରୂପ ପାରାଦୀପ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଆଗକୁ ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ପାରାଦୀପ ମାଛଧରା ବନ୍ଦ ସହ ଅଠରବାଙ୍କି, ନେହରୁ ବଙ୍ଗଳା, ନୂଆ ବଜାର ଓ ଷଣ୍ଢକୁଦ ବସ୍ତି ଲୋକଙ୍କୁ ସତର୍କ କରି ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଡାକବାଜି ଯନ୍ତ୍ର ଯୋଗେ ଆଲର୍ଟ କରାଯାଇଛି। ୯ଟି ଜିଲ୍ଲାକୁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଟିମ୍ ପଠାଯାଇଛି। ବାତ୍ୟା ସମୟରେ ଲୋକେ ଘରୁ ବାହାରନ୍ତୁ ନାହିଁ। ୧୦ ତାରିଖରେ ଓଡ଼ିଶାରେ ବାତ୍ୟା ‘ବୁଲ୍‌ବୁଲ୍‌’ର ପ୍ରଭାବ କିଛି ରହିବ ନାହିଁ ବୋଲି ଆଶା କରାଯାଉଛି। ଏଥିଲାଗି ସେ ଜିଲ୍ଲାପାଳମାନଙ୍କ ସହ କଥା ହୋଇଥିବା କହିଛନ୍ତି ଏସ୍‌ଆର୍‌ସି। ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ