କର୍‌ତାରପୁର ସାହିବ୍‌ ଗୁରୁଦ୍ବାରା ଦର୍ଶନ ପାଇଁ ପାସ୍‌ପୋର୍ଟ ବାଧ୍ୟତାମୂଳକ: ପାକିସ୍ତାନ


ଇସଲାମାବାଦ/ନୂଆଦିଲ୍ଲୀ: ଆସନ୍ତା ଶନିବାର ଶିଖ୍‌ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ଜୟନ୍ତୀ ଅବସରରେ ପାକିସ୍ତାନ ସୀମାରେ ଥିବା କର୍‌ତାରପୁର ସାହିବ ଗୁରୁଦ୍ବାରାକୁ ଭାରତର ଶିଖ୍ ଧର୍ମାବଲମ୍ବୀମାନେ ବିନା ଭିସାରେ ଯାଇ ଦର୍ଶନ କରିପାରିବେ। ଉକ୍ତ ଦିନ ଭାରତୀୟ ଶିଖ୍‌ ଧର୍ମାବଲମ୍ବୀଙ୍କ ସୁଗମ ଯାତ୍ରା ପାଇଁ କର୍‌ତାରପୁର କରିଡର୍‌ର ମଧ୍ୟ ଶୁଭାରମ୍ଭ କରାଯିବ। ତେବେ ସାହିବ୍‌ ଗୁରୁଦ୍ବାରାକୁ ଦର୍ଶନ କରିବାକୁ ଯାଉଥିବା ପ୍ରତିଟି ଶିଖ୍‌ ଧର୍ମାବଲମ୍ବୀଙ୍କ ପାଇଁ ପାସ୍‌ପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ଦେଶର ସୁରକ୍ଷା ସହିତ ଏହା ଜଡ଼ିତ ଥିବାରୁ ପ୍ରତିଟି ଯାତ୍ରୀଙ୍କ ପାଖରେ ଆଇନଗତ ଭାବେ ସ୍ବୀକୃତି ପରିଚୟପତ୍ର ଥିବାର ଆବଶ୍ୟକତା ରହିଛି ଓ ଏହା ପାସ୍‌ପୋର୍ଟ ହୋଇଥିବା ଜରୁରୀ। ଦେଶର ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ପାକିସ୍ତାନ ସେନାର ମୁଖପାତ୍ର ମେଜର୍‌ ଜେନେରାଲ୍‌ ଆସିଫ୍ ଗଫୁର୍‌ କହିଛନ୍ତି।

ସେହିପରି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ କର୍‌ତାରପୁର ଗୁରୁଦ୍ବାରା ସାହିବ୍‌କୁ ଦର୍ଶନ ପାଇଁ କେବଳ ପାସ୍‌ପୋର୍ଟ ଥିବା ଯାତ୍ରୀମାନଙ୍କୁ ସୁଯୋଗ ଦିଆଯିବ ବୋଲି କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ କର୍‌ତାରପୁର କରିଡର୍‌ ସଂକ୍ରାନ୍ତରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିର ସର୍ତ୍ତକୁ ଭାରତ ପାଳନ କରିବ। ଏହି ଚୁକ୍ତିରେ କୌଣସି ପର୍ଯ୍ୟଟକଙ୍କୁ ସାଥୀରେ ପାସ୍‌ପୋର୍ଟ ରଖିବାକୁ ପଡ଼ିବ ବୋଲି ଏକ ସର୍ତ୍ତ ରହିଛି। ତେବେ ଆଗାମୀ ଦିନରେ କର୍‌ତାରପୁର କରିଡର୍‌ ସଂକ୍ରାନ୍ତରେ କୌଣସି ପ୍ରକାର ନିୟମ କେବଳ ପାକିସ୍ତାନ ଚାହିଁଲେ ପରିବର୍ତ୍ତନ କରିପାରିବ ନାହିଁ। ଏଥିପାଇଁ ଉଭୟ ଦେଶର ସହମତି ଦରକାର ବୋଲି କୁମାର କହିଛନ୍ତି। ତେବେ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଉଦ୍‌ଘାଟନ ଦିବସ ଓ ନଭେମ୍ବର ୧୨ରେ ଗୁରୁ ନାନକ ଦେବଙ୍କ ଜନ୍ମ ଜୟନ୍ତୀରେ ପାସ୍‌ପୋର୍ଟର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଘୋଷଣା କରିଥିଲେ ହେଁ ବର୍ତ୍ତମାନ ନୂଆ ଘୋଷଣା ଦ୍ବନ୍ଦ୍ବ ସୃଷ୍ଟି କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ସହ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକର ତାଳମେଳ ନ ଥିବା ଏଥିରୁ ପ୍ରମାଣିତ ହେଉଛି ବୋଲି କୁମାର କହିଛନ୍ତି।

ସୂଚନାଯୋଗ୍ୟ ଯେ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ କର୍‌ତାରପୁର ସାହିବ୍‌ ଗୁରୁଦ୍ବାରା ଶିଖ୍‌ ଶ୍ରଦ୍ଧାଳୁଙ୍କ ନିକଟରେ ଗୁରୁଦ୍ବାରା ଦରବାର ସାହିବ୍‌ ଭାବେ ଅଧିକ ପରିଚିତ ଥିବା ବେଳେ ଏଠାରେ ଗୁରୁ ନାନକ ଦେବ ତାଙ୍କ ଜୀବନର ଶେଷ ସମୟରେ ପାଖାପାଖି ୧୮ ବର୍ଷ ବିତାଇଥିଲେ। ଗତ ନଭେମ୍ବର ୧ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଉଦ୍‌ଘାଟନୀ ଦିବସରେ ଶିଖ୍ ଧର୍ମାବଲମ୍ବୀଙ୍କ ପାଇଁ ସେବା ଶୁଳ୍କ ବାବଦରେ ୨୫ ଡଲାର୍‌ ଛାଡ଼ ଘୋଷଣା କରିଥିଲେ। ତା’ଛଡ଼ା ଉଦ୍‌ଘାଟନୀ ଦିବସ ସହ ନଭେମ୍ବର ୧୨ରେ ଗୁରୁ ନାନକ ଦେବଙ୍କ ଜନ୍ମଦିନ ଅବସରରେ ଶିଖ୍‌ ପର୍ଯ୍ୟଟକମାନଙ୍କ ପାଇଁ ପାସ୍‌ପୋର୍ଟର ଆବଶ୍ୟକତା ପଡ଼ିବ ନାହିଁ ଓ ପର୍ଯ୍ୟଟକମାନଙ୍କୁ ପୂର୍ବରୁ ମଧ୍ୟ ନାମ ପଞ୍ଜୀକରଣ କରାଇବା ଦରକାର ନାହିଁ ବୋଲି ଇମ୍ରାନ୍‌ ଘୋଷଣା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ