ରୋହିତଙ୍କ ଛକା, ଚୌକାରେ ହଜିଗଲା ବାଂଲାଦେଶ: ସିରିଜ ବରାବର


ରାଜକୋଟ୍‌: ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକୀୟ ଇନିଂସ ବଳରେ ଭାରତ ରାଜକୋଟ୍‌ରେ ଅନୁଷ୍ଠିତ ଦ୍ବିତୀୟ ଟି-୨୦ରେ ବାଂଲାଦେଶକୁ ୮ ୱିକେଟ୍‌ରେ ପରାସ୍ତ କରି ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିଛି। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲା ବେଳେ ସିରିଜ ନିର୍ଣ୍ଣାୟକ ତୃତୀୟ ମ୍ୟାଚ୍‌ଟି ଆସନ୍ତା ୧୦ ତାରିଖରେ ନାଗପୁର ଠାରେ ଖେଳାଯିବ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୧୫୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ଅଧିନାୟକ ରୋହିତ ଶର୍ମା ଓ ଅଭିଜ୍ଞ ଶିଖର ଧୱନ ଇନିଂସ ଓପନ କରି ବାଂଲାଦେଶ ବୋଲରଙ୍କୁ ପ୍ରହାର କରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାରେ ସଫଳ ହୋଇଥିଲେ।

ବିଶେଷକରି ରୋହିତ ଶର୍ମା ଛକା, ଚୌକା ବୃଷ୍ଟି କରି ଓଭର ପିଛା ପ୍ରାୟ ୧୦ ରନ୍‌ ହାରରେ ରନ୍‌ ସଂଗ୍ରହ କରିବା ଭାରତ ପାଇଁ ସହଜ ବିଜୟ ଆଣି ଦେଇଥିଲା। ପ୍ରଥମ ୱିକେଟ୍‌ରେ ଭାରତ ୧୦.୫ ଓଭରରେ ୧୧୮ ରନ୍‌ ସଂଗ୍ରେହ କରିଥିଲା। ଧୱନ ୨୭ଟି ବଲ୍‌ରୁ ୪ଟି ଚୌକା ଜରିଆରେ ୩୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଅନ୍ୟପକ୍ଷରେ ରୋହିତ ମାତ୍ର ୪୩ଟି ବଲ୍‌ରୁ ୬ଟି ଚୌକା ଓ ୬ଟି ଛକା ଜରିଆରେ ୮୫ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳି ଭାରତକୁ ୪.୨ ଓଭର ପୂର୍ବରୁ ମ୍ୟାଚ୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଲୋକେଶ ରାହୁଲ ୧୧ଟି ବଲ୍‌ରୁ ୮ ରନ୍‌ କରିଥିଲା ବେଳେ ଶେୟସ ଆୟର ୧୩ଟି ବଲ୍‌ରୁ ୩ଟି ଚୌକା ଓ ଗୋଟିଏ ଛକା ଜରିଆରେ ଅପରାଜିତ ୨୪ ରନ୍‌ କରି ଭାରତକୁ ୧୫.୪ ଓଭର ସୁଦ୍ଧା ୨ ୱିକେଟ୍‌ରେ ୧୫୪ ରନ୍‌ରେ ପହଞ୍ଚାଇ ଦେଇଥିଲେ।

ଟସ୍‌ ଜିତି ଭାରତ ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ଆରମ୍ଭରୁ ସତର୍କତାର ସହ ଖେଳି ପ୍ରଥମ ୱିକେଟ୍‌ରେ ୬୦ ରନ୍‌ ଉଠାଇଥିଲା। ଲିଟନ ଦାସ ୨୯ ଓ ମହମ୍ମଦ ନଇମ୍‌ ୩୬ ରନ୍‌ କରି ଆଉଟ୍‌ ହୋଇଥିଲେ। ନମ୍ବର ୩ ସୌମ୍ୟ ସରକାର ମଧ୍ୟ ଦ୍ରୁତ ବ୍ୟାଟିଂ ଜରିଆରେ ୨୦ଟି ବଲ୍‌ରୁ ଦ୍ରୁତ ୩୦ ରନ୍‌ କରି ଆଉଟ୍‌ ହୋଇଥିଲେ। ମାତ୍ର ପ୍ରଥମ ମ୍ୟାଚ୍‌ ବିଜୟର ହିରୋ ମୁସଫିକର ରହିମ୍‌ ୪ ରନ୍‌ କରି ଆଉଟ ହେବା ବାଂଲାଦେଶକୁ ନିରାଶ କରିଥିଲା। ଅଧିନାୟକ ମହମ୍ମଦୁଲ୍ଲା ୨୧ଟି ବଲ୍‌ରୁ ୪ଟି ଚୌକା ଜରିଆରେ ୩୦ ରନ୍‌ କରିବାରୁ ବାଂଲାଦେଶ ୬ ୱିକେଟ୍‌ ହରାଇ ୧୫୩ ରନ୍‌ର ଭଲ ସ୍କୋର କରିବାରେ ସଫଳ ହୋଇଥିଲା। ଭାରତ ପକ୍ଷରୁ ଯୁଜଭେନ୍ଦ୍ର ଚହଲ ୨ଟି, ଦୀପକ ଚହର, ଖଲିଲ ଅହମ୍ମଦ ଓ ୱାଶିଂଟନ ସୁନ୍ଦର ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ