ଖଳନାୟକ ୯୯୬ ଉଜାଡ଼ୁଛି ପାରିବାରିକ ସମ୍ପର୍କ

୬୪ ପ୍ରତିଶତ ଭାରତୀୟ ପରିବାରକୁ ଦେଇପାରୁନାହାନ୍ତି ସମୟ

ଅଫିସରେ କାମ ଏବଂ କାମ ସହ ଜଡ଼ିତ ଚାପକୁ ନେଇ ଆପଣ ନିଜର ପରିବାରକୁ ସମୟ ଦେଇପାରୁ ନାହାନ୍ତି କି? ଯଦି ହଁ ତେବେ ଆପଣ ଏ କ୍ଷେତ୍ରରେ ଏକାକୀ ନୁହେଁ। ୬୪ ପ୍ରତିଶତ ଭାରତୀୟ ନିଜ ପରିବାରକୁ କାମର ଚାପ ଯୋଗୁଁ ସମୟ ଦେଇପାରୁ ନାହାନ୍ତି। ଏହି ତଥ୍ୟ ନିକଟରେ କରାଯାଇଥିବା ଏକ ସର୍ଭେରୁ ଆସିଛି। ସର୍ବେକ୍ଷଣର ନିଷ୍କର୍ଷରୁ ଜଣାପଡ଼ିଛି ଯେ ଏହାଦ୍ବାରା ବ୍ୟକ୍ତିର ମାନସିକ ଚାପ ବଢ଼ିବା ସାଙ୍ଗକୁ ପାରିବାରିକ କଳହର ମଧ୍ୟ ସୂତ୍ରପାତ ହେଉଛି। କେବଳ ଅଫିସ ଦାୟିତ୍ବକୁ ମୁଣ୍ଡାଇ ବାକି ସବୁ ଦାୟିତ୍ବକୁ ଭୁଲିଗଲେ ଚଳିବନି। ହୁଏତ ଅର୍ଥ ରୋଜଗାର ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ଚାପରେ ଜଣେ ବ୍ୟକ୍ତି ଏହି ଢାଞ୍ଚାରେ ନିଜକୁ ପକଳାଇ ଦେଇପାରେ। କିନ୍ତୁ ତା’ର ପରିବାରର ଅନ୍ୟ ସଦସ୍ୟମାନେ ଏଥିସହ ସବୁବେଳେ ଖାପଖୁଆଇ ଚଳିବାକୁ ବାଧ୍ୟ ନୁହନ୍ତି। ଏବେ ଏହା ହିଁ ଅଶାନ୍ତିର ମୂଳ କାରଣ ପାଲଟିଛି। ଏହାଛଡ଼ା ସ୍ବାସ୍ଥ୍ୟାବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି ଏହି କାର୍ଯ୍ୟଶୈଳୀ। ଏହା ପଛର ମୁଖ୍ୟ ଖଳନାୟକ ଚୀନରେ ପ୍ରଚଳିତ ୯୯୬ ୱାର୍କ କଲଚର ବୋଲି ଜଣାପଡ଼ିଛି। ଏଥିରୁ ଶୀଘ୍ର ମୁକୁଳିବାର ଉପାୟ କରା ନ ଗଲେ ଭବିଷ୍ୟତରେ ଅନେକ ପରିବାର ଯେ ଉଜୁଡ଼ିଯିବ, ଏଥିରେ ସନ୍ଦେହ ନାହିଁ।

ଚୀନର ଆଇଟି କମ୍ପାନୀ ଗୁଡ଼ିକରେ ପ୍ରଚଳିତ ୯୯୬ର ୱାର୍କ କଲ୍‌ଚର (ସକାଳ ୯ରୁ ରାତି ୯ ଯାଏ ସପ୍ତାହରେ ୬ ଦିନ କାମ)ର ପ୍ରଭାବ ଭାରତୀୟ କମ୍ପାନୀ ଗୁଡ଼ିକ ଉପରେ ପଡ଼ିବାରେ ଲାଗିଛି। କାମର ଚାପରେ ପ୍ରତି ୩ ଜଣରୁ ଜଣେ ପେସାଦାର ନିଜର ପିଲା ଓ ପରିବାର ପାଇଁ କ୍ବାଲିଟି ଟାଇମ୍‌ ଦେଇପାରୁ ନାହାନ୍ତି। ଏହି କଥା ନିକଟରେ ଜଣାପଡ଼ିଛି। ଗୋଦରେଜର ମେକ୍‌ ସ୍ପେସ ଫର ଲାଇଫ ନାମକ ଏକ ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ୬୪ ପ୍ରତିଶତ ଭାରତୀୟ କାମର ଚାପ ଓ ତଜ୍ଜନିତ ଚିନ୍ତାରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ଘରେ ଶାରୀରିକ ଭାବେ ଉପସ୍ଥିତ ସତ୍ତ୍ବେ ମାନସିକ ଭାବେ ଅନ୍ୟ ଜାଗାରେ ନିଜକୁ ରଖୁଛନ୍ତି। ଏହା ଦାମ୍ପତ୍ୟ କଳହ ଓ ଯାବତୀୟ ସାମାଜିକ ସମସ୍ୟାର ପ୍ରମୁଖ କାରଣ ହେଉଛି। ଗୋଦରେଜ ଇଣ୍ଟେରିଓର ସର୍ଭେ ଅନୁଯାୟୀ ଅଧିକାଂଶ ସର୍ଭେରେ ମତ ରଖିଥିବା ବ୍ୟକ୍ତି ଅଫିସ ଓ ପରିବାର ମଧ୍ୟରେ ତାଳମେଳ ରଖିପାରୁ ନ ଥିବା ସ୍ବୀକାର କରିଛନ୍ତି।

ଚୀନର ୯୯୬ ୱାର୍କ କଲଚର କ’ଣ?
ଚୀନର ବଡ଼ ବଡ଼ ପ୍ରଯୁକ୍ତି କମ୍ପାନୀ ଓ ଷ୍ଟାର୍ଟଅପ୍‌ରେ ପ୍ରାୟ ଏକ ଦଶନ୍ଧି ତଳୁ ସପ୍ତାହକୁ ୬ ଦିନ ସକାଳ ୯ରୁ ରାତି ୯ ଯାଏ କାମ କରିବାର ପରମ୍ପରା ପ୍ରଚଳିତ ରହିଛି। ଯୁବ ପ୍ରଯୁକ୍ତି ଉଦ୍ୟୋଗୀଙ୍କ ସବୁଠୁ ଆଦର୍ଶ ଭାବେ ପରିଚିତ ଆଲିବାବାର ପ୍ରତିଷ୍ଠାତା ଜ୍ୟାକ ମା ଅଧିକ ଶ୍ରମ ସମୟ (ୱାର୍କିଂ ଆୱାର)କୁ ବଡ଼ ବରଦାନ ଭାବେ ମାନନ୍ତି। ଏହାର ପ୍ରତିଦ୍ବନ୍ଦ୍ବୀ ଜେଡି କାମ୍‌ କିନ୍ତୁ ଏହି ସଂସ୍କୃତିର ଘୋର ବିରୋଧୀ।

ଭାରତରେ ସ୍ଥିତି
ଗୋଦରେଜ ଇଣ୍ଟେରିଓର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନିଲ ମାଥୁରଙ୍କ ଅନୁଯାୟୀ ଯେଉଁମାନେ ପ୍ରଯୁକ୍ତିର ପ୍ରସାର ଓ ବିକାଶ ଯୋଗୁଁ ନିଜ ଜୀବନର ଉନ୍ନତି ଘଟିଛି ବୋଲି କହୁଛନ୍ତି, ତାହା ଭୁଲ୍‌। ଏହା ପ୍ରକୃତରେ ସେମାନଙ୍କ ପାଇଁ ଓଲଟା କାମ କରୁଛି। ପ୍ରଯୁକ୍ତି ସେମାନଙ୍କୁ ଘର ଆଉ ପରିବାର ଠାରୁ ଦୂରେଇ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଗୋଦରେଜର ଏହି ଅଧ୍ୟୟନରେ ସାମିଲ ୬୪ ପ୍ରତିଶତ ଲୋକଙ୍କ କହିବା କଥା ହେଉଛି ସେମାନେ ପରିବାରକୁ ସମୟ ଦେଇପାରୁ ନାହାନ୍ତି। ସେହିପରି ୨୮ ପ୍ରତିଶତ ସ୍ବୀକାର କରିଛନ୍ତି ଯେ ସେମାନେ ଅଫିସରୁ ଘରକୁ ଫେରି ମଧ୍ୟ ବକେୟା କାମରେ ଲାଗିଯାଆନ୍ତି ଏବଂ ପତ୍ନୀଙ୍କ ସହ ମଧ୍ୟ ସମୟ ଦେଇପାରନ୍ତି ନାହିଁ।

ଗୋଦରେଜର ଏହି ସର୍ଭେରେ ଭାଗ ନେଇଥିବା ୨୧.୧ ପ୍ରତିଶତ ପ୍ରଫେସନାଲଙ୍କ କହିବା କଥା ସେମାନେ ନିଜର ବନ୍ଧୁମାନଙ୍କୁ ବି ସମୟ ଦେଇପାରୁ ନାହାନ୍ତି। ୬୧ ପ୍ରତିଶତଙ୍କ କହିବା କଥା ହେଉଛି, ସେମାନେ କାମର ଚାପରେ ଏମିତି ପେଷି ହୋଇଯାଇଛନ୍ତି ଯେ ନିଜର ମନୋରଞ୍ଜନ ପାଇଁ ମଧ୍ୟ ସେମାନଙ୍କୁ ଇଚ୍ଛା ହୋଇ ନ ଥାଏ। ପାରିବାରିକ ଉତ୍ତରଦାୟିତ୍ବ ମଧ୍ୟ ତୁଲାଇବା କଷ୍ଟକର ହୋଇଥାଏ। ୬୪ ପ୍ରତିଶତ ଭାରତୀୟଙ୍କ ନିକଟରେ ପରିବାର ପାଇଁ ସମୟ ନ ଥିବାରୁ ପରିବାର ମଧ୍ୟରେ ଥିବା ସ୍ନେହ ସମ୍ପର୍କ ଢିଲା ହେବାରେ ଲାଗିଛି। ଆଇଟି ପ୍ରଫେସନାଲଙ୍କ ଦାମ୍ପତ୍ୟ ଜୀବନ ଏହି କାରଣରୁ ତିକ୍ତ ହେଉଥିବା ମତ ଦିଅନ୍ତି ସମାଜ ବିଞାନୀ ନିହାରିକା ରାୟ। ଆଜିର ବ୍ୟସ୍ତବିବ୍ରତ ଓ ଧାଁଧପଡ଼ ଭରା ଜୀବନରେ କାର୍ଯ୍ୟାଳୟରେ ଚାପ କାରଣରୁ ଅନେକ ଲୋକ ଚିଡ଼ଚିଡ଼ା ସ୍ବଭାବର ହୋଇଯାଉଛନ୍ତି। କାମ ଭିତରେ ବ୍ୟସ୍ତରହି ମୁହଁରୁ ହସ ମଧ୍ୟ ଉଭେଇ ଯାଇଥାଏ ଅନେକଙ୍କର।

ଚୀନରେ ଅଶାନ୍ତି
ଚୀନର ସଫଳତା ପଛରେ ଏହାର ସଫ୍ଟୱେର ଇଣ୍ଡଷ୍ଟ୍ରିଜର ବହୁତ ବଡ଼ ଭୂମିକା ଥିବା କୁହାଯାଉଛି। ସମ୍ପ୍ରତି ଡିଜିଟାଲ ଅର୍ଥ ବ୍ୟବସ୍ଥାର ବୋଝ ବୋହି ଚାଲୁଥିବା ସଫ୍ଟୱେର କୋଡର୍‌, ଡେଭଲପର, ଇଞ୍ଜିନିଅର, ଗେମ୍‌ ଡିଜାଇନର ଏବଂ ଆଇଟି ସେକ୍ଟରରେ ଜଡ଼ିତ ବ୍ୟକ୍ତିଙ୍କ ନିଦ ଚୋରାଇ ନେଇଛି ଏହି ୯୯୬ ୱାର୍କ କଲଚର। ଏହି ୯୯୬ର ପରମ୍ପରା ଚୀନରେ କାମ ଏବଂ ବିଶ୍ରାମ ମଝିରେ ଥିବା ସମନ୍ବୟ ଉପରେ ପ୍ରଶ୍ନବାଚୀ ଠିଆ କରାଇଛି। ଚୀନର ଡିଜିଟାଲ ଇଣ୍ଡଷ୍ଟ୍ରୀରେ କାମ କରୁଥିବା ଯୁବବର୍ଗ ଆଜିକାଲି ବହୁତ ବଡ଼ ଚିନ୍ତାରେ। କାମର ଚାପକୁ ନେଇ ଆମ ଦେଶର ଯୁବବର୍ଗ ଓ ସେମାନଙ୍କ ପରିବାର ସବୁଠୁ ବଡ଼ ଆଶଙ୍କାରେ। କିନ୍ତୁ ୯୯୬ ଏକ ଏପରି କୌଶଳ ଯାହାର ସିଧାସଳଖ ପ୍ରଭାବ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ପଡ଼ିବାକୁ ଯାଉଛି। ପ୍ରଥମତଃ ପରିବାର ଗୁଡ଼ିକରେ ଅଶାନ୍ତି ବୃଦ୍ଧି ପାଉଥିବା ବେଳେ ଦ୍ବିତୀୟରେ ପେସାଦାରଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ସପ୍ତାହରେ ୬ ଦିନ ସକାଳ ୯ରୁ ରାତି ୯ ଯାଏ କାମ କରିବାର ବୋଝ ଚୀନର ଯୁବଶକ୍ତି ଉପରେ ଲଦି ଦିଆଯାଉଛି। ଚୀନର ଯୁବକମାନେ ଏହି ସମସ୍ୟାକୁ ନେଇ ବିଭିନ୍ନ ଫୋରମରେ ନିଜ ଅଶାନ୍ତି ଜାହିର କରିବାରେ ଲାଗିଛନ୍ତି। ଏହାକୁ ନେଇ ବ୍ୟାପକ ସମାଲୋଚନା ଆରମ୍ଭ ହୋଇଛି। ବ୍ୟାପକ ଅଶାନ୍ତି ଓ ସମାଲୋଚନା ସତ୍ତ୍ବେ ଏହି ୬ ଦିନିଆ ଏବଂ ୧୨ ଘଣ୍ଟିଆ ଶ୍ରମ ସଂସ୍କୃତିକୁ ବଦଳାଇବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ନାହିଁ। ଏହି ଯୋଜନାରେ ଚୀନର ଯୁବବର୍ଗ ନିଜ କାମ ଏବଂ ଜୀବନରେ ସନ୍ତୁଳନକୁ ପୂରା ମାତ୍ରାରେ ହଜାଇ ଦେଇଛନ୍ତି। ଏହି ଯୋଜନାରେ କେବଳ ଚୀନର କମ୍ପାନୀମାନେ ଲାଭବାନ ହେଉଛନ୍ତି। ଚୀନର ଯୁବକମାନଙ୍କ ବେତନରେ ଅଭିବୃଦ୍ଧି ହେଉନି। ଏହା କେବଳ ଜୀବନକୁ ପ୍ରଭାବିତ କରୁନି, ବରଂ ଚାପ ଏବଂ ଅବସାଦ ଆଡ଼କୁ ଲୋକଙ୍କୁ ଠେଲିବାରେ ଲାଗିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ