ପାକ୍‌ କର୍‌ତାରପୁର କରିଡର୍‌ ଭିଡିଓରେ ଖଲିସ୍ତାନୀ ନେତାଙ୍କ ଫଟୋ, ଭାରତର ସମାଲୋଚନା


ଆସନ୍ତା ୯ ତାରିଖରେ ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ଜୟନ୍ତୀରେ ବହୁପ୍ରତୀକ୍ଷିତ କର୍‌ତାରପୁର କରିଡର୍‌ର ଶୁଭ ଉଦ୍‌ଘାଟନ ହେବ। ଭାରତର ଶିଖ୍ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ଶୁଭ ଅବସର ହେବାକୁ ଯାଉଥିବା ବେଳେ ପାକିସ୍ତାନ ଏହାକୁ ସଂଖ୍ୟାଲଘୁଙ୍କ ପ୍ରତି ଇସଲାମ ଧର୍ମର ସାହଚର୍ଯ୍ୟ ବୋଲି କହିଛି। ପାକିସ୍ତାନ ମୁସଲିମ୍‌ ବହୁଳ ଦେଶ ହୋଇଥିଲେ ମଧ୍ୟ ଏଠାରେ ବି ସଂଖ୍ୟାଲଘୁମାନଙ୍କ ପ୍ରତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରାଯାଏ ବୋଲି ପ୍ରମାଣିତ କରିବା ସକାଶେ ଦେଶର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏକ ଭିଡିଓ ରିଲିଜ୍‌ କରାଯାଇଛି। କିନ୍ତୁ ଏହି ଭିଡିଓରେ ୩ ଜଣ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଫଟୋ ସ୍ଥାନିତ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ପ୍ରକାଶ ପାଇଛି। ଖଲିସ୍ତାନୀ ନେତାଙ୍କ ଫଟୋ ସ୍ଥାନିତ କରି କର୍‌ତାରପୁର କରିଡର୍‌ରେ ପାକିସ୍ତାନ ପକ୍ଷରୁ ଆତଙ୍କୀ କାର୍ଯ୍ୟକଳାପ ଘଟାଇବାର ପୂର୍ବ ସଙ୍କେତ ବୋଲି କୁହାଯାଉଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଏହାକୁ ସମାଲୋଚନା କରିଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଏହା ପାକିସ୍ତାନର ହୀନ ଉଦ୍ଦେଶ୍ୟକୁ ପଦାରେ ପକାଇଛି ବୋଲି କୁହାଯାଇଛି।

କର୍‌ତାରପୁର କରିଡର୍‌ର ଶୁଭ ଉଦ୍‌ଘାଟନ ପୂର୍ବରୁ ଶିଖ୍ ଧର୍ମାବଲମ୍ବୀମାନଙ୍କୁ ସ୍ବାଗତ କରିବା ସକାଶେ ଏହି ଭିଡିଓଟି ପ୍ରସ୍ତୁତ କରାଯାଇଛି। ଏଥିରେ ଶିଖ୍ ଧର୍ମାବଲମ୍ବୀମାନଙ୍କୁ ଗୀତ ମାଧ୍ୟମରେ ସ୍ବାଗତ କରାଯାଉଛି। କିନ୍ତୁ ଏହି ଭିଡିଓରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଜରନେଲ୍‌ ସିଂହ ଭିଣ୍ଡରନ୍‌ୱାଲେ, ମେଜର୍‌ ଜେନେରାଲ୍‌ ଶାବେଗ୍‌ ସିଂହ ଓ ଅମ୍ରିକ୍‌ ସିଂହ ଖାଲ୍‌ସାଙ୍କ ଫଟୋ ସ୍ଥାନ ପାଇଛି। ଏହି ୩ ବିଚ୍ଛିନ୍ନତବାଦୀ ନେତା ପଞ୍ଜାବର ସ୍ବର୍ଣ୍ଣମନ୍ଦିରରେ ୧୯୮୪ ଜୁନ୍‌ରେ ଘଟିଥିବା ବହୁଚର୍ଚ୍ଚିତ ଅପରେସନ୍‌ ବ୍ଲୁଷ୍ଟାର୍‌ରେ ନିହତ ହୋଇଥିଲେ। ଖଲିସ୍ତାନୀଙ୍କ କବଳରୁ ସ୍ବର୍ଣ୍ଣମନ୍ଦିରକୁ ରକ୍ଷା କରିବା ସକାଶେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନିର୍ଦେଶ କ୍ରମେ ଏହି ଅପରେସନ୍‌କୁ ବାସ୍ତବ ରୂପ ଦିଆଯାଇଥିଲା। ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ଭିଡିଓରେ କଠୋରପନ୍ଥୀଙ୍କ ଫଟୋ ସ୍ଥାନ ପାଇଥିବାରୁ ଏହା ସେଠାକାର ସରକାରଙ୍କ ଅସଲ ମନୋଭାବକୁ ପଦାରେ ପକାଇ ଦେଇଛି। ତା’ଛଡ଼ା ଏହା କେବଳ ଏକ ପ୍ରଚାରଧର୍ମୀ ଭିଡିଓ ଓ ଏହାଦ୍ବାରା ପାକିସ୍ତାନ ସରକାର କର୍‌ତାରପୁର କରିଡର୍‌ ପାଇଁ ବାହାବା ଲୁଟିବାକୁ ଉଦ୍ୟମ କରିଛନ୍ତି ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ