ବିଜେପି ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆଣିଲା ଶିବସେନା


ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଅଦ୍ୟାବଧି କୌଣସି ବୁଝାମଣା ହୋଇପାରି ନ ଥିବାରୁ ରାଜ୍ୟରେ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। ବୁଧବାର ଶିବସେନା ଏନ୍‌ସିପି ମୁଖ୍ୟ ଶରଦ ପାୱାର୍‌ଙ୍କ ସହ ଆଲୋଚନା କରି ମେଣ୍ଟ ସରକାର ଗଠନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନାହିଁ। ଅନ୍ୟପକ୍ଷରେ ପାୱାର୍‌ କୌଣସି ପରିସ୍ଥିତିରେ ବି ଶିବସେନା ସହ ତାଙ୍କ ଦଳ ମେଣ୍ଟ କରିବ ନାହିଁ ଏବଂ ଏନ୍‌ସିପି-କଂଗ୍ରେସ ବିରୋଧୀ ଭୂମିକା ନିର୍ବାହ କରିବେ ବୋଲି କହିଛନ୍ତି। କେହି କାହାରିକୁ ସହଯୋଗ କରିବାକୁ ପ୍ରସ୍ତୁତ ନ ଥିବା ବେଳେ ବିଜେପି ଓ ଶିବସେନା ଏକାକୀ ସରକାର ଗଠନ ପାଇଁ ଉଦ୍ୟମରତ ଅଛନ୍ତି। କିନ୍ତୁ ଏବେ ଶିବସେନା ସହଯୋଗୀ ବିଜେପି ବିରୋଧରେ ବିଧାୟକମାନଙ୍କୁ ଅର୍ଥ ଲୋଭ ଦେଇ ଖରିଦ୍‌ ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ଆଣିଛି। ଗୁରୁବାର ଶିବସେନା ମୁଖ୍ୟ ଉଦ୍ଧବ ଥାକ୍‌ରେ ପରବର୍ତ୍ତୀ ପଦକ୍ଷେପ ପାଇଁ ବିଧାୟକମାନଙ୍କ ବୈଠକ ଡକାଇଥିବା ବେଳେ ଦଳର ମୁଖପତ୍ର ‘ସାମ୍‌ନା’ରେ ପ୍ରକାଶିତ ସମ୍ପାଦକୀୟରେ ଏପରି ଅଭିଯୋଗ କରାଯାଇଛି।

ଯାହା ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ବହୁମତ ରହିଛି, ସେ ସରକାର ଗଠନ କରିବା ଦରକାର ଓ ଉକ୍ତ ଦଳକୁ ମୁଖ୍ୟମନ୍ତ୍ରୀ ଆସନ ମିଳିବା ମଧ୍ୟ ଉଚିତ। କିନ୍ତୁ କୌଣସି ପ୍ରକାର ଦୁର୍ନୀତିର ଆଶ୍ରୟ ନେଇ ଯେନତେନ ପ୍ରକାରେଣ ବିଧାୟକଙ୍କ ସହମତି ହାସଲ କରାଗଲେ, ଏହାକୁ କଦାପି ମହାରାଷ୍ଟ୍ର ଜନସାଧାରଣ କ୍ଷମା କରିବେ ନାହିଁ ବୋଲି ଏହି ସମ୍ପାଦକୀୟରେ ପ୍ରକାଶ ପାଇଛି। ଶିବସେନାର କେତେକ ନୂଆ ବିଧାୟକଙ୍କ ସହ ବିଜେପି ଯୋଗାଯୋଗ କରୁଥିବା ନେଇ ଅଭିଯୋଗ ଆସିବା ପରେ ଏହା ପଛରେ ରାଜ୍ୟର ବିଜେପି ନେତା କିମ୍ବା ମୁଖ୍ୟମନ୍ତ୍ରୀଙ୍କର ହାତ ରହିଛି ବୋଲି ଏହି ସମ୍ପାଦକୀୟରେ କୁହାଯାଇଛି।

ସେହିପରି ଏହି ସମ୍ପାଦକୀୟରେ ଆହୁରି ମଧ୍ୟ କୁହାଯାଇଛି ଯେ ରାଜ୍ୟରେ ଶାସନ କରୁଥିବା ପୁରୁଣା ସରକାର ଏବେ ଅର୍ଥ ବଳରେ ନୂଆ ସରକାର ଗଠନ କରିବାକୁ ଉଦ୍ୟମ କରୁଛି। କିନ୍ତୁ ରାଜ୍ୟର କୃଷକମାନଙ୍କୁ ସହଯୋଗ କରିବାକୁ କେହି ବି ଆଗେଇ ଆସୁନାହାନ୍ତି। ରାଜ୍ୟର କୃଷକମାନେ ଶିବସେନା ବିଧାୟକଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି। କିନ୍ତୁ ବିଜେପି ନୂଆ କରି ନିର୍ବାଚିତ ହୋଇଥିବା ଶିବସେନାର କିଛି ବିଧାୟକଙ୍କୁ ଅର୍ଥ ଲୋଭ ଦେଖାଇ ନିଜ ସପକ୍ଷରେ କରାଇବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ ଫର୍ଦ୍ଦ କ୍ରମଶଃ ବଢ଼ିଚାଲିଛି। କିନ୍ତୁ ମୂଲ୍ୟବୋଧହୀନ ରାଜନୀତିକୁ ଶିବସେନା କଦାପି ପ୍ରଶ୍ରୟ ଦେବନାହିଁ ବୋଲି ଏହି ସମ୍ପାଦକୀୟରେ ପ୍ରକାଶ ପାଇଛି। କିନ୍ତୁ ସାମ୍‌ନାର କାର୍ଯ୍ୟକାରୀ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ତାଙ୍କ ଦଳର କୌଣସି ବିଧାୟକଙ୍କୁ କିଣିବାକୁ କେହି ବି ସାହସ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ