ଝାଡ଼ଖଣ୍ଡର ୪୯ ବିଧାୟକଙ୍କ ନାଁରେ ରହିଛି ଫୌଜଦାରୀ ମକଦ୍ଦମା: ଏଡିଆର୍‌


ଆସନ୍ତା ନଭେମ୍ବର ୩୦ ତାରିଖରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆରମ୍ଭ ହେବ। ୫ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବା ପରେ ଡିସେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ବୁଧବାଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଜାନୁଆରୀ ୫ ତାରିଖରେ ଶେଷ ହେବ। ତେବେ ବର୍ତ୍ତମାନ ବିଧାନସଭାରେ ରହିଥିବା ବିଧାୟକମାନଙ୍କ ମଧ୍ୟରୁ ୪୯ ଜଣଙ୍କ ନାମରେ ଫୌଜଦାରୀ ମକଦ୍ଦମା ରହିଛି। ଅର୍ଥାତ୍‌ ପାଖାପାଖି ୬୨ ପ୍ରତିଶତ ବିଧାୟକ ସେମାନଙ୍କ ନାମରେ ଫୌଜଦାରୀ ମକଦ୍ଦମା ରହିଛି ବୋଲି ଦର୍ଶାଇଥିବା ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟ ଅନୁସାରେ ୭୯ ଜଣ ବିଧାୟକଙ୍କ ମଧ୍ୟରୁ ୪୮ ପ୍ରତିଶତ ଅର୍ଥାତ୍‌ ୩୮ ଜଣଙ୍କ ନାମରେ ସଙ୍ଗୀନ ଫୌଜଦାରୀ ମାମଲା ରହିଥିବା ଜଣାପଡ଼ିଛି। ସେହିପରି ୩ ଜଣ ବିଧାୟକଙ୍କ ନାମରେ ହତ୍ୟା ମାମଲା ବିଚାରାଧୀନ ରହିଥିବା ବେଳେ ୧୦ ଜଣ ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଛି ବୋଲି ସେମାନେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି ବୋଲି ଏଡିଆର୍‌ ପକ୍ଷରୁ କୁହାଯାଇଛି।

ସେହିପରି ବିଧାନସଭାରେ ରହିଥିବା ୩୬ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୨୧ ଜଣ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ୧୮ ଜଣଙ୍କ ମଧ୍ୟରୁ ୧୧ ଜଣ, କଂଗ୍ରେସର ୮ ଜଣଙ୍କ ମଧ୍ୟରୁ ୫ ଜଣ ଓ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା-ଜନତାନ୍ତ୍ରିକ (ଜେଭିଏମ୍‌-ପି)ର ୮ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ବିଜେପିର ୧୫ ଜଣଙ୍କ ନାମରେ ସଙ୍ଗୀନ ଫୌଜଦାରୀ ମାମଲା ରହିଥିବା ବେଳେ ୧୦ ଜେଏମ୍‌ଏମ୍‌, ୨ କଂଗ୍ରେସ ଓ ୫ ଜେଭିଏମ୍‌(ପି) ବିଧାୟକଙ୍କ ବିରୋଧରେ ସଙ୍ଗୀନ ଫୌଜଦାରୀ ମାମଲା ବିଚାରାଧୀନ ରହିଛି ବୋଲି ଏଡିଆର୍‌ ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଇଛି।

ସେହିପରି ବିଧାୟକମାନଙ୍କର ସମ୍ପତ୍ତି ନେଇ ଏଡିଆର୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ୭୯ ଜଣ ବିଧାୟକଙ୍କ ମଧ୍ୟରୁ ୫୨ ପ୍ରତିଶତ ଅର୍ଥାତ୍‌ ୪୧ ଜଣ ହେଉଛନ୍ତି କୋଟିପତି। ଏଥିରେ ବିଜେପିର ସର୍ବାଧିକ ୨୧ ଜଣ ରହିଥିବା ବେଳେ ଜେଏମ୍‌ଏମ୍‌ର ୯ ଜଣ, କଂଗ୍ରେସର ୫ ଜଣ ଓ ଜେଭିଏମ୍‌(ପି)ର ୩ ଜଣ ବିଧାୟକ ଅଛନ୍ତି। ବିଧାୟକଙ୍କ ହାରାହାରି ସମ୍ପତ୍ତି ୧ କୋଟି ୮୪ ଲକ୍ଷ ଟଙ୍କା ରହିଛି। ସେହିପରି ବିଜେପି ବିଧାୟକଙ୍କର ହାରାହାରି ସମ୍ପତ୍ତି ୨ କୋଟି ୯ ଲକ୍ଷ ହୋଇଥିବା ବେଳେ ଜେଏମ୍‌ଏମ୍‌ର ୧ କୋଟି ୨୬ ଲକ୍ଷ, କଂଗ୍ରେସର ୩ କୋଟି ୪୨ ଲକ୍ଷ ଓ ଜେଭିଏମ୍‌(ପି)ର ୧ କୋଟି ୨୯ ଲକ୍ଷ ଟଙ୍କାର ହାରାହାରି ସମ୍ପତ୍ତି ରହିଛି। ଏହାଛଡ଼ା ଝାଡ଼ଖଣ୍ଡ ବିଧାନସଭାର ଅଧିକାଂଶ ବିଧାୟକଙ୍କ ବୟସ ୨୫ରୁ ୫୦ ମଧ୍ୟରେ ରହିଛି। ୬୮ ପ୍ରତିଶତ ଅର୍ଥାତ୍‌ ୫୪ ଜଣ ବିଧାୟକଙ୍କ ବୟସ ଏହି ସୀମା ଭିତରେ ଥିବା ବେଳେ ଅବଶିଷ୍ଟ ୨୫ ଜଣ (୩୨ ପ୍ରତିଶତ)ଙ୍କ ବୟସ ୫୧ରୁ ୮୦ ବର୍ଷ ମଧ୍ୟରେ ରହିଛି। ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ବ ହାର ୧୩ ପ୍ରତିଶତ ରହିଛି। ଅର୍ଥାତ୍‌ ବର୍ତ୍ତମାନ ଝାଡ଼ଖଣ୍ଡ ବିଧାନସଭାରେ ସମୁଦାୟ ୧୦ ଜଣ ମହିଳା ବିଧାୟକ ଅଛନ୍ତି ବୋଲି ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ