ଧରାପଡ଼ିଲା ସିରିଏଲ୍‌ କିଲର୍‌, ୨୦ ମାସରେ ନେଇଛି ୧୦ ଜୀବନ


କିଛି ଦିନ ତଳେ କେରଳରେ ଜନୈକା ମହିଳା ତାଙ୍କ ପରିବାରର ୪ ଜଣଙ୍କୁ ଖାଦ୍ୟରେ ବିଷାକ୍ତ ସାଇନାଇଡ୍‌ ଦେଇ ହତ୍ୟା କରିଥିବା ଘଟଣା ସାମ୍ନକୁ ଆସିଥିବା ବେଳେ ମଙ୍ଗଳବାର ଆନ୍ଧ୍ର ପ୍ରଦେଶରେ ଏପରି ଜଣେ ସିରିଏଲ୍‌ କିଲର୍‌କୁ ପୋଲିସ୍‌ କାବୁ କରିଛି। ଏହି ବ୍ୟକ୍ତି ଜଣକ ମାତ୍ର ୨୦ ମାସ ଭିତରେ ୧୦ ଜଣଙ୍କୁ ହତ୍ୟା କରିଛି। ଏପରିକି ପୋଲିସ୍‌ ହାତରେ ଧରାପଡ଼ି ନ ଥିଲେ ସେ ଆହୁରି ୨୦ ଜଣଙ୍କୁ ହତ୍ୟା କରିବା ଯୋଜନାରେ ଥିଲା ବୋଲି ପୋଲିସ୍‌ ସନ୍ଦେହ କରୁଛି। ଏଲୁରୁ ପୋଲିସ୍‌ ମଙ୍‌ଗଳବାର ୩୮ ବର୍ଷୀୟ ଭେଲାଙ୍କି ସିମାଦ୍ରୀ ଓରଫ୍ ଶିବା ନାମକ ବ୍ୟକ୍ତିକୁ ଗିରଫ କରିଛି। ସେ କେରଳର ଜଲି ଯୋଶେଫ୍‌ ପରି ହତ୍ୟାକାଣ୍ଡର ତରିକା ଆପଣାଇଥିଲା। ସେ ଗତ ୨୦୧୮ ଫେବ୍ରୁଆରୀରୁ ହତ୍ୟାକାଣ୍ଡ ଅଭିଯାନ ଆରମ୍ଭ କରି ୨୦ ମାସ ଭିତରେ ୧୦ ଜଣଙ୍କୁ ହତ୍ୟା କରିସାରିଛି। ସେ ପ୍ରତି ୨ ମାସରେ ଗୋଟିଏ ହତ୍ୟାକାଣ୍ଡ ଘଟାଉଥିଲା। ଯୋଶେଫ୍‌ ପରି ଶିବା ମଧ୍ୟ ତା’ର କେତେକ ସମ୍ପର୍କୀୟଙ୍କୁ ହତ୍ୟା କରିଛି। ସେମାନଙ୍କ ମଧ୍ୟରେ ତା’ର ଜେଜେମା’, ଶାଳୀ ଓ ଘର ମାଲିକାଣୀ ସହ ରାଜମହେନ୍ଦ୍ରୀ ନିକଟସ୍ଥ ପୁରୁଷୋତ୍ତପଟ୍ଟନମ୍‌ ଆଶ୍ରମର ସାଧୁ ଶ୍ରୀ ରାମକ୍ରିଷ୍ଣାନନ୍ଦ ପ୍ରମୁଖ।

ଗିରଫ ପରେ ପୋଲିସ୍‌ର ପଚରାଉଚରାରେ ମିଳିଥିବା ତଥ୍ୟାନୁସାରେ, ପ୍ରଥମେ ଶିବା ଜଣେ ରାତ୍ରଜଗୁଆଳୀ ଭାବେ କାମ କରୁଥିଲେ ହେଁ ପରେ ସେ ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟରେ ଜଡ଼ିତ ରହିଥିଲା। କିନ୍ତୁ ଏହି ବ୍ୟବସାୟରେ ସେ ବ୍ୟାପକ କ୍ଷତି ସହିବାରୁ ଲୋକମାନଙ୍କଠାରୁ ଅର୍ଥ ହଡ଼ପ କରିବା ସକାଶେ ନୂଆ ନୂଆ ତରିକାମାନ ଆପଣାଉଥିଲା। ସେ ତା’ ପାଖରେ ବିସ୍ମୟ ମୁଦ୍ରା, ଦୁଇମୁଣ୍ଡିଆ ସାପ ପରି ବିରଳ ସାମଗ୍ରୀ ରହିଛି ଓ ଏହାଦ୍ବାରା ଲୋକଙ୍କ ପଇସା ଅତି କମ୍‌ ଦିନ ଭିତରେ ଦ୍ବିଗୁଣିତ ହୋଇଯିବ, ବହୁ ଦୁରାରୋଗ୍ୟ ଭଲ ହୋଇଯିବ ବୋଲି କହି ଲୋକମାନଙ୍କୁ କରାୟତ୍ତ କରୁଥିଲା। ଦୈବୀଶକ୍ତି ବଳରେ ଲୋକଙ୍କ ଟଙ୍କା ଓ ସୁନାକୁ ବହୁଗୁଣିତ କରିଦେବା ପ୍ରଲୋଭନ ଦେଖାଇ ସେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଡାକୁଥିଲା। ସେମାନଙ୍କୁ ପୋଟାସିୟମ୍‌ ସାଇନାଇଡ୍‌ ମିଶା ପ୍ରସାଦ ସେବନ କରିବାକୁ ଦେଉଥିଲା। ପରେ ସେମାନଙ୍କର ଟଙ୍କା ଓ ସୁନା ଧରି ସେ ଫେରାର୍‌ ହୋଇଯାଉଥିଲା। ସେ ଅଦ୍ୟାବଧି ୧୦ ଜଣଙ୍କୁ ହତ୍ୟା କରିଥିବା ବେଳେ ଆହୁରି ୨୦ ଜଣଙ୍କୁ ଏହିପରି ଭାବେ ହତ୍ୟା କରି ସେମାନଙ୍କ ଟଙ୍କା ଓ ସୁନା ଲୁଟିବା ଯୋଜନାରେ ଥିଲା। ଅଦ୍ୟାବଧି ସେ ୨୪ ଲକ୍ଷ ୬୦ ହଜାର ଟଙ୍କା ଓ ୩୫ ତୋଳା ସୁନା ଲୁଟିଥିବା ପଚରାଉଚରା ବେଳେ ସ୍ବୀକାର କରିଥିବା ପୋଲିସ୍‌ କହିଛି।

ଏହି ଲୁଟ୍‌ ସମ୍ପତ୍ତିରେ ସେ ଗୋଟିଏ ପ୍ଲଟ୍‌ କିଣିବା ସହ ସେଠାରେ ଏକ ଘର ମଧ୍ୟ ତିଆରି କରିଥିଲା। ଦୁଇ ମାସ ତଳେ ସେ ନୂଆ ଘରେ ରହିବା ଆରମ୍ଭ କରିଥିଲା। ପୋଲିସ୍‌ ଚଢ଼ାଉ କରି ତା’ ପାଖରୁ ୧ ଲକ୍ଷ ୬୩ ହଜାର ଟଙ୍କା ଓ ସୁନାଗହଣା ଜବତ କରିଛି। ଗତ ଅକ୍ଟୋବର ୧୬ ତାରିଖରେ ଏଲୁରୁରେ କେ. ନାଗାରାଜୁ ନାମକ ଜଣେ ପିଇଟିଙ୍କ ହତ୍ୟାକାଣ୍ଡ ଘଟଣା ପରେ ଶିବା ପୋଲିସ୍‌ ରାଡାରକୁ ଆସିଥିଲା। ନାଗାରାଜୁଙ୍କ ଭାଇ ଭେଙ୍କଟ ରମାନ୍ନା ନିଖୋଜ ଅଭିଯୋଗ ଦାଏର୍‌ କରିବା ପରେ ପୋଲିସ୍‌ ଘଟଣାସ୍ଥଳ ଆଖପାଖରେ ମହଜୁଦ ସିସିଟିଭି ଫୁଟେଜ୍‌ର ଯାଞ୍ଚ୍‌ କରିବା ପରେ ଶିବାକୁ ଅଟକ ରଖିଥିଲା। ପରେ ପଚରାଉଚରାରେ ଶିବା ନିଜର ଦୋଷ ସ୍ବୀକାର କରିବା ସହ ଅନ୍ୟାନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ ସୂଚନା ଦେଇଛି। ସେ ଯାଦୁ ବଳରେ ଚାଉଳ ବର୍ଷା କରିପାରୁଥିବା ମୁଦ୍ରା ଦେବାକୁ କହି ନାଗାରାଜୁଙ୍କଠାରୁ ୨ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌ କରିଥିଲା। ଶିବାକୁ ସାଇନାଇଡ୍‌ ଯୋଗାଉଥିବା ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ପଶ୍ଚିମ ଗୋଦାବରୀ ଏସ୍‌ପି ନବଦୀପ ସିଂହ ଗ୍ରେୱାଲ୍‌ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ