କଟକ ବଡ଼ ଡାକ୍ତରଖାନା ପାଇଁ ୧ ହଜାର କୋଟିର ପ୍ୟାକେଜ୍‌

ଏସସିବି ମେଡିକାଲରେ ମିଳିବ ଏମସ୍ ପ୍ଲସ୍ ସୁବିଧା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ୍‌ ପାଇଁ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଅତ୍ୟାଧୁନିକକ ମେଡିକାଲ୍‌ କଲେଜରେ ପରିଣତ ହେବ। ଏହାକୁ ଏମସ୍‌ ପ୍ଲସ୍‌ ଡାକ୍ତରଖାନାରେ ପରିଣତ କରାଯିବ। ଏଥିସହ ହସ୍ପିଟାଲର ଶଯ୍ୟା ସଂଖ୍ୟା ୩୦୦୦କୁ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବୁଧବାର ସକାଳେ କଟକ ବଡ଼ମେଡିକାଲ ପରିଦର୍ଶନରେ ଯାଇ ଫେରିବା ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍‌ ଘୋଷଣା କରିଛନ୍ତି।

ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ଭିତ୍ତିଭୂମି ପ୍ରସଙ୍ଗରେ ସମୀକ୍ଷା କରିଥିଲେ। ବୈଠକ ପରେ ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲର ବେଡ୍ ସଂଖ୍ୟା ୩ ହଜାରକୁ ବୃଦ୍ଧି କରାଯିବ ଏବଂ ଦେଶର ଶ୍ରେଷ୍ଠ ୩ଟି ମେଡିକାଲ୍‌ ମଧ୍ୟରେ ଏହାକୁ ରଖିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମ‌ାନ ଦେଶର ଶ୍ରେଷ୍ଠ ୧୪ଟି ହସ୍ପିଟାଲ୍‌ ମଧ୍ୟରେ ରହିଛି କଟକ ବଡ଼ ମେଡିକାଲ। ଏହାକୁ ଏମ୍‌ସ ପ୍ଲସ୍‌ ହସ୍ପିଟାଲ ଭାବେ ଗଢ଼ିବାକୁ ନିଷ୍ପତ୍ତି ହୋଇଛି ଏବଂ ଭଲ ଚିକିତ୍ସା ଲାଗି ଦେଶର ଅନ୍ୟ ବଡ଼ବଡ଼ ମେଡିକାଲରୁ କଟକକୁ  ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହା ଓଡ଼ିଶାବାସୀଙ୍କ ପାଇଁ ଲାଭ ଦାୟକ ହେବ। ସେମାନଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି। ଓଡ଼ିଶା ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ବିଶ୍ବସ୍ତରୀୟ ମର୍ଯ୍ୟାଦା ହାସଲ କରିପାରିଛି। ବର୍ତ୍ତମାନ ସମୟ ଆସିଛି ସାରା ବିଶ୍ବକୁ ଓଡ଼ିଶା ତାର ସୁଲଭ, ଏବଂ ଉନ୍ନତ ମାନର ସ୍ବାସ୍ଥ୍ୟ  ସେବା ପାଇଁ ମାନ୍ୟତା ଦେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଡାକ୍ତରମାନଙ୍କର ଓ ଛାତ୍ରମାନଙ୍କର ରହିବା ଓ ମନୋରଞ୍ଜନ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବ। ଏହି ହସ୍ପିଟାଲରେ ରୋଗୀମାନଙ୍କ ପାଇଁ  ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହି। ଏହି ସମସ୍ତ ଯୋଜନା ପାଇଁ ମୋଟ୍‌ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୦ ବର୍ଷ ତଳୁ ଏହି ସ୍ବାସ୍ଥ୍ୟାନୁଷ୍ଠାନ ଓଡ଼ିଶାବାସୀଙ୍କୁ ସେବା ଯୋଗାଇ ଆସିଛି। ଏଠାରୁ ଅନେକ ବିଶିଷ୍ଟ ଡାକ୍ତର ବାହାରିଛନ୍ତି, ଯେଉଁମାନେ କେବଳ ଭାରତ ନୁହେଁ, ସାରା ପୃଥିବୀର ଲୋକମାନଙ୍କୁ ସେବା ଦେଇ ଆସୁଛନ୍ତି। ତେଣୁ ଏହି ଅନୁଷ୍ଠାନର ଗୁରୁତ୍ୱକୁ ଆହୁରି ବିଶ୍ୱସ୍ତରରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଲୋକସେବା ଭବନରେ ଏସ୍‌ସିବି ମେଡିକାଲର ପ୍ରଫେସର, ସୁପରିଟେଣ୍ଡେଣ୍ଟ୍‌ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ଗୁରୁତ୍ବପୂର୍ଣ୍ଣ ବୈଠକରେ ୫-ଟି ସଚିବ, ସ୍ବାସ୍ଥ୍ୟ ସଚିବ, ମୁଖ୍ୟ ଶାସନ ସଚିବ ଓ କଟକ ବଡ଼ ମେଡିକାଲର ସବୁ ବିଭାଗୀୟ ମୁଖ୍ୟ ଏବଂ ପ୍ରାଶାସନିକ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ବୁଧବାର ଭୋର୍‌ ପାଞ୍ଚଟାରେ ୫-ଟି ସଚିବ ପାଣ୍ଡିଆନ୍‌, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ଏନ୍‌ଆର୍‌ଏଚ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ କଟକ ସହରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ରେ ପହଞ୍ଚି ଏଠାକାର ସ୍ୱାସ୍ଥ୍ୟସେବା ତଦାରଖ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ