ରକ୍ତକୁ ଲାତ: ସମ୍ପତ୍ତି ପାଇଁ ୯୦ ବର୍ଷୀୟା ମା’ଙ୍କୁ କରିଦେଲେ ପର


ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ। ଅର୍ଥାତ୍‌ ମା’ ହେଉଛନ୍ତି ସ୍ବର୍ଗଠାରୁ ବଡ଼। କିନ୍ତୁ ଆଜିର ସ୍ବାର୍ଥପର ଦୁନିଆରେ ପୁଅ ପାଇଁ ମା’ ସ୍ବର୍ଗ ନୁହେଁ, ବରଂ ଏକ ବୋଝ ପାଲଟିଛି। ପୁଅଟିଏ ପାଇବା ପାଇଁ ମା’ କେତେ ଯେ ଦିଅଁଦେବତାଙ୍କ ପାଖରେ ମୁଣ୍ଡ ପିଟେ, ତା’ର କୌଣସି ହିସାବ ନାହିଁ। ପୁଅଟିଏ ଜନ୍ମହେଲେ ବୃଦ୍ଧାବସ୍ଥାରେ ବାପା-ମା’ଙ୍କ ଆଶାବାଡ଼ି ହେବ। ମଲା ପରେ ମୁହଁରେ ମୁଖାଗ୍ନି ଦେବ। ଏଭଳି ଅନେକ ଆଶାରେ ପୁଅଟିଏ ପାଇଁ ସମସ୍ତେ ବ୍ୟାକୁଳ ହୋଇଥାନ୍ତି। ମାତ୍ର ପରିଣତ ବୟସରେ ତାକୁ ଯେ ଅନ୍ଧ ଲଉଡ଼ି ଅନ୍ଧାରରେ ଛାଡ଼ିଦେବ , ଏ କଥା କାହିଁକି ବା କିଏ ଭାବିବ। ନିଜ ଜନ୍ମକଲା ପୁଅ କେତେ ନିଷ୍ଠୁର ପାଲଟିପାରେ, ତା’ର ଏକ ସଦ୍ୟତମ ଉହାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ। ବୟସ ଶେଷ ସୋପାନରେ। ଆଖିକୁ ଭଲଭାବେ ଦେଖାଯାଉନି କି କାନକୁ ଠିକ୍‌ଭାବେ ଶୁଣାଯାଉନି। ଉଠିବାକୁ ଅଣ୍ଟାରେ ଜୁ ମଧ୍ୟ ନାହିଁ। ଏଭଳି ଅବସ୍ଥାରେ ମା’କୁ ବୋଝ ଭାବି ଚାନ୍ଦବାଲି ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ର ବାରଣ୍ଡାରେ ଛାଡ଼ି ଦେଇ ଚାଲି ଯାଇଛି ପୁଅ। ନିଜ ରକ୍ତ ଧୋକା ଦେବା ପରେ ବୁଢ଼ୀ ମା’ର ସମ୍ଭଳ କହିଲେ ଖଣ୍ଡେ ବାଡ଼ି ଆଉ କେଇ ଟୋପା ଲୁହ।

ଘଟଣାଟି ଏମିତି। ଚାନ୍ଦବାଲି ବସ୍‌ଷ୍ଟାଣ୍ଡ ନିକଟସ୍ଥ ଆହାର କେନ୍ଦ୍ର ବାରଣ୍ଡାରେ ବସି କାନ୍ଦୁଥିଲେ ଜଣେ ବୃଦ୍ଧା। ତାଙ୍କ ନାଁ କୁନ୍ତଳା ପୋଥାଳ। ବୟସ ପାଖାପାଖି ୯୦। ସାରା ଦିନ ସେ ବସିରହିଥିଲେ ଆହାର କେନ୍ଦ୍ର ବାରଣ୍ଡାରେ। ଆଖିକୁ ଭଲ ଭାବେ ଦିଶୁ ନ ଥିବାରୁ ଏଣେ ତେଣେ ହାତ ବୁଲାଉଥିଲେ। ଆଉ ଯାହାଠି ହାତ ବାଜି ଯାଉଥିଲା, ଜାଣ ତାଙ୍କ ପିଣ୍ଡରେ ପ୍ରାଣ ପଶି ଯାଉଥିଲା ବୋଲି ମନେ ହେଉଥିଲା। ହାତଧରି ବାପା ବାପା ବୋଲି ଅଣ୍ଡାଳି ପକାଉଥିଲେ। ତାଙ୍କ ପୁଅ ଫେରି ଆସିଲା କି? ହେଲେ ପୁଅକୁ ନ ପାଇ କାକୁତିମିନତି ହୋଇ କହୁଥିଲେ, ମୋତେ ଟିକେ ଗାଡ଼ିରେ ବସାଇ ଦେବାପାଇଁ। ମୁଁ ଗାଁକୁ ଯିବି। ଏମିତି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଥିଲା ସେଠାରେ। ଦିନତମାମ ପଡ଼ି ରହିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଆହାର କେନ୍ଦ୍ର କର୍ମଚାରୀମାନେ ତାଙ୍କୁ ପଚାରି ବୁଝିଥିଲେ କ’ଣ ହୋଇଛି। ବୁଢ଼ୀ ମା’ ଜଣକ ଛଳଛଳ ଆଖିରେ କୋହଭରା କଣ୍ଠରେ କହିଥିଲେ ଯେ ତାଙ୍କ ପୁଅ-ବୋହୂ ଏଠି ତାଙ୍କୁ ଛାଡ଼ି ପଳାଇଛନ୍ତି। ରାତି ବଢ଼ୁଥିବାରୁ ଆହାର କେନ୍ଦ୍ର କର୍ମଚାରୀ ତାଙ୍କୁ କିଛି ଖାଇବାକୁ ଦେଇଥିଲେ ଓ ଅପେକ୍ଷା କରିଥିଲେ କାଳେ କିଏ ତାଙ୍କୁ ନେବା ପାଇଁ ଆସିବ। କିନ୍ତୁ କେହି ନ ଆସିବାରୁ, ଶେଷରେ ତହସିଲଦାରଙ୍କ ପ୍ରଚେଷ୍ଟାରେ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଖାନାର ୧୬ ନମ୍ବର ବେଡ୍‌ରେ ବୃଦ୍ଧାଙ୍କୁ ରଖି ଚିକିତ୍ସା ଆରମ୍ଭ କରିଥିଲା ପ୍ରଶାସନ। ଏହି ଖବର ଜୋର୍‌ ଚର୍ଚ୍ଚା ହେବାରୁ ଡାକ୍ତରଖାନାରେ ଭିଡ଼ ଜମିଥିଲା। ଏ ସମ୍ପର୍କରେ ଜଣିପାରି ହାଇକୋର୍ଟ ଚାନ୍ଦବାଲି ଜେଏମ୍‌ଏଫ୍‌ସି ସୁନୀତା ରାଉତଙ୍କୁ ଘଟଣା ସ୍ଥଳକୁ ଯିବାପାଇଁ ନିର୍ଦେଶ ଦେଇଥିଲେ। ମାନ୍ୟବର ଜଜ୍‌ ଘଟଣାସ୍ଥଳରେ ପହଞ୍ଚି ନିଜ ଆଖିରେ ସବୁ ଦେଖିବା ପରେ ପୋଲିସ୍‌ ଓ ପ୍ରଶାସନକୁ ବୃଦ୍ଧାଙ୍କ ଘର ଠାବ କରିବାକୁ ନିର୍ଦେଶ ଦେଇଥିଲେ। ଜଣାପଡ଼ିଥିଲା ବୃଦ୍ଧାଙ୍କ ଘର ଚାନ୍ଦବାଲି ଅନ୍ତର୍ଗତ ମହୁଲିଆ ଅଞ୍ଚଳରେ। କିନ୍ତୁ ପୁଅ-ବୋହୂ କେନ୍ଦ୍ରାପଡ଼ାରେ ରହୁଛନ୍ତି। ପୈତୃକ ସମ୍ପତ୍ତି ବିକିବା ପାଇଁ ବୁଢ଼ୀ ମା’କୁ ବାଧ୍ୟ କରୁଥିଲେ। ମାତ୍ର ବୁଢ଼ୀ ମା’ ସେଥିରେ ସେ ରାଜି ହୋଇ ନ ଥିଲେ। ତେଣୁ କେନ୍ଦ୍ରାପଡ଼ା ଅଞ୍ଚଳରୁ ବୁଢ଼ୀ ମା’କୁ ସାଙ୍ଗରେ ଆଣି ଚାନ୍ଦବାଲି ଆହାର କେନ୍ଦ୍ର ବାରଣ୍ଡାରେ ପୁଅ ଅର୍ଜୁନ ପୋଥାଳ ଓ ବୋହୂ କାଳି  ଛାଡ଼ି ପଳାଇ ଯାଇଥିଲେ। ବୃଦ୍ଧାଙ୍କୁ ଏବେ ଭଦ୍ରକରେ ଥିବା ଜରା ନିବାସକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପୁଅ ବୋହୂଙ୍କୁ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରାଯାଇଛି। ଏହାପରେ ବୁଧବାର ସକାଳେ ମା’କୁ ନେବା ପାଇଁ ତାଙ୍କ ପୁଅ ଅର୍ଜୁନ ଡାକ୍ତରଖାନାରେ ଆସି ପହଞ୍ଚିଥିଲେ। କିନ୍ତୁ ନିର୍ଯାତନାରେ ଅତିଷ୍ଠ ହୋଇ ପଡ଼ିଥିବା କୁନ୍ତଳା ଘରକୁ ଫେରିବାକୁ ଅମଙ୍ଗ ହେଉଛନ୍ତି। ବାକି ଜୀବନ ସେ ମେଡ଼ିକାଲ୍‌ ବେଡ୍‌ରେ ବିତାଇବେ ବୋଲି ଭଲମନ୍ଦ ବୁଝିବାକୁ ଆସିଥିବା ତହସିଲଦାରଙ୍କ ହାତ ଧରି ନେହୁରା ହୋଇଥିଲେ।

ଅନ୍ୟପଟେ ବୃଦ୍ଧାଙ୍କ ବୋହୂ କାଳୀ ତାଙ୍କ ସଫେଇରେ କହିଛନ୍ତି ଯେ ମା’-ପୁଅ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ମା’ ସେଠାରେ ହଜିଯାଇଥିଲେ। ବହୁ ଖୋଜାଖୋଜି ପରେ ପୁଅ ତାଙ୍କୁ ନ ପାଇବାରୁ ସେଠାରୁ ଚାଲି ଆସିଥିଲେ। ତେବେ ବୋହୂ କାଳୀଙ୍କ ଏପରି ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ମନେ ହେଉଛି। ଯଦି ଯାତ୍ରା ସ୍ଥଳରେ ମା’ ହଜିଗଲେ ତା’ହେଲେ ସ୍ଥାନୀୟ ପୋଲିସ୍‌ ଓ ପ୍ରଶାସନର ସାହାଯ୍ୟ ନେବାକୁ ତାଙ୍କୁ କିଏ ରୋକିଥିଲା। ଆଖିକୁ ଠିକ୍‌ ଭାବେ ଦେଖାଯାଉ ନ ଥିବା ବୁଢ଼ୀ ମା’ଙ୍କ କହିବା ଅନୁଯାୟୀ ଆହାର କେନ୍ଦ୍ର ବାରଣ୍ଡାରେ ତାଙ୍କୁ ପୁଅ ବୋହୂ ଛାଡ଼ି ଚାଲି ଯାଇଥିଲେ। ଏଥିରୁ ବୃଦ୍ଧାଙ୍କ କଥାରେ ଅଧିକ ସତ୍ୟତା ଥିବା ପ୍ରତୀୟମାନ ହେଉଛି। ଆଜିର ସ୍ବାର୍ଥପର ଦୁନିଆରେ ପୂର୍ବରୁ ଏଭଳି ଅନେକ ଘଟଣାର ନଜିର୍‌ ରହିଛି। ଏଣୁ ସମ୍ପତ୍ତି ପାଇଁ ବୁଢ଼ୀ ମା’ଙ୍କୁ ହତାଦର କରି ନିଃସହାୟ ଅବସ୍ଥାରେ ଛାଡ଼ି ଚାଲିଯିବା ନିହାତି ଅବିବେକି କାର୍ଯ୍ୟ। ଏଥିପାଇଁ ପଶ୍ଚାତାପ କରିବା ବଦଳରେ ନିଜ ସପକ୍ଷରେ ମତ ଦେବା ଆହୁରି ଗର୍ହିତ ଅପରାଧ। ଏଭଳି ପୁଅମାନଙ୍କୁ ଉଚିତ୍‌ ଦଣ୍ଡ ବିଧାନ ଜରିଆରେ ହିଁ ଶିକ୍ଷା ଦିଆଯାଇ ପାରିବ। ଯଦ୍ବାରା ଭବିଷ୍ୟତରେ ଲୋକେ ଏଭଳି ଅମାନବୀୟ କାର୍ଯ୍ୟ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ବାଧ୍ୟ ହେବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ