୩୧ରେ କିଙ୍ଗ କୋହଲି: ଜାଣନ୍ତୁ ଫିଟ୍‌ନେସ୍‌ ଫ୍ରିକ୍‌ ରୋଲ୍‌ ମଡେଲ୍‌ଙ୍କ ରୁଚି


ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ତଥା ନିଜର ବ୍ୟାଟିଂ ବଳରେ କିଙ୍ଗ କୋହଲି ଭାବେ ପରିଚିତ ବିରାଟ ମଙ୍ଗଳବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ ଜଗତରେ ନିଜର ଦବ୍‌ଦବା କାଏମ ରଖିଥିବା କୋହଲି ୧୧ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅର୍‌ରେ ଅନେକ ରେକର୍ଡ ପ୍ରତିଷ୍ଠା କରିପାରିଛନ୍ତି। ଦିନିକିଆ ରାଙ୍କିଙ୍ଗ୍‌ରେ ସେ ଢେର୍‌ ସମୟ ଧରି ଶୀର୍ଷ ସ୍ଥାନରେ ରହିଆସିଛନ୍ତି। ସେହିପରି ଅଧୁନା ଟେଷ୍ଟ୍‌ ରାଙ୍କିଙ୍ଗ୍‌ରେ ୨ ନମ୍ବରରେ ଥିବା କୋହଲି ଟି-୨୦ରେ ଶୀର୍ଷ ୧୦ରେ ରହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଖୁବ୍‌ କମ୍‌ ସମୟ ସେ ଦଳଠାରୁ ଦୂରରେ ରହିଛନ୍ତି। ବର୍ତ୍ତମାନ ଭାରତ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳୁଥିବା ବେଳେ କୋହଲି ବିଶ୍ରାମ ନେଉଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହ ବିଦେଶରେ ଛୁଟି କଟାଉଛନ୍ତି ଏହି ତାରକା ବ୍ୟାଟ୍ସମ୍ୟାନା୍‌।

ନିଜର ବ୍ୟାଟିଂ ସହ ଅତୁଳନୀୟ ଫିଟ୍‌ନେସ୍‌ ପାଇଁ ମଧ୍ୟ ବିରାଟ ବେଶ୍‌ ଚର୍ଚ୍ଚିତ। ସେ ପଡ଼ିଆରେ ବ୍ୟାଟିଂ ହେଉ କି ଫିଲ୍‌ଡିଂ, ସବୁବେଳେ ନିଜର ଚପଳତା ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତାଙ୍କଠାରୁ ଫିଟ୍‌ କ୍ରିକେଟର୍‌ ବୋଧହୁଏ କେହି ନାହାନ୍ତି। ଏହି କାରଣରୁ ସେ ଆଘାତଜନିତ ସମସ୍ୟା ପାଇଁ ପଦାପି ଦଳରୁ ବାଦ୍‌ ପଡ଼ିନାହାନ୍ତି। ଦିଲ୍ଲୀର ଏହି ରନ୍‌ମେସିନ୍‌ ଏଥିପାଇଁ କସରତ ସହ ଖାଦ୍ୟପାନୀୟ ଉପରେ ମଧ୍ୟ ଗୁରୁତ୍ବ ଦେଇଥାନ୍ତି। ସେ ଅଧିକାଂଶ ସମୟ ଜିମ୍‌ରେ କଟାଇ ଶରୀରକୁ ଫୁର୍ତ୍ତି ଓ ଚପଳ କରିବାରେ ଲାଗିପଡ଼ିଥାନ୍ତି। ତେଣୁ ଜିମ୍‌ କୋହଲିଙ୍କ ଦ୍ବିତୀୟ ଘର ବୋଲି କହିଲେ ଭୁଲ୍‌ ହେବ ନାହିଁ। ତା’ଛଡ଼ା କୋହଲି ଆମିଷ ଦ୍ରବ୍ୟକୁ ଛୁଅଁନ୍ତି ବି ନାହିଁ। ଏପରିକି ସେ କ୍ଷୀର କିମ୍ବା ସେଥିରୁ ଜାତ କୌଣସି ଦ୍ରବ୍ୟ ସେବନ କରନ୍ତି ନାହିଁ। ସେ ଡ୍ରାଏ ଫ୍ରୁଟ୍‌, ବ୍ଲାକ୍‌ କଫି ଓ ସବୁଜ ପନିପରିବାରୁ ପ୍ରସ୍ତୁତ ଖାଦ୍ୟକୁ ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି। କୋହଲିଙ୍କ ପରି ପତ୍ନୀ ଅନୁଷ୍କା ମଧ୍ୟ ଜଣେ ଶାକାହାରୀ। ତେଣୁ ଶାକାହାରୀ ହେବା ସତ୍ତ୍ବେ କୋହଲି ଯେପରି ଫିଟ୍‌ ଅଛନ୍ତି, ତାହା ଆମିଷ ସେବନ କରୁଥିବା ଲୋକମାନଙ୍କୁ ତାଜୁବ୍‌ କରିଦେଇଛି।

ଖାଦ୍ୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଥିବା କୋହଲି ପାନୀୟ ଭାବେ ଯାହା ଗ୍ରହଣ କରନ୍ତି, ତାହାର ଦାମ୍‌ ଶୁଣିଲେ ବୋଧହୁଏ କେହି ସହଜରେ ବିଶ୍ବାସ କରିପାରିବେ ନାହିଁ। କାରଣ କୋହଲି ଫ୍ରାନ୍ସ କମ୍ପାନୀ ଏଭିଆନ୍‌ ଦ୍ବାରା ପ୍ରସ୍ତୁତ ପାଣି ପିଅନ୍ତି, ଯାହାର ଦାମ୍‌ ଲିଟର ପିଛା ୬ ଶହରୁ ଆରମ୍ଭ ହୋଇ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ପାନୀୟ ମଧ୍ୟ କୋହଲିଙ୍କୁ ତାଙ୍କୁ ଫିଟ୍‌ ରଖିବାରେ ସହାୟକ ହୋଇଛି। କାରଣ ଏହି ପାନୀୟ ଦ୍ବାରା ଓଜନ ହ୍ରାସ ପାଇଥାଏ। ତା’ଛଡ଼ା ଏହା ଡିପ୍ରେସନ୍‌କୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ। ଆହୁରି ମଧ୍ୟ ଏହା ସ୍କିନ୍‌ ପାଇଁ ବି ଫାଇଦାଦାୟକ। ଏହି ପାଣିକୁ ୟୁରୋପ ପାର୍ବତ୍ୟାଞ୍ଚଳରୁ ସଂଗ୍ରହ କରାଯାଇଥାଏ।

ସେହିପରି କିଙ୍ଗ କୋହଲିଙ୍କ ହାତରେ ଯେଉଁ ଘଡ଼ି ଦେଖିବାକୁ ମିଳିଥାଏ, ତା’ର ଦାମ୍‌ ମଧ୍ୟ ଯଥେଷ୍ଟ ଅଧିକ। ତାଙ୍କ ପାଖରେ ଢେର୍‌ ଅଧିକ ଘଡ଼ିର କଲେକ୍ସନ୍ ରହିଛି। ସେ ପିନ୍ଧୁଥିବା ଘଡ଼ିର ଦାମ୍‌ ପାଖାପାଖି ୭୦ ଲକ୍ଷ ଟଙ୍କା। ଏହି ଘଡ଼ିରେ ସୁନା ସହ ନୀଲମ ପରି ଦାମୀ ରତ୍ନପଥର ଓ ହୀରା ଖଚିତ ରହିଥିବା ଜଣାଯାଏ। ତେଣୁ ବର୍ତ୍ତମାନ ବିଶ୍ବର ଶୀର୍ଷ କ୍ରିକେଟର୍‌ ଭାବେ ବିବେଚିତ ହେଉଥିବା କୋହଲି ଦାମୀ ଲାଇଫ୍‌ଷ୍ଟାଇଲ୍‌ରେ ବିଶ୍ବାସ ରଖନ୍ତି। କିନ୍ତୁ ପଡ଼ିଆରେ ଅଧିନାୟକ ଓ ଖେଳାଳି ଭାବେ ସେ ଅନ୍ୟ ପାଇଁ ବି ଉଦାହରଣ ସୃଷ୍ଟି କରିଥାନ୍ତି। ତାଙ୍କର ଫିଟ୍‌ନେସ୍‌ ପାଇଁ ଅନ୍ୟମାନେ ତାଙ୍କୁ ଅନୁସରଣ କରୁଥିବା ବେଳେ ସେ ବର୍ତ୍ତମାନ ସମୟରେ ଯୁବ କ୍ରିକେଟର୍‌ଙ୍କ ପାଇଁ ରୋଲ୍‌ ମଡେଲ୍‌ ହୋଇପାରିଛନ୍ତି। ଯୁବ ଖେଳାଳିମାନେ ତାଙ୍କ ପରି ଡାଏଟ୍‌ ଆପଣାଇ ଉତ୍ତମ ଫିଟ୍‌ନେସ୍‌ ହାସଲ ପାଇଁ ଉଦ୍ୟମ ମଧ୍ୟ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ