ଭେଣ୍ଟିଲେଟରରେ ଭୁବନେଶ୍ବର: ଲୁଚାଯାଉଛି ପ୍ରଦୂଷଣ ତଥ୍ୟ

ପ୍ରଶ୍ନବାଚୀ ହୋଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚଞ୍ଚକତାପୂର୍ଣ୍ଣ କାର୍ଯ୍ୟଶୈଳୀ

ଏବେ ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ବିପଦଜ୍ଜନକ ଧୂଆଁ ପାଇଁ ସହରର ପବନ ବିଷ ପାଲଟିଛି। ସୁପ୍ରିମକୋର୍ଟ ସରକାରଙ୍କ ଉପରେ କଠୋର ହୋଇଥିବା ବେଳେ ଆବର୍ଜନାରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ଠାରୁ ଲକ୍ଷେ ଟଙ୍କାର ଜରିମାନା ଆଦାୟ ପାଇଁ ନିର୍ଦେଶ ଜାରି କରାଯାଇଛି। ହେଲେ ଓଡିଶା ରାଜଧାନୀ ଭୁବନେଶ୍ବର‌ର ଅଧିକାଂଶ ସ୍ଥାନ ଯେ ଦିଲ୍ଲୀ ଭଳି ପ୍ରଦୂଷିତ ତାହା ଅନେକଙ୍କୁ ଅଜଣା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଲୁଚାଉଥିବାରୁ ଏହା ପ୍ରଘଟ ହେଉନି। ଅସଲରେ ପ୍ରଦୂଷିତ ସହର ପାଲଟିଥିବା ଭୁବନେଶ୍ବରକୁ ପ୍ରଦୂଷଣମୁକ୍ତ ଏବଂ ବିପଦମୁକ୍ତ ତଥା ସୁସ୍ଥ ସହର ଭାବେ ଉପସ୍ଥାପନ କରାଯାଉଥିବାରୁ କେହି ଏହାର ଟେର୍ ପାଉନାହାନ୍ତି। ଦେଶର ରାଜଧାନୀ ଦିଲ୍ଲୀ ପରେ ଏବେ ରାଜ୍ୟରେ ବଢିଛି ପ୍ରଦୂଷଣ ଚିନ୍ତା। ଅଙ୍ଗାରକାମ୍ଲ ବୃଦ୍ଧି ପ୍ରଭାବରେ ପ୍ରଦୂଷଣ କବଳରେ ଏବେ ଓଡ଼ିଶାର ୭ଟି ସହର। ତେଣୁ ରାଜ୍ୟବାସୀଙ୍କୁ ସଚେତନ କରାଯିବାକୁ ନିର୍ଦେଶ ହୋଇଛି। ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସଚିବ ଦେବୀଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି। ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର ଗୁଡ଼ିକ ମଧ୍ୟରେ ରହିଛି ରାଜଧାନୀ ଭୁବନେଶ୍ୱର। ଅଙ୍ଗାରକାମ୍ଲର ପ୍ରଭାବ ବଢୁଥିବାରୁ ଏବେ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି। କଳକାରଖାନାର ଦୂଷିତ ଧୂଆଁ, ଠିକ୍‌ ଢଙ୍ଗରେ ସଫେଇ ନ କରିବା ଏବେ ରାଜ୍ୟରେ ପ୍ରଦୂଷଣର ମୁଖ୍ୟ କାରଣ ସାଜିଛି।

ପ୍ରଦୂଷଣ କବଳରେ ଥିବା ରାଜ୍ୟର ୭ଟି ସହର ମଧ୍ୟରେ ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ରହିଛି। ଏଥି ସହ ୯ଟି ନଦୀର ଅବବାହିକା ମଧ୍ୟ ପ୍ରଦୂଷିତ ହୋଇଛି। ସେଥିରୁ ଗଙ୍ଗୁଆ ନାଳ ମଧ୍ୟ ସର୍ବାଧିକ ପ୍ରଦୂଷିତ ହୋଇଗଲାଣି। ରାଜ୍ୟରେ ପ୍ରଦୂଷଣ କମ୍‌ କରାଇବା ପାଇଁ ସୋମବାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସଦସ୍ୟଙ୍କ ଏକ ପରିବେଶ ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଲୋଚନା ହୋଇଛି। ଏହି ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦୂଷଣ ବୋର୍ଡ଼ ସଚିବ ଦେବୀଦତ୍ତ ବିଶ୍ବାଳ ଓ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ।

ରାଜଧାନୀରେ ପ୍ରଦୂଷଣର ମାତ୍ରା କେଉଁ ସ୍ଥିତିରେ ଅଛି, ତାହା ରବିବାରର ବାୟୁର ମାନରୁ ଜଣାପଡ଼ୁଛି। ରାଜଧାନୀର ସବୁଠୁ କମ୍‌ ଭିଡ଼ ଦିନ ଭାବେ ରବିବାର ଗଣା ହେଉଥିବାବେଳେ ଏହି ଦିନରେ ବି ରାଜଧାନୀର ବାୟୁ ଶରୀର ପାଇଁ ଅତ୍ୟନ୍ତ ଅସ୍ବାସ୍ଥ୍ୟକର। ନଭେମ୍ବର ୩ ତାରିଖ ଅର୍ଥାତ୍ ରବିବାର ରାଜଧାନୀର ୪ଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରେକର୍ଡ ହୋଇଥିବା ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ରୁ ଜଣାପଡ଼ିଛି ଯେ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ୍ୟୁଆଇ ୨୪୯ଥିବାବେଳେ, ରମାଦେବୀ ନିକଟରେ ଏକ୍ୟୁଆଇ ୨୧୧, କିଟ୍‌ ଛକରେ ଏକ୍ୟୁଆଇ ୨୦୧, ୟୁନିଟ-୮ ଡିଏଭି ନିକଟରେ ଏକ୍ୟୁଆଇ ୨୩୯ ଥିଲା। ଏହା ହେଉଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌) ପକ୍ଷରୁ ରାଜଧାନୀରେ ବିଭିନ୍ନ ସ୍ଥାନରେ ବସା ଯାଇଥିବା ବାୟୁ ମାପ ବିଶ୍ଳେଷକର ସୂଚନା। ସୋମବାର ଏହି ଚାରିଟି ସ୍ଥାନରେ ଏକ୍ୟୁଆଇ ଯଥାକ୍ରମେ ୯୦, ୯୫,୧୧୧ ଓ ୮୮ ରହିଥିଲା। ବିନା ବର୍ଷାରେ ଏବଂ ରବିବାର ଠାରୁ ଅଧିକ ଗାଡ଼ି ଚଳାଚଳ କରୁଥିବା ସୋମବାରରେ କିପରି ଏକ୍ୟୁଆଇ କମିଲା, ସେନେଇ ବି ପ୍ରଶ୍ନ ଉଠିଲାଣି। ସରକାରୀ ସଂସ୍ଥା କିପରି ପ୍ରଦୂଷିତ ରାଜଧାନୀକୁ ସୁସ୍ଥ ରାଜଧାନୀ କରି ଦେଖାଉଛନ୍ତି, ତାହା ସେମାନଙ୍କର ଏୟାର ପଲ୍ୟୁସନ୍ ଆନାଲାଇଜର୍‌କୁ ଦେଖିଲେ ଜଣାପଡ଼ୁଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପାୱାର ହାଉସ୍‌ ଛକରେ ଲାଗିଥିବା ଏୟାର ପଲ୍ୟୁସନ୍ ଆନାଲାଇଜର୍‌ ବୋର୍ଡରେ କେବଳ ୨୪ ଘଣ୍ଟାର ହାରାହାରି ସୂଚନା ଦିଆଯାଉଥିବାରୁ ଦିନଯାକ ଏଥିରେ ଏକ୍ୟୁଆଇ ସମାନ ରହୁଛି। ଫଳରେ ରାତି ଓ ଦିନର ପ୍ରଦୂଷଣ ମାତ୍ରା ମିଶି ହାରାହାରି ପ୍ରଦୂଷଣ ମାତ୍ରା ବାହାରୁଥିବାରୁ ଏବଂ ଏହା ଅପେକ୍ଷାକୃତ କମ୍‌ ରହୁଥିବାରୁ ଏହାକୁ ଦେଖାଯାଉଛି।

ଲୋକ ସିନା ପ୍ରଦୂଷଣ ବଢ଼ୁଛି ବୋଲି ଜାଣିଲେ ସଜାଗ ହେବେ କି ସରକାର ଭୁବନେଶ୍ବର ପ୍ରଦୂଷିତ ହେଲାଣି ବୋଲି ଜାଣିଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପଦକ୍ଷେପ ନେବାକୁ କହିବେ। ଯଦି ତଥ୍ୟ ପ୍ରଦର୍ଶନରେ ଚଞ୍ଚକତା କରିଦିଆଯିବ, ତେବେ ସରକାର କିଛି କହିବେନି କି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କିଛି ପଦକ୍ଷେପ ନେବାକୁ ପଡ଼ିବନି।‌ କେବଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୁହେଁ, ବିଏସ୍‌ସିଏଲ୍ ପକ୍ଷରୁ ରାଜଧାନୀରେ ଲାଗିଥିବା ୧୦ଟି ଏୟାର ପଲ୍ୟୁସନ୍ ଆନାଲାଇଜର୍‌ ମଧ୍ୟରୁ ଏବେ ୪ଟି କାମ କରୁଥିବାବେଳେ ଏଥିରେ ବି ଚଞ୍ଚକତା କରାଯାଉଛି। ପୂର୍ବରୁ ଏଥି‌ରେ ଦିନର ବିଭିନ୍ନ ସମୟର ଏକ୍ୟୁଆଇ ପ୍ରଦର୍ଶିତ ହେଉଥିଲା। ବିଏସ୍‌ସିଏଲ୍‌ ଭୁବନେଶ୍ବରର ପ୍ରଦୂଷଣ କମାଇବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ଏକ ଘରୋଇ ସଂସ୍ଥାକୁ ନିୟୋଜିତ କରିଥିଲେ ହେଁ କେହି ଯେପରି କିଛି କରି ନ ପାରିବେ, ସେଥିପାଇଁ ବାଟ ବାହାର କରାଯାଇଛି। ବିଏସ୍‌ସିଏଲ୍‌ ପକ୍ଷରୁ ପ୍ରକୃତ ସମୟ ତଥ୍ୟ ସର୍ଭେ (ଆରଟିଡିଏସ୍) ଯନ୍ତ୍ର ଲାଗିଥିଲେ ହେଁ ଏଥିରେ କେବଳ ଦିନକର ହାରାହାରି ତଥ୍ୟ ଦେଖାଯାଉଛି। ଭୁବନେଶ୍ବର ପ୍ରଦୂଷିତ ସହର ନୁହେଁ ବୋଲି ପ୍ରମାଣିତ କରିବାକୁ ଯଥା ସମ୍ଭବ ଉଦ୍ୟମ କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ବାୟୁ ମଣ୍ଡଳରେ ଯଦି ପିଏମ୍‌ ୨.୫, ପିଏମ୍‌ ୧୦, ସଲ୍‌ଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଡାଇଅକ୍ସାଇଡ୍, ଓଜୋନ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍‌ର ମାତ୍ରା ବଦଳୁଛି, ତେବେ ଏକ୍ୟୁଆଇ କିପରି ଦିନଯାକ ସମାନ ରହୁଛି? ଏକ୍ୟୁଆଇ ଦିନଯାକ ସମାନ ରହିବା ଯୋଗୁଁ ଏବେ ପ୍ରଶ୍ନ ଉଠୁଛି ଯେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ତଥ୍ୟ ବଦଳାଇ ଦେଉଛନ୍ତି କି? ଲାଗିଥିବା ଏୟାର ପଲ୍ୟୁସନ୍ ଆନାଲାଇଜର୍‌ ଯନ୍ତ୍ର କାମ କରୁନି କି? ନା ଏୟାର ପଲ୍ୟୁସନ୍ ଆନାଲାଇଜର୍‌ ଯନ୍ତ୍ରକୁ ଟାମ୍ପରିଂ କରାଯାଉଛି?ଏମିତି ପ୍ରଶ୍ନ ଘେରରେ ଛନ୍ଦି ହୋଇପଡୁଛି ସ୍ମାର୍ଟସିଟିର ପରିବେଶ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ