ଏୟାର୍‌ଟେଲ୍‌ର ସ୍ବତନ୍ତ୍ର ଅଫର୍‌: ୫୯୯ ରିଚାର୍ଜରେ ୪ ଲକ୍ଷର ଜୀବନ ବୀମା ସୁବିଧା


ଦେଶର ଅନ୍ୟତମ ପ୍ରମୁଖ ଘରୋଇ ଦୂରସଞ୍ଚାର କମ୍ପାନୀ ଏୟାର୍‌ଟେଲ୍‌ ସୋମବାର ତା’ର ପ୍ରିପେଡ୍‌ ଗ୍ରାହକମାନଙ୍କ ସକାଶେ ଏକ ସ୍ବତନ୍ତ୍ର ଅଫର୍‌ର ଘୋଷଣା କରିଛି। ଏହି ଅଫର୍‌ରେ ପ୍ରଥମ ଥର ପାଇଁ ଗ୍ରାହକଙ୍କୁ ଭାଉଚର୍‌ ରିଚାର୍ଜରେ ଜୀବନ ବୀମା ସୁବିଧା ମିଳିପାରିବ। ଏଥିପାଇଁ ଅତି କମ୍‌ରେ ଗ୍ରାହକମାନଙ୍କୁ ୫୯୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ଏଥିରେ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ସହ ଅଲ୍‌ଲିମିଟେଡ୍‌ କଲ୍‌ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ। ଏହାର ଅବଧି ୮୪ ଦିନ ରହିଥିବା ବେଳେ ଗ୍ରାହକଙ୍କୁ ୪ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ମଧ୍ୟ ମିଳିବ। ଏହି ଜୀବନ ବୀମା କଭର୍‌ ଭାରତୀ ଏକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ମିଳିବ ବୋଲି ଏୟାର୍‌ଟେଲ୍‌ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଏହି ସୁବିଧା ରାଜଧାନୀ ଦିଲ୍ଲୀ ଓ ଅନ୍ୟାନ୍ୟ କେତେକ ହାତଗଣତି ରାଜ୍ୟରେ ଉପଲବ୍ଧ ହେଉଛି ବୋଲି ଭାରତୀ ଏୟାର୍‌ଟେଲ୍‌ର ଦିଲ୍ଲୀ-ଏନ୍‌ସିଆର୍‌ ସିଇଓ ବାଣୀ ଭେଙ୍କଟେଶ କହିଛନ୍ତି।

ଏ ସଂକ୍ରାନ୍ତରେ ଏଠାରେ ଉଭୟ ଏୟାର୍‌ଟେଲ୍‌ ଓ ଭାରତୀ ଏକ୍ସା ପକ୍ଷରୁ କୁହାଯାଇଛି ଯେ କୌଣସି ଗ୍ରାହକ ୫୯୯ ଟଙ୍କାର ରିଚାର୍ଜ କରିବା ପରେ ସେମାନଙ୍କୁ ତୁରନ୍ତ ଜୀବନ ବୀମା ସୁବିଧାରେ ଅନ୍ତର୍ଭୁକ୍ତ କରାଯିବ। ୮୪ ଦିନର ଅବଧି ପୂରଣ ହେବା ପରେ ଗ୍ରାହକ ପୁନର୍ବାର ରିଚାର୍ଜ କରିବା ପରେ ପରେ ଏହା ଜାରି ରହିବ। ଏହି ଜୀବନ ବୀମା ସୁବିଧାର ଫାଇଦା ପାଇବା ସକାଶେ ସମ୍ପୃକ୍ତ ଗ୍ରାହକଙ୍କ ବୟସ ୧୮ରୁ ୫୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହି ସୁବିଧା ପାଇବା ସକାଶେ କୌଣସି ଗ୍ରାହକଙ୍କୁ ପେପର୍‌ୱାର୍କ କିମ୍ବା ମେଡିକାଲ୍‌ ଯାଞ୍ଚ୍‌ର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ରିଚାର୍ଜ କରିବା ପରେ ପରେ ଗ୍ରାହକଙ୍କୁ ବୀମା ସାର୍ଟିଫିକେଟ୍‌ ଡିଜିଟାଲ୍‌ ରୂପରେ ମିଳିଯିବ ବୋଲି କୁହାଯାଇଛି। ତା’ଛଡ଼ା ଯଦି ଗ୍ରାହକ ଚାହିଁବେ, ତା’ହେଲେ ତାଙ୍କ ଘର ଠିକଣାରେ ମଧ୍ୟ ବୀମା ସାର୍ଟିଫିକେଟ୍‌ ପହଞ୍ଚାଇ ଦିଆଯିବ। ଏହି ବୀମା ସୁବିଧା ପାଇବା ସକାଶେ ଗ୍ରାହକ ଉପରୋକ୍ତ ପରିମାଣର ରିଚାର୍ଜ କରିବା ପରେ ଏସ୍‌ଏମ୍‌ଏସ୍‌ କିମ୍ବା ଏୟାର୍‌ଟେଲ୍‌ ଥ୍ୟାଙ୍କ୍‌ସ ଆପ୍‌ କିମ୍ବା ଏୟାର୍‌ଟେଲ୍‌ ରିଟେଲର୍‌ ମାଧ୍ୟମରେ ପଞ୍ଜୀକରଣ କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ