ଆଜିଠାରୁ ସଞ୍ଚୟ ଜମା ଉପରେ ଏସ୍‌ବିଆଇର ନୂଆ ଦର ଲାଗୁ


ନଭେମ୍ବର ୧ ତାରିଖଠାରୁ ଦେଶର ସର୍ବବୃହତ୍‌ ୠଣ ପ୍ରଦାନକାରୀ ବ୍ୟାଙ୍କିଂ ପ୍ରତିଷ୍ଠାନ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ତା’ର ସଞ୍ଚୟ ଜମା ଉପରେ ସୁଧ ହାର ପରିବର୍ତ୍ତନ କରିବାକୁ ଯାଉଛି। ପୂର୍ବରୁ ଅକ୍ଟୋବର ପ୍ରାରମ୍ଭରେ ଏନେଇ ଏସ୍‌ବିଆଇ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାରଠାରୁ ଏହାକୁ ଲାଗୁ କରିବ। ଏହି ନୂଆ ନିୟମ ଦ୍ବାରା ସଞ୍ଚୟ ଖାତାର ଜମାକାରୀମାନେ ପ୍ରଭାବିତ ହେବେ। କାରଣ ସଞ୍ଚୟ ଖାତା ଜମା ଉପରେ ବ୍ୟାଙ୍କ ତା’ର ସୁଧ ହାରକୁ ପୂର୍ବ ତୁଳନାରେ .୨୫ ପ୍ରତିଶତ ହ୍ରାସ କରିବ। ଅର୍ଥାତ୍‌ ବ୍ୟାଙ୍କ୍‌ ଏଣିକି ସଞ୍ଚୟ ଖାତାରେ ୧ ଲକ୍ଷ ପର୍ଯ୍ୟନ୍ତ ଜମା ରଖିଥିବା ଗ୍ରାହକଙ୍କୁ ବାର୍ଷିକ ୩.୨୫ ପ୍ରତିଶତ ହାରରେ ସୁଧ ଦେବ। ସେହିପରି ଏକ ଲକ୍ଷରୁ ଅଧିକ ଜମା ଉପରେ ମିଳିବାକୁ ଥିବା ସୁଧ ହାରକୁ ରେପୋ ରେଟ୍‌ ସହ ଯୋଡ଼ି ଦିଆଯାଇଛି। ଅର୍ଥାତ୍‌ ଏହି ବର୍ଗର ଜମାକାରୀଙ୍କୁ ୩ ପ୍ରତିଶତ ସୁଧ ହାର ମିଳିବ।

ପୂର୍ବରୁ ଏସ୍‌ବିଆଇ ଟର୍ମ ଓ ବଲ୍‌କ ଜମା ଉପରେ ମଧ୍ୟ ସୁଧ ହାର ହ୍ରାସ କରିସାରିଛି। ଏଥିରେ ପାଖାପାଖି ୧୦ରୁ ୩୦ ପ୍ରତିଶତ ବେସିସ୍‌ ପଏଣ୍ଟ୍‌ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଅବଶ୍ୟ ଏହି ନୂଆ ଦର ଗତ ଅଗଷ୍ଟ ୧୦ ତାରିଖଠାରୁ ଲାଗୁ ହୋଇସାରିଛି। ତେବେ ଶୁକ୍ରବାରଠାରୁ ଲାଗୁ ହେବାକୁ ଥିବା ନୂଆ ନିୟମର ପ୍ରଭାବ ବ୍ୟାଙ୍କ୍‌ର ପାଖାପାଖି ୪୦ କୋଟିରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ଉପରେ ପଡ଼ିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଦେଶର ଶୀର୍ଷ ବ୍ୟାଙ୍କ୍‌ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ତା’ର ଦୁଇମାସିଆ ସମୀକ୍ଷା ବୈଠକରେ ଲଗାତର ୫ ଥର ରେପୋ ରେଟ୍‌ ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷର ପଞ୍ଚମ ଦ୍ବିମାସିକ ନୀତି ଉପରେ ଆସନ୍ତା ଡିସେମ୍ବର ୫ ତାରିଖରେ ବିବୃତି ପ୍ରକାଶ କରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ